୧୦ ବର୍ଷରେ ଭାରତର ଜିଡିପି ୬ ଟ୍ରିଲିଅନ୍‌ ଡଲାର ହେବ

ନୂଆଦିଲ୍ଲୀ: ଆସନ୍ତା ୧୦ ବର୍ଷ ଭିତରେ ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି) ପରିମାଣ ୬ ଟ୍ରିଲିଅନ୍‌ ଡଲାରରେ ପହଞ୍ଚିବ ବୋଲି ମର୍ଗାନ୍‌ ଷ୍ଟାନ୍‌ଲି ଆକଳନ କରିଛି। ସଂସ୍କାର, ଜଗତିକରଣ ଏବଂ ଡିଜିଟାଇଜେସନ୍‌ ଅଭିଯାନ ଯୋଗୁଁ ଭାରତ ଏହି ସ୍ତରରେ ପହଞ୍ଚିଯିବ। ୧୯୯୦ରେ ଦେଶର ଅଭିବୃଦ୍ଧି ହାର ୫.୮% ଭଳି ସ୍ତରରେ ଥିଲା। ୨୦୦୦ ବେଳକୁ ତାହା ୬.୯% ଭଳି ବେଗ ସହିତ ଆଗକୁ ବଢ଼ିଥିଲା। ଅଭିବୃଦ୍ଧିରେ ଏହି ଦ୍ରୁତ ଗତିର ଧାରା ଆସନ୍ତା ଦଶନ୍ଧୀରେ ମଧ୍ୟ ବଜାୟ ରହିବ ବୋଲି ମର୍ଗାନ୍‌ ଷ୍ଟାନ୍‌ଲି ଆକଳନ କରିଛି। ଡିଜିଟାଇଜେସନ୍‌ ଯୋଗୁଁ ଅଭିବୃଦ୍ଧି ୦.୫୦-୦.୭୫% ଅଧିକ ହୋଇପାରିବ। ଏହା ସହିତ ୨୦୨୬-୨୭ ବେଳକୁ ଭାରତ ଉଚ୍ଚ-ମଧ୍ୟମ ଆୟ ବର୍ଗର ଦେଶ ଭାବେ ପରିଗଣିତ ହେବ। ଚଳିତ ବର୍ଷର ଏପ୍ରିଲ୍‌-ଜୁନ୍‌ରେ ଦେଶର ଅଭିବୃଦ୍ଧସି ହାର ୫.୭%କୁ ହ୍ରାସ ପାଇଛି। ବିମୁଦ୍ରାକରଣ ପରେ ସୃଷ୍ଟି ହୋଇଥିବା ପରିସ୍ଥିତି ଯୋଗୁଁ ଅର୍ଥନୀତିରେ ମାନ୍ଦାବସ୍ଥା ଲାଗି ରହିଛି ବୋଲି କୁହାଯାଉଛି। ମାତ୍ର ବଜାର ବିଶେଷଜ୍ଞମାନେ କହୁଛନ୍ତି ଯେ ଯଦିଓ କେତେକ ବଳିଷ୍ଠ ସଂସ୍କାରମୂଳକ ପଦକ୍ଷେପ ଯୋଗୁଁ ଅଭିବୃଦ୍ଧି ପ୍ରଭାବିତ ହୋଇଛି କିନ୍ତୁ ମଧ୍ୟମକାଳୀନ ଭିତ୍ତିରେ ସେହି ସବୁ ସଂସ୍କାରର ଲାଭ ମିଳିବ। ୨୦୨୬-୨୭ ବେଳକୁ ଦେଶକୁ ୧୨୦ ବିଲିଅନ୍‌ ଡଲାରର ପ୍ରତ୍ୟକ୍ଷ ବୈଦେଶିକ ପୁଞ୍ଜି (ଏଫ୍‌ଡିଆଇ) ଆସୁଥିବ ବୋଲି ମର୍ଗାନ୍‌ ଷ୍ଟାନ୍‌ଲି ଆକଳନ କରିଛି।

ସମ୍ବନ୍ଧିତ ଖବର