ସାରା ବିଶ୍ୱରେ ହ୍ଵାଟସ୍‌ଆପ୍‌ ଅଚଳ

ଲୋକେ ଛାନିଆ

ନୂଆଦିଲ୍ଲୀ: ବିଶ୍ୱର ସବୁଠୁ ଲୋକପ୍ରିୟ ମୋବାଇଲ୍‌ ମେସେଜିଂ ଆପ୍‌ ହ୍ଵାଟସ୍‌ଆପ୍‌ ଆଜି ସମଗ୍ର ବିଶ୍ୱରେ କିଛି ଘଣ୍ଟା ପାଇଁ ଅଚଳ ହୋଇଯାଇଥିଲା। ତେବେ ପ୍ରକୃତରେ କେତେ ସମୟ ପାଇଁ ହ୍ଵାଟସ୍‌ଆପ୍‌ କାମ କରିନଥିଲା ତାହାର କୌଣସି ସଠିକ୍‌ ସୂଚନା ମିଳିପାରିନାହିଁ। କେତେକ କହୁଛନ୍ତି ଅଧ ଘଣ୍ଟା ଏବଂ ଆଉ କିଛି ଦେଶରେ ତାହା ୨ ଘଣ୍ଟା ପାଖାପାଖି ଅଚଳ ରହିଥିଲା ବୋଲି କୁହାଯାଇଛି। ଏହି ଖବର ପ୍ରଚାରିତ ହେବା ପରେ ଲୋକମାନେ ବହୁତ ବିଚଳିତ ହୋଇଯାଇଥିଲେ। ପ୍ରକୃତରେ କ’ଣ ସମସ୍ୟା ତାହା ଜାଣିବାକୁ ଫେସବୁକ୍‌ ଏବଂ ଟ୍ଵିଟର୍‌ରେ ସମସ୍ୟା ବିଷୟରେ ସୂଚନା ଦେଇଥିଲେ। ଅନେକ ଗ୍ରାହକ ନିଜ ଫୋନ୍‌ରେ ସମସ୍ୟା କିମ୍ବା ଇଣ୍ଟରନେଟ୍‌ ସମସ୍ୟା ଯୋଗୁଁ ଏଭଳି ହେଉଛି ବୋଲି ଭାବିଥିଲେ। ଲୋକମାନେ ମେସେଜ୍‌ ପଠାଇ ପାରିନଥିଲେ କି ପାଇନଥିଲେ। ତେବେ ଖୁସିର ବିଷୟ ଯେ ଏବେ ହ୍ଵାଟସ୍‌ଆପ୍‌ ଠିକ ଭାବେ କାମ କରୁଛି। ଭାରତ ସମେତ ମିଆଁମାରଠାରୁ ଆରମ୍ଭ କରି ରୁଷିଆ ପର୍ଯ୍ୟନ୍ତ ଏବଂ ଭିଏତନାମଠାରୁ ଆରମ୍ଭ କରି ବ୍ରାଜିଲ୍‌ ପର୍ଯ୍ୟନ୍ତ ସବୁ ଦେଶରେ ହ୍ଵାଟସ୍‌ଆପ୍‌ରେ ଦେଖାଦେଇଥିବା ସମସ୍ୟାକୁ ନେଇ ଚର୍ଚା ହୋଇଥିଲା। ତେବେ ନିର୍ଦିଷ୍ଟ କେତୋଟି ରାଷ୍ଟ୍ରରେ ହ୍ଵାଟସ୍‌ଆପ୍‌ ଅଚଳ ହୋଇଥିଲା ତାହାର କୌଣସି ସଠିକ୍‌ ସୂଚନା ଏ ପର୍ଯ୍ୟନ୍ତ ମିଳିନାହିଁ। ଟ୍ଵିଟର୍‌ ଜରିଆରେ ବ୍ୟବହାରକାରୀମାନେ ହ୍ଵାଟସ୍‌ଆପ୍‌ରେ ସମସ୍ୟା ଦେଖାଦେଇଛି ବୋଲି ସୂଚନା ଦେଇଥିଲେ। ଡାଉନ୍‌ଡିଟେକ୍ଟର ନାମକ େଓ୍ଵବସାଇଟ୍‌ ପକ୍ଷରୁ କୁହାଯାଇଛି ଯେ ୬୦% ବ୍ୟବହାରକାରୀ ହ୍ଵାଟସ୍‌ଆପ୍‌ ସହିତ ସଂଯୋଗ ସ୍ଥାପନ କରିପାରିନଥିଲେ। ଫେସବୁକ୍‌ ମାଲିକାନାରେ ରହିଛି ହ୍ଵାଟସ୍‌ଆପ୍‌। ହ୍ଵାଟସ୍‌ଆପ୍‌ ସମସ୍ୟା ବିଷୟରେ ଅନଲାଇନ୍‌ରେ ପ୍ରଚାର ହୋଇଯିବା ପରେ ସିଙ୍ଗାପୁରରେ ଅବସ୍ଥାପିତ ଫେସବୁକ୍‌ର ପ୍ରବକ୍ତା କହିଛନ୍ତି ଯେ ମାମଲାର ଯାଞ୍ଚ କରାଯିବ। ହ୍ଵାଟସ୍‌ଆପ୍‌ରେ ଦେଖାଦେଇଥିବା ସମସ୍ୟା ବିଷୟରେ ଭାରତ, ୟୁରୋପୀୟ ରାଷ୍ଟ୍ରଗୁଡ଼ିକ, ମାଲେସିଆ, ଇଣ୍ଡୋନେସିଆ, ଚୀନ୍‌, ସାଉଦି ଆରବ, ଯୁକ୍ତରାଷ୍ଟ୍ର ଆମେରିକା ଏବଂ ଶ୍ରୀଲଙ୍କାର ବ୍ୟବହାରକାରୀମାନେ ଅଭିଯୋଗ କରିଥିଲେ। ଭାରତ ସମେତ ପାକିସ୍ତାନ, ବ୍ରିଟେନ୍‌ ଏବଂ ଜର୍ମାନିରେ ହ୍ଵାଟସ୍‌ଆପ୍‌ ସମସ୍ୟା ଟ୍ଵିଟରରେ ଟପ୍‌ ଟ୍ରେଣ୍ଡ୍‌ ଥିଲା। ହ୍ଵାଟସ୍‌ଆପ୍‌ ସମସ୍ୟା ଆଜି ଟ୍ଵିଟର୍‌ରେ ଟପ୍‌ ଟ୍ରେଣ୍ଡ୍‌ ଥିଲା। ଭାରତରେ ଏହାର ୨୦ କୋଟି ବ୍ୟବହାରକାରୀ ରହିଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ଲୋକ ଟ୍ଵିଟର୍‌ ଜରିଆରେ ସେମାନଙ୍କ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଅନେକ ଲୋକ ଏହାକୁ ନେଇ ଟ୍ଵିଟରରେ ଥଟ୍ଟାମଜା କରିଥିଲେ।

ସମ୍ବନ୍ଧିତ ଖବର