ସୋସିଆଲ ମିଡିଆରେ ଫଟୋ ଛାଡ଼ିବାରୁ ‘ଲିଭ୍-ଇନ୍’ ପାର୍ଟନରକୁ ହତ୍ୟା କଲେ ମହିଳା

କୋଲକାତା : ସୋସିଆଲ ମିଡିଆରେ ଫଟୋ ଛାଡ଼ିବାରୁ ‘ଲିଭ୍-ଇନ୍’ ପାର୍ଟନରକୁ ହତ୍ୟା କଲେ ମହିଳା । କୋଲକାତା‌ରେ ଘଟିଛି ଏଭଳି ହୃଦୟ ଥରା ଘଟଣା। ଫଟୋ ପୋଷ୍ଟ କରିବାକୁ ନେଇ ଝଗଡ଼ା ହେବାରୁ ୩୨ବର୍ଷୀୟ  ‘ଲିଭ୍-ଇନ୍’ ପାର୍ଟନରଙ୍କୁ ଏକାଧିକ ଥର ଛୁରୀ ଭୁସି ହତ୍ୟା କରିଛନ୍ତି ମହିଳା। ମୃତକଙ୍କ ନାମ ସାର୍ଥକ ଦାସ ଥିବା ବେଳେ ଅଭିଯୁକ୍ତ ମହିଳାଙ୍କ ନାମ ସଂହତି ପୌଲ ବୋଲି ଜଣାପଡ଼ିଛି।

ପୁଲିସର ସୂଚନା ମୁତାବକ, ସଂହତି ବିବାହିତ ଥିଲେ ଏବଂ ତାଙ୍କର ଏକ ପୁଅ ମଧ୍ୟ ରହିଛି । ଛାଡ଼ପତ୍ର ପରେ ସଂହତି, ଫଟୋଗ୍ରାଫର ସାର୍ଥକଙ୍କ ସହ ‘ଲିଭ୍-ଇନ୍’ରେ ରହୁଥିଲେ। କିଛି ଦିନ ତଳେ ସାର୍ଥକ, ସଂହତିଙ୍କ ସହ ଫଟୋ ପୋଷ୍ଟ କରି ତାଙ୍କୁ ନିଜର ପତ୍ନୀ ବୋଲି କହିଥିଲେ। ଏହା ଦେଖି ରାଗି ଯାଇଥିଲେ ସଂହତି। ଏହାକୁ ନେଇ ଦୁହିଁଙ୍କ ମଧ୍ୟରେ ଝଗଡ଼ା ‌ହେବା ସହ ରାଗରେ ସଂହତି, ସାର୍ଥକଙ୍କ ଉପରେ ଆକ୍ରମଣ କରିଥିଲେ। ଏକାଧିକ ଥର ଛୁରୀ ଭୁସି ହତ୍ୟା କରିବା ପରେ ପୁଲିସକୁ ଫୋନ କରି ଡାକିଥିଲେ ସଂହତି। ପୁଲିସ ଘରେ ପହଞ୍ଚିବା ପରେ ସାର୍ଥକଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ତଳେ ପଡ଼ିଥିବା ଦେଖିଥିଲେ। ତୁରନ୍ତ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲେ ବି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା କହିଛି ପୁଲିସ ।

ଏବେ ସଂହତିଙ୍କୁ ପୁଲିସ ଗିରଫ କରିଥିବା ବେଳେ ହତ୍ୟା କରିବା ପଛରେ ଅନ୍ୟ କିଛି କାରଣ ଥିଲା କି ନାହିଁ, ତାହା ଜାଣିବାକୁ ତଦନ୍ତ କରୁଛି ପୁଲିସ ।

ସମ୍ବନ୍ଧିତ ଖବର