ସୁଇସାଇଡ୍ ନୋଟ୍ ଖୋଲିଲା ଆତ୍ମହତ୍ୟା ରହସ୍ୟ: ପତ୍ନୀ ଓ ଶଳାଙ୍କ ଚାପରେ ଗୋମାଂସ ଖାଇବା ପରେ ଅବସୋସରେ ହାରିଥିଲେ ଜୀବନ

ସୁରଟ: ଦୁଇ ମାସ ପୂର୍ବେ ଗୁଜୁରାଟର ସୁରଟରେ ଘଟିଥିବା ଆତ୍ମହତ୍ୟା ମାମଲାରେ ଏକ ଆଶ୍ଚର୍ଯ୍ୟଜନକ ଖୁଲାସା ହୋଇଛି। ସୂଚନାନୁସାରେ ଉଦନା ଅଞ୍ଚଳରେ ଜଣେ ଯୁବକ ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ। ସେତେବେଳେ ପୁଲିସ ମୃତକଙ୍କର କୌଣସି ସୁଇସାଇଡ୍ ନୋଟ୍ ପାଇ ନଥିଲା। ସେଥିପାଇଁ ପୁଲିସ ଶବ ବ୍ୟବଚ୍ଛେଦ ପରେ ସମ୍ପର୍କୀୟଙ୍କୁ ଶବ ହସ୍ତାନ୍ତର କରିଦେଇଥିଲେ। ମାତ୍ର ଦୁଇମାସ ପରେ ମୃତ ବ୍ୟକ୍ତିଙ୍କ ଫେସବୁକ୍ ପୋଷ୍ଟ ତାଙ୍କର ଜଣେ ବନ୍ଧୁ ଦେଖିଥିଲେ । ସେ ତୁରନ୍ତ ସେହି ପୋଷ୍ଟ ବିଷୟରେ ପୋଲିସକୁ ସୂଚନା ଦେଇଥିଲେ।

ଫେସବୁକ ପୋଷ୍ଟ ମାଧ୍ୟମରେ ପୁଲିସ ଜାଣିବାକୁ ପାଇଥିଲା ଯେ ଯୁବକ ଜଣଙ୍କ କାହିଁକି ଆତ୍ମହତ୍ୟା କରିଥିଲେ । ଫେସବୁକ ପୋଷ୍ଟରେ ମୃତ ବ୍ୟକ୍ତି କହିଥିଲେ ଯେ ତାଙ୍କ ପତ୍ନୀ ଏବଂ ଶଳା ତାଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରିଛନ୍ତି। ମୃତ ଯୁବକଙ୍କ ନାମ ରୋହିତ ସିଂ। ମୃତ୍ୟୁ ପୂର୍ବରୁ ରୋହିତ ଏକ ସୁଇସାଇଡ୍ ନୋଟ୍ ଲେଖି ଫେସବୁକରେ ପୋଷ୍ଟ କରିଥିଲେ। କିନ୍ତୁ କେହି ଏଥିପ୍ରତି ଧ୍ୟାନ ଦେଇନଥିଲେ।

ପୁଲିସ କହିଛି ଯେ ସୁଇସାଇଡ୍ ନୋଟରେ ରୋହିତ ଲେଖିଛନ୍ତି ଯେ ତାଙ୍କ ପତ୍ନୀ ଓ ଶଳା ତାଙ୍କୁ ଗୋମାଂସ ଖାଇବାକୁ ଦେଇଥିଲେ। ଯେତେବେଳେ ଯୁବକ ଜଣଙ୍କ ଗୋମାଂସ ଖାଇବାକୁ ମନା କରିଦେଲେ, ସେମାନେ ତାଙ୍କୁ ମାରିବାକୁ ଧମକ ଦେବା ଆରମ୍ଭ କରିଥିଲେ। ରୋହିତ ଏକଥା ବି ଲେଖିଥିଲେ ଯେ, ‘‘ଆଜି ମୁଁ ଏହି ଦୁନିଆ ଛାଡୁଛି। ମୋର ମୃତ୍ୟୁର କାରଣ ହେଉଛି ମୋ ପତ୍ନୀ ସୋନମ ଏବଂ ତାଙ୍କ ଭାଇ ଅଖତର ଅଲି । ମୋର ସମସ୍ତ ବନ୍ଧୁଙ୍କୁ ଅନୁରୋଧ ଯେ ସେମାନେ ମୋତେ ନ୍ୟାୟ ଦେବେ । ମୋତେ ମାରିଦେବାକୁ ଧମକ ଦେଇ ମୋତେ ଗୋମାଂସ ଖାଇବାକୁ ଦିଆଗଲା। ମୁଁ ଆଉ ଏଇ ଦୁନିଆରେ ରହିବାକୁ ଯୋଗ୍ୟ ନୁହେଁ । ସେଥିପାଇଁ ମୁଁ ଆତ୍ମହତ୍ୟା କରିବାକୁ ଯାଉଛି – ତୁମର ନିଜର ରୋହିତ ସିଂ ।’’

ମୃତ ରୋହିତଙ୍କ ସମ୍ପର୍କୀୟ କହିଛନ୍ତି ଯେ ଉଦନା ଅଞ୍ଚଳର ପଟେଲ ନଗର ସୋସାଇଟିର ବାସିନ୍ଦା ରୋହିତ ଅଜିତ ପ୍ରତାପ ସିଂ ୨୭ ଜୁନ୍ ଦିନ ୨.୩୦ ସମୟରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ। ରୋହିତ ସିଂ ଉଦନା ଅଞ୍ଚଳରେ ରହୁଥିବା ସୋନମ ଅଲି ନାମକ ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଉଭୟ ବିବାହ କରିବାକୁ ଚାହୁଁଥିଲେ କିନ୍ତୁ ସୋନମ ଅନ୍ୟ ଧର୍ମର ଥିଲେ, ଏହି କାରଣରୁ ରୋହିତଙ୍କ ପରିବାର ସଦସ୍ୟ ଏହି ବିବାହ ବିରୁଦ୍ଧରେ ଥିଲେ। ତଥାପି ରୋହିତ ପରିବାର ଲୋକଙ୍କ ଇଚ୍ଛା ବିରୁଦ୍ଧରେ ଯାଇ ସୋନମଙ୍କୁ ବିବାହ କରିଥିଲେ। ଏହି କାରଣରୁ ରୋହିତଙ୍କ ପରିବାର ଲୋକ ତାଙ୍କ ସହ ସମ୍ପର୍କ ଭାଙ୍ଗିଥିଲେ। ତା’ପରେ ରୋହିତ ଏକ ଭଡା ଘର ନେଇ ପଟେଲ ନଗରରେ ରହୁଥିଲେ। କୁହାଯାଉଛି ଯେ ବିବାହ ପରେ ସୋନମ ଏବଂ ତାଙ୍କ ଭାଇ ରୋହିତଙ୍କୁ ବହୁତ ହଇରାଣ କରୁଥିଲେ। ଥରେ ସେମାନେ ରୋହିତଙ୍କୁ ଗୋମାଂସ ଖାଇବାକୁ ବାଧ୍ୟ କରିଥିଲେ । ଯେତେବେଳେ ରୋହିତ ମନା କରିଦେଲେ ଦୁହେଁ ପ୍ରଥମେ ତାଙ୍କୁ ଛାଡପତ୍ର ହେବାର ଧମକ ଦେଇଥିଲେ। ଯେତେବେଳେ ରୋହିତ ପୁଣି ମନା କରିଦେଲେ, ସେମାନେ ତାଙ୍କୁ ହତ୍ୟା କରିବାକୁ ଧମକ ଦେବା ଆରମ୍ଭ କରିଦେଇଥିଲେ । ତାଙ୍କ କଥାରେ ଆସି ରୋହିତ ଗୋମାଂସ ଖାଇବାକୁ ବାଧ୍ୟ ହୋଇଥିଲେ ।

ମୃତ ରୋହିତଙ୍କ ମା ଭେନା ରାଜପୁତ କହିଛନ୍ତି ଯେ ତାଙ୍କ ବୋହୂ ସୋନମ ପୂର୍ବରୁ ଜାକିର ଅଲି ନାମକ ଜଣେ ବ୍ୟକ୍ତିଙ୍କ ସହ ପ୍ରେମ ସମ୍ପର୍କ ରଖିଥିଲେ। ରୋହିତଙ୍କ ପରିବାର ଲୋକ ରୋହିତଙ୍କୁ ସୋନମଙ୍କ ବିଷୟରେ କହିଥିଲେ। କିନ୍ତୁ ରୋହିତ ପ୍ରେମରେ ଏତେ ପାଗଳ ହୋଇଯାଇଥିଲେ ଯେ ସେ ପରିବାର ସଦସ୍ୟଙ୍କ ବିରୁଦ୍ଧରେ ଯାଇ ସୋନମଙ୍କୁ ବିବାହ କରିଥିଲେ।

ସମ୍ବନ୍ଧିତ ଖବର