ମହିଳାଙ୍କୁ ଗଣଦୁଷ୍କର୍ମ: ନାବାଳକକୁ ୨୦ ବର୍ଷ ଜେଲ୍‌

ଅନୁଗୁଳ: ଜଣେ ମହିଳାଙ୍କୁ ଗଣଦୁଷ୍କର୍ମ ମାମଲାରେ ଅଦାଲତ ଜଣେ ନାବାଳକଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏହି ମାମଲାରେ ନାବାଳକଙ୍କୁ ୨୦ ବର୍ଷ ଜେଲ୍‌ ଦଣ୍ଡ ହେବା ସହ ୧୦ ହଜାର ଟଙ୍କା ଜରିମାନା କରାଯାଇଛି। ଅନୁଗୁଳ ମୁଖ୍ୟ ଶିଶୁ ଅଦାଲତ ତଥା ଅତିରିକ୍ତ ଜିଲ୍ଲା ଦୌରା ଜଜ ଆଜି ଏହି ରାୟ ଶୁଣାଇଛନ୍ତି। ମାମଲାର ବିବରଣୀ ଅନୁସାରେ, ଗତ ୨୦୧୮ ମସିହା ମେ’ ୩ ତାରିଖରେ ଜଗତସିଂହପୁର ଜିଲ୍ଲା କୁଜଙ୍ଗର ଜଣେ ବ୍ୟକ୍ତି ତାଙ୍କ ପତ୍ନୀ ଓ ଝିଅ ସହିତ ଏକ କାର୍‌ରେ ସମ୍ବଲପୁରରୁ ଭୁବନେଶ୍ବର ଆସୁଥିଲେ। ରାତିରେ ସେମାନେ ଆସିବା ସମୟରେ ହଣ୍ଡପା ଥାନା ନାକ୍‌ଚି ପାଖରେ ଜାତୀୟ ରାଜପଥ- ୫୫ କଡ଼ରେ ସେମାନେ ​ପରିସ୍ରା କରିବାକୁ ଓହ୍ଲାଇଥିଲେ। ଏହା ପରେ ଭୁଲବଶତଃ ମହିଳାଙ୍କୁ ଛାଡ଼ି ତାଙ୍କ ସ୍ବାମୀ ଓ ଝିଅ କାର୍‌ରେ ଚାଲି ଯାଇଥିଲେ। ପତ୍ନୀ କାର୍‌ର ପଛ ସିଟ୍‌ରେ ବସିଥିବା ଭାବି ସ୍ବାମୀ ଗାଡ଼ି ଛାଡ଼ି ଦେଇଥିଲେ। ମହିଳା ଜଣଙ୍କ ରାତିରେ ଏକୁଟିଆ ଜାତୀୟ ରାଜପଥରେ ଚାଲି ଚାଲି ଆସୁଥିଲାବେଳେ ଜଣେ ଲୋକ ତାଙ୍କୁ ଅଟକାଇଥିଲା।

କାହିଁକି ଚାଲି ଚାଲି ଯାଉଛନ୍ତି ବୋଲି ପଚାରିବା ସହ ଆଗରେ ଛାଡ଼ି ଦେବାକୁ ଡାକିଥିଲା। ହେଲେ ତା’ ବ୍ୟବହାର ସନ୍ଦେହଜନକ ହେବାରୁ ମହିଳା ଜଣଙ୍କ ରାଜି ହୋଇନଥିଲେ। ଏହାପରେ ​ସେହି ବ୍ୟକ୍ତି ଆଉ ଜଣେ ନାବାଳକଙ୍କ ସହ ମିଶି ମହିଳାଙ୍କୁ ଅସଦାଚରଣ କରିଥିଲା। କିଛି ସମୟ ପରେ ୪ ଜଣ ବ୍ୟକ୍ତି ଓ ନାବାଳକ ମିଶି ମହିଳାଙ୍କୁ ରାସ୍ତା କଡ଼ ଜଙ୍ଗଲକୁ ନେଇ ଗଣଦୁଷ୍କର୍ମ କରିଥିଲେ। ମହିଳାଙ୍କ ପାଟିରେ ରୁମାଲ ବାନ୍ଧି ସେମାନେ ଜଣଙ୍କ ପରେ ଜଣେ ଦୁଷ୍କର୍ମ କରିଥିଲାବେଳେ ଏକଥା ବାହାରେ ନ କହିବାକୁ ଧମକ ଦେଇଥିଲେ। ପରେ ମହିଳାଙ୍କୁ ଛାଡ଼ି ଦେଇଥିଲେ। ଏପଟେ ମହିଳାଙ୍କ ସ୍ବାମୀ କିଛି ବାଟ ଗଲା ପରେ ପତ୍ନୀ ନ ଥିବା ଜାଣି ପଛକୁ ଫେରିଥିଲେ। ହେଲେ ସେମାନେ ମହିଳାଙ୍କୁ ପାଇନଥିଲେ। ଏଥିନେଇ ସେ ହଣ୍ଡପା ଥାନାରେ ଏତଲା ଆଧାରରେ ପୁଲିସ ୬୬/୧୮ରେ ଏକ ମାମଲା ରୁଜୁ କରିଥିଲା।

ମହିଳାଜଣଙ୍କୁ ପୁଲିସ ଉଦ୍ଧାର କରିବା ପରେ ସେ ଏହି ଗଣଦୁଷ୍କର୍ମ ବିଷୟରେ ପୁଲିସକୁ ଜଣାଇଥିଲେ। ଏହି ମାମଲାରେ ପୁଲିସ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସ​ମେତ ଜଣେ ନାବାଳକଙ୍କୁ ଅଟକ ରହିଥିଲା। ଏହି ମାମଲାରେ ଆଗରୁ ୪ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡାଦେଶ ହୋଇଥିଲାବେଳେ ନାବାଳକଙ୍କ ମାମଲା ଅନୁଗୁଳର ମୁଖ୍ୟ ଶିଶୁ ଅଦାଲତ ତଥା ଅତିରିକ୍ତ ଜିଲ୍ଲା ଦୌରା ଜଜ ରଂଜିତା ଜ୍ୟୋତିଷୀଙ୍କ ଇଜଲାସରେ ହେଉଥିଲା। ମାମଲାରେ ୨୬ ଜଣଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଥିଲା। ସମସ୍ତ ସାକ୍ଷ୍ୟ ଓ ଦସ୍ତାବିଜକୁ ଆଧାର କରି ଅଦାଲତ ଅଭିଯୁକ୍ତ ନାବାଳକକୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏହା ଜଘନ୍ୟ ଅପରାଧ ହୋଇଥିବାରୁ ତାକୁ ୨୦ ବର୍ଷ ଜେଲ ଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନା କରାଯାଇଛି। ଜରିମାନା ଅନାଦେୟ ତାକୁ ଅଧିକ ୧ ବର୍ଷ ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ। ଏହି ମାମଲାକୁ ସରକାରଙ୍କ ପକ୍ଷରୁ ଅତିରିକ୍ତ ପବ୍ଲିକ ପ୍ରସ୍ୟୁକ୍ୟୁଟର ତାପସ ରଂଜନ ମିଶ୍ର ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର