ଯୁବକଙ୍କୁ ଅପହରଣ ପରେ ମୁଣ୍ଡ ଜାମିନ୍ ମାମଲା: ଆଉ ଜଣେ ଅଭିଯୁକ୍ତ ଗିରଫ

ଜୟପୁର: ଗତ ସେପ୍ଟମ୍ବର ୧୭ତାରିଖ ଦିନ ବିହାରର ଯୁବକ ଆଲୋକ ପାଶ୍ବଓାନଙ୍କୁ ଜୟପୁର ଡାକି ଅପହରଣ କରି ୨ଲକ୍ଷ ଦାବି କରି ମୁଣ୍ଡ ଜାମିନ ରଖିଥିଲେ। ଏହି ମାମଲାରେ ସଦରଥାନା ପୁଲିସ ପୂର୍ବରୁ ଗଡ଼ପଦରର ଅଭିଯୁକ୍ତ ନରେନ୍ଦ୍ର ହରିଜନଙ୍କୁ ଗିରଫ କରି ୧୦ହଜାର ଟଙ୍କା ଓ ମୋବାଇଲ୍ ଫୋନ ଜବତ କରି କୋର୍ଟକୁ ଚାଲାଣ କରିଥିଲେ। ଗତ ଡିସେମ୍ବର ୧୩ରେ ପୁଲିସ ଆଉଜଣେ ଅଭିଯୁକ୍ତ କୁନ୍ତରଖାଲର କୃଷ୍ଣ ହରିଜନ ଓରଫ କୁଷ୍ଟକୁ ଗିରଫ କରି କୋର୍ଟକୁ ଚାଳାଣ କରିଥିଲେ। ଏବେ ଏହି ମାମଲାରେ ଆଉ ଜଣେ ଅଭିଯୁକ୍ତ ଗଡ଼ପଦର ଡୁମ୍ବାଗୁଡାର ପରଦେଶୀ ଓରଫ ପରଦେଶ ହରିଜନ ଓରଫ ପରଦଶେ ଟାକ୍ରୀ(୨୭)ଙ୍କୁ ଗିରଫ କରି କୋର୍ଟକୁ ଚାଲାଣ କରିଥିବା କହିଛନ୍ତି ସଦରଥାନା ଅଧିକାରୀ ଇଶ୍ବର ତାଣ୍ଡି।

ସୂଚନା ଯୋଗ୍ୟ, ବିହାରର ରୋହତାସ ଜିଲ୍ଲାର ସେକ୍ ବହୁବରା ଗାଁର ଯୁବକ ଆଲୋକ କୁମାର ପାଶୱାନ ଗତ ସେପ୍ଟମ୍ବର ୧୭ତାରିଖ ଦିନ ଟ୍ରେନ ଯୋଗେ ବିଶାଖାପାଟଣାରୁ ଜୟପୁର (ଉମୁରୀ)ରେଳଷ୍ଟେସନକୁ ଆସିଥିଲେ। ସେଠାରେ ପୂର୍ବରୁ ସେ କଥାବାର୍ତ୍ତା କରିଥିବା ୨ଜଣ ଯୁବକ ଷ୍ଟେସନରେ ପହଚିଂଥିଲେ। କିଛି ସମୟ କଥାବାର୍ତ୍ତା କରିବା ପରେ ଆଲୋକକୁ ଏମାନେ ବାଇକରେ ବସାଇ ଅଜଣା ସ୍ଥାନର ଘରକୁ ନେଇ ବନ୍ଦକ କରି ରଖିଥିଲେ। ତାଙ୍କ ବାପାଙ୍କୁ ୨ଲକ୍ଷ ଟଙ୍କା ଫୋନପେ୍ ରେ ପଠାଇବାକୁ କହିଥିଲେ। ନ ଦେଲେ ଜୀବନରେ ମାରିବାକୁ ଧମକ ଦେଇଥିଲେ। ତାଙ୍କ ବାପା ଅଭିଯୁକ୍ତଙ୍କ ଫୋନପେକୁ ୪୦ହଜାର ଟଙ୍କା ପଠାଇଥିଲେ। ଅଭିଯୁକ୍ତ ମାନେ ଏହା ପରେ ଅନ୍ୟ ଗୋଟିଏ ଘରକୁ ନେଇ ଯାଇଥିଲେ। ସେଠାରେ ଅଭିଯୁକ୍ତମାନେ ଆଲୋକଙ୍କ ଠାରୁ ୧୦ହଜାର ଟଙ୍କା ଓ ମୋବାଇଲ ଫୋନ ଛଡ଼ାଇ ନେଇଥିଲେ। ଭୋର ୪ଟା ବେଳେ କୌଶଳକ୍ରମେ ଆଲୋକ ସେଠାରୁ ଖସି ଆସି ସେପ୍ଟମ୍ବର ୧୮ତାରିଖ ଦିନ ସଦରଥାନାରେ ଅଭିଯୋଗ କରିଥିଲେ | ତାଙ୍କ ଅଭିଯୋଗକୁ ଭିତ୍ତି କରି ସଦରପୁଲିସ ଗଡ଼ପଦରର ଅଭିଯୁକ୍ତ ନରେନ୍ଦ୍ରକୁ ଧରିଥିଲେ। ଫେରାର ଥିବା ଅନ୍ୟ ଦୁଇ ଅଭିଯୁକ୍ତଙ୍କ ମଧ୍ୟରୁ ଆଜି ଆଉଜଣେ ଅଭିଯୁକ୍ତ ପରଦେଶୀକୁ ଗିରଫ କରାଯାଇଛି ବୋଲି କହିଛନ୍ତି ସଦରଥାନା ଅଧିକାରୀ।

ସମ୍ବନ୍ଧିତ ଖବର