ଅନୁଗୁଳରେ ସଶସ୍ତ୍ର ଡକାୟତି: ଦୋକାନୀଙ୍କ ବାପା ଆହତ, ଲୁଟିନେଲେ ୬୦ ହଜାର ଟଙ୍କା

ଅନୁଗୁଳ: ଅନୁଗୁଳ ସଦର ଥାନା ଅନ୍ତର୍ଗତ ତାରିଣୀ ମନ୍ଦିର ନିକଟରେ ସଶସ୍ତ୍ର ଡକାୟତି ହୋଇଥିବାର ଖବର ମିଳିଛି। ମା ସନ୍ତୋଷୀ ଭଣ୍ଡାର ଦୋକାନରୁ ୬ ଜଣ ମୁଖାଧାରୀ ଡକାୟତ ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ଲୁଟ ଦୃଶ୍ୟ ସିସି ଟିଭିରେ କଏଦ ହୋଇଛି।
ସୂଚନା ଅନୁଯାୟୀ, ଗତକାଲି ରାତି ୮ଟା ସମୟରେ ଦୋକାନର ମାଲିକ ଅମର ସାହୁ ଓ ତାଙ୍କ ବାପା ଦୋକାନରେ ବସିଥିବା ବେଳେ ଦୁଇଟି ବାଇକରେ ୬ ଜଣ ସଶସ୍ତ୍ର ଡକାୟତ ଆସି ହଠାତ୍ ଆକ୍ରମଣ କରିଥିଲେ। ଡକାୟତମାନଙ୍କ ପାଖରେ ଦୁଇଟି ମାଉଜର ଓ ୪ଟି ଖଣ୍ଡା ଥିଲା। ଆକ୍ରମଣ ବେଳେ ଉଭୟ ବାପା ଓ ପୁଅ କିଛି ସମୟ ପାଇଁ ସେମାନଙ୍କ ସହ ଲଢ଼ିଥିଲେ କିନ୍ତୁ ମାରଣାସ୍ତ୍ର ଓ ମାଉଜର ଆଗରେ ସେମାନେ ସାମ୍ନା କରିପାରିନଥିଲେ ।
ଡକାୟତମାନେ ଅମରଙ୍କ ବାପାଙ୍କୁ ଭୁଜାଲିରେ ଆକ୍ରମଣ କରିଥିବାରୁ ତାଙ୍କର ଗୋଡ଼ ଓ ପିଠିରେ ଆଘାତ ଲାଗିଛି । ଦୋକାନରୁ ଆନୁମାନିକ ୬୦ ହଜାର ଟଙ୍କା ଓ କଂପ୍ୟୁଟର ବୋହିନେଇ ଯାଇଛନ୍ତି ଡକାୟତ। ୪ ବର୍ଷ ପୂର୍ବରୁ ତାଙ୍କର ଏହି ଦୋକାନରେ ଡକାୟତି ହୋଇଥିଲା। ଏ ନେଇ ଅମରଙ୍କ ବାପା ସଦର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ସିସିଟିଭି ଫୁଟେଜକୁ ଆଧାର କରି ପୁଲିସ ତଦନ୍ତ ଜାରି ରଖିଛି। ଅନୁଗୁଳ ସହରଠାରୁ ଅଳ୍ପ ଦୂରରେ ଥିବା ଓ ରାତି ୮ ଟା ସମୟରେ ସଶସ୍ତ୍ର ଡକାୟତ ହେବା ଯୋଗୁ ଏହା ପୁଲିସର ପାଟ୍ରୋଲିଙ୍ଗ ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି।

 

ସମ୍ବନ୍ଧିତ ଖବର