ଅବହେଳିତ ଅବସ୍ଥାରେ ରାଇବଣିଆ ଦୁର୍ଗ: ସଂରକ୍ଷଣ ଓ ପୁନରୁଦ୍ଧାର ପାଇଁ ଦାବି

ଆଜି ବିଶ୍ୱ ଐତିହ୍ୟ ଦିବସ

ଜଳେଶ୍ଵର: ଆଜି ବିଶ୍ୱ ଐତିହ୍ୟ ଦିବସ। ସମସ୍ତ ଐତିହ୍ୟ ସ୍ଥଳୀଗୁଡ଼ିକର ପୁନରୁଦ୍ଧାର, ସୁରକ୍ଷା, ସଂରକ୍ଷଣ ସହ ପ୍ରଚାର ପ୍ରସାର କରିବା ଏହି ଐତିହ୍ୟ ଦିବସର ମୁଖ୍ୟ ଉଦ୍ଦେଶ୍ୟ। ହେଲେ ବାଲେଶ୍ଵର ଜିଲ୍ଲା କାହିଁକି ସମଗ୍ର ରାଜ୍ୟରେ ଏକ ପ୍ରମୁଖ ଐତିହ୍ୟ ସ୍ଥଳୀ ଭାବେ ବିବେଚନା କରାଯାଉଥିବା ବାଲେଶ୍ଵର ଜିଲ୍ଲାର ଜଳେଶ୍ୱର ସ୍ଥିତ ରାଇବଣିଆ ଦୁର୍ଗ ପ୍ରତି ସଂସ୍କୃତି ଓ ପ୍ରତ୍ନତତ୍ତ୍ବ ବିଭାଗର ଅବହେଳା ଐତିହ୍ୟ ପ୍ରେମୀଙ୍କୁ ବିମୁଖ ଓ ବ୍ୟଥିତ କରୁଛି।

ରାଇବଣିଆ ଦୁର୍ଗ ଏକଦା ପୂର୍ବ ଭାରତର ଶେଷ ସ୍ବାଧୀନ ଦୁର୍ଗ ବୋଲି କୁହାଯାଏ।କେବଳ ଶେଷ ସ୍ବାଧୀନ ଦୁର୍ଗ ନୁହେଁ କଟକର ବାରବାଟୀ ଦୁର୍ଗ ଠାରୁ ଏହା ବୃହତ ଓ ଅଧିକ ସମୃଦ୍ଧ ଥିଲା। ସୁବର୍ଣ୍ଣରେଖା ନଦୀ ଏହି ଦୁର୍ଗକୁ ତିନି ପଟୁ ଘେରି ରହିଥିବା ବେଳେ ସାମରିକ ଦୃଷ୍ଟିକୋଣରୁ ସେହି ସମୟରେ ଏହାର ବେଶ ଗୁରୁତ୍ବ ଥିଲା।କୁହାଯାଏ ୧୨୩୪-୧୨୬୪ ଖ୍ରୀଷ୍ଟାବ୍ଦ ମଧ୍ୟରେ ଏହି ଦୁର୍ଗରେ ହସ୍ତୀ ଓ ଅଶ୍ୱାରୋହୀ ସହ ଲକ୍ଷେ ସୈନ୍ୟ ଙ୍କ ପ୍ରଶିକ୍ଷଣ ନେବାପାଇଁ ବ୍ୟବହାର ହେଉଥିଲା। ବିଦେଶୀ ଶତ୍ରୁ ଙ୍କ କବଳରୁ ଉତ୍କଳ ବା ଓଡ଼ିଶାକୁ ସୁରକ୍ଷା ଦେବା ପାଇଁ ଏହି ଦୁର୍ଗର ମୁଖ୍ୟ ଭୂମିକା ଥିଲା।ପଞ୍ଚୁ ପାଣ୍ଡବ ଦ୍ରୌପଦୀଙ୍କୁ ଗୋଟିଏ ବର୍ଷ ଧରି ଏଠାରେ ଆତ୍ମଗୋପନ କରିଥିବା କଥା ମଧ୍ୟ ତଥ୍ୟ ରହିଛି। ଲାଙ୍ଗୁଳା ନରସିଂହଦେବଙ୍କ ରାଜତ୍ୱ ବେଳେ ଅଷ୍ଟାଦଶ ନିର୍ମାଣ ଢଙ୍ଗରେ ଏହି ଦୁର୍ଗର ଆଧୁନୀକରଣ କରାଯାଇଥିଲା। ସ୍ବାଧୀନତା ପୂର୍ବରୁ ରାଜା ମହାରାଜା ମାନେ ଏହି ଦୁର୍ଗରେ ଅବସ୍ଥାନ କରି ଉତ୍କଳର ବିସ୍ତୀର୍ଣ୍ଣ ସାମ୍ରାଜ୍ୟକୁ ସୁରକ୍ଷା ଦେଇ ଆସୁଥିଲେ। ଏହି ଦୁର୍ଗର ଅତି ନିକଟରେ ୧୮ ଟି ଛୋଟ ଛୋଟ ଦୁର୍ଗ ରହିଥିବାର ଐତିହାସିକ ମାନେ ମତ ଦିଅନ୍ତି। ବିଶେଷ କରି ବାହ୍ୟ ଶତ୍ରୁ ଆକ୍ରମଣ ସମୟରେ ସୁଡଙ୍ଗ ପଥ ଦେଇ ଅନ୍ୟ ସ୍ଥାନକୁ ଯିବା ଓ ପୁଣି ଦୁର୍ଗକୁ ଫେରିବା ବ୍ୟବସ୍ଥା ରହିଥିଲା।ଦୁର୍ଗର ଚାରି ପଟେ ୭ଟି ଗଡ ଖାଇ ପ୍ରାଚୀର ରହିଥିଲା। ରାଇବଣିଆ ଦୁର୍ଗଠାରୁ ୧୦ ମାଇଲ ପରିଧି ମଧ୍ୟରେ ବହୁ କୀର୍ତ୍ତିରାଜି,ପଥର ଖୋଦିତ ମୂର୍ତ୍ତି,ଯୁଦ୍ଧାସ୍ତ୍ର,ମୁଦ୍ରା ଇତ୍ୟାଦି ଉଦ୍ଧାର ହୋଇଛି। କିନ୍ତୁ ଉଦ୍ଧାର ହୋଇଥିବା ଏସବୁ ସାମଗ୍ରୀର ସଂରକ୍ଷଣ ପାଇଁ ବ୍ୟବସ୍ଥା ନାହିଁ। ଏପରିକି ଏଠାରୁ ବହୁ ମୂଲ୍ୟବାନ ପଥର,ଶିଳାଲେଖ,ମୂର୍ତ୍ତି ଚୋରି ମଧ୍ୟ ହୋଇଯାଇଛି।ପ୍ରାକୃତିକ ଶୋଭାରାଜି ମଧ୍ୟରେ ଥିବା ଏହି ଐତିହାସିକ ଦୁର୍ଗର ସୁରକ୍ଷା ବା ସଂରକ୍ଷଣ,ପୁନରୁଦ୍ଧାର ସହ ଏହାକୁ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନିତ କରିବା ପାଇଁ ସରକାରୀ ସ୍ତରରେ ଅନେକ ଗୁଡ଼ିଏ ଯୋଜନା ହୋଇଛି। ବିଶେଷ କରି ପ୍ରବେଶ ଦ୍ଵାରରେ ଏକ ସୁସଜ୍ଜିତ ତ୍ବରଣ ଓ ପାନୀୟ ଜଳ ଯୋଗାଣ‌ ବ୍ୟବସ୍ଥା ପାଇଁ ଦୁଇଟି ପ୍ରକଳ୍ପର କାମ ମଧ୍ୟ ଆରମ୍ଭ ହୋଇଛି। ସବୁଠାରୁ ବଡ଼କଥା ହେଉଛି ଦୁର୍ଗକୁ ନିୟମିତ ସଫେଇ କରାଯାଉନାହିଁ।ଫଳରେ ଦୁର୍ଗର ପ୍ରାଚୀର, ଭୂପୃଷ୍ଠ ଭାଗ ଓ ପଥର ଖଣ୍ଡ ଉପରେ ଘାସ ଲତା ସବୁ ମାଡି ବସିଛି। ଏପରିକି କିଛି ଗଛ ବଡ଼ ବଡ଼ ଗଛ ପ୍ରାଚୀରରେ ଅଥବା ପଥରରେ ଫାଟ ସୃଷ୍ଟି କରିଛି। ଯାହା ଏଠାକୁ ଆସୁଥିବା ପର୍ଯ୍ୟଟକ ଏବଂ ଐତିହ୍ୟ ପ୍ରେମୀଙ୍କୁ ନିରାଶ କରୁଛି।

ଅତୀତର ଆଇନାରେ ଏହି ଦୁର୍ଗ ଓଡ଼ିଆମାନଙ୍କ ବୀରତ୍ବର ଗାଥା ବହନ କରୁଥିବାରୁ ଏହାକୁ ଏକ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦିଆଯାଇଥିଲେ ବି ଦୁର୍ଗରେ ପିଇବା ପାଣି, ବିଦ୍ୟୁତକରଣର ବ୍ୟବସ୍ଥା ଆଜିଯାଏ ସମ୍ଵବ ହୋଇନାହିଁ। ପର୍ଯ୍ୟଟକଙ୍କ ରହିବା ପାଇଁ ପାନ୍ଥ ନିବାସ, କିମ୍ବା ଆକୃଷ୍ଟ କରିବା ପାଇଁ ଉଦ୍ୟାନ ମଧ୍ୟ ନାହିଁ। ୫ ବର୍ଷ ତଳେ ସଂସ୍କୃତି ବିଭାଗ ଦ୍ଵାରା ଜଗନ୍ନାଥ ମନ୍ଦିର ଢାଞ୍ଚାରେ ତିଆରି ହୋଇଥିବା ମନ୍ଦିର ଅଧାଗଢ଼ା ହୋଇ ପଡ଼ି ରହିଛି। ପୁଣି ଦୁର୍ଗର ଭଗ୍ନାବଶେଷ କିମ୍ବା ମାଟିକୁ ଖନନ କଲେ ଅନେକ କିଛି ତଥ୍ୟ ବା ରହସ୍ୟ ଉନ୍ମୋଚନ ହୋଇପାରନ୍ତା ବୋଲି ବହୁ ଐତିହାସିକ ଦାବି କରି ଆସୁଥିବା ବେଳେ ଏଥିପ୍ରତି ଗୁରୁତ୍ବ ଦିଆଯାଉ ନାହିଁ। ଦୁର୍ଗର ସୁରକ୍ଷା ବା ସଂରକ୍ଷଣ, ପ୍ରତ୍ନତାତ୍ତ୍ୱିକ ରହସ୍ୟ ଉନ୍ମୋଚନ ପାଇଁ ସରକାରୀ ସ୍ତରରେ ଉଦ୍ୟମର ଆବଶ୍ୟକତା ରହିଛି।

ସମ୍ବନ୍ଧିତ ଖବର