ବାରଙ୍ଗ: ନନ୍ଦନକାନନ ପ୍ରାଣୀ ଉଦ୍ୟାନର ରାଜ୍ୟ ଉଦ୍ଭିଦ ଉଦ୍ୟାନ ପରିସରର ଶାଗୁଣା ପ୍ରଜନନ କେନ୍ଦ୍ରରେ ରହିଥିବା ଧଳାବେକ ଶାଗୁଣା ପ୍ରଥମକରି ସଂକ୍ରମଣରେ ଆକ୍ରାନ୍ତ ହୋଇଛନ୍ତି। ଗୋଡରେ ନମ୍ବର ଲାଗି ଥିବା ୪୧, ୪୪, ୪୫ ଓ ୪୬ ନମ୍ବର ଶାଗୁଣାଙ୍କଠାରେ ସଂକ୍ରମଣର ଲକ୍ଷଣ ଦେଖାଯାଇଛି। ସଂକ୍ରମିତ ହୋଇଥିବା ଶାଗୁଣାମାନଙ୍କର ଆଖିପତା ଫୁଲିବା ସହିତ ପାଚି ଯାଉଥିବା ଦେଖିବାକୁ ମିଳିଥିଲା। ଏପରି ଲକ୍ଷଣ ଦେଖିବା ପରେ ନନ୍ଦନକାନନ କର୍ତ୍ତୃପକ୍ଷ ତୁରନ୍ତ ବିଶେଷଜ୍ଞ ଚିକିତ୍ସକଙ୍କୁ ନେଇ ଗଠିତ ବୈଷୟିକ କମିଟିର ସହାୟତା ଲୋଡିଥିଲେ। ବିଶେଷଜ୍ଞମାନେ ସଂକ୍ରମିତ ହୋଇଥିବା ଶାଗୁଣାମାନଙ୍କୁ ଦଳରୁ ଅଲଗା କରି ରଖିବା ସହିତ ପ୍ରଜନନ କେନ୍ଦ୍ର ମଧ୍ୟରେ ରହିଥିବା ସମସ୍ତ ୧୦ଟିଙ୍କୁ ରୋଗ ପ୍ରତିଷେଧକ ଦେଇ ଚିକିତ୍ସା କରିବାକୁ ପରାମର୍ଶ ଦେଇଥିଲେ। ପରାମର୍ଶ ମୁତାବକ ନନ୍ଦନକାନନର ଚିକିତ୍ସକମାନେ ଶାଗୁଣାମାନଙ୍କୁ ପରସ୍ପରଠାରୁ ଅଲଗା ରଖି ରୋଗ ପ୍ରତିଷେଧକ ଟିକା ଦେବା ପରେ ଶାଗୁଣାମାନଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ, ଓଡ଼ିଶା ମାଟିରୁ ୧୯୯୯ ମସିହା ମହାବାତ୍ୟାରେ ଶାଗୁଣା ବଂଶ ଲୋପ ପାଇଥିଲା। ୨୦୦୬ ମସିହା ଡିସେମ୍ବର ୨୯ ତାରିଖରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନର ପ୍ରତିଷ୍ଠା ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନନ୍ଦନକାନନ ପରିସରରେ ଶାଗୁଣା ପ୍ରଜନନ କେନ୍ଦ୍ର ପ୍ରତିଷ୍ଠା କରାଯିବ ବୋଲି ଘୋଷଣା କରିଥିଲେ। ଶାଗୁଣା ପ୍ରଜନନ କେନ୍ଦ୍ର ପ୍ରତିଷ୍ଠା କରିବାକୁ ୧୨ ବର୍ଷ ବିତିଯିବା ପରେ ୨୦୧୮ ମସିହାରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନର ରାଜ୍ୟ ଉଦ୍ଭିଦ ଉଦ୍ୟାନ ପରିସରରେ ୭୨ଲକ୍ଷ ଟଙ୍କା ବ୍ୟୟରେ ଶାଗୁଣା ପ୍ରଜନନ ନିର୍ମାଣ ସଂପୂର୍ଣ୍ଣ ହୋଇଥିଲା।
୨୦୧୮ ମସିହା ଡିସେମ୍ବର ୨୮ ତାରିଖରେ ଗୋଆଲିୟର୍ରୁ ୬ ଯୋଡ଼ା ଧଳାବେକ ଶାଗୁଣା ନନ୍ଦନକାନନକୁ ଅଣାଯାଇ ପରଦିନ ପ୍ରତିଷ୍ଠା ଦିବସରେ ଉଦ୍ଘାଟନ କରାଯାଇଥିଲା। ଏହାର ଏକ ମାସ ପରେ ୪୮ ନମ୍ବର ଶାଗୁଣାଟି ଏକ ଅଣ୍ଡା ଦେଇଥିଲା। ଅଣ୍ଡାରୁ ଶାବକ ମଧ୍ୟ ବାହରିଥିଲା। ୧୫ ଦିନ ପରେ ଅଚାନକ ଶାବକଟି ଅସୁସ୍ଥ ହୋଇ ଖାଦ୍ୟ ଗ୍ରହଣ କରି ନଥିଲା। ଛୁଆଟିକୁ ମା’ ଠାରୁ ଅଲଗା କରି ଚିକିତ୍ସା କରାଯାଇଥିଲେ ବି ତା’ର ମୃତ୍ୟୁ ହୋଇଥିଲା। ଏହାପରେ ଆଉ ତିନିଟି ଶାଗୁଣା ୩ ଥର ଅଣ୍ଡା ଦେଇଥିଲେ ମଧ୍ୟ ସେଥିରୁ ଛୁଆ ବାହାରି ପାରିନାହାନ୍ତି। ତା’ଛଡ଼ା, ଗତ ମାର୍ଚ୍ଚ ୧୯ ତାରିଖରେ ଗୋଟିଏ ଅଣ୍ଡିରା ଓ ଏହାର କିଛିମାସ ପୂର୍ବରୁ ଗୋଟିଏ ମାଈ ଧଳାବେକ ଶାଗୁଣାର ମୃତ୍ୟୁ ହୋଇସାରିଛି। ଫଳରେ ନନ୍ଦନକାନନର ଧଳବେକ ଶାଗୁଣା ସଂଖ୍ୟା ୧୦କୁ ହ୍ରାସ ପାଇଛି। ଏମାନଙ୍କ ମଧ୍ୟରେ ସମାନ ସଂଖ୍ୟକ ୫ ମାଈ ଓ ୫ ଅଣ୍ଡିରା ଅଛନ୍ତି। ଉପଯୁକ୍ତ ଯୋଜନାର ଅଭାବରୁ ଶାଗୁଣା ବଂଶ ବୃଦ୍ଧି ଯୋଜନା ବାଧାପ୍ରାପ୍ତ ହେଉଥିବା ବନ୍ୟପ୍ରାଣୀ ପ୍ରେମୀଙ୍କ ମହଲରେ ଚର୍ଚ୍ଚା ହେଉଛି। ପଞ୍ଜାବର ପିଞ୍ଜର୍ରେ ଶାଗୁଣା ପ୍ରଜନନ ସଫଳତାର ସହିତ ଚାଲିଥିବାରୁ ନନ୍ଦନକାନନ କର୍ତ୍ତୃପକ୍ଷ ଉକ୍ତ ସଫଳତାର ରହସ୍ୟ ଜାଣିବା ପାଇଁ ନିକଟରେ ନନ୍ଦନକାନନର ଏକ କର୍ମଚାରୀ ଦଳକୁ ପିଞ୍ଜର୍ ପଠାଇଥିଲେ। ହେଲେ ଯେଉଁ କର୍ମଚାରୀମାନେ ଶାଗୁଣାମାନଙ୍କ ସେବାରେ ନିୟୋଜିତ ସେମାନଙ୍କୁ ପିଞ୍ଜର୍ ନ ପଠାଇ ଅନ୍ୟ କର୍ମଚାରୀମାନଙ୍କୁ ପଠାଯାଇଥିଲା, ଯାହା ଏକ ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି ଥିଲା ବୋଲି କୁହାଯାଉଛି। ପିଞ୍ଜରରୁ ସ୍ଥିତି ଅନୁଧ୍ୟାନ କରି ଫେରିଥିବା କର୍ମଚାରୀମାନେ ଶାଗୁଣାମାନଙ୍କ ସେବା ଦାୟିତ୍ବରେ ନଥିବାରୁ ବଂଶ ବୃଦ୍ଧି ଯୋଜନାରେ ଅଗ୍ରଗତି ହୋଇପାରି ନାହିଁ। ସେଠାକାର ଗସ୍ତ ଓ ପରାମର୍ଶ ପ୍ରଭାବ ଶାଗୁଣା ପ୍ରଜନନ ଉପରେ ଆଦୌ ପଡିପାରି ନଥିବା ଚର୍ଚ୍ଚା ହେଉଛି।