ସାରୁଅ ଓଟିଭି ଜମି ଜାଲିଆତି: ତତ୍କାଳୀନ ବେଗୁନିଆ ତହସିଲଦାର ନିଲମ୍ବିତ

ଖୋର୍ଦ୍ଧା: ବେଗୁନିଆ ବ୍ଲକ ବାଘମାରୀ ଥାନା ଅନ୍ତର୍ଗତ ସାରୁଅ-ଜୟମଙ୍ଗଳ ଠାରେ ଓଟିଭି-ତରଙ୍ଗର ଷ୍ଟୁଡିଓ ନିର୍ମାଣ ପାଇଁ ଅନୁସୂଚିତ ଜାତି ଓ ଜନଜାତିଙ୍କ ଠାରୁ ଚଂଚକତା କରି ଜମି କିଣିଥିବା ଘଟଣାରେ ଆଜି ରାଜ୍ୟ ରାଜସ୍ୱ ବିଭାଗ ତତ୍କାଳୀନ ବେଗୁନିଆ ତହସିଲଦାରଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି । ଆଜି ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ପ୍ରମୁଖ ସଚିବ ଏନେଇ ନିଦେ୍ର୍ଦଶ ଜାରି କରିଛନ୍ତି । ନିଦେ୍ର୍ଦଶାନୁସାରେ, ବେଗୁନିଆର ତତ୍କାଳୀନ ତହସିଲଦାର ବିବେକାନନ୍ଦ ପରିଡ଼ାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ତାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି । ଏହି ନିଲମ୍ବିତ ସମୟ ମଧ୍ୟରେ ସେ ଉପଜିଲ୍ଲାପାଳଙ୍କ ତତ୍ୱବଧାନରେ ରହିବେ ଓ ବିନା ସୂଚନାରେ ଜିଲ୍ଲା ବାହାରକୁ ଯାଇପାରିବେ ନାହିଁ ବୋଲି ନିର୍ଦ୍ଦେଶ ଦିଆଯାଇଛି ।

ସୂଚନାଯୋଗ୍ୟ, ବିବେକାନନ୍ଦ ପରିଡ଼ା ବେଗୁନିଆ ତହସିଲଦାର ଭାବେ ୨୦୧୮ରେ ଯୋଗ ଦେଇଥିଲେ । ତାଙ୍କରି ସମୟରେ ସାରୁଅରେ ଓଟିଭି ପକ୍ଷରୁ କେତେକ ଅନୁସୂଚିତ ଜାତି ଓ ଜନଜାତିର ଲୋକଙ୍କ ଠାରୁ ଜମି କିଣାଯାଇଥିଲା । ସାରୁଅ ଜମି ଦୂର୍ନୀତିର ପର୍ଦ୍ଦାଫାଶ୍ ହେବା ପରେ ଜମି କିଣାବିକାରେ ତହସିଲଦାରଙ୍କ ସମ୍ପୃକ୍ତିର ଅଭିଯୋଗ ମଧ୍ୟ ହୋଇଥିଲା । ବିଭିନ୍ନ ସମୟରେ ଏନେଇ ତହସିଲଦାରଙ୍କ ଠାରେ ଅଭିଯୋଗ କରାଯାଇଥିଲେ ମଧ୍ୟ ଉପଯୁକ୍ତ ତଦନ୍ତ କରିନଥିବା ଓ ଜାଲିଆତି ବିରୋଧରେ ପଦକ୍ଷେପ ନେଇନଥିବା ଅଭିଯୋଗକାରୀମାନେ ଦର୍ଶାଇଥିଲେ ।

ଅଭିଯୋଗ ଭିତ୍ତିରେ ପ୍ରଥମେ ଖୋର୍ଦ୍ଧା ଏଡିଏମଙ୍କ ନେତୃତ୍ୱରେ ଏକ ବିଭାଗୀୟ ତଦନ୍ତ କରାଯାଇଥିବା ବେଳେ ପରବର୍ତୀ ସମୟରେ ଅର୍ଥନୈତିକ ଅପରାଧ ଶାଖା ମଧ୍ୟ ଏହାର ତଦନ୍ତ କରିଥିଲା । ସାରୁଅ ଜମି ଦୁର୍ନୀତିର ତଦନ୍ତ ଚାଲିଥିବା ବେଳେ ବିବେକାନନ୍ଦ ପରିଡ଼ାଙ୍କ ଚଳିତ ବର୍ଷ ଅକ୍ଟୋବର ୭ ତାରିଖରେ କଟକ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଡେପୁଟି ଜିଲ୍ଲାପାଳ ଭାବେ ବଦଳି ହୋଇଥିଲା ।

ସମ୍ବନ୍ଧିତ ଖବର