କଲରାପତରିଆର ମୃତଦେହ ଠାବ: ଶିକାର ସନ୍ଦେହ, ଲୁଚାଉଛି ବନ ବିଭାଗ!

ନାକଟିଦେଉଳ: ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବନଖଣ୍ଡ ନାକଟିଦେଉଳ ଅନ୍ତର୍ଗତ ଲାଣ୍ଡିମାଲ ସରଂକ୍ଷିତ ଜଙ୍ଗଲର ଚମ୍ପାଳି ନଦୀ ନିକଟ ଭୀମମଣ୍ଡଳୀ ରାସ୍ତାରୁ ଏକ କଲରାପତରିଆ ବାଘର ମୃତଦେହ ଠାବ ହୋଇଛି। ସୋମବାର ବନ ବିଭାଗ ପକ୍ଷରୁ ଏହି ବାଘର ମୃତଦେହକୁ ଠାବ କରାଯାଇଥିବା ବେଳେ ମଙ୍ଗଳବାର ବ୍ୟବଚ୍ଛେଦ କରାଯାଇଛି। ସୂଚନା ଅନୁସାରେ ସୋମବାର ଏହି ଜଙ୍ଗଲରେ ଏକ ବାଘ ପଡ଼ିଥିବା ଖବରପାଇ ଘଟଣାସ୍ଥଳକୁ ଯାଇ ବନ ବିଭାଗ ବାଘର ମୃତଦେହ ଉଦ୍ଧାର କରିଥିଲା। ମଙ୍ଗଳବାର ସକାଳେ ସିସିଏଫ୍‌, ରେଢ଼ାଖୋଲ ଡିଏଫ୍‌ଓ ଅରବିନ୍ଦ ମହାନ୍ତି, ନାକଟିଦେଉଳ ରେଞ୍ଜର ଅଶ୍ୱିନୀ ବେହେରା ଏବଂ ଭୁବନେଶ୍ୱର ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳକୁ ଯାଇ ତଦନ୍ତ କରି ଶବ ବ୍ୟବଚ୍ଛେଦ କରି ପୋଡିଦେଇଥିଲେ l ତେବେ ବାଘର ମୃତ୍ୟୁ ହେଲା କେମିତି? କଲରାପତରିଆ ବାଘକୁ କେହି ଶିକାର କରିଛନ୍ତି ନା ସ୍ବାଭାବିକ ମୃତ୍ୟୁ ହୋଇଛି? ଏ ସମ୍ପର୍କରେ ଡିଏଫ୍‌ଓଙ୍କୁ ପଚାରିବାରୁ ବାଘର ଆନୁମାନିକ ବୟସ ୧୦ ବର୍ଷ ହେବ। ମୃତ୍ୟୁର କାରଣ ତଦନ୍ତ ପରେ ଜଣାପଡ଼ିବ ବୋଲି ସେ କହିଛନ୍ତି। ଅପରପକ୍ଷେ ଜଣେ ବନକର୍ମଚାରୀ ନାମ ଗୋପନ ରଖି ବାଘ ଦେହରୁ ୩ଟି ଗୁଳି ବାହାରିଥିବା ପ୍ରକାଶ କରିଛନ୍ତି। ତେଣୁ ବାଘ ମୃତ୍ୟୁକୁ ନେଇ ଉପରିସ୍ଥ ଅଧିକାରୀ ତଦନ୍ତ ନାମରେ ଆଡ଼େଇ ଯାଇଥିବା ବେଳେ ଏହାକୁ ନେଇ ଅନେକ ସନ୍ଦେହ ସୃଷ୍ଟି ହୋଇଛି। ୨୪ଘଣ୍ଟା ପରେବି ବନବିଭାଗ ହାତ ଖାଲି ରହିଛି। ବାଘମୃତ୍ୟ ସମ୍ପର୍କରେ ଗଣମାଧ୍ୟମକୁ କମ୍ ସୂଚନା ଦେଇ ରେଢ଼ାଖୋଲ ଡିଏଫ୍‌ଓ ଅଧିକ ତଥ୍ୟ ଲୁଚାଇଥିବା ଚର୍ଚ୍ଚା ହେଉଛି। ଶିକାରୀଙ୍କ ଗୁଳିମାଡ଼ରେ ବାଘର ମୃତ୍ୟ ହୋଇଥିବା ସ୍ଥାନୀୟ ଅଞ୍ଚଳରେ ଆଲୋଚନା ହେଉଛି। ଅପରପକ୍ଷେ ବନବିଭାଗ ଗୋଟିଏ ବନ୍ଧୁକ ସହ ଦୁଇ ଜଣଙ୍କୁ ଅଟକ ରଖିଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି l

ସମ୍ବନ୍ଧିତ ଖବର