ଗ୍ରୀଷ୍ମ ପ୍ରବାହରୁ ଆଶ୍ବସ୍ତି: ୪ରୁ ୮ ଡିଗ୍ରି ପର୍ଯ୍ୟନ୍ତ ଖସିଲା ପାରଦ

ମାଲକାନଗିରିରେ ସର୍ବାଧିକ ୩୯.୩ ଡିଗ୍ରି, ଆସନ୍ତା‌ ୩ ଦିନ ମଧ୍ୟରେ ୪ ଡିଗ୍ରି କମିପାରେ

ଭୁବନେଶ୍ବର: କାଳବୈଶାଖୀ ପ୍ରଭାବରେ ଓଡ଼ିଶାର ପାଗରେ ପରିବର୍ତ୍ତନ ଆସିଛି। ଗ୍ରୀଷ୍ମ ପ୍ରବାହରୁ ନିସ୍ତାର ମିଳିବା ସହ ୨୧ ଦିନ ପରେ ଦିନର ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରି ତଳକୁ ଖସିଛି। ଉପକୂଳ ସମେତ ଉତ୍ତର ଓ ଦକ୍ଷିଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ତାପମାତ୍ରା ୪ରୁ ୮ ଡିଗ୍ରି ପର୍ଯ୍ୟନ୍ତ କମିଛି। ମାଲକାନଗିରିଠାରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩୯.୩ ଡିଗ୍ରି ରେକର୍ଡ କରାଯାଇଛି। ଏହାବ୍ୟତୀତ କେନ୍ଦ୍ରାପଡ଼ାରେ ୩୮.୬, ସୁନ୍ଦରଗଡ଼ରେ ୩୮.୨, ସମ୍ବଲପୁରରେ ୩୭.୫, ଯାଜପୁର ଓ ନୟାଗଡ଼ାରେ ୩୭.୪, ବୌଦ୍ଧରେ ୩୬.୮, ଝାରସୁଗୁଡ଼ାରେ ୩୬.୩, ରାଉରକେଲା ଓ ଦେବଗଡ଼ରେ ୩୬.୨, ସୋନପୁର ଓ ଖୋର୍ଦ୍ଧାରେ ୩୬ ଡିଗ୍ରି ଲେଖାଏ ରହିଥିଲା। ଆସନ୍ତା ୩ ଦିନ ମଧ୍ୟରେ ତାପମାତ୍ରା ଆହୁରି ୫ରୁ ୬ ଡିଗ୍ରି ହ୍ରାସ ପାଇବ। ଅଧିକାଂଶ ସ୍ଥାନରେ ପାରଦ ସ୍ବାଭାବିକଠାରୁ କମ୍‌ ରହିବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି।

ପାଣିପାଗ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସ କହିଛନ୍ତି ଯେ ବର୍ତ୍ତମାନର ପାଣିପାଗ ସ୍ଥିତି ଦେଖିଲେ ଏକ ନିମ୍ନ ଚାପରେଖା ଦକ୍ଷିଣ ଝାଡ଼ଖଣ୍ଡରୁ ବାହାରି ରାଜସ୍ଥାନ ଯାଏଁ ଲମ୍ବିଛି, ଯାହାକି ଉତ୍ତର ଓଡ଼ିଶା ମଧ୍ୟ ଦେଇ ଅତିକ୍ରମ କରୁଛି। ଏଥିସହ ସମୁଦ୍ର ମଧ୍ୟରୁ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ଆସୁଛି ଏବଂ ବାୟୁମଣ୍ଡଳର ମଧ୍ୟ ଭାଗରେ ପଶ୍ଚିମ ଦିଗରୁ ଶୁଷ୍କ ବାୟୁ ରହୁଥିବାରୁ ପରସ୍ପର ସହ ପ୍ରତିକ୍ରିୟାଶୀଳ ହୋଇ କେତେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ସୃଷ୍ଟି ହୋଇଛି। ବର୍ଷାର ପ୍ରଭାବ ଆସନ୍ତା ତିନି ଦିନ ପର୍ଯ୍ୟନ୍ତ ରହିବ। କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ୧୦ ଓ ୧୧ ତାରିଖରେ ଉପକୂଳ ଓ ଉତ୍ତର ଓଡ଼ିଶାରେ ବର୍ଷାର ସମ୍ଭାବନା ରହିଛି। ଏହି ସମୟରେ ଗରମ ଅନୁଭୂତ ହେବ ନାହିଁ। ବୁଧବାର ଅନୁଗୁଳ, କେନ୍ଦୁଝର, ରାୟଗଡ଼ା, କନ୍ଧମାଳ, ମୟୂରଭଞ୍ଜ, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଘଣ୍ଟା ପ୍ରତି ୪୦ରୁ ୫୦ କିମି ବେଗରେ ପବନ ହେବାକୁ ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ଏହାବ୍ୟତୀତ ବାଲେଶ୍ବର, ଭଦ୍ରକ, ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଢେଙ୍କାନାଳ, ନୟାଗଡ଼, ଖୋର୍ଦ୍ଧା, ପୁରୀ, କଟକ, ସୁନ୍ଦରଗଡ଼, ଦେବଗଡ଼, ଝାରସୁଗୁଡ଼ା, ସମ୍ବଲପୁର ଓ ବରଗଡ଼ ଜିଲ୍ଲାରେ ୩୦ରୁ ୪୦ କିମି ବେଗରେ ପବନ ସହ ବିଜୁଳି ଘଡ଼ଘଡ଼ି ବର୍ଷା ହୋଇପାରେ। ୯ ତା‌ରିଖରେ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର, ଭଦ୍ରକ, ଯାଜପୁର ଓ ଢେଙ୍କାନାଳ ଜିଲ୍ଲାରେ ୩୦ରୁ ୪୦ କିମି ବେଗରେ ପବନ ସହ କାଳବୈଶାଖୀ ହେବାକୁ ଥିବାରୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି। ପରବର୍ତ୍ତୀ ଦୁଇ ଦିନ ପାଗରେ ପରିବର୍ତ୍ତନ ଆସିବ। ରାଜ୍ୟର ଅଧିକାଂଶ ଜିଲ୍ଲାରେ କାଳବୈଶାଖୀ ପ୍ରଭାବରେ ବର୍ଷା ହୋଇପାରେ। ତେବେ ଏହି ସମୟରେ ତାପମାତ୍ରାରେ ସେତେଟା ବୃଦ୍ଧି ହେବ ନାହିଁ।

ସୋମବାର ସକାଳ ସାଢ଼େ ୮ଟାରୁ ମଙ୍ଗଳବାର ସକାଳ ସାଢ଼େ ୮ଟା ମଧ୍ୟରେ ଗଜପତି ଜିଲ୍ଲାର ଗୋସାଣିରେ ୭୯ ମିମି ବର୍ଷା ହୋଇଥିବା ବେଳେ ଗୁମ୍ମାରେ ୭୦, ପାରଳାଖେମୁଣ୍ଡିରେ ୫୬.୬, ନୂଆଗଡ଼ରେ ୫୦.୪, ରାୟଗଡ଼ା ଜିଲ୍ଲାର ଗୁଣୁପୁରରେ ୬୨.୨, କୋରାପୁଟ ଜିଲ୍ଲାର ସିମିଳିଗୁଡ଼ାରେ ୪୨, ମାଲକାନଗିରି ଜିଲ୍ଲା ମାଥିଲିରେ ୪୧, କଟକ ଜିଲ୍ଲା ବାଙ୍କିରେ ୪୦ ମିମି ବର୍ଷା ରେକର୍ଡ କରାଯାଇଛି। ଗତକାଲି ସନ୍ଧ୍ୟାଠାରୁ ଆଜି ସନ୍ଧ୍ୟା ମଧ୍ୟରେ କଟକ, ବାଲେଶ୍ବର, ଭୁବନେଶ୍ବର, ଗୋପାଳପୁର, ଅନୁଗୁଳ, ଝାରସୁଗୁଡ଼ା, କେନ୍ଦୁଝର, ସମ୍ବଲପୁର, କୋରାପୁଟ, ପାରଳାଖେମୁଣ୍ଡି, ଯାଜପୁର, ନବରଙ୍ଗପୁରରେ ହାଲୁକା ବର୍ଷା ‌ହୋଇଛି। ଓଡ଼ିଶା ଉପକୂଳରେ ଉଚ୍ଚା ଢେଉ ସହ ସମୁଦ୍ର ଅଶାନ୍ତ ରହିବାକୁ ଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ବାରଣ କରାଯାଇଛି।

ସମ୍ବନ୍ଧିତ ଖବର