ତାଳଦଣ୍ତା କେନାଲରେ ଆବର୍ଜନା ଫିଙ୍ଗିଥିଲେ, ମଦ ଦୋକାନକୁ ଜରିମାନା, ଫାଷ୍ଟଫୁଡ୍‌ ଦୋକାନ ସିଲ୍‌

କଟକ: କଟକ ସହରର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ପ୍ରଶାସନ ପକ୍ଷରୁ ତାଳଦଣ୍ତା କେନାଲର ରୂପାନ୍ତରଣ ଉପରେ ଗୁରୁତ୍ବ ଦିଆଯାଉଛି। ଏହାକୁ ଅପରିଷ୍କାର ନ କରିବା ପାଇଁ ସାମାଜିକ ଗଣମାଧ୍ୟମ ଜରିଆରେ ମଧ୍ୟ ସାଧାରଣ ଲୋକଙ୍କୁ ପରାମର୍ଶ ଦିଆଯାଉଛି। ମାତ୍ର ଏହାକୁ ବହୁ ଲୋକ ମାନୁ ନଥିବା ଦେଖିବାକୁ ମିଳିଛି। କିଛି ବ୍ୟବସାୟୀ କେନାଲକୁ ଅପରିଷ୍କାର କରୁଥିବାରୁ ଆଜି ପୌର ନିଗମର ପରିମଳ ଏନ୍‌ଫୋର୍ସମେଣ୍ଟ ବିଭାଗ ପକ୍ଷରୁ ତାଳଦଣ୍ତା ନିକଟରେ ଥିବା ଏକ ବିଦେଶୀ ମଦ ଦୋକାନରୁ ୧୦ ହଜାର ଟଙ୍କା ଜରିମାନା ଆଦାୟ କରାଯିବା ସହ ଏକ ଫାଷ୍ଟଫୁଡ୍‌ ଦୋକାନକୁ ସିଲ୍‌ କରାଯାଇଛି। ତାଳଦଣ୍ତା କେନାଲର ସୈାନ୍ଦର୍ଯ୍ୟୀକରଣ ଦ୍ରୁତଗତିରେ ଚାଲିଥିଲା ବେଳେ ଏଥିରେ ବର୍ଜ୍ୟବସ୍ତୁ ନ ଫୋପାଡ଼ିବା ପାଇଁ ନିଗମ ତରଫରୁ ପୂର୍ବରୁ ଏହା ନିକଟରେ ବ୍ୟବସାୟ କରୁଥିବା ବ୍ୟବସାୟୀଙ୍କୁ ବାରଣ କରାଯାଇଥିଲା। ଏପରିକି ସାଧାରଣ ଲୋକଙ୍କୁ ଏ ସଂପର୍କରେ ସଚେତନ କରାଇବା ସହ ତାଳଦଣ୍ତାର ସୌନ୍ଦର୍ଯ୍ୟ ରକ୍ଷା ପାଇଁ ସେମାନଙ୍କର ସହଯୋଗର ଆବଶ୍ୟକତା ରହିଛି ବୋଲି ନିଗମର କମିସନର୍‌ ନିଖିଲ୍‌ ପୱନ୍‌ କଲ୍ୟାଣ ସହରବାସୀଙ୍କୁ ଅନୁରୋଧ କରିଥିଲେ।

ପୂର୍ବରୁ ଏଭଳି ଘଟଣା ବାରମ୍ବାର ଘଟୁଥିବା ନେଇ କମିସନର୍‌ ମଧ୍ୟ କ୍ଷୋଭ ପ୍ରକାଶ କରିଥିଲେ। ଆଜି ତାଳଦଣ୍ତା ନିକଟରେ ବ୍ୟବସାୟ କରୁଥିବା କିଛି ହୋଟେଲ, ଜଳଖିଆ ଦୋକାନ ଓ ଫାଷ୍ଟଫୁଡ୍‌ ଦୋକାନ ସେମାନଙ୍କର ବର୍ଜ୍ୟ ଓ ବାସୀ ଖାଦ୍ୟ କେନାଲ୍‌ ଭିତରେ ଫୋପାଡୁଥିବା ନେଇ ଅଭିଯୋଗ ଆସିବା ପରେ ନିଗମର ପରିମଳ ଏନଫୋର୍ସମେଣ୍ଟ ସ୍କ୍ବାଡ୍ ଘଟଣାସ୍ଥଳରେ ପହଞ୍ଚି ଦୋକାନଗୁଡିକ ଯାଞ୍ଚ କରିଥିଲେ। ଏହି ଯାଞ୍ଚ ପ୍ରକ୍ରିୟାରେ ଗୋଟିଏ ବିଦେଶୀ ମଦ ଦୋକାନ ସହ ଏକ ଫାଷ୍ଟଫୁଡ ଦୋକାନ ଧରାପଡ଼ିଥିଲେ। ବିଦେଶୀ ମଦ ଦୋକାନରୁ ଜରିମାନା ବାବଦକୁ ୧୦ ହଜାର ଟଙ୍କା ଆଦାୟ କରାଯିବା ସହ ଫାଷ୍ଟଫୁଡ୍‌ ଦୋକାନକୁ ସିଲ୍‌ କରିଦିଆଯାଇଛି। ଏତଦ୍‌ବ୍ୟତୀତ ସେଠାରେ ବ୍ୟବସାୟ କରୁଥିବା ଦୋକାନୀମାନଙ୍କୁ ସଚେତନ କରାଯିବା ସହ ଅଳିଆ ଆବର୍ଜନା ତାଳଦଣ୍ତାରେ ନ ପକାଇବା ପାଇଁ ତାଗିଦ୍‌ କରାଯାଇଛି। ସହକାରୀ କମିସନର୍‌ ତ୍ରିନାଥ ବେହେରା(ସାନିଟେସନ୍‌) ଓ ତ୍ରିଶୂଳ ମାର୍ଦ୍ଦି ଏହି ଚଢ଼ଉର ନେତୃତ୍ବ ନେଇଥିବା ବେଳେ କନିଷ୍ଠ ସାନିଟେସନ୍‌ ଏକ୍ସର୍ପଟ ସୁବ୍ରତ ମହାପାତ୍ର, ସାନିଟାରି ଇନ୍ସପେକ୍ଟର୍ ପତିତପାବନ ମହାପାତ୍ରଙ୍କ ସମେତ ନିଗମର ସିଡିଇଏଫ୍‌ର ୩ ଟିମ୍ ଏଥିରେ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର