ଏମ୍ସ ପ୍ଲସ୍‌ ଯୋଜନାରେ ସରକାର; ଆଉ କେତେଦିନ ମେସିନ୍‌ ଅଚଳ ରହିବ ?

ବାହାର ପାଥୋଲାବ୍‌ ଭରସାରେ ଏସ୍‌ସିବି ରୋଗୀ

କଟକ: କଟକ ବଡ ଡାକ୍ତରଖାନା ହେବ ଏମ୍ସ ପ୍ଲସ୍‌। ହେଲେ, କେବଳ କୋଠାବାଡ଼ି କରିଦେଲେ ଏସ୍‌ସିବି ଏମ୍ସ ପ୍ଲସ୍‌ ହୋଇଯିବ ବୋଲି ସରକାର ବୋଧହୁଏ ଚିନ୍ତା କରୁଛନ୍ତି। ମାଗଣା ବ୍ୟବସ୍ଥା ଭିତରେ ଭୁଲି ଯାଉଛନ୍ତି ରୋଗୀଙ୍କ ଯାତନାକୁ। ମାସ ମାସ ଧରି ମେସିନ୍‌ ସବୁ ଅଚଳ ପଡିଛି। କେବଳ ସେତିକି ନୁହେଁ, ବିଭିନ୍ନ ବିଭାଗରେ ଏମିତି ଅନେକ ଯନ୍ତ୍ରାଂଶ ଅଛି ଯାହା ବ୍ୟବହାରରେ ଆସିପାରୁନି। ଏଭଳି ସ୍ଥିତିରେ ଏସ୍‌ସିବିକୁ ଆସୁଥିବା ଅନେକ ରୋଗୀ ବିଭିନ୍ନ ରୋଗର ନିଦାନ ପାଇଁ ଘରୋଇ ପା‌ଥୋଲାବ୍‌ ଉପରେ ନିର୍ଭରଶୀଳ। ଖାଲି ସେତିକି ନୁହେଁ, ଭିତ୍ତିଭୂମିର ବ୍ୟବସ୍ଥାକୁ ନେଇ ଗରିବ ରୋଗୀଟିଏ ଜୀବନ ବଂଚାଇବା ପାଇଁ ବାଧ୍ୟ ହୋଇ ଘରୋଇ ନର୍ସିଂହୋମରେ ଭର୍ତ୍ତି ହେଉଛି। ଏପଟେ, ବଡ଼ ଡାକ୍ତରଖାନାରେ ଦଲାଲ୍‌ରାଜ କମୁନି। ଦୁଇଦିନ ତଳେ ବି ଦୁଇଜଣ ଦଲାଲଙ୍କୁ ପୁଲିସ ଗିରଫ କରିବା ଏହାର ସଦ୍ୟ ପ୍ରମାଣ।
କଟକ ବଡ଼ ଡାକ୍ତରଖାନାରେ ମାସ ମାସ ହେଲା ଅଚଳ ହୋଇପଡିଛି ପୁଳା ପୁଳା ମେସିନ୍‌।

ବାରମ୍ବାର ଚିଠି ସତ୍ତ୍ବେ ସମସ୍ତେ ଯେପରି ଆଖିବୁଜି ଦେଇଛନ୍ତି। ଯା’ଫଳରେ ହନ୍ତସନ୍ତ ହେଉଛନ୍ତି ରୋଗୀ ଓ ସଂପର୍କୀୟ। ମାଗଣା ବ୍ୟବସ୍ଥାର ଲାଭ ପାଇବା ବଦଳରେ ରୋଗୀ ଘରୋଇ ପାଥୋଲାବ୍‌ ଭରସାରେ ରହିବାକୁ ବାଧ୍ୟ। ଏସ୍‌ସିବିରେ ୬ମାସ ହେବ ରକ୍ତକର୍କଟ ନିରୂପଣ, ମଲ୍‌ଟିପୁଲ ମାଇଲୋମା, ସିକିଲ‌ସେଲ, ଥାଲାସେମିଆ ରୋଗ ଚିହ୍ନଟ ପାଇଁ ଥିବା ମେସିନ୍‌ ଓ ସିଟି ସ୍କାନ୍‌ ମେସିନ୍‌ ଅଚଳ। ଫଳରେ ହନ୍ତସନ୍ତ ହେଉଛନ୍ତି ରୋଗୀ। ବାରମ୍ବାର ମେସିନ୍‌ ସଜଡ଼ା ଯିବାକୁ ଚିଠି ଯାଉଛି, ହେଲେ ସଜଡା ହୋଇପାରୁନି। ଏମିତିରେ ସିଟିସ୍କାନ୍‌ଠାରୁ ଆରମ୍ଭ କରି ଅନେକ ରୋଗର ପରୀକ୍ଷା ପାଇଁ ରୋଗୀଙ୍କୁ ଦିନ ଦିନ ଧରି ଲମ୍ବା ଲାଇନ୍‌ରେ ଅପେକ୍ଷା କରିବାକୁ ପଡ଼ୁଛି। ଏହି କାରଣରୁ ରୋଗୀ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେହିପରି ଫେରି‌ଟିନ୍‌, ହୃଦ୍‌ଘାତର ଟ୍ରପ୍‌ଟି ପରୀକ୍ଷା ଆଦି ସବୁ ବନ୍ଦ ରହିଛି। ଅନ୍ୟପଟେ ୬ମାସ ହେଲା ହେମାଟୋଲୋଜିର ଇଲୋକ୍‌ଟ୍ରା ଫ୍ଲୋରେସିସ୍‌ ସେମିନ୍‌ ମଧ୍ୟ ଅଚଳ ହୋଇ ପଡିଛି। ଯା’ଫଳରେ ରକ୍ତକର୍କଟ, ମଲ୍‌ଟିପୁଲ ମାଇଲୋମା, ସିକିଲସଲ, ଥାଲାସେମିଆ ଆଦି ପରୀକ୍ଷା ବି ବନ୍ଦ ରହିଛି। ଅନ୍ୟ କୌଣସି ରାସ୍ତା ନପାଇ ରୋଗୀମାନେ ଘ‌ରୋଇ ପାଥୋଲାବ୍‌ ଉପରେ ନିର୍ଭର କରିବାକୁ ବାଧ୍ୟ ହେଉଛନ୍ତି। ଏଥିରେ ଦଲାଲଙ୍କ ଜରିଆରେ ଘରୋଇ ସଂସ୍ଥା‌ ମାଲାମାଲ୍‌ ହେଉଥିବାବେଳେ ରୋଗୀ ଓ ସମ୍ପର୍କୀୟ ଶୋଷଣର ଶିକାର ହେଉଛନ୍ତି।

ସମ୍ବନ୍ଧିତ ଖବର