ଟ୍ରେନରେ ଯାତ୍ରୀଙ୍କୁ ନିଶା ଦେଇ ଲୁଟୁଥିବା ଅଭିଯୁକ୍ତ ଗିରଫ; ନିଶା ବଟିକା, ଲ୍ୟାପଟପ ଓ ଟଙ୍କା ଜବତ

କଟକ: ଟ୍ରେନ ଯାତ୍ରୀଙ୍କୁ ନିଶା ବଟିକା ଦେଇ ଲୁଟ୍‌ କରୁଥିବା ଜଣେ ଚୋରକୁ କଟକ ଜିଆରପି ଓ ଆରପିଏଫ ମିଳିତ ଚଢଉ କରି ଧରିବାରେ ସଫଳ ହୋଇଛନ୍ତି। ଗିରଫ ଅଭିଯୁକ୍ତ ଜଣକ ହେଲା ମାହାଙ୍ଗା ଥାନା ଅନ୍ତର୍ଗତ ଭଦ୍ରେଶ୍ବର ଗୋପାଳପୁରର ପ୍ରମୋଦ ଦାଶ(୪୧)। ତା’ ନିକଟରୁ ନିଶା ବଟିକା, ଲ୍ୟାପଟପ ଓ ଟଙ୍କା ଆଦି ଜବତ ହୋଇଛି। ସୂଚନା ଅନୁଯାୟୀ, ଗତ ୪ ତାରିଖ ରାତିରେ ଜଗତସି˚ହପୁରର ପ୍ରତାପ ରାଉତ ଚେନ୍ନାଇରୁ ନିଜ ଗାଁକୁ ଫେରୁଥିଲେ। ସେ କଟକରେ ପହଞ୍ଚିଥିଲେ ମଧ୍ୟ ଅଧିକ ରାତି ହୋଇଯାଇଥିବାରୁ ଗାଁକୁ ଯାଇପାରିନଥିଲେ। ତେଣୁ ସେ ଷ୍ଟେସନରେ ଅପେକ୍ଷା କରିଥିଲେ। ଏହି ସମୟରେ ପ୍ରମୋଦ ଜଣେ ଯାତ୍ରୀ ଭାବେ ପ୍ରତାପଙ୍କ ପାଖକୁ ଯାଇ ସମ୍ପର୍କ ଯୋଡିଥିଲା। କିଛି ସମୟ ଗପସପ କରିବା ପରେ ପ୍ରମୋଦ ନିଶା ବଟିକା ମିଶିଥିବା ଏକ ମୃଦୁ ପାନୀୟ ବୋତଲ ପ୍ରତାପଙ୍କୁ ପିଇବା ଲାଗି ଦେଇଥିଲା। ପ୍ରତାପ ମଧ୍ୟ ବିଶ୍ବାସ କରି ତାହାକୁ ପିଇଦେଇଥିଲେ। ପିଇବାର ମାତ୍ର କିଛି ସମୟରେ ପ୍ରତାପ ସ˚ମ୍ପୂର୍ଣ୍ଣ ଅଚେତ ହୋଇପଡିଥିଲେ।

ଏହାପରେ ପ୍ରମୋଦ ତାଙ୍କର ମୋବାଇଲ, ମନି ପର୍ସ, ପୋଷାକ ପତ୍ର ଥିବା ବ୍ୟାଗ ଲୁଟି ନେଇ ଚମ୍ପଟ ମାରିଥିଲା। ହୋସ ଆସିବା ପରେ ପ୍ରତାପ ଘଟଣା ବିଷୟରେ ତୁରନ୍ତ ଜିଆରପିରେ ଏତଲା ଦେଇଥିଲେ। ଏନେଇ ଜିଆରପି ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା। ଷ୍ଟେସନ ପରିସର ଓ ବାହାରେ ଲାଗିଥିବା ଏକାଧିକ ସିସିଟିଭି ଫୁଟେଜ ସ˚ଗ୍ରହ କରି ତଦନ୍ତ କରିବା ପରେ ଅଭିଯୁକ୍ତ ପ୍ରମୋଦ ଚିହ୍ନଟ ହୋଇଥିଲା। ଏହାପରେ ଜିଆରପି ଓ ଆରପିଏଫ ମିଳିତ ଭାବେ ଗୋପାଳପୁରରେ ଚଢଉ କରି ଅଭିଯୁକ୍ତ ପ୍ରମୋଦକୁ ଗିରଫ କରିଥିଲେ। ସ୍ଥାନୀୟ ଭଦ୍ରେଶ୍ବର ଫାଣ୍ତି ପୁଲିସ ଚଢଉରେ ସହଯୋଗ କରିଥିଲେ । ତଲାସି ବେଳେ ତା’ ନିକଟରୁ ଗୋଟିଏ ଷ୍ଟ୍ରିପ ନାଇଟ୍ରୋଜେନ ନିଶା ବଟିକା ସହ ୨୦ ହଜାର ଟଙ୍କା ମୂଲ୍ୟର ଗୋଟିଏ ଲ୍ୟାପଟପ, ଲୁଟର ଶିକାର ହୋଇଥିବା ପ୍ରଶାନ୍ତଙ୍କ ଆଧାର କାର୍ଡ ଓ ଅନ୍ୟାନ୍ୟ କାଗଜ ପତ୍ର ଜବତ ହୋଇଥିଲା। ଅଭିଯୁକ୍ତ ବିରୋଧରେ ପୂର୍ବରୁ ଖୋର୍ଦ୍ଦା, ଭୁବନେଶ୍ବର, କଟକର ଅନେକ ଥାନାରେ ମାମଲା ରହିଥିବା ଜଣାପଡିଛି। ଆଜି ଅପରାହ୍ନରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି।

ସମ୍ବନ୍ଧିତ ଖବର