ଏବେ ବି ବେସାହାରା: ବାଳିକା ହାଇସ୍କୁଲ୍‌ କୋଠାରେ ୧୨ ବର୍ଷ ହେଲା ମୁଣ୍ଡ ଗୁଞ୍ଜିଛି

ଜୟପୁର ମାଧ୍ୟମିକ ଶିକ୍ଷା ପରିଷଦ ଜୋନାଲ୍‌ କାର୍ଯ୍ୟାଳୟ

ଜୟପୁର: ଚାରି ଜିଲ୍ଲା ଛାତ୍ରଛାତ୍ରୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛି ଜୟପୁରସ୍ଥିତ ମାଧ୍ୟମିକ ଶିକ୍ଷା ପରିଷଦ ଜୋନାଲ୍‌ କାର୍ଯ୍ୟାଳୟ।। ନିଜେ କିନ୍ତୁ ବେସାହାରା। ନିଜସ୍ବ କାର୍ଯ୍ୟାଳୟ ନାହିଁ। ଜୟପୁର ସରକାରୀ ବାଳିକା ବିଦ୍ୟାଳୟର ଜରାଜୀର୍ଣ୍ଣ କୋଠରୀରେ ମୁଣ୍ଡ ଗୁଞ୍ଜିଛି। କାର୍ଯ୍ୟାଳୟ ପରିଚାଳନା ପାଇଁ ଆବଶ୍ୟକ ଅଧିକାରୀ କିମ୍ବା କର୍ମଚାରୀ ନାହାନ୍ତି। ୯ରୁ ୫ ପଦବି ଖାଲି। ଚତୁର୍ଥ ଶ୍ରେଣୀ କର୍ମଚାରୀ, ଡାଟା ଏଣ୍ଟ୍ରି ଅପରେଟର୍ ଚଳାଉଛନ୍ତି କାର୍ଯ୍ୟାଳୟ। ଦୀର୍ଘ ଦିନ ହେଲା ଡେପୁଟି ସେକ୍ରେଟାରି ପଦବି ଖାଲିପଡ଼ିଛି। ଆସିଣ୍ଟାଣ୍ଟ୍ ସେକ୍ରେଟାରି ସରକାରୀ କାମରେ କଟକ ମୁଖ୍ୟ କାର୍ଯ୍ୟାଳୟ କିମ୍ବା ବ୍ୟକ୍ତିଗତ କାମରେ ଛୁଟିରେ ଗଲେ ଦାୟିତ୍ବ ହସ୍ତାନ୍ତର ପାଇଁ କେହି ନାହାନ୍ତି। ଚତୁର୍ଥ ଶ୍ରେଣୀ କର୍ମଚାରୀ ଓ ଡାଟା ଏଣ୍ଟ୍ରି ଅପେରେଟର୍‌ ସମ୍ଭାଳୁଛନ୍ତି ନିତିଦିନିଆ କାର୍ଯ୍ୟ। ବୁକ୍‌ ଷ୍ଟୋର୍ ବ୍ୟବସ୍ଥା ମଧ୍ୟ ନାହିଁ। ଫଳରେ ଅବିଭକ୍ତ କୋରାପୁଟ ଜିଲ୍ଲାର ୧୫ଟି ପଞ୍ଜିକୃତ ବୁକ୍ ଡିଲର୍ କଟକ ଓ ବ୍ରହ୍ମପୁରରୁ ପାଠ୍ୟ ପୁସ୍ତକ ଆଣୁଛନ୍ତି। ରାଜ୍ୟ ସରକାରଙ୍କ ଚରମ ଅବେଳା ଯୋଗୁଁ ପ୍ରଭାବିତ ହେଉଛନ୍ତି ୪ ଜିଲ୍ଲାର ୮୬୪ ହାଇସ୍କୁଲ୍‌ର ଛାତ୍ରଛାତ୍ରୀ।

ମୋଟୁରୁ ପ୍ରାୟ ୭୦୦କିମି ଦୂରରେ ରହିଛି କଟକସ୍ଥିତ ମାଧ୍ୟମିକ ଶିକ୍ଷା ପରିଷଦ ମୁଖ୍ୟ କାର୍ଯ୍ୟାଳୟ। ବ୍ରହ୍ମପୁରସ୍ଥିତ ଜୋନାଲ୍‌ କାର୍ଯ୍ୟାଳୟ ୫୫୦ କିମି ଦୂର। ଜୟପୁରରେ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟ ପ୍ରତିଷ୍ଠା ପୂର୍ବରୁ କୋରାପୁଟ, ରାୟଗଡ଼ା, ମାଲକାନଗିରି, ନବରଙ୍ଗପୁର ଜିଲ୍ଲାବାସୀ କଟକ, ବ୍ରହ୍ମପୁରକୁ ଦୌଡ଼ିଦୌଡ଼ି ଖର୍ଚ୍ଚାନ୍ତ ହେଉଥିଲେ। ଅବିଭକ୍ତ କୋରାପୁଟ ଜିଲ୍ଲାବାସୀଙ୍କ ଦାବିକୁ ସମ୍ମାନ ଜଣାଇ ୨୦୧୨ ଅକ୍ଟୋବର ୭ ତାରିଖରେ ଜୟପୁରରେ ଖୋଲିଥିଲା ମାଧ୍ୟମିକ ଶିକ୍ଷା ପରିଷଦ ଜୋନାଲ୍‌ କାର୍ଯ୍ୟାଳୟ। କାର୍ଯ୍ୟାଳୟ ମୁଖ୍ୟ ଭାବେ ଡେପୁଟି ସେକ୍ରେଟାରି, ଆସିଷ୍ଟାଣ୍ଟ୍ ସେକ୍ରେଟାରି, ସେକ୍ସନ୍ ଅଫିସର, ସିନିଅର ଆସିଷ୍ଟାଣ୍ଟ୍‌, ଜୁନିଅର ଆସିଷ୍ଟାଣ୍ଟ, ଡାଟା ଏଣ୍ଟ୍ରି ଅପରେଟର, ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ମିଶାଇ ମୋଟ ୯ଜଣଙ୍କ କର୍ମଚାରୀ ନିଯୁକ୍ତି‌ ହୋଇଥିଲେ। ଇତି ମଧ୍ୟରେ ୧୨ବର୍ଷ ବିତିଗଲାଣି। ହେଲେ ନିଜସ୍ବ କୋଠା ନିର୍ମାଣ ଦିଗରେ ଶିକ୍ଷା ବିଭାଗ କିମ୍ବା ରାଜ୍ୟ ସରକାର ଦୃଷ୍ଟି ଦେଉନାହାନ୍ତି। ସମୟକ୍ରମେ କର୍ମଚାରୀ ଅବସର ନେବା ଓ ବଦଳି ହେବା ପରେ କାର୍ଯ୍ୟାଳୟରେ ନୂତନ ନିଯୁକ୍ତି ‌ହୋଇପାରୁନି। ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ କୋଠାରେ ଚାଲିଥିବା ଏହି କାର୍ଯ୍ୟାଳୟ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ରହିଛି। ମରାମତି ଅଭାବରୁ ଉକ୍ତ କୋଠା ଜରାଜୀର୍ଣ୍ଣ ହୋଇ ପାଣି ଗଳୁଛି।

୨୦୨୩-୨୪ ଶିକ୍ଷାବର୍ଷରେ ଦଶମ ଶ୍ରେଣୀରେ କୋରାପୁଟ ଜିଲ୍ଲ‌ାର ୨୭୮ଟି ବିଦ୍ୟାଳୟରୁ ୧୬,୪୨୪ ଛାତ୍ରଛାତ୍ରୀ, ନବରଙ୍ଗପୁରର ୨୩୨ ବିଦ୍ୟାଳୟରୁ ୧୫,୩୧୮, ରାୟଗଡ଼ାର ୨୧୯ ବିଦ୍ୟାଳୟର ୧୦,୯୩୬ ଛାତ୍ରଛାତ୍ରୀ, ମାଲକାନଗିରିର ୭,୧୭୧ ଛାତ୍ରଛାତ୍ରୀ (ମୋଟ ୪୯୮୪୯) ଏଚ୍‌ଏସ୍‌ସିଇ ପାଇଁ ନାମ ପଞ୍ଜୀକରଣ କରିଥିଲେ। ପ୍ରତିବର୍ଷ ୪ଜିଲ୍ଲାରୁ ପ୍ରାୟ ୫୦ହଜାର ଛାତ୍ରଛାତ୍ରୀ ପରୀକ୍ଷା ପାଇଁ ପଞ୍ଜୀକରଣ କରୁଛନ୍ତି। ୨୦୧୫ରୁ ଜୋନ୍‌ ପକ୍ଷରୁ ଆରମ୍ଭ ହୋଇଥିବା ପତ୍ରବିନିମୟ ମାଧ୍ୟମ ପରୀକ୍ଷାରେ ସପ୍ତମ ପରେ ପାଠ ଛାଡ଼ି ଦେଇଥିବା ୪ରୁ ୫ଶହ ଛାତ୍ରଛାତ୍ରୀ ଦଶମ ଶ୍ରେଣୀ ପରୀକ୍ଷା ଦେଉଛନ୍ତି। ସେହିପରି ଜୋନାଲ୍‌ କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ ଇଂରାଜୀ ମାଧ୍ୟମ ଛାତ୍ରଛାତ୍ରୀଙ୍କ ପାଇଁ ସିଙ୍ଗଲ୍ ସବଜେକ୍ଟ ଓଡ଼ିଆ ପରୀକ୍ଷାରେ ୫ଶହରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି। ଏଥିରେ ଅଛନ୍ତି ୧୦୦ରୁ ଊର୍ଦ୍ଧ୍ବ ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ପଶ୍ଚିମବଙ୍ଗ ବୋର୍ଡରୁ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀ। ନବମ‌ ଶ୍ରେଣୀରେ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିବା ପରେ ଏବଂ ବୋର୍ଡ ପରୀକ୍ଷା ଦେବା ପୂର୍ବରୁ ନାମ, ଜନ୍ମତାରିଖ, ଫଟୋ ଜନିତ ତ୍ରୁଟି ସଂଶୋଧନ ପାଇଁ ଚାରିଥର ସୁଯୋଗ ମିଳୁଛି। ମାର୍କସିଟ୍‌ ଏବଂ ପ୍ରମାଣପତ୍ରରେ ଥିବା ତ୍ରୁଟି ସୁଧାରିବାରେ ଜୋନାଲ୍‌ କାର୍ଯ୍ୟାଳୟ କାର୍ଯ୍ୟକରୁଛି। ଏଥିସହ ଆଡମିଟ୍ କାର୍ଡ, ଓଏମ୍‌ଆର୍‌ ସିଟ୍‌, ଆଟେଣ୍ଡାନ୍ସ ସିଟ୍‌, ସାର୍ଟିଫିକେଟ ବିଦ୍ୟାଳୟରେ ପହଞ୍ଚାଇବାର ଦାୟିତ୍ବ ମଧ୍ୟ ଏହି କାର୍ଯ୍ୟାଳୟର ରହିଛି।

ସମ୍ବନ୍ଧିତ ଖବର