ଓଏମ୍‌ପି ଛକରେ ଗଣ୍ଡ‌େଗାଳ, ଯାତ୍ରୀଙ୍କୁ ମୋ ବସ୍‌ କର୍ମଚାରୀଙ୍କ ସଂଘବଦ୍ଧ ଆକ୍ରମଣ

କଟକ: ଆଜି ସଂଧ୍ୟାରେ ଓଏମ୍‌ପି ଛକ ଠାରେ ମୋ ବସ୍‌ କର୍ମଚାରୀମାନେ ସଂଘବଦ୍ଧ ଭାବେ ଜଣେ ଯାତ୍ରୀଙ୍କୁ ଆକ୍ରମଣ କରିଥିବା ଦେଖାଯାଇଛି। ଯାତ୍ରୀଜଣକ ମଧ୍ୟ ଏକୁଟିଆ କିଛି ସମୟ ପାଇଁ ସେମାନଙ୍କ ସହ ଲଢ଼ିଥିଲେ। ଆକ୍ରମଣର କାରଣ ଜଣାପଡ଼ି ନଥିଲେ ବି ପ୍ରାୟ ୫ ମିନିଟ୍‌ ଧରି ​ବସ୍‌ଷ୍ଟପ୍‌ରେ ଗଣ୍ଡଗୋଳ ଚାଲିବା ଦେଖି ଲୋକମାନେ ଭୟଭୀତ ହୋଇଯାଇଥିଲେ। ଗଣ୍ଡଗୋଳ ସରିବା ବେଳକୁ ଜଣେ ମହିଳା ପୁଲିସ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ତେବେ, ସେ କେବଳ ଯାତ୍ରୀଜଣଙ୍କୁ ବସ୍‌ରୁ ଓହ୍ଲାଇ ବିଦା କରି ଦେଇଥିଲେ। ଭୁବନେଶ୍ବର ବରମୁଣ୍ଡାରୁ ଜୟଦେବବିହାର ଓ ନନ୍ଦନକାନନ ଦେଇ ଜଗତପୁରକୁ ଚାଲୁଥିବା ରୁଟ୍‌ ନଂ-୧୮ର ମୋ ବସ୍‌ (ଓଡି-୩୩-ୟୁ-୯୩୩୧) ଆଜି ସଂଧ୍ୟା ପ୍ରାୟ ୬ଟା୪୫ ବେଳେ ଓଏମ୍‌ପି ଛକ ପାରଳା ମହାରାଜା ଚିଲଡ୍ରେନ୍‌ ପାର୍କ ନିକଟରେ ଅଟକିଥିଲା। ଅଟକିବା ବେଳକୁ ବସ୍‌ ଭିତରେ ଜଣେ ଯାତ୍ରୀଙ୍କର ବସ୍‌ କର୍ମଚାରୀଙ୍କ ସହ ଗଣ୍ଡଗୋଳ ଚାଲିଥିଲା। ଅନ୍ୟ ଯାତ୍ରୀମାନେ ଓହ୍ଲାଉଥିବା ବେଳେ ବି ସେମାନଙ୍କ ଭିତରେ ମାଡ଼ପିଟ୍‌ ଚାଲିଥିଲା। ଯାତ୍ରୀମାନେ ବସ୍‌ରୁ ଓହ୍ଲାଇଯିବା ପରେ ବସ୍‌ କର୍ମଚାରୀମାନେ ସଂଘବଦ୍ଧ ଭାବେ ଉକ୍ତ ଯୁବଯାତ୍ରୀଙ୍କୁ ଆକ୍ରମଣ କରିଥିଲେ।

ଯାତ୍ରୀଜଣକ ଏକୁଟିଆ ଥିଲେ ବି ସେମାନଙ୍କର କଡ଼ା ମୁକାବିଲା କରୁଥିଲେ। କିଛି ମିନିଟ୍‌ ଧରି ସେମାନଙ୍କ ଭିତରେ ମାଡ଼ପିଟ୍‌ ଚାଲୁଥିବାର ଆଖପାଖ ଲୋକେ ଦେଖୁଥିଲେ ବି ଭୟରେ କେହି ସେମାନଙ୍କ ପାଖକୁ ଯାଇ ନଥିଲେ। କିଛି ସମୟ ପରେ ଯାତ୍ରୀଜଣଙ୍କୁ ସେମାନେ ଧକ୍କା ମାରି ବସ୍‌ରୁ ଓହ୍ଲାଇ ଦେଇଥିଲେ। ଏହି ସମୟରେ ଜଣେ ମହିଳା ପୁଲିସ କର୍ମଚାରୀ ବସ୍‌ ନିକଟରେ ପହଞ୍ଚିଯିବାରୁ ବସ୍‌ କର୍ମଚାରୀମାନେ ବସ୍‌ ଭିତରକୁ ଚାଲିଯାଇଥିଲେ। ମହିଳା ପୁଲିସ କର୍ମଚାରୀଜଣକ ସେମାନଙ୍କୁ କିଛି ନ କହି କେବଳ ଯାତ୍ରୀଙ୍କୁ ଡାକି ‘କିରେ, ତୁ ମାରିଲୁ ନା’ ତୋତେ ସେ ମାରିଲେ?’ ବୋଲି କହି ବିଦା କରି ଦେଇଥିଲେ। ଯାତ୍ରୀଜଣକ ବି ଗାଳିଗୁଲଜ କରି କିଛି ଦୂର ଚାଲିଯାଇଥିଲେ। ଉକ୍ତ ଯାତ୍ରୀଙ୍କ ଘର ବାହାର ଜିଲ୍ଲାରେ ଓ ସେ ଓଏମ୍‌ପି ଛକ ନିକଟରେ ରୁହନ୍ତି। ସମ୍ରାଟ୍‌ ସିନେମା ନିକଟରେ ସେ ଓହ୍ଲାଇବାକୁ ଚାହୁଁଥିଲେ। ବସ୍‌ ନ ଅଟକିବା କାରଣରୁ କଳିଗୋଳ ଓ ମାଡ଼ପିଟ୍‌ ହୋଇଥିଲା ବୋଲି ସେ କହିଛନ୍ତି। ତେବେ, ଯାତ୍ରୀଜଣକ ଯଦି କିଛି ଅପ୍ରୀତିକର ବ୍ୟବହାର କରିଥିଲେ, ମୋ ବସ୍‌ କର୍ମଚାରୀମାନେ ପୁଲିସକୁ ଖବର ଦେବା ବଦଳରେ ତାଙ୍କ ସହ ମାଡ଼ପିଟ୍‌ କରିବାକୁ ସବୁ ମହଲରେ ନାପସନ୍ଦ କରାଯାଇଛି।

ସମ୍ବନ୍ଧିତ ଖବର