ଗରିବ, ଖଟିଖିଆଙ୍କ ଉପରେ ଦରବୃଦ୍ଧିର ସିଧାସଳଖ ପ୍ରଭାବ

ଭାତ କଂସା ପାଖରୁ ହଜିଯାଇଛି ତରକାରି, ଆଳୁ ଏକମାତ୍ର ସାହା

ପ୍ରତାପୁର/ବୁଗୁଡ଼ା: ସଂପ୍ରତି ପନିପରିବା ଦରର ବୃଦ୍ଧି ଗରିବ ଓ ମଧ୍ୟବିତ୍ତଙ୍କ ଦୈନନ୍ଦିନ ଜୀବନ ଉପରେ ପ୍ରଭାବ ପକାଇଛି। ଟମାଟୋ ସମେତ ବିଭିନ୍ନ ପନିପରିବାର ଦର ହୁ ହୁ ହୋଇ ବଢ଼ିବାରେ ଲାଗିଛି। ସମସ୍ତ ପରିବା ମୂଲ୍ୟ ୫୦ ଟଙ୍କା ଓ ୧୦୦ ଟଙ୍କା ଅତିକ୍ରମ କରିସାରିଛନ୍ତି। ଫଳରେ ଗରିବଙ୍କ ଭାତକଂସାର ପାଖରୁ ତରକାରି ହଜିଗଲାଣି। ଏବେ ଆଳୁପୋଡ଼ା, ଆଳୁସିଝା, ଆଳୁଚକଟା, ଆଳୁଦମ୍, ଆଳୁଭଜା ସାଙ୍ଗକୁ ବାଡ଼ିର ଶାଗ, ଆମ୍ବୁଲ ଓ ଘରେ ପ୍ରସ୍ତୁତ ଆଚାର ଗରିବଙ୍କ ପାଇଁ ସାହା ପାଲଟିଛି। ପରିବା କିଣିବା କଥା ପଡ଼ିଗଲେ ଗରିବ ଏବଂ ଦିନମଜୁରିଆଙ୍କୁ ଚିନ୍ତା ଘାରୁଛି।

ଖୁଚୁରା ବଜାରରେ ବର୍ତ୍ତମାନ ଟମାଟୋ କିଲୋ ୧୨୦ ଟଙ୍କାରେ ବିକ୍ରି ହେଉଥିବା ଫୁଲକୋବି ଓ କଲରା ୮୦ , ପୋଟଳ ୭୦, ଝୁଲଣ, ଗୁହାଁର ଓ ସଜନାଛୁଇଁ ୬୦ ଟଙ୍କା , କାଙ୍କଡ଼, କଞ୍ଚାକଦଳୀ, ଜହ୍ନି ଓ ଭେଣ୍ଡି ୫୦ ଟଙ୍କା, ଅମୃତଭଣ୍ଡା, କୁନ୍ଦୁରି, ସାରୁ, ବିଟ୍, କାକୁଡ଼ି, ଗାଜର, ବନ୍ଧାକୋବି ଓ ବାଇଗଣ କିଲୋ ୪୦ ଟଙ୍କାରେ ବିକ୍ରି ହେଉଛି। ‌ସେହିପରି ଅଦା କିଲୋ ୧୧୦ ଟଙ୍କା, ରସୁଣ ଓ କଞ୍ଚାଲଙ୍କା ୧୨୦ ଟଙ୍କା ଏବଂ ସିମଲା ଲଙ୍କା ୧୬୦ ଟଙ୍କାରେ ମିଳୁଛି। ମୋଟାମୋଟି ଭାବେ କହିବାକୁ ଗଲେ, ସମସ୍ତେ ପରିବା ଦର ୫୦ ଟଙ୍କାରୁ ଅଧିକ ରହିଥିବା ବେଳେ ଭାତ ସହ ଏବେ ଆଳୁ ଓ ପିଆଜରୁ ପ୍ରସ୍ତୁତ ଆଇଟମ୍ ଖାଇବାକୁ ପଡ଼ୁଛି ବୋଲି କିଛି ଜନସାଧାରଣ ଆଲୋଚନା ବେଳେ କହିଛନ୍ତି। ଦରକାର ପଡ଼ିଲେ ୨୫୦ ଗ୍ରାମ୍ ପନିପରିବା କିଣି ଆଣିବାକୁ ପଡ଼ୁଛି। ବର୍ତ୍ତମାନ ବୁଗୁଡ଼ା ଓ ଜଗନ୍ନାଥପ୍ରସାଦ ବ୍ଲକ୍ ସମେତ ବିଭିନ୍ନ ଗ୍ରାମାଞ୍ଚଳରେ ଗରିବ ଏବଂ ଖଟିଖିଆଙ୍କ ଚିନ୍ତା ବଢ଼ିଯାଇଛି। ଏଥିପାଇଁ ଘରେ ଆଉ ଭଳିକି ଭଳି ବ୍ୟଞ୍ଜନ ପ୍ରସ୍ତୁତ ହେଉନି।

ଅନ୍ୟପକ୍ଷରେ କିଛି ଚାଷୀଙ୍କ କହିବାନୁସାରେ, ଚଳିତବର୍ଷର ପ୍ରଚଣ୍ଡ ‌ରୌଦ୍ର କାରଣରୁ ପନିପରିବା ଚାଷ ପ୍ରଭାବିତ ହୋଇଛି। ବାହାରୁ ମଧ୍ୟ ପନିପରିବା ଆମଦାନୀ କମିଛି। ଫଳରେ ବଜାରରେ ଏଭଳି ପରିସ୍ଥିତି ଉପୁଜିଛି। ସେହିପରି ବୁଗୁଡ଼ା ପନିପରିବା ଉତ୍ପାଦନର ଏକ ପ୍ରମୁଖ ପେଣ୍ଠସ୍ଥଳୀ ହୋଇଥିଲେ ହେଁ, ଏଠାରେ ଶୀତଳଭଣ୍ଡାରର ‌‌କୌଣସି ସ୍ଥାୟୀ ବ୍ୟବସ୍ଥା ନଥିବାରୁ ପରିବା ଦର ନିୟନ୍ତ୍ରଣର ବାହାରକୁ ପଳାଇଲାଣି। ଫଳରେ ଭବିଷ୍ୟତକୁ ନଜରରେ ରଖି ସରକାର ଏଦିଗରେ ଚିନ୍ତା କରିବାର ସମୟ ଆସିଛି ବୋଲି ମତପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର