ତିନିବର୍ଷର ଝିଅକୁ ହତ୍ୟା ଘଟଣା, ଅପରାଧର ପୁନଃଦୃଶ୍ୟାୟନ

ଆନନ୍ଦପୁର: ପ‌ାରିବାରିକ କଳହକୁ କେନ୍ଦ୍ରକରି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ପୌରାଞ୍ଚଳ ଅନ୍ତର୍ଗତ ଫକୀରପୁରରେ ନିଜ ତିନିବର୍ଷର ଝିଅକୁ ବୈତରଣୀ ନଦୀ‌କୁ ଫିଙ୍ଗି ହତ୍ୟା ଘଟଣାର ସିନ୍‌ ରିକ୍ରିଏସନ୍‌ (ଅପରାଧର ପୁନଃଦୃଶ୍ୟାୟନ) କରିଛି କ୍ରାଇମବ୍ରାଞ୍ଚ।

୨୦୧୩ ଅଗଷ୍ଟ ମାସରେ ଆନନ୍ଦପୁର ଥାନା ଫକୀରପୁର ଗାଁର ପ୍ରଶାନ୍ତ ସାହାଣୀ ପାରିବାରିକ କଳହକୁ କେନ୍ଦ୍ର କରି ନିଜ ଝିଅକୁ ନଦୀରେ ଫିଙ୍ଗି ହତ୍ୟା କରିଥିଲା। ପ୍ରଶାନ୍ତ ପତ୍ନୀ ପୂଜା ସହ ଝଗଡ଼ା କରିବା ପରେ ଝିଅକୁ ସାଇକଲରେ ବସାଇ ନଦୀବନ୍ଧକୁ ନେଇଥିଲା। ପରେ ବୈତରଣୀ ନଦୀକୁ ଫିଙ୍ଗି ଦେଇଥିଲା। ଘଟଣା ପ୍ରଘଟ ହେବା ପରେ ପ୍ରଶାନ୍ତ ଫେରାର ହୋଇଯାଇଥିଲା। ପତ୍ନୀ ପୂଜା ଆନନ୍ଦପୁର ଥାନାରେ ଏନେଇ ଏତଲା ଦେଇଥିଲେ। ଆନନ୍ଦପୁର ପୁଲିସ ତଦନ୍ତରେ ଅସନ୍ତୋଷ ପ୍ରକାଶ କରି ଶେଷରେ ସେ ଉଚ୍ଚନ୍ୟାୟାଳୟଙ୍କ ଦ୍ବାରସ୍ଥ ହୋଇଥି‌ଲେ। ପରେ ଏହି ମାମଲାର ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ଦିଆଯାଇଥିଲା। ୧୦ ବର୍ଷ ପରେ ପ୍ରଶାନ୍ତକୁ ମହାରାଷ୍ଟ୍ରର ମୋରୋଦାବାଦରୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ। ନିଜ ପ୍ୟାନକାର୍ଡ ଓ ବ୍ୟାଙ୍କ ଆକାଉଣ୍ଟ ଡିଟେଲ୍ସକୁ ଯାଞ୍ଚ କରି କ୍ରାଇମବ୍ରାଞ୍ଚ ତାକୁ ଗତ ୧ ତାରିଖରେ ଗିରଫ କରିଥିଲା। ୨ ତାରିଖରେ ଅଭିଯୁକ୍ତକୁ ଆନନ୍ଦପୁର ଏସ୍‌ଡିଜେଏମ୍‌ଙ୍କ ନିକଟରେ ହାଜର କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ତାକୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିଲା। ପରେ ଅଧିକ ତଥ୍ୟ ହାସଲ ପାଇଁ ଗତ ୫ ତାରିଖରେ ପ୍ରଶାନ୍ତକୁ କ୍ରାଇମବ୍ରାଞ୍ଚ ଚାରିଦିନିଆ ରିମାଣ୍ଡରେ ନେଇ ପଚରାଉଚରା କରୁଥିଲା। ଆଜି ତାକୁ ଆନନ୍ଦପୁର ଆଣି ଅପରାଧର ପୁନଃଦୃଶ୍ୟାୟନ କରିଛି କ୍ରାଇମବ୍ରାଞ୍ଚ।

ରିମାଣ୍ଡ ଅବଧିର ଶେଷଦିନରେ ଆଜି ପ୍ରଶାନ୍ତକୁ ପ୍ରଥମେ ତାର ଫକୀରପୁରସ୍ଥିତ ବାସଭବନକୁ ନିଆଯାଇଥିଲା। ପରେ ପ୍ରଶାନ୍ତ କିଭଳି ସାଇକଲରେ ନିଜ ଝିଅକୁ ନେଇ ବୈତରଣୀ ନଦୀବନ୍ଧକୁ ଯାଇଥିଲା। ଉଛୁଳା ନଦୀକୁ ଫିଙ୍ଗିବା ପରେ କିପରି ତରତରା ଛକରୁ ଫେରାର ହୋଇଯାଇଥିଲା ତା’ର ଡେମୋ ଦେଖାଇଛି। ଏହାପରେ ତାକୁ ପୁଣି ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

ସମ୍ବନ୍ଧିତ ଖବର