ମଧ୍ୟାହ୍ନଭୋଜନ ଅଣ୍ଡାକୁ ନେଇ ଅଡ଼ୁଆରେ ଶିକ୍ଷକ

ହାଟଡିହି: କେନ୍ଦୁଝର ଜିଲ୍ଲାର ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନଭୋଜନରେ ଡିଏମ୍‌ଏଫ୍‌ରୁ ସପ୍ତାହକୁ ୪ଦିନ ଅଣ୍ଡା ଖାଇବାକୁ ଦିଆଯାଉଛି। ଅଣ୍ଡା କିଣିବା ପାଇଁ ବଜାର ଦରଠାରୁ ଯଥେଷ୍ଟ କମ ଟଙ୍କା ଦିଆଯାଉଥିବାରୁ ଶିକ୍ଷକମାନେ ହରଡ଼ଘଣାରେ ପଡ଼ିଛନ୍ତି। ଅନ୍ୟପକ୍ଷରେ ରାସନ ସାମଗ୍ରୀର ଅହେତୁକ ଦରବୃଦ୍ଧି ଯୋଗୁଁ ମଧ୍ୟାହ୍ନଭୋଜନ ପରିଚାଳନା କରିବାରେ ଶିକ୍ଷକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
କେନ୍ଦୁଝର ଜିଲ୍ଲାରେ ଡିଏମ୍‌ଏଫ୍‌ ପକ୍ଷରୁ ଅଣ୍ଡା ପ୍ରତି ୫ ଟଙ୍କା ୩୦ ପଇସା ‌ଦିଆଯାଉଛି। ସେହିପରି ଅଣ୍ଡା ସିଝାଇବା ପାଇଁ ଜାଳେଣି ଖର୍ଚ୍ଚ ବାବଦକୁ ଗୋଟିଏ ଅଣ୍ଡାପିଛା ୧୫ ପଇସା ଦିଆଯାଉଛି। ବର୍ତ୍ତମାନ ଗୋଟିଏ ଅଣ୍ଡାର ବଜାର ଦର ୬ ଟଙ୍କା ୫୦ ପଇସା ରହିଛି। ସେହିପରି ଗ୍ୟାସ୍‌ ଦର ମଧ୍ୟ ଦିନକୁ ଦିନ ବଢ଼ୁଛି।

ଏଭଳି ସ୍ଥିତିରେ ସପ୍ତାହକୁ ୪ଦିନ ଅଣ୍ଡା ଖାଇବାକୁ ଦେବାରେ ସମସ୍ୟା ହେଉଛି ବୋଲି ମଧ୍ୟାହ୍ନଭୋଜନ ପରିଚାଳନା କରୁଥିବା ଶିକ୍ଷକ, ଶିକ୍ଷୟିତ୍ରୀମାନେ କହିଛନ୍ତି। ସେହିପରି ମଧ୍ୟାହ୍ନଭୋଜନ ପାଇଁ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ଲାଗି ସରକାର ୫ ଟଙ୍କା ୯୦ ପଇସା ଓ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ଲାଗି ୮ ଟଙ୍କା ୮୨ ପଇସା ଦେଉଛନ୍ତି। ବର୍ତ୍ତମାନର ବଜାର ଦରକୁ ଦେଖିଲେ ଏହା ପର୍ଯ୍ୟାପ୍ତ ନୁହଁ। ଏବେ ଡାଲି କେଜି ୧୪୦ଟଙ୍କା, ଆଳୁ କେଜି ୧୬ଟଙ୍କା, ପିଆଜ କେଜି ୨୪ଟଙ୍କା, ବାଇଗଣ କେଜି ୬୦ଟଙ୍କା, ଭଣ୍ଡା ୪୦ଟଙ୍କା ଏବଂ ସୋରିଷତେଲ ଲିଟର ୧୪୦ ଟଙ୍କା ଥିବାରୁ ମଧ୍ୟାହ୍ନଭୋଜନ ପ୍ରସ୍ତୁତ କରିବାରେ ସମସ୍ୟା ହେଉଛି। ଅଣ୍ଡା କିଣିବା ପାଇଁ ନିଜ ପକେଟରୁ ଅର୍ଥ ଖର୍ଚ୍ଚ କରିବାକୁ ପଡ଼ୁଛି। ଯଦି କୌଣସି ଦିନ ଅଣ୍ଡା ସିଝା ଦିଆନଯାଉଛି ବିଭାଗୀୟ ଅଧିକାରୀମାନେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଛାଉ ନାହାନ୍ତି ବୋଲି ଶିକ୍ଷକମାନେ କହିଛନ୍ତି।

ଦୁଇବର୍ଷ ତଳେ ମନ୍ତ୍ରୀ, ବିଧାୟକ, ସଚିବ ଓ ବରିଷ୍ଠ ଅଧିକାରୀମାନେବ ବିଦ୍ୟାଳୟକୁ ଆସି ପିଲାଙ୍କ ସହ ମଧ୍ୟାହ୍ନଭୋଜନ ଖାଉଥିଲେ। ଖାଦ୍ୟର ମାନ ପରୀକ୍ଷା କରୁଥିଲେ। ଏବେ କେହି ସ୍କୁଲ ବାରଣ୍ଡା ମାଡ଼ୁ ନାହାନ୍ତି। ଏତେ କମ୍ ପଇସାରେ କିପରି ଖାଦ୍ୟର ମାନ ଠିକ୍ ରହିବ ବୋଲି ଶିକ୍ଷକମାନେ ପ୍ରଶ୍ନ ଉଠାଇଛନ୍ତି। ସବୁବେଳେ ଶିକ୍ଷକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଉଥିବାରୁ ଶିକ୍ଷକମାନେ ମଧ୍ୟାହ୍ନଭୋଜନ ପ୍ରସ୍ତୁତିରୁ ଓହରିଯିବାକୁ ବାରମ୍ବାର ଦାବି କରୁଛନ୍ତି। କେନ୍ଦୁଝର ଜିଲ୍ଲାପାଳ ଅଣ୍ଡା ଦରର ସମୀକ୍ଷା କରି ଅନୁଦାନ ରାଶି ବୃଦ୍ଧି କରିବାକୁ ଶିକ୍ଷକମାନେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର