ବହୁବଚନ: ସ୍ୱାଧୀନତାର ପ୍ରଥମ ପ୍ରଦୀପ

ବିଜୟ ନାୟକ

୧୯୪୨ ମସିହାରେ ଭାରତଛାଡ଼ ଆନ୍ଦୋଳନ ସମୟରେ ଭାରତରେ ଅଦ୍ଭୁତ ଘଟଣାସବୁ ଘଟିବାରେ ଲାଗିଲା। ଥାନା ପୋଡ଼ି, ଅସ୍ତ୍ରାଗାର ଓ ସରକାରୀ ତହବିଲ ଲୁଟ ଏବଂ ଟେଲି ଯୋଗାଯୋଗ ବିଚ୍ଛିନ୍ନ ଆଦି କାର୍ଯ୍ୟ ଥିଲା ଅତି ସାଧାରଣ। ଅସାଧାରଣ କାର୍ଯ୍ୟଟି ଥିଲା ସ୍ୱାଧିକାର ପ୍ରମତ୍ତ ଲୋକମାନଙ୍କର ନିଜ ନିଜ ଅଞ୍ଚଳକୁ ସ୍ୱାଧୀନ ଘୋଷଣା କରିବା।
ସେହି ବର୍ଷ ଅଗଷ୍ଟ ମାସରେ ପୂର୍ବ ଉତ୍ତରପ୍ରଦେଶର ବାଲିଆ ଅଞ୍ଚଳକୁ ବିପ୍ଳବୀ ନେତୃବୃନ୍ଦଙ୍କ ମାର୍ଗଦର୍ଶନରେ ଲୋକମାନେ ସ୍ୱାଧୀନ ଘୋଷଣା କରିଥିଲେ। ସ୍ଥାନୀୟ କଲେକ୍ଟର ଅନନ୍ୟୋପାୟ ହୋଇ ବନ୍ଦୀମାନଙ୍କୁ ଜନତାଙ୍କ ହାତକୁ ସମର୍ପଣ କରିଥିଲେ। କିନ୍ତୁ ଏହା ଥିଲା କ୍ଷଣସ୍ଥାୟୀ ସ୍ୱଶାସନ। ଓଡ଼ିଶାର ବାସୁଦେବପୁର ଅଞ୍ଚଳରେ ସେପ୍‌ଟେମ୍ବର ୧୭ ତାରିଖରେ ଛ’ଗୋଟି ପଞ୍ଚାୟତର ଛବିଶ ଗାଁକୁ ନେଇ ‘ସ୍ୱାଧୀନ ବାଞ୍ଛାନିଧି ଚକଲା’ ଗଠନ କରାଯାଇଥିଲା। ଲାହୋର କଂଗ୍ରେସ ଅଧିବେଶନରେ ପୂର୍ଣ୍ଣ ସ୍ୱରାଜ ନିର୍ଦ୍ଧାରଣ ଗୃହୀତ ହେବାପରେ ବାଞ୍ଛାନିଧି ମହାନ୍ତି ‘ଗାଅ ସ୍ୱାଧୀନ ଭାରତ, ସ୍ୱାଧୀନ ଭାରତ, ସ୍ୱାଧୀନ ସ୍ୱାଧୀନ ସ୍ୱାଧୀନ ହେ’ ବୋଲି ଗୀତ ଲେଖିଥିଲେ ଯାହା ଓଡ଼ିଶାର ପୁରପଲ୍ଲୀରେ ଗାନ କରାଯାଉଥିଲା। ତାଙ୍କରି ନାମରେ ଗଠିତ ସ୍ୱାଧୀନ ଚକଲାରେ ପାଞ୍ଚଜଣିଆ ସଦସ୍ୟ ବିଶିଷ୍ଟ ଏକ ସରକାର ଗଠନ କରାଯାଇଥିଲା- ଗୌରାଙ୍ଗ ଚରଣ ମହାନ୍ତି, ପ୍ରେସିଡେଣ୍ଟ, କମଳା ପ୍ରସାଦ କର, ପି.ଏମ୍. ଏବଂ ଅନିରୁଦ୍ଧ ମହାନ୍ତି, ପ୍ରଭାକର ତ୍ରିପାଠୀ ଓ ଶ୍ୟାମସୁନ୍ଦର ପାଣିଗ୍ରାହୀ, ସଦସ୍ୟ। ତେବେ ଇରମ ଗୁଳିକାଣ୍ଡ ପରେ ସ୍ଥାନୀୟ ନେତାମାନଙ୍କୁ ଗିରଫ କରାଯାଇଥିଲା ଏବଂ ଏହି ସରକାରର ପତନ ଘଟିଥିଲା।
ବଙ୍ଗପ୍ରଦେଶର ମେଦିନୀପୁର ଜିଲ୍ଲା ଅନ୍ତର୍ଗତ ତାମଲୁକ ଅଞ୍ଚଳରେ ସେ ବର୍ଷ ଡିସେମ୍ବର ମାସ ୧୭ ତାରିଖ ଦିନ ଜାତୀୟ ସରକାର ଗଠିତ ହୋଇଥିଲା। ଏହି ସରକାର ଆନ୍ଦୋଳନ ସହିତ ବିପର୍ଯ୍ୟୟ ସମୟରେ ଉଦ୍ଧାର ଓ ସାହାଯ୍ୟ କାର୍ଯ୍ୟ କରୁଥିଲା। ମହାରାଷ୍ଟ୍ରର ସତାରା ଅଞ୍ଚଳରେ ଅଗଷ୍ଟ ମାସରେ ପ୍ରତିବାଦ ଓ ପରିକ୍ରମା କାର୍ଯ୍ୟ ଚାଲିଥିଲା ଏବଂ ବର୍ଷ ଶେଷ ବେଳକୁ ଦୁଇ ହଜାର ଲୋକଙ୍କୁ ବନ୍ଦୀ କରାଗଲା ପରେ ୧୯୪୩ ମସିହା ଆରମ୍ଭରୁ ବିଭିନ୍ନ ଅଞ୍ଚଳରେ ସରକାର ଗଠିତ ହୋଇଥିଲା। ଏହି ସରକାର ଦୁଇ ବର୍ଷ ପାଖାପାଖି ଚାଲୁ ରହିଥିଲା। ବିହାର, କେରଳ, ଗୁଜରାଟ ଓ ଆନ୍ଧ୍ରପ୍ରଦେଶରେ ଚାଷୀ ଆନ୍ଦୋଳନ ଉଗ୍ର ରୂପ ନେଇଥିଲା। କଦବା କେଉଁଠି ଉତ୍‌କ୍ଷିପ୍ତ ଜନତା ନିଜ ଅଞ୍ଚଳକୁ ସ୍ୱାଧୀନ ଘୋଷଣା କରୁଥିଲେ। ଏସବୁ କ୍ଷେତ୍ରରେ ଜମିଦାର ଓ ବ୍ରିଟିଶ ସରକାରର ତଳିଆ ଅଧିକାରୀମାନଙ୍କର ପ୍ରଚ୍ଛନ୍ନ ସମର୍ଥନ ମଧ୍ୟ ରହିଥିଲା। ତେବେ ୧୯୪୨ ମସିହା ଏବଂ ତତ୍ ପରବର୍ତ୍ତୀ ସମୟରେ ଏପରି ଘଟଣାସବୁ ଘଟିବା ଅପ୍ରତ୍ୟାଶିତ ନଥିଲା, କାରଣ ସେତେବେଳକୁ ଭାରତୀୟ ମୁକ୍ତି ସଂଗ୍ରାମ ପ୍ରାୟ ଶେଷ ପର୍ଯ୍ୟାୟରେ ଉପନୀତ ହୋଇଥିଲା ଏବଂ ଜନଜାଗରଣ ଶୀର୍ଷ ଛୁଇଁ ସାରିଥିଲା। କିନ୍ତୁ ଅପ୍ରତ୍ୟାଶିତ ଘଟଣା ଘଟିଥିଲା ଓଡ଼ିଶାର ବାଣପୁରରେ, ୧୮୩୬ ମସିହାରେ।
ଅରଙ୍ଗଗଡ଼ର ପୂର୍ବତନ ଦଳବେହେରା ଶ୍ୟାମସୁନ୍ଦର ପାଟ୍ଟସାହାଣିଙ୍କ ପୁଅ କୃତ୍ତିବାସ ପାଇକ ବିଦ୍ରୋହରୁ ପ୍ରେରଣା ଲାଭ କରି ଓଡ଼ିଶାରୁ ଇଂରେଜମାନଙ୍କୁ ବିତାଡ଼ିତ କରିବା ପାଇଁ ଶପଥ ନେଇଥିଲେ। ୧୮୩୬ ମସିହା ଜୁନ୍ ମାସ ଏକ ତାରିଖ ଦିନ ବାଣପୁରରେ ସେ ଏକ ପାଇକ ସମ୍ମିଳନୀ ଡକାଇ ରୋଡ଼ଙ୍ଗର ଦଳବେହେରା ପଞ୍ଚାନନ ନାୟକଙ୍କୁ ଶରଣ ସିଂହ ନାମ ଦେଇ ରାଜା ଘୋଷଣା କରିଥିଲେ। ତତ୍ପରେ ନୂଆ ରାଜା କୃତ୍ତିବାସଙ୍କୁ ତାଙ୍କ ପାଟମନ୍ତ୍ରୀ ଓ ସେନାଧ୍ୟକ୍ଷ ଭାବେ ନିଯୁକ୍ତ କରିଥିଲେ। ଖୋର୍ଦ୍ଧାର ଲୋଚନ ବିଶୋଇଙ୍କୁ କୁହାଯାଇଥିଲା କୃତ୍ତିବାସଙ୍କୁ ସବୁ କାର୍ଯ୍ୟରେ ସହାୟତା କରିବା ପାଇଁ। ତତ୍ପରେ ହଜାର ହଜାର ଦଳେଇ, ଦଳବେହେରା, ନାୟକ ଓ ପାଇକମାନେ ଖଣ୍ଡାୟତ ମଉଡ଼ମଣି କୃତ୍ତିବାସ ପାଟ୍ଟସାହାଣିଙ୍କ ଅଧିନାୟକତ୍ୱରେ ଏକତ୍ରିତ ହୋଇଥିଲେ। ପାଟ୍ଟସାହାଣିଙ୍କ ନିର୍ଦ୍ଦେଶକ୍ରମେ ସେମାନେ ବାଣପୁର ଥାନା ଦଖଲ କରିଥିଲେ ଏବଂ ବ୍ରିଟିଶ ସରକାର ଦପ୍ତରସବୁକୁ ପୋଡ଼ିଜାଳି ପାଉଁଶ କରିଦେଇଥିଲେ। ସିପାହିମାନେ ଭୟରେ ପଳାୟନ କରିଥିଲେ। ସେମାନେ ବରକୁଳରେ ଥିବା ଜାଣି ପାଇକମାନେ ସେଠାକୁ ଯାଇ ଲୁଣଗୋଦାମ ଲୁଟ କରିଥିଲେ। ସେଠାରେ ରାଜା ଶରଣ ସିଂହ ଘୋଷଣା କରିଥିଲେ ଯେ ଜୁନ୍ ୪ ତାରିଖ ଠାରୁ ବାଣପୁର ସ୍ୱାଧୀନ ହେଲା। ଏହି ସ୍ୱାଧୀନତାର ଆୟୁ ଅଳ୍ପ ଥିଲେ ମଧ୍ୟ ଏପରି ଏକ ଘଟଣା ଭାରତ ଇତିହାସରେ ଅନନ୍ୟ।
ଚିଲିକା ତୀରବର୍ତ୍ତୀ ଭୀମପୁର ଗ୍ରାମରେ ଅନ୍ୟ ଏକ ସମ୍ମିଳନୀ ଆୟୋଜନ କରାଯାଇଥିଲା। ଜୁନ୍ ୮ ତାରିଖ ଦିନ ଟାଙ୍ଗୀ ଥାନା ଉପରେ ଆକ୍ରମଣ କରାଯିବ ବୋଲି ସେହି ସମାବେଶରେ ନିଷ୍ପତ୍ତି ନିଆଯାଇଥିଲା। ତେବେ ନିଜ ଶ୍ୱଶୁର ବିଶ୍ୱାସଘାତକତା କରି କୃତ୍ତିବାସଙ୍କୁ ପୁଲିସ ହାତରେ ଧରାଇ ଦେଇଥିଲେ। କୃତ୍ତିବାସ ଓ ଶରଣ ସିଂହଙ୍କୁ ଫାଶୀ ଦଣ୍ଡ ଦିଆଯାଇଥିଲା ବୋଲି ଏକ ମତ ରହିଥିବା ବେଳେ ମତାନ୍ତରେ କୃତ୍ତିବାସ ଓ ଲୋଚନ ବିଶୋଇଙ୍କୁ କଳାପାଣି ଦଣ୍ଡ ଦିଆଯାଇଥିଲା ଏବଂ ଆଣ୍ଡାମାନ ଜେଲ୍‌ରେ ହିଁ କୃତ୍ତିବାସଙ୍କର ମୃତ୍ୟୁ ଘଟିଥିଲା।
ଏପରି ଏକ ବୀରଗାଥା ଭାରତ ଇତିହାସରେ କେବଳ ବିରଳ ନୁହେଁ, ଅବହେଳିତ ମଧ୍ୟ। ଏହି ବିପ୍ଳବ ଓଡ଼ିଶାରେ ଅନେକଙ୍କୁ ଅଜଣା, ଭାରତବାସୀଙ୍କ କଥା ପଚାରେ କିଏ? ଏଥିପ୍ରତି ଓଡ଼ିଶାର ଇତିହାସକାରମାନେ ମୂଳରୁ ଦୃଷ୍ଟି ଦେଇଥିଲେ, ଏହା ହୁଏତ ଏକ ଅବିସ୍ମରଣୀୟ ବିଦ୍ରୋହ ଭାବରେ ଭାରତ ଇତିହାସର ପୃଷ୍ଠା ମଣ୍ଡନ କରିଥା’ନ୍ତା। କାରଣ ଏଥି ପୂର୍ବରୁ ଭାରତର କୌଣସି ଅଞ୍ଚଳ ସ୍ୱାଧୀନ ଘୋଷିତ ହେବା ସମ୍ପର୍କରେ ଇତିହାସ ନିରବ। ଅର୍ଥାତ୍ ବାଣପୁରକୁ ସ୍ୱାଧୀନ ଘୋଷଣା କରାଯିବା ଭାରତ ଇତିହାସରେ ପ୍ରଥମ ଦୃଷ୍ଟାନ୍ତ।
ଇତିହାସ ଯେ ପ୍ରବହମାନ ଏଷଣାର ଫଳଶ୍ରୁତି, ଏଥିରେ ସନ୍ଦେହ ନାହିଁ। ବର୍ତ୍ତମାନ ଇତିହାସକାରଙ୍କ ପାଇଁ ଏକ ସୁଅବସର ସୃଷ୍ଟି ହୋଇଛି। ଅବହେଳିତ ସଂଗ୍ରାମ ଓ ସଂଗ୍ରାମୀମାନଙ୍କୁ ଲୋକଲୋଚନକୁ ଆଣିବା ପାଇଁ ଭାରତ ସରକାର ନିଜର ପ୍ରତିବଦ୍ଧତା ସ୍ପଷ୍ଟ କରିଛନ୍ତି। ଜନଜାତୀୟ ଗୌରବ ଦିବସ ପାଳନ, ପାଇକ ବିଦ୍ରୋହର ମହାନାୟକ ବକ୍ସି ଜଗବନ୍ଧୁ, ଆସାମର ଲାସିତ ବଡ଼ଫୁକନ୍, ବିହାରର ତିଲ୍‌କା ମାଝି, ଝାଡ଼ଖଣ୍ଡର ସିଦ୍ଦୁ-କାହ୍ନୁ ମୁର୍ମୁ ଏବଂ ଆନ୍ଧ୍ରର ଅଲ୍ଲୁରି ସୀତାରାମ ରାଜୁ ପ୍ରମୁଖଙ୍କୁ ସାରା ଭାରତରେ ପ୍ରସିଦ୍ଧ କରିବାର ପ୍ରୟାସ ଏ ସଂକ୍ରାନ୍ତୀୟ ଅନେକ ଦୃଷ୍ଟାନ୍ତରୁ କେତୋଟି ମାତ୍ର। ଓଡ଼ିଶା ଇତିହାସର ଏକ ଗୌରବମୟ ଅଧ୍ୟାୟ ବାଣପୁର ବିଦ୍ରୋହ ଏବଂ ତା’ର ସମର୍ଥ ସେନାପତି କୃତ୍ତିବାସ ପାଟ୍ଟସାହାଣିଙ୍କୁ ସର୍ବଭାରତୀୟ ପ୍ରସିଦ୍ଧି ଦେବାର ଦାୟିତ୍ୱ ଆମ ସମସ୍ତଙ୍କର।
ମୋ: ୯୪୩୭୧୪୩୮୯୬

ସମ୍ବନ୍ଧିତ ଖବର