ହାତୀ ଉପଦ୍ରବ; ବହୁ ଧାନ ନଷ୍ଟ, ଚିନ୍ତାରେ ଚାଷୀ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା କୁକୁଡ଼ାଖଣ୍ଡି ବ୍ଲକ ବନ୍ଥପଲ୍ଲୀ ପଞ୍ଚାୟତର ବିଭିନ୍ନ ଗ୍ରାମାଞ୍ଚଳରେ ହାତୀ ଉପଦ୍ରବ ଦେଖା ଦେଇଛି। ହାତୀପଲ ଧାନ ଫସଲ ଖାଇ ତାହା ନଷ୍ଟ କରି ଦେଉଛନ୍ତି। ଯାହାକି ଚାଷୀଙ୍କ ଚିନ୍ତା ବଢ଼ାଇଛି। ବର୍ଷ ଯୋଗୁଁ ଅଧିକାଂଶ ଧାନ ନଷ୍ଟ ହୋଇ ଯାଇଥିବା ବେଳେ ବଡ଼ କଷ୍ଟରେ ଚାଷୀ ବଳକା ଧାନ କାଟି ଖଳାରେ ରଖିଛନ୍ତି। ହେଲେ ସେଗୁଡ଼ିକ ହାତୀପଲ ଖାଇ ନଷ୍ଟ କରି ଦେଉଥିବା ଚାଞ୍ଚଡ଼ାପଲ୍ଲୀ ଗ୍ରାମବାସୀ କହିଛନ୍ତି।

ବନ୍ଥପଲ୍ଲୀ ପଞ୍ଚାୟତ ଅଞ୍ଚଳରେ ଗତ ପ୍ରାୟ ୧୦/୧୨ଦିନ ହେଲା ୧୨ଟିକିଆ ‌ହାତୀପଲର ଆତଙ୍କ ଦେଖିବାକୁ ମିଳୁଛି। ରାତିରେ ହାତୀପଲ ଖାଦ୍ୟ ଅନ୍ବେଷଣରେ ଗାଁ ମୁହାଁ ହେଉଛନ୍ତି। ଚାଷୀ ଧାନ କାଟି ଗଦା କରି ରଖିଥିବା ବେଳେ ତାହା ଖାଇ ଦେଉଛନ୍ତି। ଏହାପରେ ପୁଣିଥରେ ସେମାନେ ନିକଟସ୍ଥ ଜଙ୍ଗଲକୁ ଚାଲି ଯାଉଛନ୍ତି। ଏହାକୁ ନେଇ ଚାଞ୍ଚଡ଼ାପଲ୍ଲୀ ଓ ବରପଲ୍ଲୀ ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ରହିଥିବା ବିଘ୍ନରାଜ ପ୍ରଧାନ କହିଛନ୍ତି। ଏପରିକି ହାତୀ କବଳରୁ ଧାନ ଫସଲ ରକ୍ଷା କରିବା ପାଇଁ ଗ୍ରାମବାସୀ ରାତିରେ ପାଳି କରୁଛନ୍ତି ଜଗୁଛନ୍ତି। ନିଆଁ ଲଗାଇ ହାତୀପଲକୁ ଘଉଡ଼ାଛନ୍ତି। କିନ୍ତୁ ପୁଣିଥରେ ହାତୀ ଜମି ଆଡ଼କୁ ଚାଲି ଆସୁଥିବା ଗ୍ରାମବାସୀ କହିଛନ୍ତି। ଚାଞ୍ଚଡ଼ାପଲ୍ଲୀର ଦୁର୍ଗାମାଧବ ଶଥପଥୀଙ୍କ ପ୍ରାୟ ୫ ଭରଣ ଜମିରେ ହୋଇଥିବା ଧାନ, ଅଳିୟା ଗୌଡ଼ଙ୍କ ୨ ଭରଣ ଓ ବରପଲ୍ଲୀ ଗ୍ରାମର ପାଣ୍ଡବ ବିଷୋୟୀଙ୍କ ଧାନଗଦା ଖାଇ ନଷ୍ଟ କରି ଦେଇଛନ୍ତି। ଏ ଦିଗରେ ବନ ବିଭାଗ ଦୃଷ୍ଟି ଦେଇ ହାତୀ ଘଉଡ଼ାଇବା ପାଇଁ କିଛି ପଦକ୍ଷେପ ଗ୍ରହଣ କରୁ ବୋଲି ଗ୍ରାମବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର