୮ବର୍ଷର ପୁଅର ଜୀବନ ବଞ୍ଚାଇବାକୁ ଆକୁଳ ନିବେଦନ କଲେ ବାପା

ଜୟପୁର: ମୋ ପୁଅକୁ ନୂଆ ଜୀବନ ଦିଅନ୍ତୁ ଆଜ୍ଞା, ମୋତେ ସହଯୋଗର ହାତ ବଢ଼ାଇ ଦିଅନ୍ତୁ। ଏଭଳି ଆକୁଳ ନିବେଦନ କରିଛନ୍ତି ଜୟପୁର ଢ଼େପସାହିର ଦୟାଧାନ ଧାନଫୁଲ। ୮ବର୍ଷର ପୁଅ ଜୟଲ ଗତ ୨ମାସ ତଳେ ଅଚାନକ ଭାବେ ଗୁରୁତର ହୋଇ ପଡ଼ିଥିଲେ। କାନରୁ ରକ୍ତ ବୋହିବା ସହ ଦେହରେ ରକ୍ତ ବାହାରି ଚିହ୍ନ ଦିଶିଥିଲା। ଗୁରୁତର ଅବସ୍ଥାରେ ଦୟାଧାନ ଜୟପୁରଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ନେଇକି ଯାଇଥିଲେ। ସେଠାରୁ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ବଡ ଡାକ୍ତରଖାନାରେ ନେଇ ଭର୍ତ୍ତି କରିଥିଲେ। ରକ୍ତରେ ଥିବା ପ୍ଲେଟଲେଟ୍ କମି କମି ଆସୁଥିବା କହିବା ପରେ ୪ୟୁନିଟ ରକ୍ତ ଦେଇଥିଲେ। ତା’ ପରେ ତାଙ୍କୁ ସେହି ଅବସ୍ଥାରେ ବ୍ରହ୍ମପୁର ଏମକେସିଜି ବଡଡାକ୍ତରଖାନାକୁ ନିଆଯାଇଥିଲା। ତେବେ ସେଠାରେ ବିଭିନ୍ନ ପରୀକ୍ଷା ପାଇଁ ତାଙ୍କୁ ଖର୍ଚ୍ଚାନ୍ତ ହୋଇଥିଲେ ହେଁ କାହିଁକି ଏଭଳି ହେଉଛି ଜାଣି ପାରି ନଥିଲେ ଦୟାଧାନ। ତୁରନ୍ତ ପୁଅକୁ ନେଇ ପୁଣି କୋରାପୁଟ ବଡଡାକ୍ତରଖାନାକୁ ଆଣି ଭର୍ତ୍ତି କରାଇଥିଲେ।

ଆଉ ୪ୟୁନିଟ୍ ଏ ପଜିଟିଭ୍ ରକ୍ତ ଦେଇ ପ୍ଲେଟଲେଟ୍ ଚଢ଼ାଯାଇଥିଲା ଜୟଲଙ୍କୁ। ତା’ ପରେ ସେ ବିଶାଖାପାଟଣାର ଏକ ଘରୋଇ ଡାକ୍ତରଖାନାରେ ନେଇ ଭର୍ତ୍ତି କରିଥିଲେ। ସେଠାରେ ଜୟଲର ଅସ୍ଥି ମଜ୍ଜା (ବୋନ ମେରୋ) କମି କମି ଆସୁଥିବା ଜଣା ପଡ଼ିଥିବା କହିଛନ୍ତି ଦୟାଦାନ। ନିକଟରେ ଥିବା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଡ ଜରିଆରେ ସମ୍ପ୍ରତି ଚିକିତ୍ସାଧୀନ ରହିଛନ୍ତି ଜୟଲ। ତେବେ ତାଙ୍କୁ ଏହି ଅସ୍ଥିମଜ୍ଜା ଚିକିତ୍ସା ଓ ଅସ୍ତ୍ରପ୍ରଚାର ପାଇଁ ୧୫ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ ହେବ ବୋଲି ଡାକ୍ତରଖାନା କର୍ତ୍ତୃପକ୍ଷ କହିବା ପରେ ଚିନ୍ତାରେ ପଡ଼ିଛନ୍ତି ଦୟାଦାନ। ସ୍ଥାନୀୟ ଢ଼େପଗୁଡାରେ ସେ ଗାଡ଼ି ଗୁଡିକର ସେଲଫ୍ ମୋଟର ଆଦି ସଜାଡ଼ିବା କାମ କରି ପରିବାର ପ୍ରତିପୋଷଣ କରି ଆସୁଥିଲେ। ତାଙ୍କ ନିକଟରେ ଯାହା କିଛି ସଞ୍ଚୟ କରି ରଖିଥିଲେ ସମ୍ପ୍ରତି ଜୟଲର ଚିକିତ୍ସା ପାଇଁ ଏବଂ ଏଣେ ତେଣେ ବୁଲାବୁଲିରେ ସବୁ ଖର୍ଚ୍ଚ କରି ସାରିଲେଣି। ଗତ ଦେଢ଼ ମାସ ହେବ ପୁଅକୁ ବଞ୍ଚାଇବା ଉଦ୍ୟମରେ ଦୟାଦାନ ଲାଗି ପଡ଼ିଛନ୍ତି। ପୁଅକୁ ବଞ୍ଚାଇବା ପାଇଁ ୧୫ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଖର୍ଚ୍ଚ କଥା ଶୁଣିବା ପରେ ସେ କଣ କରିବେ କିଭଳି ଏତେ ଟଙ୍କା ଯୋଗାଡ଼ କରିବେ ବୋଲି ଚିନ୍ତାରେ ପଡ଼ି ଯାଇଛନ୍ତି। ଜିଲ୍ଲାପ୍ରଶାସନ, ରାଜ୍ୟସରକାର ଓବଦାନ୍ୟ ବ୍ୟକ୍ତି ମାନେ ସହଯୋଗ କରି ତାଙ୍କ ପୁଅକୁ ବଞ୍ଚାଇବା ପାଇଁ ଦୟାଦାନ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର