ଜୁଏଲାରି ଲୁଟ୍‌ ଘଟଣା: ଛତିଶଗଡ଼ରୁ ଧରାପଡ଼ିଲେ ଦୁଇ ଅନ୍ତଃରାଜ୍ୟ ଲୁଟେରା

୧୨ଲକ୍ଷ ଟଙ୍କା, ୧୬୮ଗ୍ରାମ ସୁନା, କାର୍‌ ଜବତ

ବ୍ରହ୍ମପୁର: ବ୍ରହ୍ମପୁର ବଡ଼ ବଜାରରେ ଥିବା ଦୁଇଟି ସୁନା ଦୋକାନରୁ ହୋଇଥିବା ଲୁଟ୍‌ ଘଟଣାରେ ପୁଲିସକୁ ସଫଳତା ମିଳିଛି। ବ୍ରହ୍ମପୁର ପୁଲିସର ଏକ ସ୍ବତନ୍ତ୍ର ଟିମ୍‌ ଛତିଶଗଡ଼ରୁ ଦୁଇଜଣ ଅନ୍ତଃରାଜ୍ୟ ଲୁଟେରାଙ୍କୁ ଗିରଫ କରି ବ୍ରହ୍ମପୁର ଆଣିଛି। ସେମାନେ ହେଲେ ଛତିଶଗଡ଼ କବିରଧାମ ଜିଲ୍ଲା ପଣ୍ଡତରାଇ ଥାନା ନୟାପଡ଼ା ଗ୍ରାମର ଲୋକେଶ ଶ୍ରୀଭାସ(୨୯) ଓ ଦୁର୍ଗ ଜିଲ୍ଲା କୃଷିପର ଥାନା ମଧ୍ୟଲଗାନ୍‌ର ଲୋକେଶ ରାଓ(୨୪) ବୋଲି ବ୍ରହ୍ମପୁର ଏସ୍‌.ପି. ପିନାକ ମିଶ୍ର ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏମାନଙ୍କ ନିକଟରୁ ୧୨ଲକ୍ଷ ୭ହଜାର ୬୦ଟଙ୍କା, ୧୬୮ଗ୍ରାମର ଅଳଙ୍କାର, ଗ୍ରିଲ୍‌ କଟର୍‌ ମେସିନ୍‌ ଏବଂ ଏକ କାର୍‌ ଜବତ ହୋଇଇଛି। ଜବତ ହୋଇଥିବା ଟଙ୍କା ଲୁଟ୍‌ ସୁନା ବିକ୍ରି କରି ଲୁଟେରାମାନେ ଠୁଳ କରିଥିବା ବେଳେ କାର୍‌ ମଧ୍ୟ ସେହି ଟଙ୍କାରେ କ୍ରୟ କରାଯାଇଥିବା ଏସ୍‌.ପି. କହିଛନ୍ତି। ୨୦୨୦ ମାର୍ଚ୍ଚ ମାସରେ ଉଭୟ ଲୁଟେରା ଗିରଫ ହୋଇ ଦୁର୍ଗ ଜେଲ୍‌ରେ ଥିବା ବେଳେ ବ୍ରହ୍ମପୁରର ସୁନା ଦୋକାନରେ ଚୋରି ପାଇଁ ବ୍ଲୁ-ପ୍ରିଣ୍ଟ୍‌ ପ୍ରସ୍ତୁତ କରିଥିଲେ ବୋଲି ପୁଲିସ କହିଛି।

ବଡ଼ ବଜାରରେ ଥିବା ବିନୋଦ ଜୁଏଲାରିରୁ ଗତ ଅକ୍ଟୋବର ୩୦ତାରିଖରେ ପ୍ରାୟ ୧୪ଶହ ଗ୍ରାମ ସୁନା ଅଳଙ୍କାର ଚୋରି ହୋଇଥିବା ବେଳେ ଡିସେମ୍ବର ୧୭ତାରିଖରେ କେଶବ ଜୁଏଲାରିରୁ ୪୨୪ଗ୍ରାମ ସୁନା ଓ ୧ଲକ୍ଷ ୪୦ହଜାର ଟଙ୍କା ଚୋରି ହୋଇଥିଲା। ଉଭୟ ଘଟଣାରେ ଲୁଟେରାମାନେ ଛାତ ଉପରୁ ଗ୍ରିଲ୍‌ ଓ ଆଜବେଷ୍ଟସ୍‌ ଭାଙ୍ଗି ଭିତରକୁ ପଶିଥିଲେ। ଉଭୟ ଘଟଣାରେ ଗୋଟିଏ ଗ୍ୟାଙ୍ଗ୍‌ର ହାତ ଥିବା ନେଇ ପୁଲିସକୁ ସନ୍ଦେହ ହୋଇଥିଲା। ଏଥିପାଇଁ ବ୍ରହ୍ମପୁର ପୁଲିସର ଦୁଇଟି ଟିମ୍‌ ତଦନ୍ତ ଆରମ୍ଭ କରିଥିଲା। ବିଭିନ୍ନ ସ୍ଥାନରେ ଲାଗିଥିବା ସିସି କ୍ୟାମେରା ଫୁଟେଜ୍‌ ଯାଞ୍ଚ ପରେ ପୁଲିସ ଜଣେ ଯୁବକଙ୍କୁ ଚିହ୍ନଟ କରିଥିଲା। ଯୁବକ ଜଣକ ଏକ ଲଜ୍‌ରେ ରହୁଥିଲେ। ଲଜ୍‌ ମାଲିକଙ୍କ ଠାରୁ ପୁଲିସ ସମ୍ପୃକ୍ତ ଯୁବକଙ୍କ ଠିକଣା ହାସଲ କରିଥିଲା। ଯୁବକ ଜଣକ ଛତିଶଗଡ଼ର ବୋଲି ଜଣାପଡ଼ିଥିଲା। ଏହାକୁ ଆଧାର କରି ବଡ଼ବଜାର ଥାନା ଅଧିକାରୀ ପ୍ରଶାନ୍ତ ଭୂପତିଙ୍କ ନେତୃତ୍ବରେ ଦୁଇଟି ଟିମ୍‌ ଛତିଶଗଡ଼ ଯାଇଥିଲା।
‌ଛତିଶଗଡ଼ ପୁଲିସର ସହାୟତାରେ ସମ୍ପୃକ୍ତ ଯୁବକ ଲୋକେଶ ଶ୍ରୀବାସକୁ ଠାବ କରାଯାଇଥିଲା। ପୂର୍ବରୁ ମଧ୍ୟ ତା’ ନାମରେ ଚୋରି ମାମଲା ଥିବା ପୁଲିସ ଜାଣିବାକୁ ପାଇଥିଲା। ତାକୁ ଜେରା କରିବା ପରେ ସେ ବ୍ରହ୍ମପୁରର ଦୁଇଟି ସୁନା ଦୋକାନରୁ ଲୁଟ୍‌ କଥାକୁ ସ୍ବୀକାର କରିଥିଲା। ଏହାପରେ ପୁଲିସ ଲୋକେଶ ରାଓକୁ କାବୁ କରିଥିଲା। ଉଭୟଙ୍କ ଠାରୁ ଲୁଟ୍‌ ସୁନା, ଟଙ୍କା ଓ କାର୍‌ ଜବତ କରିଥିଲା। ବ୍ରହ୍ମପୁର ପୁଲିସ ଉଭୟଙ୍କୁ ଛତିଶଗଡ଼ର କାୱାରଧା ସିଜେଏମ୍‌ଙ୍କ କୋର୍ଟରେ ହାଜର କରି ଟ୍ରାନ୍‌ଜିଟ୍‌ ରିମାଣ୍ଡ୍‌ରେ ବ୍ରହ୍ମପୁର ଆଣିଛି। ସଂଧ୍ୟାରେ ପୁଣିଥରେ ଉଭୟଙ୍କୁ ବ୍ରହ୍ମପୁର ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ହାଜର କରାଯାଇଛି।
ଏସ୍.ପି.ଙ୍କ ସୂଚନା ଅନୁସାରେ ଲୋକେଶ ରାଓଙ୍କ ଜଣେ ସମ୍ପର୍କୀୟ ବ୍ରହ୍ମପୁରରେ ରହୁଛନ୍ତି। ଏଣୁ ସେ ବିଭିନ୍ନ ସମୟରେ ବ୍ରହ୍ମପୁର ଆସୁଥିଲା। ସେ ବଡ଼ ବଜାର ଅଞ୍ଚଳରେ ରହିଥିବା ସୁନା ଦୋକାନରୁ ଚୋରି କରିବା ପାଇଁ ଯୋଜନା କରିଥିଲା। ଏହାପରେ ସେ ଛତିଶଗଡ଼ ଚାଲିଯାଇଥିଲା। କିନ୍ତୁ ସେଠାରେ ସେ ଅନ୍ୟ ଏକ ମାମଲାରେ ଗିରଫ ହୋଇ ଦୁର୍ଗ ଜେଲ୍‌ରେ ଥିଲା। ଗତ ମାର୍ଚ୍ଚ ମାସରେ ଲୋକେଶ ରାଓ ଏବଂ ଲୋକେଶ ଶ୍ରୀଭାସ୍‌ର ଭେଟ ଦୁର୍ଗ‌ ଜେଲ୍‌ରେ ହୋଇଥିଲା। ଏହି ସମୟରେ ଉଭୟ ବ୍ରହ୍ମପୁରରେ ଲୁଟ୍‌ କରିବା ପାଇଁ ଯୋଜନା କରିଥିଲେ। ଜାମିନ୍‌ରେ ବାହାରି  ବ୍ରହ୍ମପୁର ଆସିଥିଲେ। ସେମାନେ ଏକ ଲଜ୍‌ରେ ରହି ପ୍ରଥମେ ବିନୋଦ ଜୁଏଲାରିରୁ ଲୁଟ୍‌ କରି ସୁନା ଗହଣା ଧରି ଛତିଶଗଡ଼ ଚାଲି ଯାଇଥିଲା। ଲୁଟ୍‌ ସୁନା ଗହଣା ବିକ୍ରି କରି ଅୟସ କରିବା ସହିତ ଏକ କାର୍‌ ମଧ୍ୟ କିଣିଥିଲେ।
କିନ୍ତୁ ଲୋକେଶ ଶ୍ରୀବାସ ପୁଣିଥରେ ବ୍ରହ୍ମପୁର ଆସିଥିଲା। ସେ ଏକୁଟିଆ ଆସି ଏକ ଲଜ୍‌ରେ ରହି କେଶବ ଜୁଏଲାରିରୁ ଚୋରି କରିଥିଲା। ତା’ର ଗତିବିଧି ଏକ ସିସି କ୍ୟାମେରାରେ କଏଦ ହୋଇଥିଲା। ଫଳରେ ପୁଲିସ ତାକୁ ଚିହ୍ନଟ କରି ଏହି ଦୁଇଟି ବଡ଼ ଧରଣର ଲୁଟ୍‌ ଘଟଣା ପର୍ଦ୍ଦାଫାସ୍‌ କରିଛି। ସମସ୍ତ ଲୁଟ୍‌ ସୁନା ଜବତ ହୋଇ ନଥିବାରୁ ଆହୁରି ଦୁଇଟି ଟିମ୍‌ ଛତିଶଗଡ଼ ଓ ଆହ୍ଲାବାଦରେ ରହିଛନ୍ତି। ଲୁଟେରାମାନେ ଯେଉଁମାନଙ୍କୁ ସୁନା ଦେଇଛନ୍ତି ସେମାନେ ଚିହ୍ନଟ ହୋଇଛନ୍ତି। ତାଙ୍କ ଠାରୁ ସୁନା ଜବତ କରିବା ପାଇଁ ଉଦ୍ୟମ ଜାରି ରହିଥିବା ଏସ୍‌.ପି. କହିଛନ୍ତି। ଅଧିକ ତଦନ୍ତ ପାଇଁ ଆବଶ୍ୟକସ୍ଥଳେ ଉଭୟ ଲୁଟେରାଙ୍କୁ ରିମାଣ୍ଡ୍‌ରେ ଅଣାଯିବ ବୋଲି ପୁଲିସ କହିଛି। ସାମ୍ବାଦିକ ସମ୍ମିଳନୀରେ ଏଏସ୍‌ପି ପ୍ରଭାତ ଚନ୍ଦ୍ର ରାଉତରାୟ, ଟାଉନ୍‌ ଏସ୍‌ଡିପିଓ ବିଷ୍ଣୁ ପ୍ରସାଦ ପତି ଉପସ୍ଥିତ ଥିଲେ
ସମ୍ବନ୍ଧିତ ଖବର