ମାଟ୍ରିକ ପରୀକ୍ଷାଫଳରେ ଘରୋଇ ସ୍କୁଲ ଆଗୁଆ, ପୁଣି ପଛରେ ପଡ଼ିଲା ସରକାରୀ ଉଚ୍ଚବିଦ୍ୟାଳୟ

୧୦ବର୍ଷ ପରେ ସରକାରୀ ଉଚ୍ଚବିଦ୍ୟାଳୟରୁ ଜଣେ ଏ-୧

ଜୟପୁର: ଆଜି ପ୍ରକାଶ ପାଇଥିବା ମାଟ୍ରିକ ପରୀକ୍ଷା ଫଳରେ ଜୟପୁର ନୋଡାଲ କେନ୍ଦ୍ର ଅଧିନରେ ହୋଇଥିବା ପରୀକ୍ଷା କେନ୍ଦ୍ର ଗୁଡିକୁ ଯଦି ଅନୁଶୀଳନ କରାଯାଏ ତେବେ ଘରୋଇ ବିଦ୍ୟାଳୟ ଶ୍ରେଷ୍ଠତା ତାଲିକା ସହ ପାସ୍ ହାର ସଫଳତାରେ ବି ଆଗୁଆ ରହିଛନ୍ତି। ଅପରପକ୍ଷରେ ଗୁଣାତ୍ମକଶିକ୍ଷା, ୫ଟି ମୋ ସ୍କୁଲ ଅଭିଯାନରେ ସ୍କୁଲର ରୂପରେଖ ପରିବର୍ତ୍ତନ କରିବା ସହ ବିଭିନ୍ନ କୌଶଳରେ ପାଠ ପଢ଼ାଇବା ପାଇଁ ପ୍ରଶିକ୍ଷଣ ସହ ଉଚ୍ଚ ଶିକ୍ଷିତ ଶିକ୍ଷକ ନିଯୁକ୍ତି ଦେଇଥିବା ସରକାରୀ ଉଚ୍ଚବିଦ୍ୟାଳୟ ଗୁଡିକ ଶ୍ରେଷ୍ଟତା ପ୍ରତିପାଦିତ କରିବାରେ ସକ୍ଷମ ହୋଇ ନ ପାରି ଏବର୍ଷ ମଧ୍ୟ ପଛରେ ପଡ଼ି ଯାଇଛନ୍ତି। ଘରୋଇ ଜୟପୁର ସରସ୍ବତୀ ଶିଶୁ ମନ୍ଦିର ଶାରଦାବିହାର ଅଧିନରେ ଦେଇଥିବା ପରୀକ୍ଷାର୍ଥୀଙ୍କ ମଧ୍ୟରୁ ଶାରଦା ବିହାରର ୫ଜଣ ଓ ଅରବିନ୍ଦନଗର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ୪ଜଣ ଏଭଳି ୯ଜଣ ଏ-୧ଶ୍ରେଷ୍ଟ ତାଲିକାରେ ସ୍ଥାନ ପାଇବା ସହ ଜିଲ୍ଲାରେ ସହରକୁ ସ୍ବତନ୍ତ୍ର ସ୍ଥାନରେ ପହାଞ୍ଚାବାରେ ପ୍ରମୁଖ ଭୁମିକା ଗ୍ରହଣ କରିଛନ୍ତି।

ସରକାରୀ ଉଚ୍ଚ ବିଦ୍ୟାଳୟର ଜଣେ ମାତ୍ର ଛାତ୍ରୀ ପୂଜା ଗୌଡ଼ ଏ-୧ରେ ନିଜ ନାଁ ରଖି ଗତ ଦଶବର୍ଷ ପରେ ଜଣେ ହିଁ ଏହି ସ୍ଥାନ ପାଇ ନୂଆ ରେକର୍ଡ ସୃଷ୍ଟି କରିବା ସହ ସରକାରୀ ବିଦ୍ୟାଳୟର ସମ୍ମାନ ବଞ୍ଚାଇବା ଦିଗରେ ସହାୟକ ହୋଇଛନ୍ତି। ବାପା ରାଜମିସ୍ତ୍ରୀ ଓ ମା ଗୃହିଣୀ ହେବା ସତ୍ବେ ନିଜ ଇଛା ଶକ୍ତି ବଳରେ ସେ ଏହି ସ୍ଥାନ ପାଇଛନ୍ତି। ଅପର ପକ୍ଷରେ ଘରୋଇ ବିଦ୍ୟାଳୟ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଶାରଦାବିହାର ଅଧିନରେ ଦେଇଥିବା ଦୁଇଟି ଯାକ ଶିଶୁ ବିଦ୍ୟାମନ୍ଦିରର ପରୀକ୍ଷା ଫଳ ଶତପ୍ରତିଶସତ ପିଲା ପାସ୍ କରି ପୂର୍ବବର୍ଷର ରେକର୍ଡକୁ ବଜାୟ ରଖିଛନ୍ତି। ଶାରଦାବିହାରରେ ଶିଶୁ ବିଦ୍ୟାମନ୍ଦିରରେ ଏ-୧ରେ ୫ଜଣ, ଏ-୨ରେ ୧୭ଜଣ, ବି-୧ରେ ୨୮ଜଣ ଏଭଳି ୮୯ଜଣ ପିଲା ପାସ୍ କରିଛନ୍ତି ଓ ଅରବିନ୍ଦନଗର ଶିଶୁ ବିଦ୍ୟାମନ୍ଦିରରେ ଏ-୧ରେ ୪ଜଣ, ଏ-୨ରେ ୯ଜଣ, ବି-୧ରେ ୨୦ଜଣ ଏଭଳି ୭୪ଜଣ ପିଲା ପାସ୍  କରିଛନ୍ତି। ସରକାରୀ ଉଚ୍ଚବିଦ୍ୟାଳୟରେ ଏ-୧ରେ ଜଣେ, ଏ-୨ରେ୨ଜଣ, ଜୟପୁର ସିଟି ହାଇସ୍କୁଲରେ ଏ-୨ରେ ୨ଜଣ, ସରକାରୀ ବାଳିକା ଉଚ୍ଚବିଦ୍ୟାଳୟରେ ଜଣେ ପାସ କରିଛନ୍ତି।

ଜୟପୁର ନୋଡାଲ କେନ୍ଦ୍ର ଅଧିନରେ ଦେଇଥିବା ସମସ୍ତ ୨୮ଟି ହାଇସ୍କୁଲରେ ପିଲା ଯଦିଓ ୯୦ପ୍ରତିଶତରୁ ଉର୍ଦ୍ଧ୍ବରେ ପାସ୍ କରିଥିଲେହେଁ ‌ଏ-୧,ଏ-୨, ବି-୧ରେ ବି ପହଞ୍ଚି ପାରି ନାହାନ୍ତି। ଗାଁ ଗହଳିର ସ୍କୁଲ ଠାରୁ ସହରରେ ଥିବା କିଛି ଉଚ୍ଚବିଦ୍ୟାଳୟରେ ପରୀକ୍ଷାଫଳ ବି ନୈରାଶ୍ୟଜନକ ହୋଇଛି। କିଛି ସେବାଶ୍ରମ ଓସରକାରୀ ହାଇସ୍କୁଲ ଗୁଡିକ ଶତପ୍ରତିଶତ ପିଲା ବି ପାସ୍ କରି ନାହାନ୍ତି। ଗୋଟିଏ ପଟେ ରାଜ୍ୟସରକାର ପିଲାଙ୍କୁ ଗୁଣାତ୍ମକ, ଭଲ ପରିବେଶ ମଧ୍ୟରେ ଉତ୍ତମ ଶିକ୍ଷାଦାନ କରିବା ପାଇଁ ପାଣି ଭଳି ପଇସା ଖର୍ଚ୍ଚ କରୁଥିବା ବେଳେ ମାଟ୍ରିକ ପରୀକ୍ଷାରେ ବି-୨,ସି, ଡି ଓ ଇ ବର୍ଗରେ ପାସ୍ କରିବା କିଛି ମୂଲ୍ୟ ରହୁଛି କି ବୋଲି ବୁଦ୍ଧିଜୀବୀ ମହଲରେ ପ୍ରଶ୍ନ ସୃଷ୍ଟି କରିଛି। କାହିଁକି ଓ କେଉଁ ପଦ୍ଧତି ଆପଣାଇ ପ୍ରତିବର୍ଷ ଘରୋଇ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଏହି ସଫଳତା ପାଉଥିବା ବେଳେ ସରକାରୀ ହାଇସ୍କୁଲର ଶିକ୍ଷକ ମାନେ ମୋଟା ଅଙ୍କର ଦରମା ଓ ସବୁ ରକମର ଅତ୍ୟାଧୁନିକ ବ୍ୟବସ୍ଥା ଓ ପ୍ରଶିକ୍ଷଣ ସହ ପାଠ ପଢ଼ାଇ ମଧ୍ୟ ସଫଳତା ଆଣି ପାରୁ ନାହାନ୍ତୁ ତାହାକୁ‌ ନେଇ ବୁଦ୍ଧିଜୀବୀ ମହଲରେ ଭିନ୍ନ ଭିନ୍ନ ପ୍ରଶ୍ନ ସୃଷ୍ଟି କରିଛି। କାରଣ ଖୋଜି ବାହାର ନ କଲେ ଆଗାମୀ ଦିନରେ ଘରୋଇ ବିଦ୍ୟାଳୟ ଗୁଡିକର ଚାହିଦା ନାହିଁ ନଥିବା ବଢ଼ିଯିବାର ସମ୍ଭାବନାକୁ ଏଡାଇ ହେବ ନାହିଁ ବୋଲି ବୁଦ୍ଧିଜୀବୀ ଓ ଶିକ୍ଷାବିତ ମାନେ ମତ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର