ରେସ୍ତୋରାଁରେ ରାତ୍ରିଭୋଜନର ମଜାନେଲେ ଭାରତୀୟ ଖେଳାଳି

ରାଉରକେଲା: ଭାରତୀୟ ପୁରୁଷ ହକି ଦଳ ଆଜି ଅଭ୍ୟାସରେ ବିରାମ ଲଗାଇଛି। ପୂର୍ବାହ୍ନରେ ବିର୍ସା ମୁଣ୍ଡା ଷ୍ଟାଡିୟମରେ କଡ଼ା ଅଭ୍ୟାସ ପରେ ଦ୍ବିତୀୟାର୍ଦ୍ଧରେ କିନ୍ତୁ ବିଶ୍ରାମ ନେଇଛନ୍ତି। ନିୟମିତ ଅଭ୍ୟାସରୁ ବିରାମ ଦେଇ ଆଜି ଦଳ ପ୍ରଥମଥର ପାଇଁ ରହୁଥିବା ଆକୋମୋଡେସନ୍‌ ବିଲ୍‌ଡିଂରୁ ବାହାରକୁ ପାଦ କାଢ଼ିଛି। ବର୍ଷର ଶେଷ ଦିନରେ ପୁରା ଦଳ ରେଲୱେ ଷ୍ଟେସନ ପାଖରେ ଥିବା ଏକ ରେସ୍ତୋରାଁରେ ସମୟ ଅତିବାହିତ କରିଥିଲେ। ମୁଖ୍ୟ ପ୍ରଶିକ୍ଷକ ଗ୍ରାହାମ ରିଡ୍‌ ଓ ଅଧିନାୟକ ହରମନପ୍ରୀତ ସିଂହଙ୍କ ନେତୃତ୍ବାଧୀନ ଭାରତୀୟ ଦଳ ଆଜି ରାତି ପ୍ରାୟ ସାଢ଼େ ୮ଟାରେ ଉକ୍ତ ରେସ୍ତୋରାଁରେ ପହଞ୍ଚିଥିଲେ। ସେଠାରେ ରାତ୍ରିଭୋଜନ କରିଥିଲେ। ପାଖାପାଖି ୧ ଘଣ୍ଟା ୧୫ ମିନିଟ ରହିଥିଲେ ଭାରତୀୟ ଖେଳାଳି।

ଉଲ୍ଲେଖଯୋଗ୍ୟ, ଗତ ୨୭ ତାରିଖ ସନ୍ଧ୍ୟାରେ ଭାରତୀୟ ଦଳ ଝାରସୁଗୁଡ଼ାରୁ ସଡ଼କ ପଥରେ ରାଉରକେଲାରେ ପହଞ୍ଚିଥିଲା। ତା’ ପରଦିନ, ଅର୍ଥାତ୍‌ ୨୮ ତାରିଖ ପୂର୍ବାହ୍ନରେ ବିଶ୍ରାମ ନେଇଥିବାବେଳେ ଅପରାହ୍ନରୁ ଝାଳବୁହା ପରିଶ୍ରମ ଆରମ୍ଭ କରିଥିଲା। ଏହାପରେ ପ୍ରତ୍ୟହ ପୂର୍ବାହ୍ନ ୯ଟାରୁ ୧୧ ଟା ଏବଂ ଅପରାହ୍ନ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ ପଡ଼ିଆରେ ବିତାଇଥିଲେ। କଡ଼ା ସୁରକ୍ଷା ବଳୟ ମଧ୍ୟରେ ଖେଳାଳି ରେସ୍ତୋରାଁରେ ପହଞ୍ଚିଥିଲେ। ଖବର ପ୍ରଚାରିତ ହେବାପରେ ହକିପ୍ରେମୀଙ୍କ ଭିଡ଼ ଆରମ୍ଭ ହୋଇଯାଇଥିଲା। ତେବେ ଭିଡ଼ ଏଡ଼ାଇବାକୁ ଖେଳାଳି ସେଠାରୁ ବାହାରି ଆସିଥିଲେ।

ସମ୍ବନ୍ଧିତ ଖବର