ଜରିମାନା ଓ ଜବତ ସୁନା ଦେଲାନି ମାଲିକ

କନକ ଅଳଙ୍କାର ସିଲ୍‌ କଲା ଜିଏସ୍‌ଟି ବିଭାଗ

ରାଉରକେଲା: ପ୍ରାୟ ୬୭ ଲକ୍ଷ ଟ୍ୟାକ୍ସ ଓ ଜରିମାନା ନ ଦେବାରୁ ରାଉରକେଲା ଟ୍ୟାକ୍ସି ଷ୍ଟାଣ୍ଡ ନିକଟସ୍ଥ କନକ ଅଳଙ୍କାର ସୋ’ରମକୁ ରାଉରକେଲା ଜିଏସ୍‌ଟି ଏନ୍‌ଫୋର୍ସମେଣ୍ଟ ସିଲ୍‌ କରିଛି। ଗତକାଲି ଜବତ ସୁନା ଅଳଙ୍କାର ଓ ଜରିମାନା ନ ଦେବାରୁ ଜିଏସ୍‌ଟି ଅଧିକାରୀ ଓ ସୁନା ଅଳଙ୍କାର ବ୍ୟବସାୟୀ ପରିବାରଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା। ପୂର୍ବାହ୍ନ ୧୦ଟାରୁ ରାତି ପ୍ରାୟ ସାଢ଼େ ୧୧ଟା ପର୍ଯ୍ୟନ୍ତ ସୋରୁମ୍‌ରେ ଉଭୟ ପକ୍ଷ ମଧ୍ୟରେ ଯୁକ୍ତିତର୍କ ଲାଗି ରହିଥିଲା। ଶେଷରେ ପୁଲିସ ଉପସ୍ଥିତିରେ ଜିଏସ୍‌ଟି ସୋ’ରୁମ୍‌କୁ ସିଲ୍‌ କରିବାକୁ ବାଧ୍ୟ ହୋଇଛି। ଗତ ଚାରି ମାସ ପୂର୍ବରୁ ବିନା ବିଲ୍‌ ବିକ୍ରି ହେଉଥିବା ଏକ କୋଟି ୯୫ ଲକ୍ଷ ସୁନା ଓ ରୁପା ଅଳଙ୍କାରକୁ ଜିଏସ୍‌ଟି ଅଧିକାରୀ ଜବତ କରିଥିଲେ। ଏଥିସହ ୬୭ ଲକ୍ଷ ଟ୍ୟାକ୍ସ ଓ ଜରିମାନା ଦେବାକୁ ‌ସୋ ରୁମ୍‌ ମାଲିକଙ୍କୁ କୁହାଯାଇଥିଲା। ଗତକାଲି ଏନ୍‌ଫୋର୍ସମେଣ୍ଟ ଟିମ୍‌ ପହଞ୍ଚି ଜବତ ସୁନା ରୁପା ଅଳଙ୍କାର ଓ ଜରିମାନା ଦେବାକୁ କହିଥିଲେ।

ହେଲେ ସୁନା ବ୍ୟବସାୟୀ ଜରିମାନା ଦେବା ପରିବର୍ତ୍ତେ ପରିବାର ସହ ମିଶି ଜିଏସ୍‌ଟି ଅଧିକାରୀଙ୍କୁ ବିରୋଧ କରିଥିଲେ। ପ୍ରାୟ ୧୪ ଘଣ୍ଟା ଧରି ସୋ’ରୁମ୍‌ରେ ଏଭଳି ପାଟିତୁଣ୍ଡ ଲାଗି ରହିଥିଲା। ଚଢ଼ଉରେ ଜିଏସ୍‌ଟି ଏନ୍‌ଫୋର୍ସମେଣ୍ଟ ଡେପୁଟି କମିସନର ଜଗଦୀଶ ସାହା, ଅନିସ ମେହେର, ବଳଦେବ ପୁରୋହିତ, ସୁଧାଂଶୁ ଦାସ, ଅଜିତ କୁମାର ପ୍ରମୁଖ ନେତୃତ୍ବ ନେଇଥିଲେ। ଉଲ୍ଲେଖଯୋଗ୍ୟ, ବିନା ବିଲ୍‌ରେ ସୁନାଗହଣା ବିକ୍ରି କରୁଥିବା ଅଭିଯୋଗରେ ଗତ ୨୦୨୩ ନଭେମ୍ବର ୯ରେ ଜିଏସ୍‌ଟି ବିଭାଗର ୮ ଜଣିଆ ଟିମ୍‌ ‘କନକ ଅଳଙ୍କାର’ ଦୋକାନ ଓ କାର୍ଯ୍ୟାଳୟରେ ଏକକାଳୀନ ଚଢ଼ଉ କରିଥିଲେ। ଜିଏସ୍‌ଟି ଅଧିକାରୀଙ୍କ ଯାଞ୍ଚରୁ ‌ଦୋକାନରେ ପ୍ରାୟ ୧୩ କେଜି ସୁନା ଅଳଙ୍କାର ମହଜୁଦ ଥିଲା। ହେଲେ କାଗଜପତ୍ରରେ ୧୦ କେଜି ସୁନା ଅଳଙ୍କାର କିଣାଯାଇଥିବା କାଗଜପତ୍ରରେ ଦର୍ଶାଯାଇଥିଲା। ଅବଶିଷ୍ଟ ୩ କେଜି ସୁନା ଅଳଙ୍କାର କାଗଜପତ୍ର ଅଧିକାରୀଙ୍କୁ ମିଳିପାରି ନଥିଲା। ସେମିତି ପାଖାପାଖି ୨୨ କେଜି ରୁପାର ମଧ୍ୟ ଜିଏସ୍‌ ବିଲ୍‌ ନଥିଲା।

ସମ୍ବନ୍ଧିତ ଖବର