ଚତୁର୍ଥ ରେଳଲାଇନ ସମ୍ପ୍ରସାରଣ କାର୍ଯ୍ୟକୁ ବିରୋଧ

ପାନପୋଷ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଧାରଣା

ରାଉରକେଲା: ସେକ୍ଟର-୨୧ଠୁ ବନ୍ଧମୁଣ୍ଡା କୁକୁଡା ଗେଟ୍ ପର୍ଯ୍ୟନ୍ତ ରେଳବିଭାଗ ଚତୁର୍ଥ ଲାଇନ୍ ସମ୍ପ୍ରସାରଣ କାର୍ଯ୍ୟ ବନ୍ଦ କରିବାକୁ ସ୍ଥାନୀୟ ଲୋକଙ୍କ ପକ୍ଷରୁ ଦାବି କରାଯାଇଛି। ପ୍ରତିବାଦରେ ଶତାଧିକ ଲୋକ ପାନପୋଷ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିଲେ। ବୀରମିତ୍ରପୁରର ପୂର୍ବତନ ବିଧାୟକ ଜର୍ଜ ତିର୍କୀଙ୍କ ନେତୃତ୍ବରେ ବରକାନି, ଉଡତମ୍, ମହୁଲପଦା, ବନ୍ଧମୁଣ୍ଡା, କପାଟମୁଣ୍ଡା, କୁକୁଡା, ସନ୍ତୋଷପୁର, ବାରବାଂଶ, ଡୁମେର୍ତ୍ତା,ଦୁର୍ଗାପୁର ଆଦି ଗ୍ରାମର ଶତାଧିକ ଆଦିବାସୀ ଧାରଣାରେ ସାମିଲ ହୋଇଥିଲେ। ସେମାନେ କହିଛନ୍ତି, ୧୦ଟି ମୌଜାର ରକ୍ଷିତ ଜମିଗୁଡିକ ପାଇଁ ସେମାନେ ସୁନ୍ଦରଗଡ ଜିଲ୍ଲାପାଳଙ୍କ କୋର୍ଟରେ ଆବେଦନ କରିଛନ୍ତି।

ଯାହାର ପ୍ରଥମ ଶୁଣାଣି ଏ ପର୍ଯ୍ୟନ୍ତ ହୋଇନାହିଁ। ହେଲେ ରେଳ ବିଭାଗ ଏହି ଜମିରେ ବେଆଇନ ଭାବେ ମାଟି ଖୋଳା କାର୍ଯ୍ୟ ଆରମ୍ଭ କରିଦେଇଛି। ଅନ୍ୟପପଟେ ରେଳବିଭାଗ ଏହି ଜମି ଆର୍‌ଏସ୍‌ପି ନିକଟରୁ ପାଇଛି ବୋଲି ଦାବି କରିଆସୁଛି। ସାଧାରଣ ନିର୍ବାଚନ ଯୋଗୁ ପ୍ରଶାସନ ବ୍ୟସ୍ତଥିବା‌ ବେଳେ ରେଳବିଭାଗ ତା’ର ସମ୍ପ୍ରସାରଣ କାର୍ଯ୍ୟ ଜାରି ରଖିଛି। ଚାଲିଥିବା ସମ୍ପ୍ରସାରଣ କାର୍ଯ୍ୟକୁ ବନ୍ଦ ନ କଲେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ଶ୍ରୀ ତିର୍କୀ ଚେତାବନୀ ଦେଇଛନ୍ତି। ଧାରଣାରେ ଜର୍ଜ ତିର୍କୀଙ୍କ ସମେତ ମହେଶ୍ଵର ତନ୍ତୀ, ଦିଲେଶ୍ଵର ପଲ୍, ବାନ୍ଦେ ଓରାମ, ସାଗର ମହାନନ୍ଦ, ସତ୍ୟ ଜେନା, କୌଶଲ୍ୟା ଜେନା, ଏସ୍ କୁନାବତୀ, ସାବିତ୍ରୀ ବାରିକ୍, ସାଲୋମୀ ଜୋଜୋ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର