ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ଥାନା ଅନ୍ତର୍ଗତ କୁର୍ତ୍ତମଗଡ଼ ନିକଟସ୍ଥ ସିନ୍ଧିପଙ୍ଖାଲ ଜଙ୍ଗଲରେ ସୁରକ୍ଷାକର୍ମୀ ଓ ମାଓବାଦୀ ମଧ୍ୟରେ ଗୁଳି ବିନିମୟ ହୋଇଛି। ସମ୍ପୃକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନକୁ ଜୋରଦାର କରିଛି ପୁଲିସ୍ ।
Sambad is now on WhatsApp
Join and get latest news updates delivered to you via WhatsApp
ଗୁଇନ୍ଦା ସୂଚନାରୁ ଜଣାପଡ଼ିଛି ସମ୍ପୃକ୍ତ ଅଞ୍ଚଳରେ ଏସ୍ଓଜି ଜବାନମାନେ କୁମ୍ବିଂ ଅପରେସନ୍ ଚଳାଇଥିଲେ। ଆଜି ସକାଳ ପ୍ରାୟ ୫ଟା ୪୦ମିନିଟ୍ ସମୟରେ ସିନ୍ଧିପଙ୍ଖାଲ ଜଙ୍ଗଲରେ ସୁରକ୍ଷାକର୍ମୀ ଓ ମାଓବାଦୀ ମୁହାଁମୁହିଁ ହୋଇଥିଲେ। କିଛି ସମୟ ଧରି ଉଭୟଙ୍କ ମଧ୍ୟରେ ଗୁଳି ବିନିମୟ ଘଟିବା ପରେ ମାଓବାଦୀମାନେ ଘଟଣାସ୍ଥଳରୁ ଛତ୍ରଭଙ୍ଗ ଦେଇଥିବା ଜଣାପଡ଼ିଛି।
ଘଟଣାସ୍ଥଳରୁ ବିଭିନ୍ନ ମାଓ ସାମଗ୍ରୀ ଜବତ ହୋଇଥିବା ବେଳେ କିଛି ମାଓବାଦୀ ସୁରକ୍ଷାକର୍ମୀଙ୍କ ଗୁଳିରେ ଗୁରୁତର ଆହତ ହୋଇଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି । ତେବେ ଏଯାବତ୍ କେହି ମୃତାହତ ହୋଇଥିବା ଖବର ମିଳିପାରିନାହିଁ। ସେପଟେ କିଛିଦିନର ନୀରବତା ପରେ କନ୍ଧମାଳରେ ଲାଲ୍ ବାହିନୀ ପୁଣିଥରେ ନିଜର ସ୍ଥିତି ଜାହିର କରୁଛି । ଅନ୍ୟପଟେ ଏହି ଗୁଳିବିନିମୟ ଘଟଣାକୁ ନେଇ ଅଞ୍ଚଳବାସୀଙ୍କ ମନରେ କୋକୁଆ ଭୟ ସୃଷ୍ଟି ହୋଇଛି।