ମାଟ୍ରିକ୍‌ ପରୀକ୍ଷାର ପ୍ରଥମ ଦିନରେ ପ୍ରଶ୍ନପତ୍ର ଭାଇରାଲ୍‌ ହେବା ପରେ ୬୦ଟି ପରୀକ୍ଷା କେନ୍ଦ୍ରର ଅଧୀକ୍ଷକଙ୍କୁ ନେଇ ବୈଠକ ଡକାଇଲେ କନ୍ଧମାଳ ଜିଲ୍ଲାପାଳ

କନ୍ଧମାଳ: ମାଟ୍ରିକ୍‌ ପରୀକ୍ଷାର ପ୍ରଥମ ଦିନରେ ଶୁକ୍ରବାର ପ୍ରଶ୍ନପତ୍ର ଭାଇରାଲ୍‌କୁ ଦୃଷ୍ଟିରେ ରଖି କନ୍ଧମାଳ ଜିଲ୍ଲାପାଳ ଡକ୍ଟର ବୃନ୍ଦା ଡି ଜିଲ୍ଳାରେ ସତର୍କତା ଅବଲମ୍ବନ କରିଛନ୍ତି। ସେ ଶୁକ୍ରବାର ସମୁଦାୟ ୬୦ଟି ପରୀକ୍ଷା କେନ୍ଦ୍ରର ଅଧୀକ୍ଷକଙ୍କୁ ଡକାଇ ଏକ ବୈଠକ ଆୟୋଜନ କରିଛନ୍ତି। ପରୀକ୍ଷା କିପରି ସୁଚାରୁ ରୂପେ ଚାଲିବ ସେ ନେଇ ଆଲୋଚନା କରିବା ସହ ପ୍ରଶ୍ନପତ୍ର ଭାଇରାଲ୍‌ ଓ କପି ଆଦିକୁ ପ୍ରୋତ୍ସାହନା ଦେଉଥିବା ଯେକୌଣସି ଲୋକ ନାମରେ ଫୌଜଦାରୀ ମାମଲା ରୁଜୁ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଆୟୋଜିତ ହୋଇଥିବା ବୈଠକରେ ୬୦ ଜଣ ଅଧୀକ୍ଷକଙ୍କ ବ୍ୟତୀତ ଏଡିଏମ୍‌ ବସନ୍ତ କୁମାର ସାହୁ ଓ ଜିଲ୍ଳା ଶିକ୍ଷା ଅଧିକାରୀ ବିକାଶ ଚନ୍ଦ୍ର ପ୍ରଧାନ ଉପସ୍ଥିତ ଥିଲେ।

ଉଲ୍ଲେଖଯୋଗ୍ୟ, ଗତକାଲି ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାର ପ୍ରଥମ ଦିନରେ ହିଁ ସୋସିଆଲ୍‌ ମିଡିଆରେ ମାତୃଭାଷା ଓଡ଼ିଆର ପ୍ରଶ୍ନପତ୍ର ଭାଇରାଲ୍‌ ହୋଇଥିଲା। ପରୀକ୍ଷା ଚାଲିଥିବା ବେଳେ ନୂଆପଡ଼ା ଜିଲ୍ଲା ବୋଡେନ୍‌ ବ୍ଲକ୍‌ କରଙ୍ଗମାଳ ହାଇସ୍କୁଲ୍‌, ଲିଟିସର୍ଗୀସ୍ଥିତ ଗୋପିନାଥ ହାଇସ୍କୁଲ୍‌, କୋରାପୁଟ ଜିଲ୍ଳାର ବନ୍ଧୁଗାଁ ସରକାରୀ ହାଇସ୍କୁଲ୍‌ ସମେତ ଢେଙ୍କାନାଳ ଜିଲ୍ଲାର ସୁଦର୍ଶନ ବିଦ୍ୟାଭବନରେ ପ୍ରଥମେ ଓଡ଼ିଆର ପାଟ-୧ ଅବ୍‌ଜେକ୍ଟିଭ୍‌ ପ୍ରଶ୍ନପତ୍ର ଭାଇରାଲ୍‌ ହୋଇଥିଲା।

ସମ୍ବନ୍ଧିତ ଖବର