ମାଲକାନଗିରିରେ ସର୍ବାଧିକ ମାମଲା, ଚାପ କମାଇବା ପାଇଁ କୋରୁକୋଣ୍ଡାରେ ଖୋଲିବ ଥାନା

ମାଲକାନଗିରି: ଜନସଂଖ୍ୟା ବୃଦ୍ଧି ସାଙ୍ଗକୁ ଅପରାଧିକ କାର୍ଯ୍ୟ ବୃଦ୍ଧି ପାଉଛି। ଚୋରି ଠାରୁ ଆରମ୍ଭ କରି ନିର୍ଯାତନା, ହତ୍ୟା, ଠକେଇ ଆଦି ମାମଲା ବଢ଼ିବାରେ ଲାଗିଛି। ଲୋକଙ୍କୁ ନିକଟରେ ପୁଲିସ ସେବା ପାଇଁ ଆବଶ୍ୟକତା ପଡୁଥିବା ବେଳେ ତାହାକୁ କାର୍ଯ୍ୟକାରୀ କରିବା କଷ୍ଟକର ହୋଇପଡୁଛି। ଗୋଟିଏ ଥାନା ଉପରେ ଚାପ ବୃଦ୍ଧି ପାଉଥିବା ବେଳେ ଲୋକଙ୍କ ନିକଟତର ହେବା ସହ ଚାପ କମାଇବା ପାଇଁ ନୂତନ ଥାନା ଖୋଲିବା ପ୍ରୟାସ ଆରମ୍ଭ ହୋଇଛି। ଅବିଭକ୍ତ କୋରାପୁଟ ଜିଲ୍ଲାରେ ମାଲକାନଗିରି ଆଦର୍ଶ ଥାନାରେ ସର୍ବାଧିକ ମାମଲା ରୁଜୁ ହେଉଥିବା ବେଳୋ ପ୍ରତିବର୍ଷ ମାମଲା ସଂଖ୍ୟା ବୃଦ୍ଧି ପାଉଛି। ଏନେଇ କୋରୁକୋଣ୍ଡା ଠାରେ ମାଲକାନଗିରି ସଦର ଥାନା ଖୋଲିବା ପାଇଁ ପ୍ରସ୍ତୁତି ଚାଲିଛି। କିନ୍ତୁ କୋରୁକୋଣ୍ଡା ଠାରେ ନୂତନ ଘର ତିଆରି ହେବା ପର୍ଯ୍ୟନ୍ତ ତାହା ମାଲକାନଗିରି ଆଦର୍ଶ ଥାନା ପରିସରରେ ପରିଚାଳିତ ହେବ ବୋିଲି ସୂଚନା ମିଳିଛି।

ମାଲକାନଗିରି ଆଦର୍ଶ ଥାନା ଅଧୀନରେ ୨୬ରୁ ଅଧିକ ପଞ୍ଚାୟତର ବିଭିନ୍ନ ଗ୍ରାମ ରହିଛି, ଯେଉଁଥିରେ ମାଲକାନଗିରି ବ୍ଲକ ସମେତ ମାଥିଲି, ‌କୋରୁକୋଣ୍ଡା ବ୍ଲକର ବିଭିନ୍ନ ଗ୍ରାମର ରହିଛି। ଲୋକ ସଂଖ୍ୟା ତୁଳନାରେ ପ୍ରତିବର୍ଷ ଥାନାରେ ମାମଲା ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ବିଗତ ତିନି ବର୍ଷର ମାଲକାନଗିରି ଆଦର୍ଶ ଥାନାର ପରିସଂଖ୍ୟାନକୁ ଦେଖିଲେ ୨୦୨୦ ମସିହା‌ରେ ୪୬୫ ମାମଲା ରୁଜୁ ହୋଇଥିବା ବେୃଳେ ୨୦୨୧ ମସିହାରେ ୬୨୦ ଏବଂ ୨୦୨୨ ମସିହାରେ ୭୮୩ ମାମଲା ରୁଜୁ ହୋଇଛି। ସେଥିମଧ୍ୟରେ ଚୋରି, ଦୁଷ୍କର୍ମ, ନିର୍ଯାତନା, ନିଖୋଜ, ହତ୍ୟା, ଠକେଇ ଆଦି ବିଭିନ୍ନ ପ୍ରକାରର ମାମଲା ରହିଛି। ଜଣେ ଥାନା ଅଧିକାରୀ ସମେତ ପୁଲିସ କର୍ମଚାରୀମାନେ ଶହ ଶହ ସଂଖ୍ୟାରେ ମାମଲାର ତଦନ୍ତ କରିବା କଷ୍ଟକର ହୋଇପଡୁଛି। ମାମଲାର ତଦନ୍ତ ସହିତ ଅଞ୍ଚଳବାସୀଙ୍କ ସୁରକ୍ଷା ଓ ଟ୍ରାଫିକ ବ୍ୟବସ୍ଥା ଉପରେ ମଧ୍ୟ ଗୁରୁତ୍ବ ଦେବାକୁ ପଡୁଛି। ଏନେଇ ଗତ ବର୍ଷ ରାଜ୍ୟ ଗୃହ ବିଭାଗ ପକ୍ଷରୁ କୋରୁକୋଣ୍ଡା ଠାରେ ମାଲକାନଗିରି ସଦର ଥାନା ଖୋଲିବା ପାଇଁ ଯୋଜନା କରିଥିଲେ। କୋରୁକୋଣ୍ଡାର ଅଗ୍ନିଶମ ‌କେନ୍ଦ୍ର ନିକଟରେ ପାଖାପାଖି ୨ ଏକର ଜମିର ଚିହ୍ନଟ କରାଯାଇଛି, କିନ୍ତୁ କୋଠା ନିର୍ମାଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇପାରିନାହିଁ। ଏନେଇ ଚଳିତ ସପ୍ତାହ ମଧ୍ୟରେ ମାଲକାନଗିରି ଆଦର୍ଶ ଥାନା ପରିସରରେ ହିଁ ମାଲକାନଗିରି ସଦର ଥାନା ଆରମ୍ଭ ହେବ। କୋରୁକୋଣ୍ଡା ଠାରେ କୋଠା ନିର୍ମାଣ ପରେ ସେଠାକୁ ଥାନା ସ୍ଥାନାନ୍ତରିତ ହେବ।
ଏହି ନୂତନ ଥାନାରେ ଜଣେ ଥାନା ଅଧିକାରୀ, ଦୁଇ ଜଣ ଏସଆଇ, ଜଣେ ଏଏସଆଇ, ଜଣେ ହାବିଲଦାର, ୧୦ ଜଣ କନେଷ୍ଟବଳ ଓ ଗୃହରକ୍ଷୀ ରହିବେ। ଏହି ଥାନା ଅଧିନରେ କୋରୁକୋଣ୍ଡା ବ୍ଲକର ତୁମସାପାଲ୍ଲୀ, ମାରିୱାଡା, କାମବେଡା, ପୋଟ୍ରେଲ, ତାର୍ଲାକୋଟା, କୋପାକୋଣ୍ଡା, ଡୁଡାମେଟା, କୋରୁକୋଣ୍ଡା ପଞ୍ଚାୟତ, ମାଲକାନଗିରି ବ୍ଲକର ‌ଗୋରାଖୁଣ୍ଟା ପଞ୍ଚାୟତ ଓ କାଲିମେଳା ବ୍ଲକର ଚିନ୍ତାୱାଡା ପଞ୍ଚାୟତର ବିଭିନ୍ନ ଗ୍ରାମ ରହିବ।‌ ସେଥିମଧ୍ୟରେ କାଲିମେଳା ଥାନା ଅଧିନରେ ଚିନ୍ତାୱାଡା, ଓର୍କେଲ ଥାନା ଅଧିନରେ ପୋଟ୍ରେଲ ଓ ତାର୍ଲାକୋଟା, ବଳକା ସମସ୍ତ ପଞ୍ଚାୟତ ମାଲକାନଗିରି ଥାନା ଅଧିନରେ ବର୍ତ୍ତମାନ ରହିଛି।
ମାଲକାନଗିରି ଏସ୍‌ପି ନିତେଶ ୱାଧୱାନୀଙ୍କ କହିବାନୁଯାୟୀ, ପୁଲିସ ଲୋକଙ୍କ ନିକଟତର ହେବା ଦରକାର। ଅଭି‌‌ଯୋଗ କରିବା ପାଇଁ ବହୁ ଦୂରକୁ ଯିବାର ଆବଶ୍ୟକତା ନାହିଁ। କୋରୁକୋଣ୍ଡାରେ ନୂତନ ଥାନା ଆରମ୍ଭ ହେଲେ ଲୋକେ ସୁବିଧାରେ ଥାନାକୁ ଆସି ଅଭିଯୋଗ ପ୍ରଦାନ କରିପାରିବେ ଓ ପୁଲିସ ତୁରନ୍ତ ସେବା ଯୋଗାଇପାରିବ। ଏଥିସହ ନୂତନ ଥାନା ଖୋଲିବା ଦ୍ବାରା ମାମଲାଗୁଡିକର ତଦନ୍ତରେ ମଧ୍ୟ ସୁବିଧା ହେବ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର