ଫେସବୁକ ଧରାପକାଇଲା: ଦିଲ୍ଲୀ ପୁଲିସ ସୁନା ଚୋରି ଅଭିଯୋଗରେ ଓଡ଼ିଆ ଯୁବକଙ୍କୁ କଲା ଗିରଫ

ନୀଳଗିରି: ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳର ଜଣେ ଯୁବକ ଦିଲ୍ଲୀର ଏକ ଜୁଏଲାରି ଦୋକାନରେ କାମ କରୁଥିବା ବେଳେ ସେଠାରୁ ୪ ଲକ୍ଷ ଟଙ୍କା ମୂଲ୍ୟର ସୁନା କଏନ୍‌ ଚୋରି କରି ପଳାଇ ଆସିଥିଲେ। ତେବେ ସେଠାରୁ ଆସି ମୁମ୍ବାଇରେ କାମ କରୁଥିବା ବେଳେ ନିଜର ଫେସ୍‌ବୁକ୍‌ରେ ଯେଉଁ ଫେକ୍‌ ଆକାଉଣ୍ଟ ଖୋଳିଥିଲେ, ସେହି ଆକାଉଣ୍ଟରେ ଯୁବକ ଜଣକ ନାମ ତ ବଦଳାଇ ଥିଲେ, ମାତ୍ର ନିଜ ଫଟୋଟିକୁ ଅପ୍‌ଲୋଡ଼ କରି ଦେଇଥିଲେ।ଏହି ଫେସବୁକ୍‌ ଆକାଉଣ୍ଟକୁ ଟ୍ରାକ୍‌ କରି ଦିଲ୍ଲୀ ପୁଲିସ ମୁମ୍ବାଇ ପୁଲିସ ସହାୟତାରେ ଯୁବକଙ୍କୁ ଗିରଫ କରିବା ପରେ ଗତକାଲି ନୀଳଗିରି ଆସି ସମ୍ପୃକ୍ତ ଯୁବକଙ୍କ ଘରୁ ୪ ଳକ୍ଷରୁ ଊର୍ଧ୍ୱ ଟଙ୍କା ମୂଲ୍ୟର ସୁନା କଏନ ଜବତ କରିଛି।
ମିଳିଥିବା ସୂଚନା ଅନୁଯାୟୀ, ନୀଳଗିରି ଥାନା ରିମେଇ ଗ୍ରାମର କାଶୀନାଥ ମଲ୍ଲିକ(୨୨ ବର୍ଷ) ଦିଲ୍ଲୀରେ ନିରଜ ଜୈନଙ୍କ ଜୁଏଲାରୀ ଦୋକାନରେ କାର୍ଯ୍ୟ କରୁଥିଲେ। ତେବେ ଜୁଲାଇ ୨ ତାରିଖ ଦିନ କାଶୀନାଥ କୌଶଳକ୍ରମେ ଦୋକାନରୁ ୪ ଲକ୍ଷ ଟଙ୍କା ମୂଲ୍ୟର ସୁନା କଏନ ଚୋରି କରି ଗାଁକୁ ପଳାଇ ଆସିଥିଲେ। ଗାଁରେ ସୁନା କଏନ ଘରେ ରଖି କାଶୀନାଥ ମୁମ୍ବାଇ କାମ କରିବାକୁ ପଳାଇ ଯାଇଥିଲା। ସେଠାରେ ନିଜ ନାମ ବଦଳାଇ ସେ କାମ କରିଥିଲା।ତେବେ ମୋବାଇଲ ପ୍ରେମ ସହିତ ଫେସ୍‌ବୁକ୍‌ ପ୍ରେମ କାଶୀନାଥଙ୍କୁ ଧରାପକାଇ ଦେଇଥିଲା। କାଶିନାଥ ନିଜର ଯେଉଁ ଫେକ ଫେସବୁକ୍‌ ଆକାଉଣ୍ଟ ଖୋଲିଥିଲେ ସେଥିରେ ନିଜର ଫଟୋଟିକୁ ଅପ୍‌ଲୋଡ କରିଥଲେ। ଏହି ଆଧାରରେ ପୁଲିସ ତଦନ୍ତକରି କାଶୀନାଥଙ୍କୁ ଗିରଫ କରିଥିଲା। ପରେ ନୀଳଗିରି ଥାନା ପୁଲିସ ସହିତ ଯୋଗାଯୋଗ କରି ଦିଲ୍ଲୀ ପୁଲିସ କାଶୀନାଥଙ୍କୁ ଧରି ରିମେଇ ଗାଁରେ ପହଞ୍ଚି ସୁନା କଏନ ଜବତ କରିବା ପରେ ପୁଣି କାଶୀନାଥଙ୍କୁ ଧରି ଦିଲ୍ଲୀ ଫେରି ଯାଇଛି।

ସମ୍ବନ୍ଧିତ ଖବର