ରାଇରଙ୍ଗପୁର: ୨୦୨୪ ନିର୍ବାଚନରେ ବିଜେପି-ବିଜେଡି-ଜେଏମଏମ ମଧ୍ୟରେ କଡ଼ା ମୁକାବିଲା!

ରାଇରଙ୍ଗପୁର/ଗୁହାଳଡାଙ୍ଗରୀ(ରାଇରଙ୍ଗପୁରରୁ ତୁଷାରକାନ୍ତ ମହାନ୍ତ ଓ ଗୁହାଳଡାଙ୍ଗରୀରୁ ପୁରୁଷତ୍ତମ ପାତ୍ରଙ୍କ ରିପୋର୍ଟ): ମୟୂରଭଞ୍ଜ ଜିଲ୍ଲାର ୯ଟି ବିଧାନସଭା ଆସନରୁ ରାଇରଙ୍ଗପୁର ହେଉଛି ଅନ୍ୟତମ। ଏହି ଆସନ ଅନୁସୂଚିତ ଜନଜାତି ବର୍ଗ ପାଇଁ ସଂରକ୍ଷିତ। ଏକଦା ଏହା କଂଗ୍ରେସର ଗଡ଼ ଥିବାବେଳେ ୧୯୯୦ ପରଠାରୁ ବିଭିନ୍ନ ସମୟରେ ବିଭିନ୍ନ ଦଳ ବିଜୟୀ ହୋଇଛନ୍ତି। ଜନତା ଦଳର ବିଭାଜନପରେ ବିଜୁ ଜନତା ଦଳର ଉତଥାନ ଏବଂ ବିଜେଡି-ବିଜେପିର ମହାମେଣ୍ଟ ଯୋଗୁଁ ଆଜି କଂଗ୍ରେସ ଧରାଶାୟୀ। ଏଠାରେ ଜେଏମ୍ ଏମ୍ ର ଉପସ୍ଥିତି ରହିଥିଲେ ମଧ୍ୟ ଥରେ ବି ଆସନ ହାତେଇ ପାରିନାହିଁ।୧୯୯୦ ରୁ ୨୦୧୯ ମଧ୍ୟରେ ବିଜେପି ତିନି ଥର, କଂଗ୍ରେସ ଦୁଇ ଥର, ଜନତା ଦଳ ଥରେ ଓ ବିଜେଡି ଥରେ ଜିତିଥିଲା ବେଳେ ଆଜିକା ଦିନରେ ଜେ ଏମ୍ ଏମ୍ ର ଶକ୍ତିକୁ ଅଣଦେଖା କରାଯାଇ ନ ପାରେ।
 ଏହି ଆସନରୁ ୧୯୯୦ ମସିହାରେ ପ୍ରଥମ ଥର ପାଇଁ ଅଣ କଂଗ୍ରେସର ପ୍ରାର୍ଥୀ ଭାବେ ଚୈତନ୍ୟ ପ୍ରସାଦ ମାଝୀ ଜନତା ଦଳରୁ ୨୪୦୧୧ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିଲେ। ସ୍ୱାଧୀନ ପ୍ରାର୍ଥୀ ନବ ଚରଣ ମାଝୀ ୧୯୧୦୫ ଖଣ୍ଡ ଭୋଟ ପାଇଥିଲେ। କଂଗ୍ରେସ ପ୍ରାର୍ଥୀ ଲକ୍ଷ୍ମଣ ମାଝୀ ୫୭୪୮ ଖଣ୍ଡ ଭୋଟ୍ ପାଇଥିଲେ। ୧୯୯୫ରେ କଂଗ୍ରେସ ପ୍ରାର୍ଥୀ ଲକ୍ଷ୍ମଣ ମାଝୀ ଜନତା ଦଳର ପ୍ରାର୍ଥୀ ଚୈତନ୍ୟ ପ୍ରସାଦ ମାଝୀଙ୍କୁ ୧୪୮୮ ଖଣ୍ଡ ଭୋଟ୍ ବ୍ୟବଧାନରେ ହରାଇ କଂଗ୍ରେସର ବିଜୟ ବାନା ଉଡ଼ାଇଥିଲେ। ସେତେବେଳେ କଂଗ୍ରେସ ପ୍ରାର୍ଥୀ ଲକ୍ଷ୍ମଣ ମାଝୀ ୧୯,୩୨୭ ଖଣ୍ଡ ଭୋଟ୍ ପାଇଥିଲା ବେଳେ ପ୍ରମୁଖ ପ୍ରତିଦ୍ବନ୍ଦି ତଥା ଜନତା ଦଳର ପ୍ରାର୍ଥୀ ୧୭,୮୩୯ ଖଣ୍ଡ ଭୋଟ୍ ପାଇଥିଲେ। ଜେ ଏମ୍ ଏମ୍ ପ୍ରାର୍ଥୀ ନବ ଚରଣ ମାଝୀ ୧୭୪୨୯ ଖଣ୍ଡ ଓ ବିଜେପି ପ୍ରାର୍ଥୀ ନନ୍ଦଲାଲ ସୋରେନ୍ ୧୨,୫୨୪ ଖଣ୍ଡ ଭୋଟ୍ ପାଇଥିଲେ।

୧୯୯୭ ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ପରେ ଏବଂ ଜାତୀୟ ସ୍ତରରେ ଜନତା ଦଳର ବିଭାଜନ ପରେ ଓଡ଼ିଶାରେ ଜନତା ଦଳର ବିଲୟ ଘଟି ବିଜୁ ଜନତାଦଳର ପ୍ରତିଷ୍ଠା ହୋଇଥିଲା। ତତ୍ କାଳୀନ ବିଜେପିର ଜାତୀୟ ନେତୃତ୍ୱର ଆଶୀର୍ବାଦରେ ବିଜୁ ଜନତାଦଳର ପ୍ରତିଷ୍ଠା ହୋଇଥିବାରୁ ସେତେବେଳେ ଓଡ଼ିଶାରେ ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନ ରେ ବିଜୁ ଜନତା ଦଳ ଓ ବିଜେପି ମଧ୍ୟରେ ମେଣ୍ଟ ଗଠନ ହୋଇଥିଲା। ଅନ୍ୟ ପକ୍ଷରେ ଏହି ନିର୍ବାଚନ ଆଗରୁ ଜନତାଦଳରୁ ବିଜୟୀ ହୋଇଥିଲେ ହେଁ ପରବର୍ତ୍ତୀ ସମୟରେ ସେ ନିଜର ନିର୍ବାଚନ ମଣ୍ଡଳୀ ପରିବର୍ତ୍ତନ କରିଥିଲେ ଫଳରେ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀର ସଂଗଠନ କଂଗ୍ରେସ ତୁଳନାରେ ଦୁର୍ବଳ ଥିବାରୁ ମେଣ୍ଟ ରାଜନୀତିରେ ଏହି ଆସନକୁ ବିଜୁ ଜନତାଦଳ ବିଜେପିକୁ ଛାଥିଲା। ସେତେବେଳେକୁ ରାଇରଙ୍ଗପୁର ଏନ୍ ଏ ସି ଭିତରେ ବିଜେପିର ସଂଗଠନ ଭଲ ଥିଲା। ତେଣୁ ବିଜେପି ମଧ୍ୟ ଏଠାରୁ ପ୍ରାର୍ଥୀ ଦେଇ ନିଜ ଦଳର ଭାଗ୍ୟ ପରୀକ୍ଷା କରିବାକୁ ସ୍ଥାନୀୟ ବିଜେପି ନେତୃତ୍ଵ ଚାହିଁ ବସିଥିଲେ। ଏହି ସୁଯୋଗ ବିଜେପି ପାଇଁ ସନେପେ ସୁହାନା ସାବ୍ୟସ୍ତ ହୋଇଥିଲା ପରବର୍ତ୍ତୀ ସମୟରେ।୨୦୦୦ ମସିହା ବିଧାନସଭା ନିର୍ବାଚନ ରେ ବର୍ତ୍ତମାନର ମୋରଡା ବିଧାୟକ ତଥା ସେତେବେଳେର ବିଜେପି ନେତା ରାଜ କିଶୋର ଦାସଙ୍କ ପ୍ରଚେଷ୍ଟାରେ ବର୍ତ୍ତମାନର ରାଷ୍ଟ୍ରପତି ତଥା ସେତେବେଳେର ବିଜେପିର ବିଧାୟକ ପ୍ରାର୍ଥୀନୀ ଭାବେ ଦ୍ରୌପଦୀ ମୁର୍ମୁ ପ୍ରତିଦ୍ବନ୍ଦିତା କରିଥିଲେ । ଏହି ନିର୍ବାଚନରେ ସେ କଂଗ୍ରେସର ସିଟିଂ ବିଧାୟକ ଲକ୍ଷ୍ମଣ ମାଝୀଙ୍କୁ ହରାଇଥିଲେ। ଲକ୍ଷ୍ମଣ ମାଝୀ ୨୦୫୪୨ ଖଣ୍ଡ ଭୋଟ୍ ପାଇଥିଲା ବେଳେ ଦ୍ରୌପଦୀ ମୁର୍ମୁ ୨୫୧୧୦ ଖଣ୍ଡ ଭୋଟ୍ ପାଇ ୪୫୬୮ ଭୋଟରେ ବିଜୟୀ ହୋଇଥିଲେ। ତାପର ନିର୍ବାଚନ ଅର୍ଥାତ୍ ୨୦୦୪ରେ ମଧ୍ୟ ଲଗାତାର ଭାବେ ଦ୍ରୌପଦୀ ମୁର୍ମୁ ବିଜେପି ପକ୍ଷରୁ ଲଢି ୨୯୨୯୫ ଖଣ୍ଡ ଭୋଟ୍ ପାଇ ମାତ୍ର ୪୨ ଖଣ୍ଡ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଥିଲେ। ବିଜେପିକୁ ଜେଏମ୍ ଏମ୍ ପ୍ରାର୍ଥୀ ରାମଚନ୍ଦ୍ର ମୁର୍ମୁ କଡ଼ା ଟକ୍କର ଦେଇ ୨୯୨୫୩ ଖଣ୍ଡ ଭୋଟ୍ ପାଇଥିଲେ । କଂଗ୍ରେସ ପ୍ରାର୍ଥୀ ଲକ୍ଷ୍ମଣ ମାଝୀ ୨୨୫୫୧ ଖଣ୍ଡ ଭୋଟ୍ ପାଇ ତୃତୀୟରେ ଥିଲେ । ସେହି ନିର୍ବାଚନରେ ତ୍ରିକୋଣୀୟ ମୁକାବିଲା ଦେଖିବାକୁ ମିଳିଥିଲା।୨୦୦୮ମସିହାରେ ଓଡ଼ିଶାରେ ନିର୍ବାଚନ ମଣ୍ଡଳୀର ପୁନର୍ଗଠନ ହୋଇଥିଲା। ପୂର୍ବରୁ ମୟୂରଭଞ୍ଜ ଜିଲ୍ଲାରେ ୧୦ ଟି ବିଧାୟକ ପଦବୀ ଥିଲା ବେଳେ ପୁନର୍ଗଠନ ଗଠନ ଫଳରେ ୯ ଗୋଟି ବିଧାୟକ ଆସନ ସୃଷ୍ଟି ହେଲା ତା ଭିତରେ ମୋରଡା ନିର୍ବାଚନ ମଣ୍ଡଳୀ ସାଧାରଣ ବର୍ଗ ଓ ବଡ଼ସାହିକୁ ହରିଜନ ବର୍ଗଙ୍କ ପାଇଁ ସଂରକ୍ଷିତ ରଖାଗଲା।

ଅନ୍ୟପକ୍ଷରେ ବହଳଦା ନିର୍ବାଚନ ମଣ୍ଡଳୀକୁ ଭାଙ୍ଗି ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ ରେ ମିଶା ଗଲା।୨୦୦୯ ମସିହା ବେଳକୁ ବିଜୁ ଜନତାଦଳ ରାଜ୍ୟ ରାଜନୀତିରେ ଗୋଟିଏ ମହାଦୃମରେ ପରିଣତ ହୋଇ ସାରିଥିଲା। ତେଣୁ ସେହି ବର୍ଷ ଅର୍ଥାତ୍ ୨୦୦୯ ସାଧାରଣ ନିର୍ବାଚନରେ ବିଜୁ ଜନତା ଦଳ ଆଉ ବିଜେପି ସହ ନିର୍ବାଚନୀ ମେଣ୍ଟ କରିନଥିଲା ବରଂ ଓଡ଼ିଶାରେ ନୂଆ ଥିବା ଏନ୍ ସି ପି ସହ ନିର୍ବାଚନୀ ମେଣ୍ଟ କରିଥିଲା। ମେଣ୍ଟ ପ୍ରାର୍ଥୀ ଭାବେ ସେତେବେଳେ ଏନ୍ ସି ପି ରୁ କାଶୀନାଥ ହେମ୍ବ୍ରମ ପ୍ରାର୍ଥୀ ହୋଇଥିଲେ। ତେବେ ବିଜେପି, ବିଜେଡି ମେଣ୍ଟ ଏନ୍ ସିପି , ଜେ ଏମ୍ ଏମ୍ ଓ କଂଗ୍ରେସ ମଧ୍ୟରେ ଚତୁର୍ମୁଖୀ ଲଢେ଼ଇରେ କଂଗ୍ରେସ ବାଜି ମାରିଥିଲା। କଂଗ୍ରେସ ପ୍ରାର୍ଥୀ ଶ୍ୟାମ ଚରଣ ହାଁସଦାଃ ୨୪,୭୯୨ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିଲେ। ଜେ ଏମ୍ ଏମ୍ ର ପୂର୍ଣ୍ଣଚନ୍ଦ୍ର ମାର୍ଣ୍ଡି ୨୦,୧୯୦ ଖଣ୍ଡ ଭୋଟ ପାଇ ଦ୍ବିତୀୟ ରେ ଥିଲେ। ବିଜେପିର ଯଦୁରାମ ମୁର୍ମୁ ୧୭,୮୯୮ ଖଣ୍ଡ ଓ ବିଜେଡି ମେଣ୍ଟ ପ୍ରାର୍ଥୀ କାଶୀନାଥ ହେମ୍ବ୍ରମ ୧୪,୮୨୮ ଖଣ୍ଡ ଭୋଟ ଏବଂ ସ୍ୱାଧୀନ ପ୍ରାର୍ଥୀ ଖେଲାରାମ ମାହାଲି ୧୨,୫୦୪ ଖଣ୍ଡ ଭୋଟ ପାଇଥିଲେ । ଜନତାଦଳ ର ଦୀର୍ଘ ଦିନ ର ଅପେକ୍ଷା ର ଅନ୍ତ ଘଟିଥିଲା ୨୦୧୪ ନିର୍ବାଚନ ରେ। ଏଥିରେ ବିଜେଡିରୁ ପ୍ରାର୍ଥୀ ହୋଇଥିଲେ ସାଇବା ସୁଶୀଲ କୁମାର ହାଁସଦାଃ। ସେ ଜଣେ କଣ୍ଠଶିଳ୍ପୀ ଭାବେ ଅଞ୍ଚଳରେ ପରିଚିତ ଥିଲା ବେଳେ କଂଗ୍ରେସରୁ ବହଳଦା ନିର୍ବାଚନ ମଣ୍ଡଳୀରୁ ଥରେ ବିଜେପିର ଲକ୍ଷ୍ମଣ ସୋରେନଙ୍କୁ କଡ଼ା ଟକ୍କର ଦେଇ ପରାଜିତ ହୋଇଥିଲେ। ତେଣୁ ତାଙ୍କ ଲୋକ ପ୍ରିୟତା ତଥା ନିଜସ୍ଵ ସଂଗଠନ ଲୋକ ଙ୍କ ଯୋଗୁଁ ସେ ସେହି ବର୍ଷ ନିର୍ବାଚନ ମଣ୍ଡଳୀ ରେ ୫୧୦୬୨ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିଲେ।

ସେହି ବର୍ଷ ବିଜେପିର ଦ୍ରୌପଦୀ ମୁର୍ମୁ ,ବିଜେଡିର ସାଇବା ସୁଶୀଲ କୁମାର ହାଁସଦା ,ଜେ ଏମ୍ ଏମ୍ ର ପୂର୍ଣ୍ଣ ଚନ୍ଦ୍ର ମାର୍ଣ୍ଡି ଓ କଂଗ୍ରେସର ଶ୍ୟାମ ଚରଣ ହାଁସଦାଃଙ୍କ ମଧ୍ୟରେ ଚତୁର୍ମୁଖୀ ଲଢେ଼ଇ ଦେଖିବାକୁ ମିଳିଥିଲା। ବିଜେପି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ସର୍ବାଧିକ ୩୫୫୦୬ ଖଣ୍ଡ , ଜେ ଏମ୍ ଏମ୍ ପ୍ରାର୍ଥୀ ପୂର୍ଣ୍ଣଚନ୍ଦ୍ର ମାର୍ଣ୍ଡି ୨୮୮୩୮ଖଣ୍ଡ ଓ କଂଗ୍ରେସର ଶ୍ୟାମ ଚରଣ ହାଁସଦାଃ ୧୯୦୭୫ଖଣ୍ଡ ଭୋଟ ପାଇଥିଲେ । ବିଜେଡି ଏଥିରେ ବିଜେପିକୁ ୧୫,୫୫୬ ଖଣ୍ଡ ଭୋଟ ବ୍ୟବଧାନରେ ହରାଇଥିଲା । ୨୦୧୯ନିର୍ବାଚନରେ କିନ୍ତୁ ବିଜେଡି ତା’ର ବିଜୟକୁ ରିପିଟ୍ କରିପାରିନଥିଲା। ବ୍ୟକ୍ତିଗତ ଭାବେ ସେତେବେଳେର ସିଟିଂ ବିଧାୟକ କିଛି ମାତ୍ରାରେ ନିଜର ଭାବମୂର୍ତ୍ତି ତଥା ଲୋକପ୍ରିୟତା ହରାଇଥିବାରୁ ତାଙ୍କୁ ନେଇ ଦଳ ରିସ୍କ ନେବାକୁ ଚାହିଁନଥିଲା। ଦଳ ମହିଳା କାର୍ଡ ଖେଳି ଆସନ୍ନ ଗୋଷ୍ଠୀ କନ୍ଦଳକୁ ରୋକିଥିଲା ଓ ଦଳ ବାସନ୍ତୀ ମାର୍ଣ୍ଡିଙ୍କୁ ପ୍ରାର୍ଥୀ କରିଥିଲା। ସେହିପରି ବିଜେପିରୁ ନବ ଚରଣ ମାଝୀ ଓ କଂଗ୍ରେସ ଓ ଜେ ଏମ୍ ଏମ୍ ରୁ ମେଣ୍ଟ ପ୍ରାର୍ଥୀ ରାମ ଚନ୍ଦ୍ର ମୁର୍ମୁ ପ୍ରାର୍ଥୀ ହୋଇଥିଲେ। ନିର୍ବାଚନରେ ତ୍ରିକୋଣୀୟ ମୁକାବିଲା ଦେଖିବାକୁ ମିଳିଥିଲା । ଏଥିରେ ନବ ଚରଣ ମାଝୀ ୬୦୯୦୧ ଖଣ୍ଡ, ଭୋଟ ପାଇଥିବା ବେଳେ ବାସନ୍ତୀ ମାର୍ଣ୍ଡି ୫୮୦୫୪ ଖଣ୍ଡ ଭୋଟ ପାଇ ଦ୍ବିତୀୟ ଓ ରାମଚନ୍ଦ୍ର ମୁର୍ମୁ ୩୦୫୧୨ ଖଣ୍ଡ ଭୋଟ ପାଇଥିଲେ। ବିଜେପି ପ୍ରାର୍ଥୀ ନବ ଚରଣ ମାଝୀ ୨୮୪୭ ଖଣ୍ଡ ଭୋଟ ବ୍ୟବଧାନରେ ବିଜେଡିର ବାସନ୍ତୀ ମାର୍ଣ୍ଡିଙ୍କୁ ପରାସ୍ତ କରିଥିଲେ। ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀର ବିଗତ ତିିନି ଦଶନ୍ଧିର ରାଜନୈତିକ ପୃଷ୍ଠଭୂମି ଉପରେ ଏତିକି କୁହାଯାଇପାରେ ଆଗାମୀ ୨୦୨୪ ନିର୍ବାଚନରେ ତ୍ରିକୋଣୀୟ ମୁକାବିଲା ଦେଖିବାକୁ ମିଳିବ। ବିଜେପି, ବିଜେଡ଼ି ଆଉ ଜେ ଏମ୍ ଏମ୍ ମଧ୍ୟରେ। ତେବେ ବର୍ତ୍ତମାନ ବିଜେପି ଓ ବିଜେଡ଼ି ଦଳର ଆଶାୟୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି ।

ସମ୍ବନ୍ଧିତ ଖବର