ଟ୍ରାନ୍ସପରେନ୍ସି ଇଣ୍ଟରନ୍ୟାସନାଲ ରିପୋର୍ଟ: ଭାରତରେ ଦୁର୍ନୀତି ବଢ଼ିଛି, ୮୫ରୁ ୯୩ତମ ସ୍ଥାନକୁ ଖସିଲା

ନୂଆଦିଲ୍ଲୀ: ଭାରତରେ ଦୁର୍ନୀତି ବଢ଼ିଛି। ଟ୍ରାନ୍ସପରେନ୍ସି ଇଣ୍ଟରନ୍ୟାସନାଲ ପକ୍ଷରୁ ପ୍ରସ୍ତୁତ ରିପୋର୍ଟରୁ ଏହା ଜଣାଯାଇଛି। ୧୮୦ଟି ଦେଶକୁ ନେଇ ପ୍ରସ୍ତୁତ ହୋଇଥିବା ଦୁର୍ନୀତି ରିପୋର୍ଟରେ ଭାରତ ୨୦୨୩ରେ ୯୩ତମ ସ୍ଥାନରେ ରହିଛି। ୨୦୨୨ରେ ଭାରତ ଉକ୍ତ ତାଲିକାର ୮୫ତମ ସ୍ଥାନରେ ରହିଥିଲା।
ଉଲ୍ଲେଖଯୋଗ୍ୟ, ଏହି ତାଲିକାର ୧ ନମ୍ବର ସ୍ଥାନରେ ଥିବା ଦେଶରେ ସବୁଠୁ କମ୍‌ ଦୁର୍ନୀତି ଏବଂ ୧୮୦ ନମ୍ବର ସ୍ଥାନରେ ଥିବା ଦେଶରେ ସବୁଠୁ ଅଧିକ ଦୁର୍ନୀତି ହୋଇଥିବା ବିବେଚନା କରାଯାଏ।

ଉକ୍ତ ରିପୋର୍ଟ ଅନୁଯାୟୀ ଚୀନ ତାଲିକାର ୭୬ତମ ସ୍ଥାନରେ ଥିାବବେଳେ ପାକିସ୍ତାନ ୧୩୩ ନମ୍ବର ସ୍ଥାନରେ ରହିଛି। ଅନ୍ୟପକ୍ଷରେ ଡେନମାର୍କ ୧ ନମ୍ବର ସ୍ଥାନରେ ରହି ସବୁଠୁ କମ୍‌ ଦୁର୍ନୀତିଗ୍ରସ୍ତ ରାଷ୍ଟ୍ରର ମାନ୍ୟତା ପାଇଥିବାବେଳେ ସୋମାଲିଆ ୧୮୦ତମ ସ୍ଥାନରେ ରହିଛି ସବୁଠୁ ଅଧିକ ଦୁର୍ନୀତି ଗ୍ରସ୍ତ ରାଷ୍ଟ୍ରର ମାନ୍ୟତା ପାଇଛି। ଏହି ଅନୁଧ୍ୟାନରେ ଭାରତକୁ ୩୯ ସ୍କୋର ମିଳିଛି। ୨୦୨୨ରେ ଉକ୍ତ ସ୍କୋର ୪୦ ରହିଥିଲା। ଉଲ୍ଲେଖଯୋଗ୍ୟ ଯେଉଁ ଦେଶରେ ଯେତେ ଅଧିକ ଦୁର୍ନୀତି ସେହି ରାଷ୍ଟ୍ରର ସ୍କୋର ସେତେ କମ୍‌। ବିଶ୍ବର ପ୍ରମୁଖ ଦେଶଗୁଡ଼ିକ ମଧ୍ୟରେ ଆମେରିକା ଏହି ତାଲିକାର ୨୪ତମ, ବ୍ରିଟେନ ୨୦ତମ, ଫ୍ରାନ୍ସ ୨୦ତମ, ଜର୍ମାନୀ ୯ମ ଏବଂ ରୁଷ୍‌ ୧୪୧ତମ ସ୍ଥାନରେ ରହିଛି। କମ୍‌ ଦୁର୍ନୀତିଗ୍ରସ୍ତ ଦେଶଗୁଡ଼ିକ ମଧ୍ୟରେ ଡେନମାର୍କ ଶୀର୍ଷରେ ଥିବାବେଳେ ଏହା ପଛକୁ ଫିନଲ୍ୟାଣ୍ଡ ଦ୍ବିତୀୟ, ନ୍ୟୁଜିଲାଣ୍ଡ ତୃତୀୟ, ନରୱେ ଚତୁର୍ଥ, ସିଙ୍ଗାପୁର ୫ମ, ସ୍ବିଡେନ ଷଷ୍ଠ ସ୍ଥାନରେ ରହିଛନ୍ତି। ଏନଡିଏ ସରକାର ଅମଳରେ ୨୦୧୫ରେ ଭାରତର ସ୍ଥିତି ଭଲ ଥିଲା। ସେହିବର୍ଷ ଭାରତ ୭୬ତମ ସ୍ଥାନରେ ଥିଲା।

ସମ୍ବନ୍ଧିତ ଖବର