ବିଚାରବିଭାଗୀୟ ହାଜତକୁ ଗଲେ କନିଷ୍ଠ ଯନ୍ତ୍ରୀ

ଜୟପୁର: ଆୟ ବର୍ହିଭୁତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନସ୍ ହାତରେ ମଙ୍ଗଳବାର ମାଲକାନଗିରି ଜଳସେଚନ ବିଭାଗ  ନିର୍ବାହୀ ଯନ୍ତ୍ରୀ କାଡାର କନିଷ୍ଠ ଯନ୍ତ୍ରୀ ସଂଜୟ ମହାନ୍ତି ଧରା ପଡ଼ିଥିଲେ। ତାଙ୍କ ଠାରେ ଭିଜିଲାନସ୍ ୨କୋଟି ୪୫ଲକ୍ଷ ୯୩ହଜାର ୫୭୬ଟଙ୍କାର ସଂପତ୍ତି ଜବତ କରିଥିଲା। ବୁଧବାର ରାତି ସାଢ଼େ ଦଶଟାରେ ଜୟପୁର ସ୍ବତନ୍ତ୍ର ଭିଜିଲାନସ୍ ଜଜ କୋର୍ଟକୁ ଚାଲାଣ କରାଯାଇଥିଲା। କୋର୍ଟ ଅଭିଯୁକ୍ତ କନିଷ୍ଠ ଯନ୍ତ୍ରୀଙ୍କୁ ବିଚାରବିଭାଗୀୟ ହାଜତ ଜୟପୁର ସ୍ବତନ୍ତ୍ର କାରାଗାରକୁ ପଠାଇଥିବା ସୂଚନା ମିଳିଛି। ଅଭିଯୁକ୍ତ ଆସନ୍ତା ୧୩ତାରିଖ ପର୍ଯ୍ୟନ୍ତ ବିଚାରବିଭାଗୀୟ ହାଜତରେ ରହିବେ ବୋଲି ସୂଚନା ମିଳିଛି।

ସୂଚନା ଅନୁଯାୟୀ,  ମଙ୍ଗଳବାର କୋର୍ଟର ସର୍ଚ୍ଚ ୱାରେଣ୍ଟ ବଳରେ ୭ଟି ସ୍ଥାନରେ ଚଢ଼ାଉ କରି ଯାଂଚ କରିଥିଲେ। ଏଥିରେ  ୨କୋଟି ୪୫ଲକ୍ଷ ୯୩ହଜାର ୫୭୬ଟଙ୍କାର ସଂପତ୍ତି ଜବତ କରିଛି ଭିଜିଲାନସ୍। ପୁଣି ଅଭିଯୁକ୍ତ ଯନ୍ତ୍ରୀଙ୍କ ବିଭିନ୍ନ ବ୍ୟାଙ୍କ, ଡାକଘରର ପାସବୁକ ଆଦି ଜମାର ଯାଂଚ ଜାରୀ ରହିଥିବା କହିଛନ୍ତି ଜୟପୁର ଭିଜିଲାନସ୍ ଏସପି ପ୍ରଦ୍ୟୁମ୍ନ କୁମାର ଦ୍ବିବେଦୀ।

ମାଲାକାନଗିରି ଜଳସେଚନ ବିଭାଗ (କମାଣ୍ଡ ଏରିଆ ଡେଭଲପମେଣ୍ଟ)କାଡା ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟର କନିଷ୍ଠ ଯନ୍ତ୍ରୀ ସଂଜୟ ମହାନ୍ତିଙ୍କ ନାଁରେ ଜୟପୁର ଭିଜିଲାସନ୍ ନିକଟରେ ଆୟବର୍ହିଭୁତ ସଂପତ୍ତି ଠୁଳ କରିଥିବା ଅଭିଯୋଗ ହୋଇଥିଲା। ଏହି ଅଭିଯୋଗକୁ ଭିତ୍ତିକରି ଜୟପୁର ସ୍ବତନ୍ତ୍ର ଭିଜିଲାନସ୍ ଜଜ କୋର୍ଟ ଠାରୁ ସର୍ଚ୍ଚ ୱାରେଣ୍ଟ ନେଇ ୭ଟି ସ୍ଥାନରେ ଚଢ଼ାଉ କରିଥିଲେ। ଜଳେଶ୍ବରର ଦେଉଳିପଂଚଘୁଣ୍ଟାସ୍ଥିତ ତିନି ମହଲା ଘର, ଭୁବନେଶ୍ବର ରଘୁନାଥପୁର ପ୍ଲଟ, ମାଲାକାନଗିରିସ୍ଥିତ କାଡ଼ା କାର୍ଯ୍ୟାଳୟ ଓ ଭଡାରେ ରହୁଥିବା ବାସଭବନ, ଭଡ଼ା ମାଲିକଙ୍କ ଘର, ଭୁବନେଶ୍ବର ପୋଖରୀପୁଟ ସଂପର୍କୀୟଙ୍କ ଘର, ଜଳେଶ୍ବର ପାଇକସିଦାସ୍ଥ ବାସଭବନ। ସ୍ଥାବର ସଂପତ୍ତି ୩୬ଲକ୍ଷରୁ ଉର୍ଦ୍ଧ୍ବ ରହିଥିବା ବେଳେ ଅସ୍ଥାବର ୨କୋଟି ୯ଲକ୍ଷ ୬୬ହଜାର ୩୬୬ଟଙ୍କା ଏଭଳି ୨କୋଟି ୪୫ଲକ୍ଷ ୯୩ହଜାର ୫୭୬ଟଙ୍କା ରହିଥିବା ସୂଚନା ମିଳିଛି।

 

ସମ୍ବନ୍ଧିତ ଖବର