ସମ୍ବଲପୁର: ମହାନଦୀର ମଝିରେ ୨ ଦିନ ଯାଏଁ ଫସିଗଲେ ୩୮ ମାଙ୍କଡ଼

ଐତିହାସିକ ହୁମାସ୍ଥିତ ବିମଳେଶ୍ୱର ମନ୍ଦିର ଘାଟରେ ବିରଳ ଦୃଶ୍ୟ

ହୁମା (ସମ୍ବଲପୁର): ମହାନଦୀର ମଝିରେ ୨ ଦିନ ଯାଏଁ ୩୮ଟି ମାଙ୍କଡ଼ ଫସିଛନ୍ତି। ସମ୍ବଲପୁର ଜିଲ୍ଲାର ଐତିହାସିକ ହୁମା ମନ୍ଦିର ଠାରୁ ମାତ୍ର ୨୦୦ ମିଟର ଦୂରରେ ଏହି ଅଭାବନୀୟ ଦୃଶ୍ୟ ଶୁକ୍ରବାର ସକାଳୁ ଦେଖିବାକୁ ମିଳିଛି। ସ୍ଥାନୀୟ ଲୋକଙ୍କର କହିବା ଅନୁସାରେ ବୁଧବାର ହୁମାସ୍ଥିତ ବିମଳେଶ୍ୱର ମନ୍ଦିର ଘାଟରେ କମ୍‌ ପାଣି ଥିବାରୁ ବଡ଼ ବଡ଼ ପଥର ଗୁଡ଼ିକ ଦେଖାଯାଉଥିଲା।

ମାଙ୍କଡ଼ମାନେ ଖାଦ୍ୟ ଖୋଜିବାକୁ ଯାଇ ଗୋଟିଏ ପଥରରୁ ଅନ୍ୟ ପଥରକୁ ଡେଇଁ ଡେଇଁ ଆରପଟକୁ ଚାଲି ଯାଇଥିଲେ। ହୁମା ଘାଟରେ ପ୍ରାୟ ୧୦୦ ମିଟର ଦୂରରେ ବଡ଼ ଉଚ୍ଚସ୍ଥାନ ଥିବାରୁ ମାଙ୍କଡ଼ମାନେ ବୁଲାବୁଲି କରୁଥିବା ଗୁରୁବାର କିଛି ଲୋକ ଦେଖିଥିଲେ। ମାଙ୍କଡମାନେ ସେପଟରୁ ସ୍ଥଳ ଭାଗକୁ ଆସିବାକୁ ଉଦ୍ୟମ କରିଥିଲେ ମଧ୍ୟ ବିଫଳ ହୋଇଥିଲେ। କାରଣ ଯେଉଁ ପଥର ଗୁଡ଼ିକ ଦେଇ ସେମାନେ ଆରପାଟକୁ ଯାଇଥିଲେ, ସେଗୁଡ଼ିକ ଗୁରୁବାର ବେଳକୁ ପାଣିର ସୁଅରେ ବୁଡ଼ି ଯାଇଥିଲା।

ମନ୍ଦିର ଟ୍ରଷ୍ଟ ସ୍ଥାନୀୟ ବନ ବିଭାଗ ଓ ଯୁବକଙ୍କ ସହାୟତାରେ ଆଜି ମାଙ୍କଡ଼ମାନଙ୍କୁ ଉଦ୍ଧାର କରିଛି। ସେମାନଙ୍କୁ ଉଦ୍ଧାର କରିବା ପାଇଁ ପାଣିରେ ୨ଟି ଡଙ୍ଗାକୁ ଧାଡ଼ିରେ ରଖାଯାଇଥିଲା। ଏହା ପରେ ଡଙ୍ଗା ଉପରେ ବିସ୍କୁଟ ପ୍ୟାକେଟ ରଖାଯାଇଥିଲା। ଦୁଇ ଦିନ ହେବ ଭୋକ ବିକଳରେ ଥିବା ମାଙ୍କଡମାନେ ବିସ୍କୁଟ ଖାଇବା ନିଶାରେ ଡେଇଁ ଡେଇଁ ସ୍ଥଳ ଭାଗକୁ ପହଂଚି ଯାଇଛନ୍ତି।

ମାଙ୍କଡ଼ଙ୍କ ଉଦ୍ଧାର କାମରେ ବନ ବିଭାଗର ଫରେଷ୍ଟର ସତ୍ୟନାରାୟଣ କାଲୋ, ବନରକ୍ଷୀ ଯାଦବ ମେହେର, ନାଉରିଆ ସରୋଜ ପାଣ୍ଡେ, ସ୍ଥାନୀୟ ସରପଞ୍ଚ ସୁଜିତ ସାହୁ, ସ୍ଥାନୀୟ ଯୁବକ ରାମ ଷଡଙ୍ଗୀ, ତ୍ରିଲୋଚନ ମେହେର, ବଳରାମ ବାଘ ଓ ରବୀନ୍ଦୟ ବେହେରା ସକାଳ ୮ଟାରୁ ଆରମ୍ଭ ହୋଇଥିବା ମିଶନରେ ଯୋଗ ଦେଇଥିଲେ। ପ୍ରାୟ ୨ ଘଣ୍ଟା ପରେ ମାଙ୍କଡମାନେ ସ୍ଥଳ ଭାଗକୁ ଆସିଥିଲେ।

ସମ୍ବନ୍ଧିତ ଖବର