ବସ ଓ ମୋବାଇଲ ଟାୱାରକୁ ନିଆଁ ଲଗାଇ ପୋଡିଲେ ନକ୍ସଲ 

ମାଲକାନଗିରି: ପୁଣି ମାଲକାନଗିରି ସୀମାନ୍ତ ଛତିଶଗଡ଼ର କାଂକେର ଜିଲ୍ଲାରେ ନକ୍ସଲ ହିଂସା ଦେଖିବାକୁ ମିଳିଛି। ଗତକାଲି ବିଳମ୍ବିତ ରାତିରେ କୋଇଲବଡ଼ି ଗ୍ରାମରେ ସଶସ୍ତ୍ର ନକ୍ସଲ ପହଞ୍ଚି ଛିଡ଼ା ହୋଇଥିବା ଏକ ଯାତ୍ରୀବାହୀ ବସକୁ ନିଆଁ ଲଗାଇ ପୋଡି ଦେଇଥିଲେ।ବସରେ ବସିଥିବା ଡ୍ରାଇଭର ଏବଂ କଣ୍ଡକ୍ଟରକୁ ଓହ୍ଲାଇ ସେଠାରୁ ଚାଲିଯିବାକୁ କହିଥିଲେ। ସେଠାରେ ପୋଷ୍ଟର ବି ଛାଡିଥିଲେ। ଏହି ପୋଷ୍ଟରରେ କୋଣ୍ଡାଗାଓଁ, ନାରାୟଣପୁର ଏବଂ କାଂକେର ଜିଲ୍ଲାକୁ ଆସନ୍ତା ୨୨ ତାରିଖ ଦିନ ବନ୍ଦ କରିବାକୁ ଆହ୍ବାନ ଦେଇଛନ୍ତି।

କମ୍ରେଡ ଯୋଗେସ ଏବଂ ଦର୍ଶନକୁ ପୁଲିସ ମିଥ୍ୟା ଏନକାଉଣ୍ଟର କରି ମାରିଥିବା ପ୍ରତିବାଦରେ ଏହି ବନ୍ଦ ଡାକରା ଦିଆଯାଇଥିବା ଜଣାପଡିଛି। ପୋଷ୍ଟରରେ ପୁଣି ଉଲ୍ଲେଖ ରହିଛି ଯେ ଏହି ଦୁଇ ଅମର ସହିଦଙ୍କ ସମସ୍ତ ଅଧୁରା ସ୍ବପ୍ନକୁ ପୂରଣ କରିବା। ସରକାରଙ୍କ ସମାଧାନ ଓ ପ୍ରହାର-୩କୁ ପ୍ରତିହତ କରିବା। ଏହାପରେ ପଖାଞ୍ଜୁର ଥାନା ଅନ୍ତର୍ଗତ ପିଭି-୪୫ ଗ୍ରାମରେ ଥିବା ଜିଓ ଟାୱାରକୁ ମଧ୍ୟ ନିଆଁ ଲଗାଇ ପୋଡି ଦେଇଥିଲେ। ଏହି ଘଟଣା ପରେ ସେହି ଅଂଚଳରେ ଲୋକେ ଆତଙ୍କିତ ହୋଇପଡିଛନ୍ତି।

ସମ୍ବନ୍ଧିତ ଖବର