ଆସୁଛି ଦୀପାବଳି, ନାହିଁ ମାଟି ଦୀପର ଚାହିଦା

ଜୟପୁର: ଆଲୋକର ପର୍ବ ଦୀପାବଳି ଆସୁଛି। ନିଜ ପରିବାରର ବଢ଼ ବଢ଼ୁଆ, ମା’ ଲକ୍ଷ୍ମୀ, ମା’ କାଳୀଙ୍କ ଉଦେଶ୍ୟରେ ଲୋକେ ଦୀପ ଲଗାଇ ଅମବାସ୍ୟା ଅନ୍ଧାରକୁ ଆଲୋକିତ କରିବେ। ତେବେ ଏହି ବର୍ଷ ମାଟି ଦୀପର ଚାହିଦା ସେତେଟା ନଥିବା କହିଛନ୍ତି ଜୟପୁର ବ୍ଲକ କୁମ୍ଭାରପୁଟ ଗାଁର ପଦ୍ମା କୁମ୍ଭାର, ବାସନ୍ତି କୁମ୍ଭାର ଓ ବୈଦି କୁମ୍ଭାର। ଗତ ତିନିଦିନ ହେବ ସେମାନେ ଦୀପ ନେଇ ଜୟପୁର ବଜାରକୁ ଏହି ଗାଁର ୪୦ଟି ପରିବାର ଆସୁଥିଲେ ହେଁ ଆଶାନୁରୂପ ବ୍ୟବସାୟ ହେଉନି। କରୋନା କଟକଣା ହଟିବାର ଦୁଇବର୍ଷ ପରେ ଏବର୍ଷ ସ୍ଥାନୀୟ କୁମ୍ଭାରପୁଟର କୁମ୍ଭାର ସଂପ୍ରଦାୟର ମହିଳା, ପୁରୁଷଙ୍କ ଠାରୁ ଆରମ୍ଭ କରି ପୁରା ପରିବାର ଗତଦୁଇ ବର୍ଷରେ ବିକ୍ରି କରି ପାରିନଥିବା ଦୀପ ବିକ୍ରି କରିବାକୁ ଲକ୍ଷ୍ୟ ରଖିଥିଲେ।

Sambad

ଗତ ୪ମାସ ହେବ ଗାଁରୁ ବହୁ ଦୁରକୁ ଯାଇ ମାଟି ସଂଗ୍ରହ କରି ଭଳିକି ଭଳି ଏକ ଟଙ୍କାର ଦୀପ ଠାରୁ ଆରମ୍ଭ କରି ୨୦ଟଙ୍କା ପର୍ଯ୍ୟନ୍ତ ବିଭିନ୍ନ ଆକାରର ଦୀପ ତିଆରି କରିଥିଲେ। ଯେଉଁ ଅନୁରୁପ ବିକ୍ରି କରିବା ଆଶା ଏମାନେ ରଖିଥିଲେ ତାହା ନିରାଶରେ ପାଲଟିଥିବା କହିଛନ୍ତି ରଘୁନାଥ କୁମ୍ଭାର, ଶ୍ୟାମ କୁମ୍ଭାର। ବଜାରରେ ଚାଇନା ଦୀପ ଓ ମହମବତୀ ‌ଲୋକେ କିଣି ନେବା ସହ ଅନଲାଇନରେ ବି ବରାଦି ଦେଉଥିବା ଦେଖିବାକୁ ମିଳିଛି। ଏଭଳି ହେଲେ ଏମାନଙ୍କର ବୃତ୍ତିଗତ୍ତ ତଥା କୂଳବେଉସା ବୁଢ଼ିଯିବ ଏବଂ ସମ୍ପ୍ରଦାୟ, ପରମ୍ପରା ହଜିଯିବ। ତେ‌ଣୁ ଲୋକେ ଦୀପାବଳିରେ ମାଟି ଦୀପ ଲଗାଇବା ସହ ସ୍ଥାନୀୟ କୁମ୍ଭକାରଙ୍କ ନିକଟରୁ କିଣିବାକୁ ଅନୁରୋଧ କରିଛନ୍ତି ସ୍ବେଚ୍ଛାସେବୀ ସତୀଶ ନନ୍ଦ, ମୋନାଲିସା ନନ୍ଦ, ନିଖିଲ ସାହୁ, ଧର୍ମେନ୍ଦ୍ର ଅଧିକାରୀ, ନିଶାନ୍ ପଟ୍ଟନାୟକ, ସତ୍ୟ ହୋତା।

ସମ୍ବନ୍ଧିତ ଖବର