କଖାରୁ କିଆରିକୁ ଯାଇଥିଲେ ଚାଷୀ, ବଜ୍ରାଘାତରେ ଜଣେ ମୃତ

ଗୁହାଳେ ଗାଇ ମୃତ ଏବଂ ୨ ଖଣ୍ଡ ହୋଇଗଲା ନଡ଼ିଆ ଗଛ

ବାଲିପାଟଣା: ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକରେ ଆଜି ବଜ୍ରପାତରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଗୁଆପୁର ପଞ୍ଚାୟତ କୁଞ୍ଚୁପଦା ଗ୍ରାମର ରଞ୍ଜନ ସେନାପତି (୫୦)ଙ୍କ ଆଜି ବଜ୍ରାଘାତରେ ମୃତ୍ୟୁ ହୋଇଛି । ରଞ୍ଜନ କଖାରୁ କିଆରିକୁ କାମ କରିବାକୁ ଯାଇଥିଲେ ।  ଅପରାହ୍ନ ସାଢେ ୩ଟା ବେଳେ ହଠାତ ବଜ୍ରପାତରେ ରଞ୍ଜନ ସେହି କିଆରୀରେ ଟଳି ପଡିଥିଲେ । ଖବର ପାଇ ସେଠାରୁ ଉଦ୍ଧାର କରି ତାଙ୍କୁ ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । ହେଲେ ଚିକିତ୍ସା ଦାୟିତ୍ୱ ରେ ଥିବା ଡାକ୍ତର ମୃତ ଘୋଷଣା କରିଥିଲେ । ବଜ୍ରାଘାତର ପ୍ରଭାବରେ ରଞ୍ଜନଙ୍କ କାନ ମୁଣ୍ଡାରୁ ରକ୍ତ ବାହାରି ଯାଇଛି । ୧୦୮ ଆମ୍ବୁଲାନ୍ସ ଯୋଗେ ବ୍ୟବଛେଦ ପାଇଁ କ୍ୟାପିଟାଲ ହସ୍ପିଟାକୁ ନିଆଯାଇଛି । ସେ ଜଣେ ଚାଷୀ । ପରିବାର କହିଲେ ପତ୍ନୀ ଓ ତାଙ୍କର ଏକମାତ୍ର ପୁଅ । ଚାଷରୁ ଯାହା ରୋଜଗାର ହୁଏ ସେଥିରେ ୩ ପ୍ରାଣୀ କୁଟୁମ୍ବ ଚଳନ୍ତି । ଉକ୍ତ ପରିବାରକୁ ସରକାରୀ କ୍ଷତି ପୂରଣ ଯୋଗାଇ ଦେବାକୁ ସାଧାରଣରେ ଦାବି ହେଉଛି ।

ସେହିପରି କୁରୁଞ୍ଜିପୁର ପଞ୍ଚାୟତ ବଦଳା ପଚିଶଖଣ୍ଡ ଗ୍ରାମର ହେମନ୍ତ ନାୟକଙ୍କ ନଡ଼ିଆ ଗଛରେ ବଜ୍ରପାତ ହୋଇଥିଲା। ଫଳରେ ଗଛ ଟି ୨ ଗଡ଼ ହୋଇ ଯାଇଥିଲା ଏବଂ ତାଙ୍କ ଗୁହାଳେ ଥିବା ଗୋଟିଏ ଦୁହାଁଳିଆ ଗାଇର ମଧ୍ୟ ମୃତ୍ୟୁ ହୋଇଛି । ଗାଈଟିର ମୂଲ୍ୟ ୪୦ହଜାର ଟଙ୍କାରୁ ଉର୍ଦ୍ଧ ହେବ ବୋଲି ଜଣାପଡିଛି  । ବଜ୍ରପାତରେ କ୍ଷତିଗ୍ରସ୍ତ ଉଭୟ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ବିଭିନ୍ନ ମହଲରୁ ଦାବି ହେଉଛି  ।ଅପରପକ୍ଷରେ ରାଜସ୍ୱ ନିରୀକ୍ଷକଙ୍କ ଦ୍ୱାରା ଆସନ୍ତା କାଲି କ୍ଷୟକ୍ଷତି ର ଆକଳନ ହେବ ବୋଲି ବାଲିପାଟଣା ତହସିଲଦାର ସୁନିତା ଜେନା ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର