ତେଜିଲା ଅସନ୍ତୋଷ; ତହସିଲ, ବ୍ଳକ ଅଫିସରେ ଧାନ ପୁରାଇଲେ ଚାଷୀ

ଅତାବିରା: ବହୁ ଚାଷୀଙ୍କ ଟୋକନ ଆସିଲା ନାହିଁ। ଠିକ ସମୟରେ ଟାର୍ଗେଟ, ମିଲରଙ୍କ ଟେକ୍ ନ ଦେବାରୁ ପ୍ରଶାସନିକ ଅବହେଳା ଯୋଗୁଁ ବହୁ ଚାଷୀଙ୍କ ଟୋକନ ଉଡ଼ିଗଲା, ଧାନ ବିକି ପାରିଲେ ନାହିଁ। ଅଦିନିଆ ବର୍ଷାରେ ଚାଷୀ ଠିକ୍ ସମୟରେ ଫସଲ ଅମଳ କରି ନ ପାରିବାରୁ ଟୋକନ ଉଡ଼ିଗଲା। ଟୋକନ ପୁନଃ ସୃଷ୍ଟି ହେବ ବୋଲି ପ୍ରତିଶ୍ରୁତି ଦେଲେ, ହେଲେ ଆଜି ରବି ଧାନ ସଂଗ୍ରହର ଅନ୍ତିମ ଦିବସର ମଧ୍ୟ ଟୋକନର ଦେଖା ଦର୍ଶନ ନାହିଁ। ମଣ୍ଡିମାନଙ୍କରେ, ଚାଷୀଙ୍କ ଘରେ ହଜାର ହଜାର ବସ୍ତା ପଡ଼ି ରହିଛି। ଚାଷୀ ଧାନ ନ ବିକି ଥିବାରୁ ହାତରେ ଟଙ୍କାଟିଏ ନାହିଁ। ଏପରିସ୍ଥଳେ ଆଗାମୀ ଖରଫ ଫସଲ କିପରି କରିବ। ଚାଷୀମାନେ ଶେଷରେ ବୁଧବାର ତହସିଲ ଓ ବ୍ଳକ ଅଫିସରେ ଧାନ ପୁରାଇ ନିଜ ରୋଶ ପ୍ରକାଶ କରିଛନ୍ତି।

ଚାଷୀଙ୍କ ଧାନ ବିକ୍ରି ନ ହେବା ପର୍ଯ୍ୟନ୍ତ ତହସିଲ, ବ୍ଳକ ଅଫିସ  ବନ୍ଦ କରି ସରକାରୀ କଳ ଅଚଳ କରାଯିବ ବୋଲି ଚେତାବନୀ ଦିଆଯାଇଛି। ବୁଧବାର ପୂର୍ବାହ୍ଣରେ ସ୍ଥାନୀୟ ମାର୍କେଟ ୟାର୍ଡରୁ ଓଡ଼ିଶା ରାଜ୍ୟ କୃଷକ ସଂଗଠନ ଅତାବିରା ବ୍ଳକ ଶାଖାର ନେତୃତ୍ବରେ ଚାଷୀମାନେ ଦୁଇଟି ଧାନ ବୋଝେଇ ଟ୍ରାକ୍ଟର ସହ  ଶୋଭାଯାତ୍ରାରେ ଆସି ପ୍ରଥମେ ତହସିଲ ଅଫିସ ଆସିଥିଲେ। ତହସିଲ ଅଫିସର ସମସ୍ତ କର୍ମଚାରୀଙ୍କ କାର୍ଯ୍ୟାଳୟରୁ ବାହାରି ଯିବାକୁ ଚାଷୀମାନେ ଅନୁରୋଧ କରିଥିଲେ।

ଅଫିସ ଭିତରେ ଗୋଟିଏ ଟ୍ରିପ୍ ଧାନ ପକାଇ ଗେଟ ବାହାର ପଟୁ ତାଲା ପକାଇ ଦେଇଥିଲେ। ପରେ ବ୍ଳକ ଅଫିସକୁ ଯାଇ ଅନୁରୂପ ଭାବେ ଆଉ ଏକ ଧାନ ଟ୍ରାକ୍ଟର ଟ୍ରିପ ପକାଇ ବାହାର ପଟୁ ତାଲା ଦେଇଥିଲେ। ଚାଷୀ ଆନ୍ଦୋଳନକୁ ଅତାବିରା ଓକିଲ ସଂଘ ସମର୍ଥନ କରିଥିଲେ। ବ୍ଳକ ଅଫିସରେ ଧାନ ପକାଇବା ବେଳେ ବରିଷ୍ଠ ଓକିଲ ତଥା ବଡ଼ ଚାଷୀ ବିରେନ୍ଦ୍ର ବାଂକା ଧାନ ବସ୍ତା ବୋହି ବ୍ଳକ ଅଫିସ ପରିସରରେ ପକାଇଥିଲେ। କୃଷକ ସଂଗଠନ ବ୍ଳକ ସଭାପତି ବିରେନ୍ଦ୍ର କରଙ୍କ ନେତୃତ୍ବରେ ଭୀଷ୍ମଦେବ ପଣ୍ଡା, କସ୍ତୁଭ ପ୍ରଧାନ, ସଂପାଦକ ସୁବାଷ ବିଶ୍ବାଲ, ସୀତାରାମ ସାହୁ, ଟିକେଲାଲ ମିଶ୍ର, ସୁରେନ୍ଦ୍ର ସ୍ବାଇଁ, ସୁରେଶ କର୍ଣ୍ଣ, ଅରୁଣ ପ୍ରଧାନ, ଅମୂଲ୍ୟ ସ୍ବାଇଁ, ଦଶରଥ ଭୋଇ ସମେତ ବ୍ଳକର ବିଭିନ୍ନ ଅଂଚଳରୁ ଆସିଥିବା ବହୁ ଚାଷୀ ସାମିଲ ଥିଲେ।

ଚାଷୀଙ୍କ ମୁହଁରୁ:-

ନନ୍ଦିଘୋଷ ପ୍ରଧାନ, ପରମାଣପୁର- ନିଜ ଶ୍ବଶୁର ଗୋକୁଳ ଭୋଇଙ୍କ ଏ.୬.୪୫ ଜମି ଅଛି। ମୁଁ ନିଜେ ମାଲଗୁଜାରୀ ଦେଇ, ସମବାୟ ସମିତିରୁ କୃଷି ଋଣ ଗତ ୨୦ ବର୍ଷ ହେଲା ଆଣୁଛି। ଚଳିତ ଥର ଚାଷୀ ପଂଜୀକରଣ ସମୟରେ ଅସୁବିଧା ହେବ କହି ଭାଗଚାଷୀ ଭାବେ ଆବେଦନ କରିବାକୁ କହିଥିଲେ। ଭାଗଚାଷୀ ଆବେଦନ କଲି। କିନ୍ତୁ ଟୋକନ ଆସିଲା ନାହିଁ। ଏତେ ଧାନ କେଉଁଠି ବିକିବି ବୋଲି ପ୍ରଶ୍ନ କରିଛନ୍ତି।

ଯୋଗେଶ୍ବର ଭୋଇ, କାଣ୍ଡପାଲି- ମୋର ଦେଢ଼ ଏକର ଜମିର ଟୋକନ ଗତ ମେ‘ ୮ ତାରିଖ ଏବଂ ମୋ’ ବାପାଙ୍କ ଏ.୫.୫୯ ଡ଼ିସିମିଲ ଜମି ଟୋକନ ମେ’ ୯ ତାରିଖ ଆସିଥିଲା।   ଅଦିନିଆ ବର୍ଷା ଯୋଗୁଁ ଠିକ୍ ସମୟରେ ଧାନ ଅମଳ କରିପାରିଲେ ନାହିଁ ଓ ଟୋକନ ଉଡ଼ିଗଲା। ଟୋକନ ଥିଲା ବେଳେ ଧାନ ନ ଥିଲା। ଧାନ ହେଲା ବେଳେ ଟୋକନ ନାହିଁ।

ପି ପ୍ରଭାକର ରାଓ, ଜହ୍ନାପଡ଼ା ଆନ୍ଧ୍ରପଡ଼ା– ମୋର ପତ୍ନୀ ପି ବୁଲ୍ଲିଆମାଙ୍କ ଏ ୯.୯୦ ଡ଼ିସିଲ ଜମି ଅଛି। ଚାଷୀ ପଂଜୀକରଣ ହୋଇଛି, ହେଲେ ପିସିସି କୋଡ଼(କ୍ରୟ କେନ୍ଦ୍ର କୋଡ) ସ୍ଥାନରେ କିଛି ଲେଖା ହୋଇ ନଥିବାରୁ ଟୋକନ ଆସି ନାହିଁ। ଏତେ ଧାନ କେଉଁଠି ରଖିବି, କାହାକୁ ବିକିବି ବୋଲି ନିରାଶ ହୋଇଯାଇଛନ୍ତି।

ନବ କିଶୋର ପ୍ରଧାନ, ପାହାଡ଼ଶ୍ରୀଗିଡ଼ା- ମୋର ଦେଢ଼ ଏକର ଜମିର ଟୋକନ ଗତ ମେ’ ୫ ତାରିଖ ଆସିଥିଲା। ମତେ କରୋନା ହେବାରୁ ଗୃହ ସଂଗରୋଧରେ ଥିଲେ। ଗୃହ ସଂଗରୋଧ ସରିଲା ପରେ ଟୋକନ ଉଡ଼ିଯାଇଛି।

ମାଧବ ବାରିକ, ଜହ୍ନାପଡ଼ା- ସାଢ଼େ ୭ ଏକର ଜମି ଅଛି। ଚାଷୀ ପଂଜୀକରଣ କରିଥିଲି। ହେଲେ ଟୋକନ ଆସିଲା ନାହିଁ। ଘରେ ଶହ ଶହ ପାକେଟ ଧାନ ଅଛି। ହାତରେ ଟଙ୍କାଟିଏ ନାହିଁ। ଧାନ ବିକ୍ରି ନ ହେଲେ ଉଧାର, ଋଣ କିପରି ପରିଶୋଧ କରିବି। ଆଗକୁ କିପରି ଚାଷ କରିବି ବୋଲି ହାତାଶ ହୋଇ କାନ୍ଦ କାନ୍ଦ ହୋଇ ଯାଇଥିଲେ।

ସୁବାଷ ବିଶ୍ବାଲ, ସଂପାଦକ, ଓଡ଼ିଶା ରାଜ୍ୟ କୃଷକ ସଂଗଠନ, ଅତାବିରା- ପଂଜୀକରଣ ସମୟରୁ ଧାନ ସଂଗ୍ରହ ସମୟରେ ଟୋକନ ସମସ୍ୟା, ଟାର୍ଗେଟ ଆଦିକୁ ନେଇ ଜିଲ୍ଲାପାଳଙ୍କଠୁ ଆରମ୍ଭ କରି ସଚିବ ପର୍ଯ୍ୟନ୍ତ ଦୃଷ୍ଟି ଆକର୍ଷଣ କରିଆସିଛୁ। କିନ୍ତୁ ବହୁ ଚାଷୀଙ୍କ ଟୋକନ ଆସିଲା ନାହି, ବହୁ ଚାଷୀ ଟୋକନ ଉଡ଼ିଗଲା। କୌଣସି ଫଳାଫଳ ନ ଆସିବାରୁ ଶେଷରେ ଅଫିସମାନଙ୍କରେ ଧାନ ପକାଇବାକୁ ବାଧ୍ୟ ହେଲୁ।

ସମ୍ବନ୍ଧିତ ଖବର