ସରିଲା ଧାନ ବିକ୍ରି ନାମ ପଞ୍ଜୀକରଣ, ସାଟେଲାଇଟ୍‌ ସର୍ଭେକୁ ଡର; କମିଲେ ଚାଷୀ

କେନ୍ଦ୍ରାପଡ଼ା: ଗତବର୍ଷ ୪୦ହଜାର ୫୯୭ ଚାଷୀ ନାଁ ପଂଜୀକରଣ କରିଥିଲେ। ସେମାନଙ୍କ ମଧ୍ୟରୁ ୬୬ପ୍ରତିଶତ ଚାଷୀ ମଣ୍ଡିରେ ଧାନ ବିକିଥିଲେ। କିନ୍ତୁ ଏଥର ଖସିଗଲା ଚାଷୀଙ୍କ ସଂଖ୍ୟା। ଜିଲ୍ଲାର ଯେତିକି ଚାଷୀଙ୍କ ନାଁ ଏଥର ଧାନ ବିକିବା ପାଇଁ ପଂଜୀକୃତ ହୋଇଛି, ତାହା ଗତବର୍ଷ ତୁଳନାରେ ୧୨ଶହ କମ୍। ସଂଖ୍ୟା କମିବା ପଛରେ ସରକାରଙ୍କ ସାଟେଲାଇଟ୍‌ ସର୍ଭେ ଭୟକୁ କାରଣ ବୋଲି ଯୋଗାଣ ବିଭାଗ ଦର୍ଶା‌ଉଛି। କ୍ଷେତରେ ଚାଷ ନ କରି ବି ମଣ୍ଡିରେ ଧାନ ବିକୁଥିବା ନକଲି ଚାଷୀଙ୍କୁ ଧରିବା ପାଇଁ ଏଥର ନୂଆ କରି ଏହି ସର୍ଭେ ଆଗକୁ କରାଯିବାରୁ ଥିବାରୁ ଅନେକ ଭୟରେ ସେମାନଙ୍କ ନାମ ପଂଜିକୃତ କରି ନ ଥିବା କୁହାଯାଉଛି। ତେଣୁ ଏଥର ସରକାରଙ୍କ ନୂଆ ବ୍ୟବସ୍ଥାରେ ଧାନକିଣା ବ୍ୟବସ୍ଥାରେ କେତେ ସ୍ବଚ୍ଛତା ଆସିବ, ତାହା ଦେଖିବାର ବିଷୟ ହୋଇଛି। ଗତ ଜୁଲାଇ ୧୫ତାରିଖରେ ଜିଲ୍ଲାରେ ଚାଷୀ ପଂଜୀକରଣ ଆରମ୍ଭ ହୋଇଥିଲା। ଅଗଷ୍ଟ ୨୨ତାରିଖରେ ଏହା ଶେଷ ହୋଇଛି। ଧାର୍ଯ୍ୟ ୩୮ଦିନ ସମୟ ମଧ୍ୟରେ ଜିଲ୍ଲାରେ ଏଥର ମୋଟ ୩୯ହଜାର ୪୦୦ଚାଷୀ ସେମାନଙ୍କ ନାମ ପଂଜୀକରଣ କରିଛନ୍ତି। ଗତବର୍ଷ ପଂଜିକୃତ ଚାଷୀଙ୍କ ତୁଳନାରେ ଏହା ୧୧୯୭ କମ୍‌। ଗତବର୍ଷ ୪୦ହଜାର ୫୯୭ ପଂଜିକୃତ ଚାଷୀଙ୍କ ମଧ୍ୟରୁ ମଣ୍ଡିରେ ୨୬ହଜାର ୪୦୦ଚାଷୀ ଧାନ ବିକିଥିଲେ। ବାକି ୧୪ହଜାର ୧୯୭ ମଣ୍ଡିରେ ଧାନ ବିକିବା ବ୍ୟବସ୍ଥାରୁ ଦୂରେଇ ରହିଥିଲେ। ପଂଜିକୃତ ସଂଖ୍ୟା ତୁଳନାରେ ମଣ୍ଡିରେ କମ୍‌ ସଂଖ୍ୟକ ଚାଷୀ ଧାନ ବିକିବା ଘଟଣା କିଛି ନୂଆ ନୁହେଁ। ପ୍ରତିବର୍ଷ ପଂଜିକୃତ ଚାଷୀଙ୍କ ମଧ୍ୟରୁ ହାରାହାରି ୩୦ରୁ ୪୦ପ୍ରତିଶତ ଚାଷୀ ମଣ୍ଡିରେ ଧାନ ବିକନ୍ତି ନାହିଁ। ଗତ ପାଂଚ ବର୍ଷର ରିପୋର୍ଟ ଏହା ଦର୍ଶାଉଛି। ଏହା ପଛରେ ଅନେକ କାରଣ ଦର୍ଶାଯାଉଛି। କିଏ ବାହାରେ ରହି ସେମାନଙ୍କ ନାମ ଖାତାରେ ଗଡ଼ାଉଛି ତ ଆଉ କେହି ମଣ୍ଡିରେ ନିଜ ପାଳିକୁ ଅପେକ୍ଷା କରି ଶେଷ ଯାଏ ବିକିବାରୁ ବଂଚିତ ହେଉଛି। ଏ ସବୁ ଭିତରେ କିନ୍ତୁ ଗୋଟିଏ କଥା ଲକ୍ଷ୍ୟ କରିବାର କଥା ହେଉଛି ଯେ ୨୦୧୯-୨୦ବର୍ଷକୁ ଛାଡ଼ି ଦେଲେ ଅନ୍ୟ ଚାରି ବର୍ଷ ପଂଜିକୃତ ଚାଷୀଙ୍କ ସଂଖ୍ୟା ୩୯ହଜାରରୁ ୪୧ହଜାର ୫୦୦ମଧ୍ୟରେ ରହୁଛି।

୨୦୧୮-୧୯ମସିହାରେ ୪୧ହଜାର ୨୭୦ଚାଷୀଙ୍କ ନାମ ପଂଜିକୃତ ହୋଇଥିବା ବେଳେ ୨୦୧୯-୨୦ରେ ଏହା କମି ୩୪ହଜାର ୧୯୭ ହେଇଥିଲା। କିନ୍ତ ଏହାପରଠୁ କିନ୍ତୁ ଚାଷୀ ସଂଖ୍ୟା କମିନାହିଁ। ୨୦୨୦-୨୧ରେ ୪୧ହଜାର ଚାଷୀଙ୍କ ନାମ ପଂଜିକୃତ ହେଇଥିବା ବେଳେ ୨୦୨୧-୨୨ରେ ୪୦ହଜାର ୫୯୭ ଏବଂ ଚଳିତ ବର୍ଷ ୩୯ହଜାର ୪୦୦ ରହିଛି। ତେବେ ଏଥର ସଂଖ୍ୟା କମିବା ପଛରେ ବଡ଼ କାରଣ ସାଟେଲାଇଟ୍‌ ସର୍ଭେ ବୋଲି କୁହାଯାଉଛି। ଚଳିତ ବର୍ଷ ନୂଆ କରି ସାଟେଲାଇଟ୍‌ ସର୍ଭେ ହେବାକୁ ଯାଉଛି। କେଉଁମାନେ ପ୍ରକୃତରେ କ୍ଷେତରେ ଧାନ ଚାଷ କରିଛନ୍ତି ଆଉ କେଉଁମାନେ କରିନାହାନ୍ତି, ତାହା ଆକାଶମାର୍ଗରୁ ହେବାକୁ ଥିବା ଏହି ସର୍ଭେରୁ ଜଣାପଡ଼ିଯିବ ବୋଲି ଯୋଗାଣ ବିଭାଗ ଦାବି କରିଛି। ବିଶେଷ କରି ନକଲି ଚାଷୀଙ୍କ ପାଇଁ ଏହା ବଡ଼ ବିପଦ ସୃଷ୍ଟି କରିପାରେ ବୋଲି କୁହାଯାଉଛି। ପୂର୍ବ ବ୍ୟବସ୍ଥାରେ ‌କ୍ଷେତରେ ଚାଷ ନ କରି ବି ନିଜ ନାମ ସୋସାଇଟିରେ ପଂଜୀକରଣ କରି ଟୋକନ୍ ହାତଉଥିଲେ ଏବଂ ଏହାକୁ ‌ବେପାରୀଙ୍କୁ ଦେଇ ଲାଭବାନ ହେଉଥିଲେ। ଅଥଚ, ହାଡ଼ଭଂଗା ପରିଶ୍ରମ କରି ଫସଲ ଫଳାଇଥିବା ଅନେକ ପ୍ରକୃତ ଚାଷୀ ମଣ୍ଡିରେ ଧାନ ବିକିବାରୁ ବଂଚିତ ହେଉଥିଲେ। ହେଲେ ଏଥର ନକଲି ଚାଷୀଙ୍କୁ ସାବାଡ୍‌ କରିବା ପାଇଁ ସରକାର ସର୍ଭେ ବ୍ୟବସ୍ଥା ଆରମ୍ଭ କରିଛନ୍ତି। ବିଲରେ ଧାନ ଗଛ କିଛି ବଢ଼ିଯିବା ପରେ ରାଜସ୍ବ, କୃଷି ଓ ସମବାୟ ବିଭାଗର ମିଳିତ ଟିମ୍ ପ୍ରଥମେ ଜମିର ସ୍ଥିତି ଯାଞ୍ଚ କରିବେ। ଏହାପରେ ଓଡ଼ିଶା ରିମୋଟ ସେନ୍‌ସିଂ ଆପ୍ଲିକେସନ୍ ସେଣ୍ଟର୍‌ ଜରିଆରେ ଆକାଶମାର୍ଗରୁ ସର୍ଭେ କରାଯିବ। ଜିଲ୍ଲାକୁ ବିଭିନ୍ନ ଭାଗରେ ବିଭକ୍ତ କରାଯାଇ ଏହି ସର୍ଭେ ହେବ ଏବଂ ଏଥିରୁ ଯେଉଁ କ୍ଷେତରେ ଧାନ ଚାଷ ହେଇନାହିଁ, ତାହା ଜଣାପଡ଼ିଯିବ ବୋଲି ଯୋଗାଣ ବିଭାଗ ଯୁକ୍ତି ବାଢ଼ିଛି। ଯୋଗାଣ ବିଭାଗର ଯୁକ୍ତି ଅନୁଯାୟୀ ସାଟେଲାଇଟ୍‌ ସର୍ଭେ ନକଲି ଚାଷୀଙ୍କୁ ହୁଏତ ଧରାପକାଇ ଦେଇପାରେ‌, କିନ୍ତୁ ମଣ୍ଡିରୁ ଦଲାଲ ତଥା ବେପାରୀଙ୍କୁ ରୋକିବାରେ କେତେ ସହାୟକ ହେବ, ତାହା ଅବଶ୍ୟ ଆସନ୍ତାବର୍ଷ ଜାନୁଆରି ବେଳକୁ ସ୍ପଷ୍ଟ ହେଇଯିବ।

ସମ୍ବନ୍ଧିତ ଖବର