ଡ୍ରୋନ୍‌ କ୍ୟାମେରାରେ ରାଇବଣିଆ ଦୁର୍ଗର ସର୍ଭେ

ରିପୋର୍ଟ ପରେ ସୁରକ୍ଷା ପାଇଁ ଯୋଜନା: ମନ୍ତ୍ରୀ

ଜଳେଶ୍ବର : ଡ୍ରୋନ୍‌ କ୍ୟାମେରା ସାହାଯ୍ୟରେ ମଙ୍ଗଳବାର ଦିନ ରାଇବଣିଆ ଦୁର୍ଗର ସର୍ଭେ କରାଯାଇଛି। ସର୍ଭେ ରିପୋର୍ଟ ଆଧାରରେ ଦୁର୍ଗର ସୁରକ୍ଷା ପାଇଁ ଏକ ମାଷ୍ଟର ପ୍ଲାନ ପ୍ରସ୍ତୁତ ହେବ ବୋଲି ଓଡ଼ିଆ ଭାଷା, ସାହିତ୍ୟ,ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ବିନୀ କୁମାର ପାତ୍ର କହିଛନ୍ତି।

ଆଜି ଅପରାହ୍ନରେ ମନ୍ତ୍ରୀ ଶ୍ରୀ ପାତ୍ରଙ୍କ ନେତୃତ୍ବରେ ପର୍ଯ୍ୟଟନ, ସଂସ୍କୃତି, ପ୍ରତ୍ନତତ୍ତ୍ବ ବିଭାଗର ଏକ ଉଚ୍ଚସ୍ତରୀୟ ଟିମ୍ ବାଲେଶ୍ବର ଜିଲ୍ଲା ଜଳେଶ୍ବରସ୍ଥିତ ରାଇବଣିଆ ଦୁର୍ଗ ପରିଦର୍ଶନରେ ଆସି ଏହାର ସୁରକ୍ଷା ଓ ପାରିପାର୍ଶ୍ବିକ ଅବସ୍ଥିତି ଏବଂ ବିକାଶ ଉପରେ ଆଲୋଚନା କରିଥିଲେ। ଅତିରିକ୍ତ ମୁଖ୍ୟ ଶାସନ ସଚିବ ମଧୁସୂଦନ ପାଢ଼ୀ ଏଥିରେ ସାମିଲ୍‌ ହୋଇଥିଲେ। ପ୍ରତିନିଧି ଦଳ ଦୁର୍ଗର ବକ୍ଷଦେଶରେ ଅଧପନ୍ତରିଆ ଭାବେ ପଡ଼ି ରହିଥିବା ମନ୍ଦିରର କାର୍ଯ୍ୟ କିପରି ସମ୍ପୂର୍ଣ୍ଣ ହେବ, ସେ ନେଇ ଆଲୋଚନା କରିଥିଲେ। ଦୁର୍ଗର ଶତାଧିକ ଏକର ଜମି ଜବରଦଖଲରେ ରହିଛି। ସେସବୁକୁ ମୁକ୍ତ କରିବା ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏଥିସହିତ, ତ୍ରୁଟିପୂର୍ଣ୍ଣ ନିର୍ମାଣ ନକରିବା, ଦୁର୍ଗର ପ୍ରତ୍ନତାତ୍ତ୍ବିକ ରହସ୍ୟ ଉନ୍ମୋଚନ ପାଇଁ ଓଡ଼ିଶା ଇନଷ୍ଟିଚ୍ୟୁଟ ଅଫ ସାଉଥ୍ ଏସିଆନ ଷ୍ଟଡିଜକୁ ଦାୟିତ୍ବ ଦେବା ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏହାପରେ ମା ଗଡ଼ଚଣ୍ଡୀ ମନ୍ଦିର ସମ୍ମୁଖରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ମନ୍ତ୍ରୀ ଶ୍ରୀ ପାତ୍ର, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ପାଢ଼ୀ, ବିଭାଗୀୟ ନିର୍ଦ୍ଦେଶକ ସଚିନ ଆର ଯାଦବ, ଅତିରିକ୍ତ ସଚିବ ଅନନ୍ତ ନାରାୟଣ ସିଂହ ଲାଗୁରୀ, ଆର୍କିଓଲୋଜି ବିଭାଗର ସୁପରିନଟେଣ୍ଡଣ୍ଟ ଅଶ୍ବିନୀ ଶତପଥୀ, ସଂସ୍କୃତି ବିଭାଗ‌ର ଉପନିର୍ଦ୍ଦେଶକ ସୁବୋଧ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର