ଉପରକୋଲାବ ପ୍ରକଳ୍ପ ମୁଖ୍ୟ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ତାଲା ପକାଇଲେ ଲୋକେ

ଜୟପୁର: ଉପରକୋଲାବ ଜଳସେଚନ ପ୍ରକଳ୍ପର ମୁଖ୍ୟକେନାଲ ପାର୍ଶ୍ବ ଦେଇ ଜୟପୁର ବ୍ଲକର ୧୦ଟି ପଞ୍ଚାୟତବାସୀ ବସବାସ କରୁଛନ୍ତି। ମୁଖ୍ୟକେନାଲ ପାର୍ଶ୍ବରେ ଥିବା ରାସ୍ତା ଉପରେ ଏହି ପଞ୍ଚାୟତବାସୀ ନିର୍ଭର। ଜଳସେଚନ ପ୍ରକଳ୍ପ ପକ୍ଷରୁ ଦୀର୍ଘ ବହୁ ବର୍ଷ ହେବ କଳାଗୁଡା ଠାରୁ କଙ୍ଗା ପର୍ଯ୍ୟନ୍ତ ରାସ୍ତା ଓ ପୋଲଗୁଡିକର ପୁନରୁଦ୍ଧାର କରୁ ନାହିଁ। ତୁରନ୍ତ ଏହି ରାସ୍ତା ସହ ପୋଲ ଗୁଡିକର ପୁନରୁଦ୍ଧାର କରିବା ଦାବି କରି ଉପରୋକ୍ତ ପଞ୍ଚାୟତବାସୀ ମାନେ ସମାଜସେବୀ ବି. ହରିରାଓଙ୍କ ନେତୃତ୍ବରେ ଉପରକ‌ୋଲାବ ଜଳସେଚନ ପ୍ରକଳ୍ପର ମୁଖ୍ୟ ଯନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଘେରାଉ କରିବା ସହ କାର୍ଯ୍ୟାଳୟ ସମ୍ମୁଖରେ ତାଲା ପକାଇ ଦେଇଥିଲେ। ମୁଖ୍ୟଯନ୍ତ୍ରୀ ଓ ଅନ୍ୟ ଅଧିକାରୀମାନେ ବୁଝାସୁଝା କରିବା ସହ ରାସ୍ତା ଓ ପୋଲ ଗୁଡିକର ପୁନରୁଦ୍ଦାର କାମ କରାଯିବ ବୋଲି ପ୍ରତିଶ୍ରୃତି ଦେବା ପରେ ତାଲା ଖୋଲିଥିଲେ।

ସୂଚନାଯୋଗ୍ୟ, ଉପରକୋଲାବ ଜଳସେଚନ ପ୍ରକଳ୍ପର ମୁଖ୍ୟ କେନାଲ ଜୟପୁର ସହର ପାର୍ଶ୍ବ ଦେଇ ଏହି ବ୍ଲକର ୧୦ଟି ପଞ୍ଚାୟତ ମଧ୍ୟ ଦେଇ କୋଟପାଡ ବ୍ଲକ ପର୍ଯ୍ୟନ୍ତ ଲମ୍ବିଛି। ମୁଖ୍ୟକେନାଲ ନିର୍ମାଣ ସମୟରେ ରାସ୍ତା ନିର୍ମାଣ କରାଯାଇଥିବା ବେଳେ ତା’ ପର ଠାରୁ ଏହି କେନାଲ ରାସ୍ତାର ରକ୍ଷଣାବେକ୍ଷଣ, ପ୍ରଶସ୍ତିକରଣ କରାଯାଉନି। କିଛି ମାସ ପୂର୍ବରୁ ବି ଏହି ପଞ୍ଚାୟତ ବାସୀମାନେ ଏହି ସମସ୍ୟା ସମାଧାନ କରିବା ପାଇଁ ସ୍ମାରକପତ୍ର ପ୍ରଦାନ କରିଥିଲେ।

ମୂଳାସର ଗ୍ରାମବାସୀ ବି ଗାଁ ନିକଟର ପୋଲର ପୁନରୁଦ୍ଧାର ପାଇଁ ଦାବି କରି ସ୍ମାରକପତ୍ର ପ୍ରଦାନ କରିଥିଲେ। ଜୟପୁର ବ୍ଲକର ଗଡ଼ପଦର, ଉମୁରୀ, ରଣ୍ଡାପାଲ୍ଲୀ, କେବିଡି, ଆମ୍ବାଗୁଡା, କୁମୁଲିପୁଟ, ଜୟନ୍ତଗିରୀ, ପୁଜାରୀପୁଟ, ଜାମୁଣ୍ଡା, କଙ୍ଗା ଆଦି ପଞ୍ଚାୟତର ଶତାଧିକ ରାଜସ୍ବ ଓ ପଡ଼ା ଗାଁ ଲୋକେ ନିର୍ଭର। ଏହି ରାସ୍ତା ଦେଇ ବହୁ ସମୟରେ ଲୋକେ ଜୟପୁର ସଦରବ୍ଲକ ସହ ବିଭିନ୍ନ ପଞ୍ଚାୟତର ମୁଖ୍ୟ ଗାଁକୁ ବି ସଂଯୋଗ ରାସ୍ତା ରହିଛି। ତେଣୁ ସାଧାରଣ କାମ ସହ ଜରୁରୀ ଥିବା ସମୟରେ କେନାଲ ରାସ୍ତା ଉପରେ ଲୋକେ ନିର୍ଭର। ଏପରିକି ଏହି ରାସ୍ତାରେ ବିରାଟ ବଡ ବଡ ଫଟହଲ୍ ହେବା ଫଳରେ ଲୋକେ ସାଇକେଲରେ ବି ଯିବା ଆସିବା କରି ପାରୁ ନାହାନ୍ତି। ସେଭଳି ମୁଖ୍ୟକେନାଲ ଉପରେ ଥିବା ପୋଲ ଗୁଡିକର ରକ୍ଷଣାବେକ୍ଷଣ ଓ ମରାମତି ଅଭାବରୁ ଏଗୁଡିକ ବି ବିପଦସଂକୁଳ ଅବସ୍ଥାରେ ରହିଛି। ଗତ କିଛି ଦିନ ହେବ ‌କିରଣ୍ଡଲ କୋରାପୁଟ ରେଳପଥର ଦୋହରୀକରଣ ନିର୍ମାଣ କାମ ସମୟରେ ମଧ୍ୟ ମୁଖ୍ୟକେନାଲର ରାସ୍ତାକୁ ଠିକା ସଂସ୍ଥା ବ୍ୟବହାର କରି ସଂପୁର୍ଣ୍ଣ ରୁପେ ନଷ୍ଟ କରିଦେଇଛି। ତେଣୁ ରାସ୍ତା ଓ ପୋଲ ଗୁଡିକର ମରାମତି କରାଗଲେ ଏହି ୧୦ ପଞ୍ଚାୟତର ନିର୍ଭର ଥିବା ଶତାଧିକ ଗ୍ରାମବାସୀ ଉପକୃତ ହୋଇ ପାରିବେ ବୋଲି ସମାଜସେବୀ ଶ୍ରୀ ରାଓ ଓ ଲୋକେ କହିଛନ୍ତି। ବିଭାଗ ପକ୍ଷରୁ ଦିଆଯାଇଥିବା ପ୍ରତିଶ୍ରୃତି କେତେ ଦୂର କାର୍ଯ୍ୟକାରୀ ହେଉଛି ତାହା ସମୟ ହିଁ କହିବ।

ସମ୍ବନ୍ଧିତ ଖବର