ବାବାଙ୍କ ବିବାହ ପାଇଁ ଦେବ ନିମନ୍ତ୍ରଣ

ସମ୍ବଲପୁର: ସୋମବାର ପତରପେଣ୍ଡି ସମ୍ପନ୍ନ ହେବା ପରେ ମଙ୍ଗଳବାର ଝାଡ଼ୁଆପଡ଼ାର ଲୋକନାଥ ବାବା, ମୁଦିପଡ଼ାର ଜାଗେଶ୍ବର ବାବା, ବଡ଼ବଜାରର ଶୀତଳେଶ୍ବର ବାବା, ଠାକୁରପଡ଼ାର ଗୁପ୍ତେଶ୍ବର ବାବା, ବାଲିବନ୍ଧାର ସୋମନାଥ ବାବା, ବୁଢ଼ାରଜା ପାହାଡ଼େଶ୍ବର ବାବା, ଦୁର୍ଗାପାଲିର ଗୁଡ଼େଶ୍ବର ବାବାଙ୍କ ବିବାହ ପାଇଁ ଗୁଆଗୁଣ୍ତା ବା ଦେବ ନିମନ୍ତ୍ରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସଂଧ୍ୟାରେ ନିଜ ନିଜ ମନ୍ଦିରରେ ପାରଂପରିକ ପୂଜାର୍ଚ୍ଚନା ଓ ଅାଳତି ପରେ ରଥାରୁଢ଼ ହନୁମାନ ବିଭିନ୍ନ ଦେବାଳୟକୁ ଯାଇ ଦେବଦେବ ମହାଦେବ ଓ ଜଗତଜନନୀ ମାତା ପାର୍ବତୀଙ୍କ ବିବାହରେ ଯୋଗ ଦେବା ପାଇଁ ତେତ୍ରିଶି କୋଟି ଦେବାଦେବୀଙ୍କୁ ନିମନ୍ତ୍ରଣ କରିଥିଲେ। ଝାଡ଼ୁଆପଡ଼ାର ଲୋକନାଥ ବାବାଙ୍କ ବିବାହ ନିମନ୍ତେ ଗୁଆଗୁଣ୍ଡା ଦେବାକୁ ପ୍ରଭୁ ହନୁମାନ ଘଣ୍ଟ, ଶଂଖ, ଦୁଲୁଦୁଲି ବାଜା ମଧ୍ୟରେ ଏକ ଆକର୍ଷଣୀୟ ଶୋଭାଯାତ୍ରାରେ ବାହାରି ପ୍ରଥମେ ବ୍ରହ୍ମପୁରା ମନ୍ଦିରରେ ନିମନ୍ତ୍ରଣ କରିଥିଲେ।

ଏହା ପରେ ନିତାଇ ଗୌରମଠ, ଯଜ୍ଞବରାହ ମନ୍ଦିର, ବଂ ବରାଡ଼ ବାଲୁଂକେଶ୍ବର ବାବା ମନ୍ଦିର, ଦଧିବାମନ ଗୁଡ଼ି, ଟିମିନି ଗୁଡ଼ି, ଭାଗବତ ଗୁଡ଼ି, ହୋତାପଡ଼ା ଗୁଡ଼ି ଯାଇ ବିଭିନ୍ନ ଦେବାଦେବୀଙ୍କୁ ନିମନ୍ତ୍ରଣ କରିଥିଲେ। ସେହିପରି ବ୍ରହ୍ମପୁରା ମନ୍ଦିରରେ ପୂଜା ପାଉଥିବା ଗୋପୀନାଥଜୀଉଙ୍କୁ ଲୋକନାଥ ବାବାଙ୍କ ବିବାହରେ ସାକ୍ଷୀ ରହିବା ପାଇଁ ଆମନ୍ତ୍ରଣ କରିଥିଲେ। ଶୋଭାଯାତ୍ରାରେ ବରପିତା ଅମରନାଥ ସୁପକାର, ସରୋଜ ଦଳପତ, ସୁଶାନ୍ତ ପୁରୋହିତ, ସଞ୍ଜୟ ମିଶ୍ର, ଅଭିଷେକ ମିଶ୍ର, ମିଲୁ ପାଣିଗ୍ରାହୀ, ଶୁଭେନ୍ଦୁ ମିଶ୍ର, ସଂଜୀବ ପାଢ଼ୀ, ଶୁଭେନ୍ଦ୍ର ପଣ୍ଡା, ପ୍ରାଣରଂଜନ ପଣ୍ଡା ପ୍ରମୁଖ ପଡ଼ାବାସୀ ସାମିଲ ହୋଇଥିଲେ।

ମୁଦିପଡ଼ାର ଜାଗେଶ୍ବର ବାବାଙ୍କ ବିବାହ ନିମନ୍ତେ ପ୍ରଭୁ ହନୁମାନ ଏକ ସୁସଜ୍ଜିତ ରଥରେ ବିରାଜମାନ ହୋଇ ଶୋଭାଯାତ୍ରାରେ ମନ୍ଦିରରୁ ବାହାରି ରାଧାକୃଷ୍ଣ, ଭୁବନେଶ୍ବରୀ, ରାମ ମନ୍ଦିର, ଭାଗବତ ଗୁଡି, ଜଗନ୍ନାଥ, ମାଉଳି, ବାଟ ମଙ୍ଗଳା ଆଦି ମନ୍ଦିରକୁ ଯାଇ ଦେବାଦେବୀଙ୍କୁ ନିଉତା ଦେଇଥିଲେ। ଶୋଭାଯାତ୍ରାରେ ବରପିତା ମଧୁସୂଦନ ନେଗୀ, ଯାତ୍ରା କମିଟି ସଦସ୍ୟ ଓ ପଡ଼ାବାସୀ ସାମିଲ ହୋଇଥିଲେ। ଏଥର ପ୍ରଥମ କରି ଅଷ୍ଟଧାତୁ ନିର୍ମିତ ହନୁମାନ ଶୋଭାଯାତ୍ରାରେ ସାମିଲ ହୋଇଥିଲେ।

ବଡ଼ବଜାର ଶୀତଳେଶ୍ବର ବାବାଙ୍କ ବିବାହ ପାଇଁ ହନୁମାନଙ୍କ କାଠ ନିର୍ମିତ ବିଗ୍ରହ ଭବ୍ୟ ରଥରେ ବିରାଜମାନ ହୋଇ ଶୋଭାଯାତ୍ରାରେ ବାହାରିଥିଲେ। ସେ ବଡ଼ବଜାରର ନୃସିଂହ ମନ୍ଦିର, ରାମାୟଣ ମନ୍ଦିର, ରାଧାକୃଷ୍ଣ, ଜଗନ୍ନାଥ, ଦୁର୍ଗା, ମା’ ସମଲେଇ, କମଲିବଜାରର ଗୋପାଲଜୀ, ପାଟଣେଶ୍ବରୀ, ଗାୟତ୍ରୀ, ରାମଜୀ ଓ ଜଗନ୍ନାଥ ମନ୍ଦିରକୁ ଯାଇ ଦେବ ବିବାହ ପାଇଁ ଗୁଆଗୁଣ୍ଡା ଦେଇ ନିମନ୍ତ୍ରଣ କରିଥିଲେ। ଶୋଭାଯାତ୍ରାରେ ବରପିତା ଜଗଦୀଶ କଲାନୋରିଆ, କମିଟି ସଦସ୍ୟ ଓ ପଡ଼ାବାସୀ ସାମିଲ ହୋଇଥିଲେ।

ଠାକୁରପଡ଼ାର ଗୁପ୍ତେଶ୍ବର ବାବାଙ୍କ ବିବାହ ନିମନ୍ତେ ପ୍ରଭୁ ହନୁମାନ ଶୋଭାଯାତ୍ରାରେ ବାହାରି ଗୋପାଲମାଲ ରାଧାକୃଷ୍ଣ ମନ୍ଦିର, ଦାନୀପାଲି ହନୁମାନ ମନ୍ଦିର, ଦଶମତୀ ମନ୍ଦିର ଓ ଠାକୁରପଡ଼ାର ଭୈରୋ ମନ୍ଦିରକୁ ଯାଇ ଗୁଆଗୁଣ୍ଡା ଦେଇଥିଲେ। ବରପିତା ଓମପ୍ରକାଶ ମହାନନ୍ଦ, କମିଟି ସଭାପତି ଶିବ ପ୍ରଧାନ, ଅଧ୍ୟକ୍ଷ ଲିଂଗରାଜ ପରିଡ଼ାଙ୍କ ସମେତ ସମସ୍ତ କମିଟି ସଦସ୍ୟ ଓ ପଡ଼ାବାସୀ ସାମିଲ ହୋଇଥିଲେ। ବାଲିବନ୍ଧାର ସୋମନାଥ ବାବା, ଦୁର୍ଗାପାଲିର ଗୁଡ଼େଶ୍ବର ବାବା ଏବଂ ବୁଢ଼ାରଜାର ପାହାଡ଼େଶ୍ବର ବାବାଙ୍କ ବିବାହରେ ଯୋଗ ଦେବାକୁ ବି ପ୍ରଭୁ ହନୁମାନ ଶୋଭାଯାତ୍ରାରେ ବିଭିନ୍ନ ମନ୍ଦିରକୁ ଯାଇ ଦେବନିମନ୍ତ୍ରଣ କରିଥିଲେ। ତାଙ୍କ ସହ ବରପିତା, ମନ୍ଦିର ଓ ଯାତ୍ରା କମିଟି ସଦସ୍ୟ ଗଣ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର