ପ୍ରଥମ ସ୍ତମ୍ଭ: ଢୋ’

ସ୍କୁଲ୍ ସମୟର ପ୍ରତ୍ୟେକ ଛୋଟରୁ ଛୋଟ ଘଟଣା ସବୁଦିନ ପାଇଁ ସ୍ମରଣୀୟ ହୋଇ ରହିଯାଏ। ଏଇ ଯେମିତି, ବାକିରେ ଦହିବରା-ଆଇସ୍‌କ୍ରିମ୍‌ ଖାଇବା, ସାଙ୍ଗମାନଙ୍କ ସହ ମିଶି ଉତ୍ସବ ଦିନଗୁଡ଼ିକୁ ପାଳନ କରିବା, ସାଙ୍ଗ ଖାତାରୁ ହୋମ୍‌ୱାର୍କ ଟିପିବା, କ୍ଲାସ୍ ପିକ୍‌ନିକ୍, ବାର୍ଷିକ ଉତ୍ସବ ଇତ୍ୟାଦି ପାଇଁ ପ୍ରସ୍ତୁତି କରିବା, ପରୀକ୍ଷା ପୂର୍ବର ଉଦ୍‌ବେଗ ଓ ପରୀକ୍ଷା ସରିବା ପରର ଉଲ୍ଲାସ, ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କର ମିଠା ଆଦର ଏବଂ ବେଳେବେଳେ କଡ଼ା ଗାଳି। ଗାଳି କଥା କହିଲେ, ଦଶମ ଶ୍ରେଣୀର ଗୋଟେ ନିଆରା ଘଟଣା ମନେପଡ଼ିଯାଏ। ଦଶମ ଶ୍ରେଣୀ ମାନେ, ସ୍କୁଲ୍‌ର ସବୁ ଛାତ୍ରଛାତ୍ରୀଙ୍କ ଭିତରେ ଆମେ ହେଲୁ ମୁରବି ଆଉ ଅନୁଭବୀ। ସବୁଥିରେ ଆମ ଅନୁଭବ ଅଧିକ। ଶୃଙ୍ଖଳା ଜଗିବାରେ, ଶୃଙ୍ଖଳା ଭାଙ୍ଗିବାରେ। ଆମ ଶ୍ରେଣୀରେ ବିଭିନ୍ନ ରକମର ପିଲା ଥିଲେ। କେତେ ଜଣ ଭଲ ପାଠ ପଢୁଥିଲେ, କିଛି ବିତର୍କ, ଖେଳ, ନାଚ, ଗୀତରେ ନାଁ କରୁଥିଲେ। ସେମିତି ଗୋଟେ ପିଲା ଥିଲା ନିଶାନ୍ତ। ବଦମାସିରେ ତାକୁ କେହି ଟକ୍କର୍ ଦେଇପାରିବେନି। ନିଶାନ୍ତର ବୁଦ୍ଧି ପ୍ରଖର। ସେ ବୁଦ୍ଧି କେବଳ ପାଠକୁ ଛାଡ଼ି ଅନ୍ୟ ସବୁଥିରେ ଉପଯୋଗ ହେଉଥିଲା। ଦିନେ ସ୍କୁଲ୍ ଆରମ୍ଭରେ ଆମକୁ ଡାକି କହିଲା, ‘‘ଆଜି ଗୋଟେ ଜିନିଷ ଆଣିଛି।’’ ମୁଚୁକୁନ୍ଦୀ ହସ ହସି ଏମିତି ଷ୍ଟାଇଲ୍ ମାରି କହିଲା, ଯେମିତି କ’ଣ ଗୋଟେ ଅପୂର୍ବ ଜିନିଷ ଆଣିଛି। ଆମେ ପଚାରିଲୁ, ‘‘କ’ଣ’’? ସେ କହିଲା, ‘‘ବମ୍’’। ‘‘ବମ୍’’? ଆମେ କିଛି ବୁଝିପାରିଲୁନି। ସେ ତା’ ପ୍ୟାଣ୍ଟ୍ ପକେଟ୍‌ରୁ ଗୋଟିଏ ଛୋଟ ପ୍ୟାକେଟ୍ ବାହାର କଲା। ଆମକୁ ଦେଖେଇ କହିଲା, ‘‘ଇଏ ହେଉଛି ପାଡ଼ ବମ୍।’’ ଆମେ ଫେଁ’କିନା ହସିଲୁ। ପଚାରିଲୁ, ‘‘ପାଡ଼ ବମ୍? ଇଏ ପୁଣି କ’ଣ?’’ ଅଭିଜ୍ଞ ମାଷ୍ଟ୍ର ଭଳି ସେ ବୁଝେଇଲା, ‘‘ପ୍ରଥମେ ଏହା ପାଇଁ ଶିକାର ସ୍ଥିର କରାଯାଏ। ତା’ପରେ ଏହାକୁ ବେଲୁନ୍ ଭଳି ଫୁଲାଯାଏ। ଫୁଲେଇସାରିଲା ପରେ ଶିକାରର ଚୌକି ଉପରେ ସ୍ଥିର କରି ରଖିଦିଆଯାଏ।’’

ତା’ପରେ ?
‘‘ଶିକାର ଚୌକିରେ ବସୁ ବସୁ, ବମ୍ ଫାଟିବ ଆଉ ଏକ ଉତ୍କଟ ଗନ୍ଧ କ୍ଲାସ୍ ସାରା ଖେଳିଯିବ। ଆଜି ଲଞ୍ଚ୍ ପର ପିରିୟଡ୍‌ରେ ପରୀକ୍ଷା ଅଛି। ସେଇଠି ଏହାର ପ୍ରୟୋଗ କରାଯିବ। ମିସ୍ କ୍ଲାସ୍ ବାତିଲ୍ କରିବା ପାଇଁ ବାଧ୍ୟ ହେବେ।’’ ଆମ ସମସ୍ତଙ୍କ ମନକୁ କଥାଟା ପାଇଲା। ଶିକାର ସ୍ଥିର କରାଗଲା। କାର୍ଯ୍ୟ ସୁଚାରୁ ରୂପେ ସମ୍ପାଦନ କରିବା ପାଇଁ ଆମର ଆଉ ଜଣେ ସାଙ୍ଗ ରିମିଲିକୁ ଦାୟିତ୍ୱ ଦିଆଗଲା। ଲଞ୍ଚ୍ ପର ପିରିୟଡ୍‌କୁ ଆମେ ଉତ୍କଣ୍ଠାର ସହ ଅପେକ୍ଷା କରି ରହିଲୁ। ମିସ୍ କ୍ଲାସ୍‌କୁ ଆସିବା ମାତ୍ରେ ଆମେ ସମସ୍ତେ ଠିଆ ହେଲୁ। ଠିକ୍ ସେହି ସମୟରେ ରିମିଲି ତା’ ପାଖରେ ବସିଥିବା ପିଲାଟିର ବେଞ୍ଚ୍ ଉପରେ ବମ୍‌ଟିକୁ ଚୁପ୍ କରି ଥୋଇଦେଲା। ମିସ୍ ବସିଲେ। ଆମେମାନେ ବସିଲୁ। ‘ଢୋ’ ଶବ୍ଦ ହେବାକ୍ଷଣି ଆମେ ସବୁ ଆସାମୀ ମୁହଁପୋତି ଦାନ୍ତ ଚିପିଚିପି ହସିବା ଆରମ୍ଭ କଲୁ। କେହି କିଛି ବୁଝିପାରିବା ପୂର୍ବରୁ ଗୋଟେ ବିଚିକିଟିଆ ଗନ୍ଧ କ୍ଲାସ୍ ସାରା ବ୍ୟାପିଗଲା। ସବୁପିଲା ନାକରେ ହାତ ଦେଇ ଖେଁ ଖେଁ ହେଇ ହସିବାକୁ ଲାଗିଲେ। ଆମେମାନେ ହସି ହସି ଗଡ଼ିଯାଉଥିଲୁ। ଉତ୍କଟ ଗନ୍ଧ ଓ ଆମମାନଙ୍କ ବ୍ୟବହାରରେ ଅତିଷ୍ଠ ହୋଇ ମିସ୍ କ୍ଲାସ୍ ଛାଡ଼ି ଚାଲିଗଲେ। ଗନ୍ଧ ସହି ନପାରି ପଛେ ପଛେ ଆମେ ବି ବାହାରକୁ ପଳେଇଲୁ। ଧୀରେ ଧୀରେ ପାଡ଼ ବମ୍ ନିଶାନ୍ତର ଆବିଷ୍କାର ବୋଲି ସମସ୍ତେ ଜାଣିଲେ ଓ ଭରପୂର ମଜାନେଲେ। ପର ପିରିୟଡ୍‌କୁ ଆମେ ସବୁ ଯିଏ ଯାହା ଜାଗାରେ ବସି ଯାଇଥିଲୁ। ଯେଉଁ ଶିକ୍ଷୟିତ୍ରୀଙ୍କର ଆସିବାର ଥିଲା, ତାଙ୍କ ବଦଳରେ କ୍ଲାସ୍ ଟିଚର୍ ଭିତରକୁ ଆସିଲେ। ରାଗରେ ତାଙ୍କ ମୁହଁ ଲାଲ୍ ଦେଖାଯାଉଥିଲା। କହିଲେ, ‘‘ପୂର୍ବ କ୍ଲାସ୍‌ରେ ଯିଏ ଅଭଦ୍ରାମି କରିଛ, ଠିଆହୁଅ।’’ କିଛି ଉତ୍ତର ମିଳିଲାନି। ଦୁଇ ତିନିଥର ସେଇ ଏକାକଥା ପଚାରିଲେ। ମିସ୍‌ଙ୍କ ରୂପ ଦେଖି ଆମେ ଜାଣିଗଲୁଣି ଏହା ଆଉ ଏକ ସାଧାରଣ କଥା ହେଇନାହିଁ। କଥା ଆଗକୁ ବଢ଼ିଗଲାଣି। ଏଥର ଦୁଇଗୁଣ ରାଗ ଓ ଦାନ୍ତ କଡ଼ମଡ଼ କରି ସେ କହିଲେ, ‘‘ତମେ ସମସ୍ତେ ଜାଣିଛ, କିଏ ଏ କାମ କରିଛି। ଯଦି ତମ ଭିତରୁ କେହି ତା’ ନାଁ ନକହେ, ଆର ସପ୍ତାହରେ ହେବାକୁ ଥିବା ପିକ୍‌ନିକ୍ ବନ୍ଦ।’’ ଏହା ଥିଲା ଆମ ସ୍କୁଲ୍‌ ଜୀବନର ଶେଷ ପିକ୍‌ନିକ୍। ପିକ୍‌ନିକ୍ ବନ୍ଦ ହବ ଶୁଣି ସମସ୍ତଙ୍କ ମୁଁହ ଶୁଖିଗଲା। ନିଶାନ୍ତ ଧରାପଡ଼ିଗଲେ ତାକୁ ଯେ କଠୋର ଦଣ୍ଡ ଦିଆଯିବ, ଏକଥା ସମସ୍ତେ ଜାଣିଥିଲେ। କ୍ଲାସ୍‌ରେ ପଞ୍ଚାବନ ଜଣ ବସିଥିଲେ। ଏମିତି ନୁହେଁ, ସମସ୍ତେ ନିଶାନ୍ତର ଘନିଷ୍ଠ ଥିଲେ l ଡର ଲାଗୁଥିଲା, ପିକ୍‌ନିକ୍ ଲୋଭରେ କାଳେ କେହି ତାକୁ ଧରା ପକେଇଦେବେ। ସମସ୍ତେ ପରସ୍ପର ପ୍ରତି ଚାହାଁଚାହିଁ ହେଉଥାନ୍ତି। କିନ୍ତୁ ଆଶ୍ଚର୍ଯ୍ୟର କଥା କେହି ବି ପାଟି ଫିଟେଇଲେ ନାହିଁ। ସେଇ ମୁହୂର୍ତ୍ତରେ ଯେମିତି ସାରା କ୍ଳାସ୍ ଏକତାରେ ବାନ୍ଧି ହେଇଯାଇଥିଲା। ନିଶାନ୍ତ ଆତଙ୍କବାଦୀ ନଥିଲା। ତା’ଛଡ଼ା ସେ ଦାୟୀ ସତ, ହେଲେ ସମସ୍ତେ ମଜା ନେଇଛନ୍ତି। ସମସ୍ତେ ସମାନ ଭାବରେ ଦୋଷୀ। ତେଣୁ ପିକ୍‌ନିକ୍‌ର ଲୋଭ ଅପେକ୍ଷା ନିଶାନ୍ତକୁ ଦଣ୍ଡରୁ ବଞ୍ଚେଇବା ଅଧିକ ଗୁରୁତ୍ୱପୂର୍ଣ୍ଣ ବୋଲି ସମସ୍ତେ ମନେ ମନେ ମାନି ନେଇଥିଲେ। ଠିକ୍ କି ଭୁଲ୍ ଅଲଗା କଥା, କିନ୍ତୁ ସେଦିନର ନିରବତା ଆମର ସାମୂହିକ ଦାୟିତ୍ୱବୋଧ ଓ ଏକତାର ପ୍ରତୀକ ଥିଲା। ଅବଶ୍ୟ ପରେ ପିକ୍‌ନିକ୍ ବି ହେଲା।

ତନୟା ପଟ୍ଟନାୟକ
ସଂପାଦକ

ସମ୍ବନ୍ଧିତ ଖବର