ସ୍ବାଭିମାନୀ ମଧୁସୂଦନ

ଆଜି ଜୟନ୍ତୀ

ଜଷ୍ଟିସ ଶଶିକାନ୍ତ ମିଶ୍ର

ସମୟର ବାଲୁକାରାଶିରେ ଅଙ୍କିତ ଅଗଣିତ ପଦଚିହ୍ନ– କେତେ ଜଣା, କେତେ ଅଜଣା; କେତେ ହୋଇଯାଆନ୍ତି ବିଲୁପ୍ତ, ବିସ୍ମୃତ। କିନ୍ତୁ କିଛି ରହିଯାଆନ୍ତି ନିଜ ଏକକ ଅସ୍ତିତ୍ୱକୁ ଜାହିର କରିବାର ପଣ ନେଇ, ସମୟରୁ ସମୟାନ୍ତର ଯାଏ। ସେହିମାନେ ହିଁ ଚିରସ୍ମରଣୀୟ, ସଦାନମସ୍ୟ ଯୋଗଜନ୍ମା, ଯାହାଙ୍କର ସ୍ମରଣ ମାତ୍ରେ ଆପଣାଛାଆଁକୁ ଶିର ନତ ହୋଇଯାଏ। ମଧୁସୂଦନ ଦାସ– ମଧୁବାବୁ, ମଧୁବାରିଷ୍ଟର, ଉତ୍କଳଗୌରବ, ପଗଡ଼ିପୁରୁଷ…। ଗୋଟିଏ ନାଆଁ, ଗୋଟିଏ ଶକ୍ତିପ୍ରବାହ; କିନ୍ତୁ ତା’ ପଛରେ ରହିଛି ଗୋଟିଏ ଜାତିର ବିଶ୍ୱାସ, ଶ୍ରଦ୍ଧା, ସମ୍ମାନ ଓ ନିଛକ ଭଲପାଇବାର ଭାବ। ଦିନେ ଆଗଙ୍ଗାଗୋଦାବରୀ– ବିସ୍ତୃତ ବିଶାଳ ଜନରାଜ୍ୟର ସାମୂହିକ ସଫଳତାର ଉତ୍ତୁଙ୍ଗ ସ୍ତରରେ ପହଞ୍ଚିଥିବାର ଗର୍ବ ଓ ଗୌରବ ହୁଏତ ସମୟର କଷାଘାତରେ ହୋଇଯାଇଥିଲା ବିପର୍ଯ୍ୟସ୍ତ, ବିଧ୍ୱଂସ୍ତ, କିନ୍ତୁ ସେହି ସମୟ ହିଁ ବଞ୍ଚିରହିଥିବା କିଛିଟା ସ୍ୱାଭିମାନକୁ ସାଉଣ୍ଟି ପୁଣି ଥରେ ଅଣ୍ଟା ସଳଖି ଠିଆ କରାଇବାର ଗୁରୁଦାୟିତ୍ୱ ନ୍ୟସ୍ତ କରିଥିଲା ତା’ର ସୁଯୋଗ୍ୟ ସନ୍ତାନଙ୍କ ଉପରେ। ଆଫଗାନ, ମୋଗଲ ଓ ମରହଟ୍ଟା ଶାସନ ଏବଂ ଶେଷରେ ଖୁରୁଧାର ଭୋଇବଂଶର ପତନ… ଓଡ଼ିଶା ପାଲଟିଯାଇଥିଲା ହତାଶାର ଏକ ଅନ୍ଧକୂପ ସଦୃଶ। ଇଷ୍ଟ୍ ଇଣ୍ଡିଆ କମ୍ପାନିର ଆଗମନ ଏବଂ ପରେପରେ ଇଂରେଜ ଶାସନ ଓ ତତ୍‌ସହିତ ନୂତନ ଆଇନସବୁର ପ୍ରଚଳନ, ଓଡ଼ିଆ ଲୋକଙ୍କ ମଧ୍ୟରେ ଭରିଦେଲା ଆଶଙ୍କା ଓ ଅବିଶ୍ୱାସ। ଏପରି ଏକ କୁଜ୍‌ଝଟିକାମୟ ପରିବେଶରେ ଜନ୍ମ ନେଇଥିଲେ ମଧୁସୂଦନ ଦାସ, ଏକ ଆଲୋକ ବର୍ତ୍ତିକା ପରି; ଦିଗହରା ଓଡ଼ିଆଙ୍କୁ ପଥପ୍ରଦର୍ଶନ କରିବାର ପଣ ନେଇ। ଇଂରେଜୀ ସାହିତ୍ୟରେ ସ୍ନାତକୋତ୍ତର ଶିକ୍ଷାଲାଭ କରି, ସହଜରେ ଗୁଜରାଣ ମେଣ୍ଟାଇପାରିବାର ଲୋଭକୁ ତ୍ୟାଗ କରି, ମଧୁସୂଦନ ଆଇନ ପଢ଼ିଥିଲେ ଏବଂ ଓକିଲାତି ବୃତ୍ତିର କଷ୍ଟକର ସାଧନାର ପଥକୁ ବାଛିଥିଲେ। ସେ ବୁଝିଥିଲେ– ଦଳିତ, ନିଷ୍ପେଷିତ, ଅବଦମିତ ଓଡ଼ିଆଙ୍କର ଆବଶ୍ୟକ କେହିଜଣେ ଦିଗ୍‌ଦର୍ଶକ, ତ୍ରାଣକର୍ତ୍ତା।

ଏହି ପ୍ରଥମ ଓଡ଼ିଆ ଓକିଲଙ୍କର ଆଇନ ବ୍ୟବସାୟ ଆରମ୍ଭ ହୁଏ କଲିକତାରେ; କିନ୍ତୁ ଖୁବ୍‌ଶୀଘ୍ର ସେ ଶୁଣନ୍ତି ଜନ୍ମମାଟି ଓଡ଼ିଶାର ଆକୁଳ ନିବେଦନ– ତୁମର ଉପସ୍ଥିତି ସୁଦୂର କଲିକତାରେ ନୁହେଁ, କଟକରେ ଅତ୍ୟନ୍ତ ଆବଶ୍ୟକ। ଅନ୍ତରର ଏହି ପ୍ରେରଣା ତାଙ୍କୁ ନେଇଆସେ କଟକ। କିନ୍ତୁ ସେ ଓଡ଼ିଆ, ପୁଣି ଓକିଲ; କଟକରେ ସେତେବେଳକୁ ପ୍ରତିଷ୍ଠିତ ଅନ୍ୟ ଭାଷାଭାଷୀ ଓକିଲମାନଙ୍କର ସେ ହୁଅନ୍ତି ଚକ୍ଷୂଶୂଳ। ବାର୍ ଆସୋସିଏସନ୍ ଲାଇବ୍ରେରିରେ ବସିବାକୁ ସୁଦ୍ଧା ସ୍ଥାନ ମିଳେନାହିଁ ତାଙ୍କୁ। ମଧୁସୂଦନ ମନେ କରନ୍ତି, ଏ ତାଚ୍ଛଲ୍ୟ ତାଙ୍କୁ ନୁହେଁ, ଏହା ସମଗ୍ର ଓଡ଼ିଆ ଜାତି ପ୍ରତି ଉଦ୍ଦିଷ୍ଟ। ଏଠି ଚୋରକୁ ମାନକରି ଖପରାରେ ଖାଇବା ଅପେକ୍ଷା, ସଂଘର୍ଷ କରିବା ଆବଶ୍ୟକ। ଏଣୁ ବିଚାରପତି କକଲାନଙ୍କ ଅଦାଲତର ସାମ୍ନା ବାରନ୍ଦାରେ ହିଁ ଟେବୁଲଚୌକି ପକାଇ ସିରସ୍ତା ଖୋଲିଥିଲେ ଓଡ଼ିଶାର ଏହି ପ୍ରଥମ ଓକିଲ। ବିଚାରପତି ଆଶ୍ଚର୍ଯ୍ୟ। ଲୋକ ପଠାଇ ବୁଝିଲେ ଘଟଣା କ’ଣ। ମଧୁସୂଦନଙ୍କୁ ହାଜର ହେବାର ନିର୍ଦ୍ଦେଶ ହେଲା। “ମୁଁ ପ୍ରଥମ ଓଡ଼ିଆ ଓକିଲ; ମତେ ଅନ୍ୟ ଓକିଲଙ୍କ ସହିତ ବସିବାକୁ ସ୍ଥାନ ଦିଆଯାଉନାହିଁ; ମୋ ମାଟିରେ ମୋର ପୁଣି ସ୍ଥାନ ନାହିଁ?” କକଲାନ୍ ବୁଝିଗଲେ, ଏ ଯୁବକ ସାଧାରଣ ଓକିଲାତି କଥା କହୁନାହାନ୍ତି; ଏକ ଜାତିର ସ୍ୱାଭିମାନର କଥା କହୁଛନ୍ତି। ସେ ନିଜ ଖାସ୍‌କମରା ନିକଟସ୍ଥ ଅନ୍ୟ ଏକ ପ୍ରକୋଷ୍ଠ ଦେଇଦେଲେ ମଧୁସୂଦନଙ୍କୁ ସିରସ୍ତା କରିବା ପାଇଁ। ପ୍ରଥମ ସଂଘର୍ଷରେ ହିଁ ଜିତାପଟ ଆସିଲା। କିନ୍ତୁ ଅନେକ ଅସୂୟା ଭାବ; ଏହା ମଧୁସୂଦନଙ୍କ ଆତ୍ମବିଶ୍ୱାସକୁ ତିଳେମାତ୍ର ପ୍ରଭାବିତ କରିପାରିଲା ନାହିଁ। ସ୍ୱାଭିମାନ ଓ ଆତ୍ମବିଶ୍ୱାସ– ଏ ଦୁଇଟି ହୋଇଗଲା ମଧୁସୂଦନଙ୍କ ଓକିଲାତି-ବୃତ୍ତିର ପ୍ରମୁଖ ଅସ୍ତ୍ର।

ମଧୁସୂଦନ ଆସିନଥିଲେ ଅର୍ଥ ରୋଜଗାରର ଲାଳସା ନେଇ। ତାଙ୍କୁ ବ୍ୟଥିତ କଲା ଓଡ଼ିଆଙ୍କ ପ୍ରତି ତିରସ୍କାର– ଓଡ଼ିଆ କାଳେ ଅଳ୍ପବୁଦ୍ଧିସମ୍ପନ୍ନ; ଓକିଲାତି ପରି ଏକି ବୌଦ୍ଧିକ ବୃତ୍ତି ଆପଣେଇବାକୁ ଅକ୍ଷମ; କିଛିଦିନ ସଂଗ୍ରାମ ପରେ ବଳେ ଓହରିଯିବେ। ଏସବୁକୁ ଭୁଲ ପ୍ରମାଣିତ କରିବା ଥିଲା ମଧୁସୂଦନଙ୍କର ଅଭିପ୍ରାୟ।
ଦିନେ ଜଣେ ମହନ୍ତ ଆସି ଗୁହାରି କଲେ, ଏକ ଓକାଲତନାମାରେ ମଧୁସୂଦନଙ୍କ ଦସ୍ତଖତ ନେବାକୁ। ବଦଳରେ ସେ ଆଣିଛନ୍ତି ଅନେକ ଟଙ୍କା। ତାଙ୍କ ପ୍ରତିପକ୍ଷ ଜଣେ ଗରିବ ଚାଷୀ। ମହନ୍ତଙ୍କ ପାଇଁ ମାମଲା ଲଢୁଥିଲେ ପ୍ରଖ୍ୟାତ ଓକିଲ ହରିବଲ୍ଲଭ ବସୁ। ମହନ୍ତ ଚାହାନ୍ତି, ଚାଷୀବାପୁଡା ପକ୍ଷରୁ କେହି ହେଲେ ଓକିଲ ଠିଆ ନ ହୁଅନ୍ତୁ। ମଧୁସୂଦନ ରାଗରେ ହେଲେ ଅଗ୍ନିଶର୍ମା– ‘‘ମୁଁ ବିକ୍ରି ହେବାକୁ ଆସିନାହିଁ’’। ଖାଲି ସେତିକି ନୁହେଁ; ସେହି ଚାଷୀକୁ ଖୋଜି ତା’ ପକ୍ଷରୁ ବିନା ପାଉଣାରେ ମକଦ୍ଦମା ଲଢିଲେ ଓ ଜିତାପଟ ହାସଲ କଲେ। ଏହା ହିଁ ଥିଲା ମଧୁସୂଦନଙ୍କ କଟକରେ ଓକିଲାତି ଜୀବନର ପ୍ରଥମ ମାମଲା। ବ୍ୟାପିଗଲା ତାଙ୍କର ସୁଖ୍ୟାତି। ବିହାରୀବାଗ ବସାରେ ଲାଗିଲା ମହକିଲଙ୍କର ଭିଡ଼।

ଶ୍ରୀଜଗନ୍ନାଥଙ୍କ ସମ୍ମାନ ପ୍ରତି ଆହ୍ୱାନ। ସରକାର ନାବାଳକ ମୁକୁନ୍ଦଦେବଙ୍କୁ ରାଜା ଘୋଷଣା କରିବାକୁ ଅନିଚ୍ଛୁକ; କାରଣ ଦେଶାନ୍ତର ଦଣ୍ଡ ଭୋଗୁଥିବା ତାଙ୍କ ପିତା ଦିବ୍ୟସିଂହଦେବ ତଥାପି ଜୀବିତ। ରାଣୀ ସୂର୍ଯ୍ୟମଣି ପାଟମହାଦେଈଙ୍କ ଆକୁଳ ନିବେଦନ– ରାଜା ନ ଥିଲେ ବଡ଼ଦେଉଳର ନୀତି କିପରି ହେବ? ଅନୁରୋଧ କଲେ ଯୁବ ଓକିଲ ମଧୁସୂଦନଙ୍କୁ– ପ୍ରଭୁଙ୍କ ସମ୍ମାନ ରକ୍ଷା କରନ୍ତୁ! ମଧୁସୂଦନ ଖ୍ରୀଷ୍ଟଧର୍ମାବଲମ୍ବୀ, ପିତୁଳାପୂଜାର ବିରୋଧୀ। କିନ୍ତୁ ଇଏ ତ କାହାର ବ୍ୟକ୍ତିଗତ ସ୍ୱାର୍ଥରକ୍ଷା ପାଇଁ ଲଢେଇ ନୁହେଁ। ସ୍ୱୟଂ ଜଗନ୍ନାଥ ତ ସମଗ୍ର ଓଡ଼ିଆ ଜାତିର ପ୍ରାଣ ଓ ଆତ୍ମା। ଏଠି ତଥାକଥିତ ଧର୍ମୀୟ ସଂକୀର୍ଣ୍ଣତାର ଅନ୍ଧଗଳିରେ ଯିବା ଗୋଟିଏ ଜାତି ପ୍ରତି ହୋଇଯିବ ତିରସ୍କାରସୂଚକ ନାସ୍ତିବାଣୀ। ସେ ଅଣ୍ଟା ଭିଡ଼ିଲେ– ରାଜାଙ୍କ ପାଇଁ କେବଳ ନୁହେଁ, ଓଡ଼ିଆର କାନ୍ଧ ସହ କାନ୍ଧ ମିଶେଇବା ପାଇଁ। ରାଣୀ ପଠାଇଥିବା ପଇସା ଫେରାଇଦେଲେ– ମଧୁସୂଦନ ଦାସ ଜଣେ ଓଡ଼ିଆ, ଜଗନ୍ନାଥଙ୍କ ସୁରକ୍ଷା ମଧ୍ୟ ତା’ର ପରମ ଦାୟିତ୍ୱ। ଲାଗିପଡିଲେ ଗବେଷଣାରେ– ଗଦାଗଦା ପୋଥି, ଦସ୍ତାବିଜ, ମାଦଳା ପାଞ୍ଜି, ଅନ୍ୟ ପାଞ୍ଜି, ଓଡ଼ିଶା ଇତିହାସ ସହିତ ‘ନୀଳାଦ୍ରିମହୋଦୟ’, ଯେଉଁଥିରେ ରହିଛି ଶ୍ରୀମନ୍ଦିରରେ ଠାକୁରରାଜାଙ୍କ ଦେବନୀତିର ବିଶଦ ବିବରଣୀ। ପଢ଼ିବାକୁ ଲାଗିଲେ ଦିନପରେ ଦିନ। ମିଳିଗଲା ନଜିର– ଅତୀତରେ ରାମଚନ୍ଦ୍ରଦେବଙ୍କ ମୁସଲମାନ ଧର୍ମଗ୍ରହଣ ଦୃଷ୍ଟେ, ସେ ଜୀବିତ ଥିବା ଅବସ୍ଥାରେ ହିଁ ସିଂହାସନ ଆରୋହଣ କରିଥିଲେ ତାଙ୍କର ପୁତ୍ର ବୀରକିଶୋରଦେବ। ସେତେବେଳେ ଯଦି ହଁ, ବର୍ତ୍ତମାନ କାହିଁକି ନୁହେଁ? ମଧୁସୂଦନଙ୍କ ଯୁକ୍ତି ଥିଲା ଅକାଟ୍ୟ। ଇଂରେଜ ସରକାର କିନ୍ତୁ ଛାଡ଼ିବାର ପାତ୍ର ନ ଥିଲେ। କଲେକ୍ଟର ଦାଖଲ କଲେ ରାଣୀଙ୍କ ବିରୋଧରେ ମକଦ୍ଦମା– ଶ୍ରୀମନ୍ଦିର ପରିଚାଳନାରେ ଅନେକ ତ୍ରୁଟି ଦର୍ଶାଇ। ଜିଲ୍ଲା ଜଜ୍ ବି ପ୍ରଥମ ଦିନରେ ହିଁ ମନ୍ଦିରର ସମସ୍ତ ସ୍ଥାବର, ଅସ୍ଥାବର ସମ୍ପତ୍ତି ତଥା ପରିଚାଳନାର ଦାୟିତ୍ୱ କିଛି ସରକାରୀ ସମର୍ଥକଙ୍କ ଉପରେ ନ୍ୟସ୍ତ କରିବାର ନିର୍ଦ୍ଦେଶ ଜାରି କରିଦେଲେ। ଜଗନ୍ନାଥଙ୍କ ଆତ୍ମସମ୍ମାନ ହେଲା କ୍ଷୁଣ୍ଣ; ସାଧାରଣ ଓଡ଼ିଆ ହେଲେ ମର୍ମାହତ; ରାଣୀ ହତାଶାର ବିରାଟ ବୋଝ ତଳେ ନିପତିତ। ହାଇକୋର୍ଟରେ ଅପିଲ୍ କରାଯାଇପାରେ; କିନ୍ତୁ ସେଥିପାଇଁ ଆବଶ୍ୟକ ଅର୍ଥ କେଉଁଠାରୁ ଆସିବ? ମଧୁସୂଦନ ଦେଲେ ଅଭୟବାଣୀ। ସେ ନିଜ ଖର୍ଚ୍ଚରେ ଦାଖଲ କଲେ ଅପିଲ୍। ଦୁଇ ବାରିଷ୍ଟର– ଉଡ଼ରଫ୍ ଓ ସାଣ୍ଡେଲ୍ କିନ୍ତୁ ସନ୍ଦିହାନ; ଏ ଯୁକ୍ତି ଅଦାଲତରେ ଗ୍ରହଣୀୟ ହେବ ତ? ମଧୁସୂଦନ ପ୍ରସ୍ତୁତ କଲେ ଯୁକ୍ତିର ଖସଡ଼ା। ବାରିଷ୍ଟରଦ୍ୱୟ ବିଚାରପତିଙ୍କ ଇଜଲାସରେ ବାଢ଼ିଲେ ବଳିଷ୍ଠ ତର୍କ। ଶେଷରେ ତାହା ହେଲା ଗ୍ରହଣୀୟ। ଜିଲ୍ଲାଜଜ୍‌ଙ୍କ ରାୟ ହେଲା ଖାରଜ। ଜିତାପଟ ହେଲା ସମଗ୍ର ଓଡ଼ିଆ ଜାତିର; ସେ ହୋଇଗଲେ ଜାତି ପାଇଁ ‘ବିପଦେ ମଧୁସୂଦନ’।

ମଧୁସୂଦନଙ୍କର ଏକାନ୍ତ ଇଚ୍ଛା– କନ୍ୟା ସୁଧାଂଶୁବାଳା ଓକିଲାତି ବୃତ୍ତିରେ ନିୟୋଜିତ ହୁଅନ୍ତୁ। କିନ୍ତୁ ଆଇନ ଥିଲା ବିପରୀତ। ସେ ଦାୟର କଲେ ପାଟନା ହାଇକୋର୍ଟରେ ମକଦ୍ଦମା। ତାଙ୍କର ଯୁକ୍ତି ଥିଲା ଅକାଟ୍ୟ; କିନ୍ତୁ ଆଇନର ନଜିର ଦେଖାଇ ଅଦାଲତ ତାହାକୁ ଗ୍ରହଣ କରିବାକୁ ଅକ୍ଷମତା ପ୍ରକାଶ କଲେ। ମଧୁସୂଦନ ହାର୍ ମାନିବାର ମଣିଷ ନୁହନ୍ତି। ସମ୍ବଳ ଯୋଗାଡ଼ କଲେ ବିଲାତରେ ପ୍ରିଭୀ କାଉନସିଲ୍‌ରେ ଅପିଲ୍ ଦାୟର କରିବାକୁ। ତତ୍‌ସହିତ ବନ୍ଧୁ ତଥା କେନ୍ଦ୍ରୀୟ ସଂସଦ ସଦସ୍ୟ ହରି ସିଂହ ଗୌରଙ୍କୁ ଅନୁରୋଧ କଲେ– ନାରୀମାନେ ଆଇନ ବ୍ୟବସାୟ କରିବା ପାଇଁ ଏକ ବିଲ୍ ଆଗତ କରିବାକୁ। କହିବା ବାହୁଲ୍ୟ, ମଧୁସୂଦନ ହିଁ ତାହା ପ୍ରସ୍ତୁତ କରିଥିଲେ। ଦୈବାତ୍‌ ବିଲାତରେ ଆଇନର ପରିବର୍ତ୍ତନ ହେବାରୁ ସୁଧାଂଶୁବାଳା ହୋଇଗଲେ ଭାରତର ପ୍ରଥମ ମହିଳା ଓକିଲ।

ଗୋଟିଏ ସ୍ୱାଧୀନ ପ୍ରଦେଶର ଗରିମା ବାସ୍ତବରେ ତାହାର ନ୍ୟାୟବ୍ୟବସ୍ଥାର ସ୍ୱାତନ୍ତ୍ର୍ୟ ଦ୍ୱାରା ପ୍ରମାଣିତ ହୋଇଥାଏ। ମଧୁସୂଦନଙ୍କର କ୍ରମାଗତ ଦାବି– ଓଡ଼ିଆ ଲୋକଙ୍କର ନିଜସ୍ୱ ନ୍ୟାୟବ୍ୟବସ୍ଥା ଗଠନ ହେବା ଆବଶ୍ୟକ। ସରକାର ମାନିନେଲେ। ୧୯୧୬ ମେ ୧୮ ତାରିଖ ଦିନ କଟକଠାରେ ବସିଲା ଓଡ଼ିଶା ପାଇଁ ପାଟନା ହାଇକୋର୍ଟର ପ୍ରଥମ ସର୍କିଟ୍‌ କୋର୍ଟ। ସେଦିନର ସ୍ୱାଗତ ସମାରୋହରେ କଟକ ବାର୍ ଆସୋସିଏସନ୍‌ର ସଭାପତିତ୍ୱ କରୁଥବା ମଧୁସୂଦନ ଲକ୍ଷଲକ୍ଷ ଓଡିଆଙ୍କ ତରଫରୁ ଦୃଢ ଆଶା ବ୍ୟକ୍ତ କରିଥିଲେ, ଦିନେ ଏହା ଏକ ସ୍ଥାୟୀ ବେଞ୍ଚ୍‌ରେ ପରିଣତ ହେବ। ଦୀର୍ଘ ୩୨ ବର୍ଷ ପରେ, ୧୯୪୮ ମସିହା ଜୁଲାଇ ୨୬ ତାରିଖ ଦିନ, ତାଙ୍କ ଦେହାବସାନର ୧୪ ବର୍ଷ ପରେ, ସେହି ସ୍ୱପ୍ନ ସାକାର ହେଲା ଓଡ଼ିଶା ହାଇକୋର୍ଟର ପ୍ରତିଷ୍ଠା ମାଧ୍ୟମରେ। ଦୀର୍ଘ ୭୬ ବର୍ଷ ମଧ୍ୟରେ ଓଡ଼ିଶାରେ ନ୍ୟାୟବ୍ୟବସ୍ଥାର ଯେଉଁ ବିଶାଳ ଅବୟବ ଗଢ଼ିଉଠଛି ଅଗଣିତ ଜନତାଙ୍କୁ ନ୍ୟାୟପ୍ରଦାନ କରିବା ପାଇଁ, ତାହାର ଭିତ୍ତିପ୍ରସ୍ତର ପଡ଼ିଥିଲା ସୁଦୂର ଅତୀତର ସେହି ମହାର୍ଘ ମୁହୂର୍ତ୍ତରେ, ମଧୁସୂଦନଙ୍କ ହାତରେ। ଏହି ଅନନ୍ୟ ଉଦାହରଣମାନ ମଧୁସୂଦନଙ୍କ ଅମ୍ଳାନ ପ୍ରତିଭାର କିଞ୍ଚିତ୍‌ମାତ୍ର ନିଦର୍ଶନ। ମଧୁସୂଦନଙ୍କ ପାଇଁ ସ୍ୱାଭିମାନ ହିଁ ଥିଲା ଜଣେ ଓକିଲର ସବୁଠାରୁ ବଡ଼ ଅସ୍ତ୍ର। “ଆଲୋ ସଖୀ, ଆପଣା ମହତ ଆପେ ରଖି” ନ୍ୟାୟରେ ବିଶ୍ୱାସ କରୁଥିବା ମଣିଷଟି ସେଦିନ ପ୍ରତିକୂଳ ପରିସ୍ଥିତିରେ ହାରିନଯାଇ କେବଳମାତ୍ର ସ୍ୱାଭିମାନକୁ ପାଥେୟ କରି ସମଗ୍ର ଓଡ଼ିଆ ଜାତିକୁ ନେତୃତ୍ୱ ଦେଇପାରିଥିଲା।
ବୋଧହୁଏ ଏତେ ବର୍ଷ ପରେ, ଆମ ପାଇଁ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ହୋଇପାରେ ଇତିହାସର ଏକ ଅବଶ୍ୟମ୍ଭାବୀ ଘଟଣା; କିନ୍ତୁ ଭାବିବାର ବିଷୟ, ଯଦି ମଧୁସୂଦନ ଓ ତାଙ୍କ ନେତୃତ୍ୱରେ ଆହୁରି ଅନେକ ମହାମନୀଷୀ ଏ ଦିଗରେ ସାଧୁ ଉଦ୍ୟମ କରିନଥାନ୍ତେ, ତା’ହେଲେ…! ଆଜି, ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ତଥା ‘ଅଧିବକ୍ତା ଦିବସ’ ଉପଲକ୍ଷେ, ଜାତିପ୍ରାଣ ମଧୁସୂଦନଙ୍କୁ ଆମର ଶ୍ରଦ୍ଧାସୁମନ।

କାହିଁକି ମିଳିବନି ଭାରତରତ୍ନ

ତାଙ୍କ ଅବଦାନକୁ ଲୋକ ଜାଣିପାରୁ ନାହାନ୍ତି
ମଧୁବାବୁଙ୍କ ଉତ୍କଳ ଟାନେରି ଦେଖି ମହାତ୍ମା ଗାନ୍ଧୀ ପ୍ରଭାବିତ ହୋଇଥିଲେ। ଭାରତର ସ୍ବାଧୀନତା ସଂଗ୍ରାମରେ ମଧୁବାବୁଙ୍କ ଗୁୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ୧୯୨୦ ମସିହାରେ ଅସହଯୋଗ ଆନ୍ଦୋଳନ ପ୍ରସ୍ତାବ ଆଗତ ହେବାର ଥିଲା। କିନ୍ତୁ ଦେଶବନ୍ଧୁ ଚିତ୍ତରଂଜନ ଦାସ ଓ ଅନ୍ୟ ସ୍ବଦେଶୀ ନେତା ଏହାକୁ ବିରୋଧ କରିଥିଲେ। ପରବର୍ତ୍ତୀ ସମୟରେ ମଧୁବାବୁଙ୍କ ପ୍ରଚେଷ୍ଟାରେ ମହାତ୍ମା ଗାନ୍ଧୀ ଓ ଚିତ୍ତରଂଜନ ଦାସଙ୍କ ମଧ୍ୟରେ ଆଲୋଚନା ହୋଇଥିଲେ। ଫଳରେ ନାଗପୁର‌ରେ ଅନୁଷ୍ଠିତ ଭାରତୀୟ ଜାତୀୟ କଂଗ୍ରେସ ବୈଠକରେ ଚିତ୍ତରଂଜନ ଦାସ ଅସହ‌ଯୋଗ ପ୍ରସ୍ତାବ ଆଗତ କରିଥିଲେ। ଏଥିରେ ମଧୁବାବୁଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ଥିଲା। ଅସହଯୋଗ ଆନ୍ଦୋଳନ ଓ ମହାତ୍ମା ଗାନ୍ଧୀଙ୍କ କୁଟିର ଶିଳ୍ପ ପ୍ରସଂଗକୁ ମଧୁବାବୁ ପ୍ରଭାବିତ କରିଥିଲେ। କିନ୍ତୁ ମଧୁବାବୁଙ୍କ ସର୍ବଭାରତୀୟ କ୍ଷେତ୍ରରେ ଅବଦାନ ଲୋକେ ଜାଣି ପାରି ନାହାନ୍ତି। ଭାରତ ବର୍ଷର ଉନ୍ନତିରେ ମଧୁବାବୁଙ୍କୁ ଭୂମିକା ପାଇଁ ତାଙ୍କୁ ଭାରତରତ୍ନ ଦିଆଯିବା ଉଚିତ।
ଶଶିଭୂଷଣ ଦାସ, ସଦସ୍ୟ
ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧିକରଣ

ସବୁ ଓଡ଼ିଆ ସ୍ବର ଉଠାନ୍ତୁ
ଓଡ଼ିଆ ଜାତିର ସ୍ବାଭିମାନର ପ୍ରତୀକ ଥିଲେ ମଧୁବାବୁ। ବ୍ରିଟିଶ ଶାସନ ବେଳେ ବଙ୍ଗ, ବିହାର, ଆନ୍ଧ୍ରପ୍ରଦେଶରେ ଓଡ଼ିଶାର ଅଂଶ ମିଶି ରହିଥିଲା। ମଧୁବାବୁଙ୍କ ଉଦ୍ୟମର ଫଳସ୍ବରୂପ ୧୯୩୬, ଏପ୍ରିଲ ପହିଲାରେ ଭାଷାଭିତ୍ତିକ ପ୍ରଦେଶ ଗଠନ ନୀତିରେ ଆମେ ସ୍ବତନ୍ତ୍ର ପ୍ରଦେଶ ପାଇ ପାରିଥିଲୁ। ଦେଶ ସ୍ବାଧୀନତା ପୂର୍ବରୁ ଓଡ଼ିଶା ସ୍ବତନ୍ତ୍ର ପ୍ରଦେଶର ମାନ୍ୟତା ହାସଲ କରି ପାରିଥିଲା କେବଳ ମଧୁବାବୁଙ୍କ ପାଇଁ। ମଧୁବାବୁଙ୍କ ଅବଦାନ ଅତୁଳନୀୟ। ମଧୁବାବୁଙ୍କୁ ଭାରତରତ୍ନ ପ୍ରଦାନ କରାଗଲେ ଏହା ତାଙ୍କ ପ୍ରତି ପ୍ରକୃତ ସମ୍ମାନ ଓ ଶ୍ରଦ୍ଧାଞ୍ଜଳି ହେବ। ଏଥି ପାଇଁ ସବୁ ଓଡ଼ିଆ ପ୍ରଥମେ ସ୍ବର ଉଠାଇବା ଦରକାର।
ବିଜୟ କୁମାର ଦାଶ, ସଭାପତି
ହାଇକୋର୍ଟ ବାର୍ ଆସୋସିଏସନ୍

ଗାନ୍ଧିଜୀଙ୍କୁ ବି ପ୍ରଭାବିତ କରିଥି‌ଲେ
ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ବ୍ୟକ୍ତିତ୍ବ କେବଳ ସାର୍ ଆଶୁତୋଷ ମୁଖାର୍ଜୀଙ୍କୁ ନୁହେଁ ମହାତ୍ମା ଗାନ୍ଧୀଙ୍କୁ ମଧ୍ୟ ଗଭୀର ଭା‌ବେ ପ୍ରଭାବିତ କରିଥିଲା। ୧୯୨୫ରେ ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଗସ୍ତ ସମୟରେ ସେ ମଧୁବାବୁଙ୍କ ଅତିଥି ହୋଇଥିଲେ। ମ୍ୟୁନିସିପାଲିଟି ନିକଟ ସଭାସ୍ଥଳକୁ ମହାତ୍ମା ଗାନ୍ଧୀଙ୍କୁ ନେଇ ମଧୁବାବୁ ଯାଇଥିଲେ। ମହାତ୍ମା ଗାନ୍ଧୀ ଅରଟରେ ସୂତା କାଟିବାକୁ କହିବା ସହିତ ଲୋକମାନେ ସ୍ବାବଲମ୍ବୀ ହେବା ଉପରେ ସବୁ ବେଳେ ଗୁରୁତ୍ବାରୋପ କରୁଥିଲେ। ମଧୁବାବୁ ଅର୍ଥନୈତିକ ବିକାଶ ଓ ଶିଳ୍ପ ପ୍ରତିଷ୍ଠା ଉପରେ ଗୁରୁତ୍ବଦେବା ସହିତ ଲୋକମାନଙ୍କୁ ସ୍ବାବଲମ୍ବୀ କରିବା ପାଇଁ ନେଇଥିବା ପଦକ୍ଷେପ ଦ୍ବାରା ମହାତ୍ମା ଗାନ୍ଧୀ ପ୍ରଭାବିତ ହୋଇଥିଲେ। ମଧୁବାବୁ ତାଙ୍କୁ ପ୍ରଭାବିତ କରିବା କଥା ନିଜେ ମହାତ୍ମା ଗାନ୍ଧୀ ମାନିଛନ୍ତି। ଉତ୍କଳ ଗୌରବ ମଧୁସୂଦନ ସମସ୍ତ ଓଡ଼ିଆଙ୍କ ହୃଦୟରେ ରହିଛନ୍ତି। ଯାହାଙ୍କ ଅବଦାନ ସାରା ଦେଶ ତଥା ଓଡ଼ିଶା ପାଇଁ ଅତୁଳନୀୟ ତାଙ୍କୁ ସମ୍ମାନ ଜଣାଇ ଭାରତ ରତ୍ନ ପ୍ରଦାନ କରାଯିବା ଉଚିତ।
ମନୋରଞ୍ଜନ ମହାନ୍ତି, ଅବସରପ୍ରାପ୍ତ ବିଚାରପତି

ସ୍ବାଭିମାନର ମନ୍ତ୍ରଦାତା

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ସଂପର୍କରେ ତାଙ୍କ ସହଯୋଗୀ ପ୍ରଖ୍ୟାତ ଆଇନଜ୍ଞ, ଉତ୍କଳ ବିଶ୍ବବିଦ୍ୟାଳୟର ପ୍ରୋ-ଚାନସେଲର ଚିନ୍ତାମଣି ଆଚାର୍ଯ୍ୟ ମଧୁବାବୁଙ୍କ ଜୀବନ କାହାଣୀ ଉତ୍କଳର ଅର୍ଦ୍ଧଶତାବ୍ଦୀର ଇତିହାସ ବୋଲି ଯେଉଁ ମନ୍ତବ୍ୟ ଦେଇଥିଲେ ତାହା ବାସ୍ତବିକ ପ୍ରାସଂଗିକ ତଥା ପ୍ରଣିଧାନଯୋଗ୍ୟ। ମଧୁବାବୁ ଓଡ଼ିଶା ପ୍ରଦେଶର ଯଥାର୍ଥ ଜନକ ଭାବେ ଓଡ଼ିଶାର ସାମାଜିକ, ରାଜନୈତିକ, ଅର୍ଥନୈତିକ ତଥା ସାଂସ୍କୃତିକ ବିକାଶ ଦିଗରେ ଯେଉଁ ସବୁ ଅବଦାନ ଦେଇଛନ୍ତି ତାହା ସମୟସ୍ରୋତରେ ମଧ୍ୟ ଅନତିକ୍ରମଣୀୟ ହୋଇ ରହିଯାଇଛି। ମଧୁବାବୁ ଓଡ଼ିଆ ଭାଷାଭାଷୀ ଅଞ୍ଚଳର ଏକତ୍ରୀକରଣ କରି ଓଡ଼ିଆ ସ୍ବାଭିମାନର ମନ୍ତ୍ରରେ ଓଡ଼ିଆ ଜାତିକୁ ଦୀକ୍ଷିତ କରିବା ଲକ୍ଷ୍ୟ ରଖି ଯେଉଁ ଉତ୍କଳ ସମ୍ମିଳନୀ ପ୍ରତିଷ୍ଠା କରିଥିଲେ ତାହାର ନିରବଛିନ୍ନ ଉଦ୍ୟମ ଫଳରେ ୧୯୩୬, ଏପ୍ରିଲ ପହିଲାରେ ଆମେ ସ୍ବତନ୍ତ୍ର ପ୍ରଦେଶ ପାଇ ପାରିଥିଲୁ।

ଓଡ଼ିଶାର ଅର୍ଥନୈତିକ ବିକାଶ ପାଇଁ ମଧୁବାବୁଙ୍କ ଦ୍ବାରା ପ୍ରତିଷ୍ଠିତ ଉତ୍କଳ ଟାନେରି ଓ ଉତ୍କଳ ଆର୍ଟ ୱୟାର ବହୁ ଓଡ଼ିଆଙ୍କୁ କର୍ମସଂସ୍ଥାନ ଯୋଗାଇ ଦେଇଥିଲା। ଶ୍ରୀଜଗନ୍ନାଥ ମନ୍ଦିରର ପ୍ରଶାସନିକ ବ୍ୟବସ୍ଥାକୁ ବ୍ରିଟିଶ ସରକାର ‌େଯତେବେଳେ ହାତକୁ ନେବାକୁ ଚେଷ୍ଟା କରିଥିଲେ ରାଣୀ ସୂର୍ଯ୍ୟମଣି ପାଟମହାଦେଇଙ୍କ ପକ୍ଷରୁ ବିନା ପାରିଶ୍ରମିକରେ କଲିକତା ହାଇକୋର୍ଟରେ ମାମଲା ଲଢି ମଧୁବାବୁ ସଫଳ ହୋଇଥିଲେ। ମଧୁବାବୁ ବିହାର-ଓଡ଼ିଶା ଲେଜିସଲେଟିଭ କାଉନସିଲର ପ୍ରଥମ ଓଡ଼ିଆ ସଭ୍ୟ ଓ ପ୍ରଥମ ଓଡ଼ିଆ ମନ୍ତ୍ରୀ ଥିଲେ। ସ୍ବାସ୍ଥ୍ୟ ଓ ସ୍ବାୟତ୍ତଶାସନ ମନ୍ତ୍ରୀ ଥିବା ବେଳେ ମଧୁବାବୁ ଅବୈତନିକ କାର୍ଯ୍ୟ କରିବା ପାଇଁ ପ୍ରସ୍ତାବ ରଖିଥିଲେ। ଲେଜିସଲେଟିଭ କାଉନସିଲରେ ତାଙ୍କ ପ୍ରସ୍ତାବ କାଟ ଖାଇଯିବାରୁ ସେ ମନ୍ତ୍ରିପଦ ତ୍ୟାଗ କରିଥିଲେ। ମଧୁବାବୁଙ୍କ ଗଭୀର ଦୂରଦୃଷ୍ଟି ଯୋଗୁଁ ଓଡ଼ିଶା ପାଇଁ ସର୍କିଟ ହାଇକୋର୍ଟ ଓ ପରବର୍ତ୍ତୀ ସମୟରେ ସ୍ଥାୟୀ ହାଇକୋର୍ଟ ପ୍ରତିଷ୍ଠା ସମ୍ଭବ ହୋଇ ପାରିଥିଲା। ମଧୁବାବୁ ଥିଲେ କଲିକତା ବିଶ୍ବବିଦ୍ୟାଳୟର କୁଳପତି ସାର୍ ଆଶୁତୋଷ ମୁଖାର୍ଜୀଙ୍କ ଗୃହଶିକ୍ଷକ। ଆଶୁତୋଷ ମୁଖାର୍ଜୀଙ୍କ ପୁତ୍ର ତଥା ଭାରତୀୟ ଜନସଂଘର ଅନ୍ୟତମ ପ୍ରତିଷ୍ଠାତା ଶ୍ୟାମାପ୍ରସାଦ ମୁଖାର୍ଜୀ ମଧୁବାବୁଙ୍କ ବ୍ୟକ୍ତିତ୍ବ ଦ୍ବାରା ସେ ଓ ତାଙ୍କ ପିତା କିପରି ପ୍ରଭାବିତ ହୋଇଥିଲେ, ସେ ସଂପର୍କରେ ସ୍ବୀକାର କରିବା ସହିତ ମଧୁବାବୁଙ୍କୁ ସର୍ବଭାରତୀୟ ସ୍ତରର ଚିନ୍ତାନାୟକ ଭାବେ ବର୍ଣ୍ଣନା କରିଛନ୍ତି। ପାଳିତା କନ୍ୟା ସୁଧାଂଶୁବାଳାଙ୍କୁ ପ୍ରଥମ ମହିଳା ଓକିଲ ଭାବେ ପରିଚିତ କରିବା ପାଇଁ ମଧୁବାବୁ ପ୍ରିଭି କାଉନସିଲ ପର୍ଯ୍ୟନ୍ତ ଆଇନଗତ ଲଢେଇ କରି ସଫଳ ହୋଇଥିଲେ। ଓଡ଼ିଶା ରାଜନେତାମାନେ ସ୍ବାଭିମାନୀ ହେଲେ ଏହା ମଧୁବାବୁଙ୍କ ପାଇଁ ସର୍ବଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ।
ଦେବସ୍ନାନ ଦାସ, ଆଇନଜୀବୀ, ଓଡ଼ିଶା ହାଇକୋର୍ଟ

ସମ୍ବନ୍ଧିତ ଖବର