ଚଳନ୍ତିକା: ମୃତ୍ୟୁ ଉପତ୍ୟକା

ବରଫ ଜମାଟ ବାନ୍ଧିଥିବା ମେରୁ ଅଞ୍ଚଳରୁ ଆରମ୍ଭ କରି ଉତ୍ତପ୍ତ ମରୁଭୂମି ପର୍ଯ୍ୟନ୍ତ ବିଶ୍ବରେ ହରେକ ରକମର ଜଳବାୟୁ ଥିବା ଅଞ୍ଚଳ ରହିଛି। ଉତ୍ତପ୍ତ ଅଞ୍ଚଳଗୁଡ଼ିକ ମଧ୍ୟରୁ କେତେକ ସ୍ଥାନରେ ଗ୍ରୀଷ୍ମକାଳରେ ଅସହ୍ୟ ତାତି ଅନୁଭୂତ ହୁଏ। ସେଭଳି ଏକ ସ୍ଥାନ ହେଉଛି ଆମେରିକାର କାଲିଫର୍ଣ୍ଣିଆରେ ଥିବା ‘ମୃତ୍ୟୁ ଉପତ୍ୟକା’। ଗ୍ରୀଷ୍ମ କାଳରେ ଏହାକୁ ଭୂପୃଷ୍ଠର ସବୁଠୁ ଉତ୍ତପ୍ତ ସ୍ଥାନ ବୋଲି ବିବେଚନା କରାଯାଏ। ୧୯୧୩ରେ ଏହି ସ୍ଥାନର ତାପମାତ୍ରା ୫୬.୭ ଡିଗ୍ରି ସେଣ୍ଟିଗ୍ରେଡ୍‌ ହୋଇ ରେକର୍ଡ ସୃଷ୍ଟି କରିଥିଲା। ଚଳିତବର୍ଷ ମଧ୍ୟ ତାପମାତ୍ରା ୫୩.୩ ଡିଗ୍ରି ସେଣ୍ଟିଗ୍ରେଡ୍‌କୁ ବୃଦ୍ଧି ପାଇ ‘ମୃତ୍ୟୁ ଉପତ୍ୟକା’ ବିଶ୍ବର ସବୁଠୁ ଉତ୍ତପ୍ତ ସ୍ଥାନଗୁଡ଼ିକ ମଧ୍ୟରେ ପରିଗଣିତ ହୋଇଛି।

ରମଣୀୟ ମରୁକ୍ଷେତ୍ର
‘ମୃତ୍ୟୁ ଉପତ୍ୟକା’ ହେଉଛି ‘ଗ୍ରେଟ୍‌ ବେସିନ୍‌ ମରୁଭୂମି’କୁ ସ୍ପର୍ଶ କରୁଥିବା ଏବଂ ଉତ୍ତର ‘ମୋଜେଭ୍‌ ମରୁଭୂମି’ ନିକଟବର୍ତ୍ତୀ ପୂର୍ବ କାଲିଫର୍ଣ୍ଣିଆ ଅନ୍ତର୍ଗତ ଗୋଟାଏ ମରୁ ଉପତ୍ୟକା। ସମୁଦ୍ର ପତ୍ତନର ୨୮୨ ଫୁଟ୍‌ ନିମ୍ନରେ ଅବସ୍ଥିତ ଏହି ଭୂଖଣ୍ଡ ହେଉଛି ଦୁଇଟି ପର୍ବତମାଳା ବେଷ୍ଟନୀରେ ଅବରୋଧ ହୋଇଥିବା ଗୋଟାଏ ରମଣୀୟ ମରୁକ୍ଷେତ୍ର। ବିଗତ ବର୍ଷଗୁଡ଼ିକରେ ଏଠାକାର ପ୍ରଖର ଉତ୍ତାପ ଓ ଶୁଷ୍କ ବାତାବରଣ ଅନେକ ପର୍ଯ୍ୟଟକଙ୍କ ମୃତ୍ୟୁର କାରଣ ମଧ୍ୟ ହୋଇଛି। ତଥାପି, ପ୍ରତିବର୍ଷ ଏଠାକୁ କୋଟି କୋଟି ପର୍ଯ୍ୟଟକ ଆସନ୍ତି।

କିଏ ଦେଲା ନାଁ
କିଂବଦନ୍ତି କହେ, ୧୮୪୯-୧୮୫୦ ଶୀତଋତୁରେ ଦଳେ ଆବିଷ୍କାରକ ଏ ଉପତ୍ୟକାରେ ଫସି ଯାଇଥିଲେ। ସେଠାରେ ମୃତ୍ୟୁ ହେବା ଆଶଙ୍କା କରି ସେମାନେ ଏ ଜାଗାର ନାଁ ଦେଇଥିଲେ ‘ମୃତ୍ୟୁ ଉପତ୍ୟକା’। ଅବଶ୍ୟ ସେ ଆବିଷ୍କାରକ ଦଳରୁ ସେଠାରେ ଜଣକର ମୃତ୍ୟୁ ଘଟିଥିଲା। ତେଣୁ, କାଳକାଳକୁ ଏ ସ୍ଥାନର ନାଁ ‘ମୃତ୍ୟୁ ଉପତ୍ୟକା’ ହୋଇ ରହିଗଲା।

 

ଏତେ ଉତ୍ତପ୍ତ କାହିଁକି
ସ୍ବଳ୍ପ ଗଛବୃଚ୍ଛ ଥିବାରୁ ଏହି ମରୁକ୍ଷେତ୍ରକୁ ସୂର୍ଯ୍ୟାଲୋକ ଅତି ଉତ୍ତପ୍ତ କରିପକାଏ। ତା’ ସଙ୍ଗକୁ ଶୁଷ୍କ ବାୟୁ ପ୍ରବାହ ଉତ୍ତାପକୁ ବହୁଗୁଣିତ କରିଦିଏ। ଗରମ ବାୟୁ ସାଧାରଣତଃ ଉପରକୁ ଉଠି ଥଣ୍ଡା ହୋଇଥାଏ। କିନ୍ତୁ, ‘ମୃତ୍ୟୁ ଉପତ୍ୟକା’ରେ ଚତୁଃପାର୍ଶ୍ବରେ ପାଚେରି ପରି ବେଢ଼ିଥିବା ଥିବା ସୁଉଚ୍ଚ ତୀଖ ପାହାଡ଼ ଉଷ୍ମ ବାୟୁକୁ ଊର୍ଦ୍ଧ୍ବଗାମୀ ହେବାରେ ବାଧାଦିଏ। ସେ ବାୟୁ ପୁନଶ୍ଚ ଉପତ୍ୟକାର ଭୂପୃଷ୍ଠ ଆଡ଼କୁ ପ୍ରତ୍ୟାବର୍ତ୍ତନ କରେ। ଫଳରେ ଉତ୍ତାପ ବିକିରଣ ନ ଘଟି ଉପତ୍ୟକାର ଭୂଗର୍ଭରେ ଅଟକି ରହେ। ତେଣୁ, ପରିବେଶ ଅତିଶୟ ଉତ୍ତପ୍ତ ହୁଏ। ଏହାଛଡ଼ା, ‘ମୃତ୍ୟୁ ଉପତ୍ୟକା’ର ଦକ୍ଷିଣ ଓ ପୂର୍ବପ୍ରାନ୍ତରେ ସଂଲଗ୍ନ ମରୁଭୂମିରୁ ସଦାସର୍ବଦା ଉତ୍ତପ୍ତ ବାୟୁ ପ୍ରବାହ ଘଟୁଥାଏ।

ଫୁଲ, ଝରଣା ଓ ଜଳାଶୟ
ଆଦିମ ଆମେରିକୀୟ ତିମ୍ବିଶା ସମ୍ପ୍ରଦାୟଙ୍କ ଆଦି ବାସସ୍ଥଳୀ ‘ମୃତ୍ୟୁ ଉପତ୍ୟକା’ରେ ଗ୍ରୀଷ୍ମକାଳ ଅତି ଦୀର୍ଘ। ସ୍ବଳ୍ପ ସମୟ ପାଇଁ ଆସୁଥିବା ଶୀତଋତୁରେ ବି ଗରମ ଅନୁଭୂତ ହୁଏ। ଏଠାରେ ବର୍ଷା ମଧ୍ୟ ହୁଏ, କିନ୍ତୁ ପରିମାଣ ଅତି ନଗଣ୍ୟ। ଅସହ୍ୟ ତାତି ଓ ଅତି ସ୍ବଳ୍ପ ବୃଷ୍ଟି ସତ୍ତ୍ବେ ଏ ଅଞ୍ଚଳରେ ଉଲ୍ଲେଖନୀୟ ଜୈବବିବିଧତା ରହିଛି। ଏଠାରେ ଅଛି ୬୦୦ରୁ ଊର୍ଦ୍ଧ୍ବ ଝରଣା ଓ ଜଳାଶୟ। ପ୍ରତିବର୍ଷ ବସନ୍ତଋତୁରୁ ଆରମ୍ଭ କରି ଜୁନ୍‌ ମାସ ପର୍ଯ୍ୟନ୍ତ ବରଫ-ତରଳା ପାଣି ପାଇ ଅନେକ ଫୁଲ ଏହି ଉପତ୍ୟକାକୁ ଆଚ୍ଛାଦିତ କରନ୍ତି। ବଡ଼ଶିଙ୍ଗିଆ ମେଣ୍ଢା, ନାଲିଲାଞ୍ଜିଆ ବାଜ ଓ ବଣୁଆ ଗଧ ଆଦି ପ୍ରାଣୀ ମଧ୍ୟ ଏଠାରେ ବାସ କରନ୍ତି।

ଆଉ କେତେକ ସ୍ଥାନ ବି ଉତ୍ତପ୍ତ
ଡହ ଡହ ଗରମ ଓ ଟାଙ୍ଗର ପରିବେଶ ଯୋଗୁଁ କେବଳ ଆମେରିକାର ‘ମୃତ୍ୟୁ ଉପତ୍ୟକା’ ନୁହେଁ, ଆହୁରି କେତେକ ଅଞ୍ଚଳ ଅଛି ଯେଉଁଠି ତାପମାତ୍ରା ୫୦ ଡିଗ୍ରି ସେଣ୍ଟିଗ୍ରେଡ୍‌ ଟପିଯାଏ। ସେ ସବୁ ହେଉଛି, ଇରାନ୍‌ର ଦଶତ୍‌-ଏ-ଲୁତ୍ ଓ କୁଏତ। ସେହିପରି ମାଲିର ତିମ୍ବୁକ୍‌ତୁ, ଇରାନ୍‌ର ଅହବାଜ୍‌ ଓ ଭାରତର ଚୁରୁ ଆଦି ସ୍ଥାନରେ ଲୋକେ ଆଠକାଳି ବାରମାସୀ ଅସହ୍ୟ ଉତ୍ତାପ ସହ୍ୟ କରି ଚଳନ୍ତି।

ସମ୍ବନ୍ଧିତ ଖବର