ବିଶ୍ବର ବିଭିନ୍ନ ସ୍ଥାନରେ ରହିଛି ତାଙ୍କର ପ୍ରତିମୂର୍ତ୍ତି। ତାଙ୍କ ନାମରେ ଚାଲିଛି ରେଳଗାଡ଼ି। ଅନେକ ରାସ୍ତାଘାଟର ନାମକରଣ ବି ତାଙ୍କରି ନାମାନୁସାରେ ହୋଇଛି। ଛାପା ଯାଇଛି ଡାକଟିକେଟ। ପ୍ରଦାନ କରାଯାଇଛି ଫେଲୋସିପ୍। ଏହି ଅନନ୍ୟ, ଅସାଧାରଣ ବ୍ୟକ୍ତି ହେଉଛନ୍ତି ଜଣେ ବିଖ୍ୟାତ ଗୁଇନ୍ଦା। ନାଁ ତାଙ୍କର ସେର୍ଲକ୍ ହୋମ୍ସ୍। କିନ୍ତୁ, ତାଙ୍କର ଅସ୍ତିତ୍ବ ନ ଥିଲା। ଅର୍ଥାତ୍ ହୋମ୍ସ୍ ବୋଲି କୌଣସି ବ୍ୟକ୍ତି ନ ଥିଲେ। ସେ ହେଉଛନ୍ତି, ଖ୍ୟାତନାମା ଲେଖକ ତଥା ଡାକ୍ତର ଅର୍ଥର୍ କୋନନ୍ ଡୋୟଲ୍ଙ୍କ ଗୁଇନ୍ଦା କାହାଣୀର କାଳ୍ପନିକ ଚରିତ୍ର…।
Sambad is now on WhatsApp
Join and get latest news updates delivered to you via WhatsApp
ସ୍କଟ୍ଲାଣ୍ଡ୍ର ଲେଖକ ଅର୍ଥର୍ କୋନନ୍ ଡୋୟଲ୍ଙ୍କ ସୃଷ୍ଟ କାଳ୍ପନିକ ଚରିତ୍ର ହେଲେ ବି ସେର୍ଲକ୍ ହୋମ୍ସ୍ଙ୍କ କାର୍ଯ୍ୟଧାରା ଓ ଚାଲିଚଳଣ ଏଡିନ୍ବରା ବିଶ୍ବବିଦ୍ୟାଳୟ ମେଡିକାଲ୍ ସ୍କୁଲ୍ରେ ପ୍ରଫେସର୍ ଥିବା ଡାକ୍ତର ଜୋସେଫ୍ ବେଲ୍ଙ୍କ ଦ୍ବାରା ପ୍ରଭାବିତ। ରୋଗୀର ରୋଗ ନିରୂପଣ କରି ଔଷଧ ଦେବା ଲାଗି ବେଲ୍ ଯେଉଁ ପଦ୍ଧତି ଅବଲମ୍ବନ କରୁଥିଲେ, ଅଧିକାଂଶ ମାମଲା ତଦନ୍ତ କରିବା ବେଳେ ହୋମ୍ସ୍ ସେଭଳି ଉପାୟ କରୁଥିଲେ। ବାସ୍ତବ ଗୁଇନ୍ଦା ନ ହୋଇ ନ ବି ହୋମ୍ସ୍ଙ୍କ ନାଁ ଆଜି ଗୁଇନ୍ଦାର ପରିଭାଷା ହୋଇଯାଇଛି।
ଗଳ୍ପରୁ ଆତ୍ମପ୍ରକାଶ:
୧୮୮୭ର ‘ଏ ଷ୍ଟଡି ଇନ୍ ସ୍କାର୍ଲେଟ୍’ରେ ସର୍ବପ୍ରଥମେ ସେର୍ଲକ୍ ହୋମ୍ସ୍ ଚରିତ୍ର ଆତ୍ମପ୍ରକାଶ କରିଥିଲା। ‘ଦି ଷ୍ଟ୍ରାଣ୍ଡ୍ ମାଗାଜିନ୍’ରେ ପ୍ରଥମେ କ୍ଷୁଦ୍ରଗଳ୍ପ ସରିଜ୍ ପ୍ରକାଶିତ ହେବା ପରେ ସେର୍ଲକ୍ ହୋମ୍ସ୍ ଚରିତ୍ରର ଲୋକପ୍ରିୟତା ବ୍ୟାପକ ହେଲା। ଏହି ଧାରାବାହିକ ବା ସିରିଜ୍ର ପ୍ରଥମ କ୍ଷୁଦ୍ରଗଳ୍ପ ‘ଏ ସ୍କାଣ୍ଡାଲ୍ ଇନ୍ ବୋହିମିଆ’ ୧୮୯୧ରେ ପ୍ରକାଶ ପାଇଥିଲା। ସେବେଠୁ ଆରମ୍ଭ କରି ୧୯୨୭ଯାଏ ବାକି କାହାଣୀ ସବୁ ପ୍ରକାଶ ପାଇବାରେ ଲାଗିଲା। ଏମିତି ସମୁଦାୟ ପ୍ରକାଶିତ ହେଲା ୪ଟି ଉପନ୍ୟାସ ଓ ୫୬ଟି କ୍ଷୁଦ୍ରଗଳ୍ପ, ଯାହାର ନାୟକ ଥିଲେ ହୋମ୍ସ୍।
୧୮୫୯ ମେ ୨୨ରେ ଜନ୍ମିତ ଅର୍ଥର୍ କୋନନ୍ ଡୋୟଲ୍ ଥିଲେ ଚାର୍ଲସ୍ ଓ ମେରି ଫଲି ଡୋୟଲ୍ଙ୍କ ଜ୍ୟେଷ୍ଠପୁତ୍ର। ୧୭ ବର୍ଷ ବୟସରେ ସେ ଏଡିନ୍ବରା ୟୁନିଭର୍ସିଟିରେ ଡାକ୍ତରୀ ପଢ଼ିଥିଲେ। କିନ୍ତୁ, ସ୍କୁଲ୍ରେ ପଢ଼ିବା ବେଳେ ସେ ଲେଖାଲେଖି କରୁଥିଲେ। ଡାକ୍ତରୀ ପଢ଼ିବା ବେଳେ ଜୋସେଫ୍ ବେଲ୍ ନାମରେ ଜଣେ ଅଧ୍ୟାପକଙ୍କ କାର୍ଯ୍ୟଧାରା ତାଙ୍କୁ ପ୍ରେରିତ କରିଥିଲା। ଏହାକୁ ଗୁଇନ୍ଦା ତଦନ୍ତରେ ସାମିଲ କରିବା କଥା ଡୋୟଲ୍ଙ୍କ କଳ୍ପନାକୁ ଅକ୍ତିଆର କରିଥିଲା। ଘଟଣାଟି ଥିଲା ଏମିତି: ଶିକାରରୁ ନ ଫେରି ମୃତ୍ୟୁବରଣ କରିଥିବା ଜଣେ ୨୦ ବର୍ଷୀୟ ଯୁବକଙ୍କ ଉପରେ ତଦନ୍ତ କରୁଥିଲେ ଡାନିଏଲ୍ ସ୍ମିଥ୍। ଏଥିରେ ତାଙ୍କୁ ସହାୟତା କରୁଥିଲେ ‘ଫୋରେନ୍ସିକ୍ ସାଇନ୍ସ୍’ର ଡାକ୍ତର ଜୋସେଫ୍ ବେଲ୍ ଓ ହେନ୍ରି ଲିଟ୍ଲ୍ଜନ୍। ଏଥିରୁ ହିଁ ଡୋୟଲ୍ ସୃଷ୍ଟି କଲେ ଗୁଇନ୍ଦା ଚରିତ୍ର ସେର୍ଲକ୍ ହୋମ୍ସ୍। ପରେ ଲଣ୍ଡନ୍ର ରସେଲ୍ ଛକରେ ସେ ଡାକ୍ତରୀ ବେଉସା ଆରମ୍ଭ କଲେ। ସେତେବେଳକୁ ହୋମ୍ସ୍ଙ୍କ ଉପରେ ଗଳ୍ପ ଉପନ୍ୟାସ ଆଦି େଲଖି ସେ ଏତେ ପ୍ରସିଦ୍ଧ ହୋଇଯାଇଥିଲେ ଯେ, ଡାକ୍ତରୀ ବେଉସା ଚାଲିଲା ନାହିଁ। ଶେଷକୁ ସେ କେବଳ ଲେଖାଲେଖିରେ ମନଦେଲେ। ପରିଶେଷରେ ୧୯୩୦ରେ ୭୧ ବର୍ଷ ବୟସରେ ହୃଦ୍ଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଗଲା।
କାହାର ସନ୍ତାନ ସେ କେଉଁଠି ନିବାସ:
କୋନନ୍ ଡୋୟଲ୍ଙ୍କ କାହାଣୀରେ ସେର୍ଲକ୍ ହୋମ୍ସ୍ଙ୍କ ବ୍ୟକ୍ତିଗତ ବିବରଣୀ ସେତେ ସୁସ୍ପଷ୍ଟ ନୁହେଁ। ‘ହିଜ୍ ଲାଷ୍ଟ୍ ବ୍ଲୋ’ ଗଳ୍ପରେ ତାଙ୍କ ଜନ୍ମ ୧୮୩୫ ବୋଲି ଉଲ୍ଲେଖ ଅଛି। ତାଙ୍କ ପୂର୍ବଜମାନେ ସମ୍ଭ୍ରାନ୍ତ ଥିଲେ ବୋଲି ହୋମ୍ସ୍ କହୁଥିଲେ ବି ତାଙ୍କ ପିତାମାତାଙ୍କ ନାମ କେଉଁଠି ହେଲେ ଉଲ୍ଲେଖ ନାହିଁ। ‘ଦି ଆଡ୍ଭେଞ୍ଚର୍ ଅଫ୍ ଦି ଗ୍ରୀକ୍ ଇଣ୍ଟର୍ପ୍ରିଟର୍’ରେ ହୋମ୍ସ୍ କହିଛନ୍ତି ଯେ, ତାଙ୍କ ଜେଜୀ ଫରାସୀ ଚିତ୍ରକର ଭର୍ଣ୍ଣେଟ୍ଙ୍କ ଭଉଣୀ। ହୋମ୍ସ୍ଙ୍କ ଭାଇ ମାଇକ୍ରୋଫ୍ଟ ତାଙ୍କଠାରୁ ୭ ବର୍ଷ ବଡ଼ ଓ ଜଣେ ସରକାରୀ ଅଧିକାରୀ। ହୋମ୍ସ୍ଙ୍କ ବୟସ ୬୦ ବୋଲି ୧୯୧୪ ଅଗଷ୍ଟରେ ରଚିତ କ୍ଷୁଦ୍ରଗଳ୍ପରେ ଉଲ୍ଲେଖ ଅଛି।
ମୋଟାବୁଦ୍ଧିଆ ୱାଟ୍ସନ୍:
ପ୍ରଥମ ଗଳ୍ପ ‘ଏ ଷ୍ଟଡି ଇନ୍ ସ୍କାର୍ଲେଟ୍’ରୁ ଜଣାପଡ଼େ ଆର୍ଥିକ ଅସୁବିଧା ଯୋଗୁଁ ହୋମ୍ସ୍ ଓ ଡାକ୍ତର ୱାଟ୍ସନ୍ ଲଣ୍ଡନ୍ର ୨୨୧ବି ବେକର୍ ଷ୍ଟ୍ରିଟ୍ରେ ଏକତ୍ର ଗୋଟିଏ ପ୍ରକୋଷ୍ଠରେ ରହୁଥିଲେ। ୨୩ ବର୍ଷ ଧରି ହୋମ୍ସ୍ ଗୁଇନ୍ଦାଗିରି କରିଥିଲେ। ସେଥିରୁ ୧୭ ବର୍ଷ ୱାଟ୍ସନ୍ ତାଙ୍କୁ ସହାୟତା କରିଥିଲେ। ଡାକ୍ତର ୱାଟ୍ସନ୍ ମୋଟାବୁଦ୍ଧିଆ କିନ୍ତୁ, ରହସ୍ୟ ଭେଦ କରିବାରେ ହୋମ୍ସ୍ଙ୍କୁ ଖୁବ୍ ସହାୟତା କରିପାରନ୍ତି।
ମୃତ ହୋମ୍ସ୍ଙ୍କୁ ଜୀବନ୍ୟାସ ଦେଲେ ପାଠକ:
୧୮୯୩ରେ ପ୍ରକାଶିତ କ୍ଷୁଦ୍ରଗଳ୍ପ ‘ଦି ଫାଇନାଲ୍ ପ୍ରୋବ୍ଲେମ୍’ରେ କୋନନ୍ ଡୋୟଲ୍ ହୋମ୍ସ୍ଙ୍କୁ ଅପରାଧ ଦୁନିଆର ମାଷ୍ଟର୍ମାଇଣ୍ଡ୍ ପ୍ରଫେସର୍ ଜେମସ୍ ମୋରିଆରିଟିଙ୍କ ଦ୍ବାରା ହତ୍ୟା କରାଇଲେ। କିନ୍ତୁ, ଏଥିଯୋଗୁଁ ସାଧାରଣ ଜନତା ଯେଭଳି କ୍ଷୁବ୍ଧ ହେଲେ ତାହା ଦେଖି ଡୋୟଲ୍ କାବା ହୋଇଗଲେ। ମର୍ମାହତ ପାଠକମାନେ ‘ଦି ଷ୍ଟ୍ରାଣ୍ଡ୍ ମାଗାଜିନ୍’କୁ ବେଦନାଭରା ଚିଠି ଲେଖିଲେ। ଜନପ୍ରତିବାଦ ଏମିତି ହେଲା ଯେ, ପତ୍ରିକାର ୨୦ ହଜାର ଗ୍ରାହକ କମିଗଲେ। କୋନନ୍ ଡୋୟଲ୍ଙ୍କ ନିକଟକୁ ମଧ୍ୟ ଅନେକ ପ୍ରତିବାଦ ପତ୍ର ଗଲା। ଜଣେ ମହିଳା ଲେଖିଥିଲେ, ଆପଣ ନୃଶଂସ। ଦୀର୍ଘ ୮ ବର୍ଷ ଧରି ସର୍ବସାଧାରଣଙ୍କ ପ୍ରତିବାଦ ସହ୍ୟ କରିବା ପରେ ୧୯୦୩ରେ ଡୋୟଲ୍ ‘ଦି ଆଡ୍ଭେଞ୍ଚର୍ ଅଫ୍ ଦି ଏମ୍ପ୍ଟି ହାଉସ୍’ ଲେଖିଲେ। ସେଥିରେ ହୋମସ୍ ପୁନରାୟ ଦେଖା ଦେଇ ୱାଟ୍ସନ୍ଙ୍କୁ ହତବାକ୍ କରି ପକାଉଛନ୍ତି। କହୁଛନ୍ତି, ଶତ୍ରୁମାନଙ୍କୁ ବୁଦ୍ଦୁ ବନାଇବାକୁ ସେ ମିଥ୍ୟା-ମୃତ୍ୟୁ ପ୍ରଘଟ କରାଇଥିଲେ। ‘ହିଜ୍ ଲାଷ୍ଟ୍ ବ୍ଲୋ’ ଗଳ୍ପରେ ପାଠକଙ୍କୁ କୁହାଯାଇଛି ଯେ, ଗୁଇନ୍ଦାଗିରିରୁ ଅବସର ନେଇ ହୋମ୍ସ୍ ସସେକ୍ସ୍ ଡାଉନ୍ରେ ଥିବା କ୍ଷୁଦ୍ର ଫାର୍ମରେ ବାସ କରୁଛନ୍ତି। ସେଠାରେ ତାଙ୍କର ପ୍ରଧାନ ବେଉସା ହେଉଛି ମହୁଚାଷ।
ଗିନିଜ୍ ୱାର୍ଲଡ୍ ରେକର୍ଡସ୍:
ସର୍ବପ୍ରଥମ କାଳ୍ପନିକ ଗୁଇନ୍ଦା ହୋଇଥିଲେ ବି ସେର୍ଲକ୍ ହୋମ୍ ଥିଲେ ସର୍ବଜନବିଦିତ। ୧୯୯୦ ସୁଦ୍ଧା ସେର୍ଲକ୍ ହୋମ୍ ଚରିତ୍ର ଥିବା କ୍ଷୁଦ୍ରଗଳ୍ପ ସବୁକୁ ୨୫,୦୦୦ରୁ ଊର୍ଦ୍ଧ୍ବ ନାଟକ, ଚଳଚ୍ଚିତ୍ର, ଟେଲିଭିଜନ୍, ଭିଡିଓ ଗେମ୍ ନିମନ୍ତେ ଗୃହୀତ କରାଯାଇଛି। ତେଣୁ, ଗିନିଜ୍ ୱାର୍ଲଡ୍ ରେକର୍ଡସ୍ ଏହାକୁ ଚଳଚ୍ଚିତ୍ର ଓ ଟେଲିଭିଜନ୍ ଇତିହାସରେ ସବୁଠୁ ଅଧିକ ଚିତ୍ରଣ କରାଯାଇଥିବା କାଳ୍ପନିକ ଚରିତ୍ର ଭାବେ ତାଲିକାଭୁକ୍ତ କରିଛି।
କାଳ୍ପନାପ୍ରସୂତ ନୁହେଁ ବାସ୍ତବ:
ହୋମ୍ସ୍ଙ୍କ ଲୋକପ୍ରିୟତା ଓ ପ୍ରସିଦ୍ଧି ଏମିତି ଯେ, ଅନେକେ ବିଶ୍ବାସ କରିଥିଲେ ସେ କାଳ୍ପନିକ ଚରିତ୍ର ନୁହନ୍ତି, ବାସ୍ତବ ମଣିଷ। ତାଙ୍କୁ ଜୀବନ୍ତ ବୋଲି ଅଭିହିତ କରି ଅନେକ ସାହିତ୍ୟିକ ଓ ପ୍ରଶଂସକ ମଞ୍ଚ ଗଠନ କରାଯାଇଥିଲା। ୧୯୨୦ରେ ଲଣ୍ଡନ୍ ମେଟ୍ରୋପଲିଟାନ୍ ରେଲ୍ୱେ ତା’ର ୨୦ଟି ବିଜୁଳି ଚାଳିତ ରେଳ ଇଞ୍ଜିନ୍ରୁ ଗୋଟିକର ନାଁ ଦେଇଥିଲା ସେର୍ଲକ୍ ହୋମ୍ସ୍। ଲଣ୍ଡନ୍ ନଗରୀର କେତେଗୁଡ଼ିଏ ରାସ୍ତା ମଧ୍ୟ ହୋମ୍ସ୍ଙ୍କ ନାମାନୁସାରେ ନାମିତ କରାଯାଇଛି। ରହସ୍ୟ ଗଳ୍ପ ଭଳି ଲୋକପ୍ରିୟ ସାହିତ୍ୟରେ ଫୋରେନ୍ସିକ୍ ସାଇନ୍ସ୍ ଓ ଆନାଲିଟିକାଲ୍ କେମିଷ୍ଟ୍ରି ବ୍ୟବହାର କରିଥିବାରୁ ୨୦୦୨ରେ ‘ରୟାଲ୍ ସୋସାଇଟି ଅଫ୍ କେମିଷ୍ଟ୍ରି’ ହୋମସ୍ଙ୍କୁ ସମ୍ମାନସୂଚକ ଫେଲୋସିପ୍ ପ୍ରଦାନ କରିଥିଲା। ଅନୁଶୀଳନ ସାମର୍ଥ୍ୟ ନିମନ୍ତେ ପ୍ରସିଦ୍ଧି ଥିଲେ ବି ହୋମ୍ସ୍ଙ୍କ ତଦନ୍ତ କୌଶଳ ପ୍ରତ୍ୟକ୍ଷ ପ୍ରମାଣ ପ୍ରାପ୍ତି ଉପରେ ନିର୍ଭର କରେ। ଅପରାଧୀମାନଙ୍କୁ ଚିହ୍ନିବା ଲାଗି ତଦନ୍ତକ୍ରିୟାରେ ହୋମ୍ସ୍ ଉପରୋକ୍ତ ଉପାୟ ବେଶୀ ଉପଯୋଗ କରନ୍ତି।
ଜଣେ କାଳ୍ପନିକ ବ୍ୟକ୍ତି ହିସାବରେ ଏସବୁ ସମ୍ମାନ ପାଇବାରେ ସେ ପ୍ରଥମ। ଏହାଛଡ଼ା, ‘ରୟାଲ୍ ମେଲ୍’ ମଧ୍ୟ ହୋମ୍ସ୍ଙ୍କ ଉପରେ ଅନେକ ସ୍ମାରକୀ ଡାକ ଟିକେଟ୍ ପ୍ରକାଶ କରିଛି। ବିଶ୍ବର ବିଭିନ୍ନ ଦେଶରେ ହୋମ୍ସ୍ଙ୍କର ଅନେକ ପ୍ରତିମୂର୍ତ୍ତି ଗଢ଼ାଯାଇଛି। ସେଥିରୁ ପ୍ରଥମଟି ହେଉଛି ୧୯୮୮ ସେପ୍ଟେମ୍ବରରେ ସ୍ବିଜର୍ଲାଣ୍ଡ୍ର ମରିନ୍ଜେନ୍ରେ ଉନ୍ମୋଚିତ ହୋଇଥିବା ଜନ୍ ଡବଲ୍ଡେଙ୍କ ଦ୍ବାରା ନିର୍ମିତ ପ୍ରତିମୂର୍ତ୍ତି।