ଆମ ପାଠାଗାର ଖଜୁରୀ ଗଛ!

ରବୀନ୍ଦ୍ର କୁମାର ମହାପାତ୍ର

ଆମ ଜୀବନରେ ପାଠାଗାରର ଭୂମିକା କିଭଳି ଗୁରୁତ୍ବପୂର୍ଣ୍ଣ, ତାହା କେବଳ ଏଥିରୁ ବୁଝି ହୁଏ ଯେ ଶିକ୍ଷାନୁଷ୍ଠାନ, ସରକାରୀ କାର୍ଯ୍ୟାଳୟ, ଗବେଷଣା ଅନୁଷ୍ଠାନ ଆଦିର ଏହା ଏକ ଅବି‌େଚ୍ଛଦ୍ୟ ଅଂଶ ହୋଇଥିବା ବେଳେ ପଠନ ପ୍ରିୟ ଜନସାଧାରଣ ସେମାନଙ୍କ ବ୍ୟକ୍ତଗିତ ଅନୁସନ୍ଧିତ୍ସା ମୋଚନ, ଗବେଷଣା, ଜ୍ଞାନ ବୃଦ୍ଧି ଏବଂ ଅବସର ବିନୋଦନ ସକା‌େଶ ପାଠାଗାର ଲୋଡ଼ନ୍ତି। ଏକ ସୁସଂସ୍କୃତ ସମାଜରେ ପାଠାଗାରକୁ ଏକ ମହତ୍ତ୍ବପୂର୍ଣ୍ଣ ସାମାଜିକ ଅନୁଷ୍ଠାନ ରୂପେ ବିବେଚନା କରାଯାଏ।

ଅନେକ ସଭ୍ୟ ରାଷ୍ଟ୍ରର ସାଂସ୍କୃତିକ ପରିଚିତି ସେ ସବୁ ଦେଶରେ ଥିବା ଜନସାଧାରଣଙ୍କ ନିମନ୍ତେ ଉଦ୍ଦିଷ୍ଟ ସାର୍ବଜନୀନ ପାଠାଗାର ବା ‘ପବ୍ଲିକ୍‌ ଲାଇବ୍ରେରି’ ଦ୍ବାରା ହୋଇଥାଏ, ଯେମିତି ୟୁ.କେ.ର ‘ବ୍ରିଟିସ ଲାଇବ୍ରେରି’ ବା ଫ୍ରାନ୍‌ସର ‘ନେସନାଲ ଲାଇବ୍ରେରି’ ଇତ୍ୟାଦି। ପୃଥିବୀର ପ୍ରାୟ ସମସ୍ତ ବିକଶିତ ଦେଶରେ ‘ପବ୍ଲିକ୍‌ ଲାଇବ୍ରେରି’ଗୁଡ଼ିକୁ ପ୍ରାଧାନ୍ୟ ଦିଆଯାଇଥାଏ। ଆମ ଦେଶରେ ମଧ୍ୟ ‘ପବ୍ଲିକ୍‌ ଲାଇବ୍ରେରି’ଗୁଡ଼ିକ କିଭଳି ଅଧିକରୁ ଅଧିକ ଉନ୍ନତ ହୋଇ ଜନସାଧାରଣଙ୍କ ସକାଶେ ଅଧିକ ବ୍ୟବହାର ଉପଯୋଗୀ ହୋଇପାରିବେ, ସେ ଦିଗରେ ପ୍ରୟାସ କରାଯାଉଛି। ଆମ ଦେଶର ନୂଆଦିଲ୍ଲୀସ୍ଥିତ ଦିଲ୍ଲୀ ପବ୍ଲିକ୍ ଲାଇବ୍ରେରି ବା କୋଲକାତାର ନେସ୍‌ନାଲ୍ ଲାଇବ୍ରେରିର ଯଥେଷ୍ଟ ସୁନାମ ରହିଛି।

କିନ୍ତୁ ଏ ସଂଦର୍ଭରେ ଆମ ରାଜ୍ୟ କଥା ବିଚାର କଲେ ନିରାଶ ହେବାକୁ ପଡୁଛି। ଆମ ଦେଶରେ ୧୯ଟି ରାଜ୍ୟରେ ‘ସାର୍ବଜନୀନ ପାଠାଗାର ଆଇନ’ ବା ‘ପବ୍ଲିକ୍‌ ଲାଇବ୍ରେରି ଆକ୍‌ଟ’ ପ୍ରଣୀତ ହୋଇଛି, ଯଦ୍ଦ୍ବାରା ପଞ୍ଚାୟତ ଠାରୁ ଆରମ୍ଭ କରି ଜିଲ୍ଲା ଏବଂ ରାଜ୍ୟ ସ୍ତର ପର୍ଯ୍ୟନ୍ତ ପାଠାଗାରମାନ ସ୍ଥାପିତ ‌ହେବାର ବାଟ ଖୋଲିଛି। ଓଡ଼ିଶାରେ ମଧ୍ୟ ୨୦୦୧ ମସିହାରେ ‘ସାର୍ବଜୀନନ ପାଠାଗାର ଆଇନ’ ପାସ୍‌ ହେଲା। କିନ୍ତୁ ବସ୍ତୁତଃ ଏହା ନାଲିଫିତା ତଳେ ଚାପି ହୋଇ ରହିଗଲା। ଆଇନ ରୂପ ନେବାର ପ୍ରାୟ ୧୫ ବର୍ଷ ପରେ ଅର୍ଥାତ୍‌ ୨୦୧୬ ମସିହାରେ ଯାଇ ପାଠାଗାର ନିୟମ ପ୍ରଣୟନ ସକା‌େଶ ଗେଜେଟ୍ ପ୍ରକାଶ ପାଇଲା। ମାତ୍ର ବିଡ଼ମ୍ବନା, ଏବେ ସୁଦ୍ଧା ତାହା କାର୍ଯ୍ୟକାରୀ ହୋଇ ପାରି ନାହିଁ। ଏଥିରୁ ହିଁ ପାଠାଗାର ପ୍ରତି ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ ହୋଇଥାଏ।

ସାର୍ବଜନୀନ ପାଠାଗାର ନିୟମ ଲାଗୁ ହେଲେ ଆମ ରାଜ୍ୟରେ ପଞ୍ଚାୟତ, ବ୍ଲକ୍‌, ସବ୍‌ଡିଭିଜନ୍ ଓ ଜିଲ୍ଲା ସ୍ତରରେ ପାଠାଗାରମାନ ସ୍ଥାପିତ ହୋଇ ପାରିବ ଏବଂ ଅସୁମାରି ପଠନ ପ୍ରିୟ ଜନସାଧାରଣ ଏହାର ଲାଭ ପାଇବେ। ଏହି ନିୟମ ଅନୁସାରେ ରାଜ୍ୟ ସ୍ତରରେ ଗୋଟିଏ ପାଠାଗାର ଡାଇରେକ୍ଟରେଟ୍ ସୃଷ୍ଟି କରାଯିବ। ଏବେ ଆମ ରାଜ୍ୟର ତିରିଶ ଜିଲ୍ଲାରୁ କେବଳ ମାତ୍ର ତେରଟିରେ ଜିଲ୍ଲା ସ୍ତରୀୟ ପାଠାଗାର ଅଛି ଏବଂ ଦୁଇଟି ଜିଲ୍ଲାରେ ପାଠାଗାର ସ୍ଥାପନର ଉଦ୍ୟମ ଚାଲିଛି। କିନ୍ତୁ, ମନେ ହୋଇଥାଏ ଯେ ନୂତନ ପାଠାଗାର ଗଢ଼ିବା ବା ବ୍ୟବସ୍ଥାରେ ଉନ୍ନତି ଆଣିବା ଦିଗରେ ସରକାର ଉଦାସୀନ ଓ ଶିଥିଳ। ରାଜ୍ୟ ‘ପବ୍ଲିକ୍‌ ଲାଇବ୍ରେରି’ଗୁଡ଼ିକ ପାଇଁ କେନ୍ଦ୍ର ସରକାରଙ୍କର ‘ରାଜା ରାମମୋହନ ରାୟ ଫାଉଣ୍ଡେସନ୍‌’ ବହି ସହିତ ଅନ୍ୟାନ୍ୟ ଆନୁଷଙ୍ଗିକ ସୁବିଧା ଓ ସାଧନ ଯୋଗାଇ ଦେଉଛନ୍ତି।

ତେଣୁ ଆମ ରାଜ୍ୟ ସରକାର ଇଚ୍ଛା କଲେ ଅନେକ ପାଠାଗାର ଗଢ଼ି ଉଠନ୍ତା। କିନ୍ତୁ ସେଭଳି ଇଚ୍ଛା ବା ଉଦ୍ୟମ ପରିଦୃଷ୍ଟ ହେଉନାହିଁ। ତେବେ, ଟିକିଏ ଆଶ୍ବାସନା ହେଲା, ଗଞ୍ଜାମ ଜିଲ୍ଲାରେ ୬ଟି କ୍ଷେତ୍ରୀୟ ପାଠାଗାର ଗଢ଼ି ଉଠିଛି। ଯୁକ୍ତରାଷ୍ଟ୍ର ଆମେରିକାରେ ଥିବା ଓଏସ୍‌ଏ (ଓଡ଼ିଶା ସୋସାଇଟି ଫର୍ ଆମେରିକାସ୍‌)ର ସଦସ୍ୟମାନଙ୍କ ଦ୍ୱାରା ୪୦ ଲକ୍ଷ ଟଙ୍କା ବ୍ୟୟରେ ତିନିଟି ପାଠାଗାର ଗଢ଼ି ଉଠିଛି ଏବଂ ଏହା ସମସ୍ତଙ୍କ ଦ୍ୱାରା ଆଦୃତ ହୋଇ ପାରିଛି। ଏହି ପାଠାଗାରଗୁଡ଼ିକରେ ‘ଇଣ୍ଟରନେଟ୍‌ର’ର ସୁବିଧା କରାଯାଇ ଥିବାରୁ ବ୍ୟବହାରକାରୀମାନେ ଅଧିକ ଉପକୃତ ହେଉଛନ୍ତି। ଓଡ଼ିଶାରେ ସାର୍ବଜନୀନ ପାଠାଗାର ନିୟମ ଲାଗୁ କରିବା ପାଇଁ ‘ଓଏସ୍‌ଏ’ର ସଦସ୍ୟମାନେ ସରକାରଙ୍କ ଠାରେ ଦାବି କରି ଆସୁଛନ୍ତି। ନିକଟରେ ‘ଓଡ଼ିଶା ପାଠାଗାର ସଂଘ’ ମଧ୍ୟ ସଂସ୍କୃତି ସଚିବଙ୍କୁ ସାକ୍ଷାତ୍ କରି ଏ ସଂକ୍ରାନ୍ତ ଦାବି ଜଣାଇଛି। କିନ୍ତୁ କୌଣସି ପଦକ୍ଷେପ ନିଆଯାଉନାହିଁ।

ପାଠାଗାର ପ୍ରତି ସରକାର କିଭଳି ଉଦାସୀନ ତା’ର ପ୍ରମାଣ କେବଳ ଏଥିରୁ ମିଳିଥାଏ ଯେ କୌଣସି ଉଚ୍ଚ ଶିକ୍ଷାନୁଷ୍ଠାନ ଲାଗି ପାଠାଗାରର ଭୂମିକା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ହୋଇଥିବା ବେଳେ ଆମ ରାଜ୍ୟର କଲେଜ ଓ ବିଶ୍ୱବିଦ୍ୟାଳୟମାନଙ୍କରେ ଅଧିକାଂଶ ଲାଇବ୍ରେରିଆନ୍‌ ପଦ ଖାଲି ପଡ଼ିଛି। ଲାଇବ୍ରେରିଆନମାନଙ୍କ ଅନୁପସ୍ଥିତିରେ କ‌େଲଜର କିରାଣି ବା ଲାଇବ୍ରେରି ଆଟେଣ୍ଡେଣ୍ଟମାନେ ପାଠାଗାର ଚଳାଉଛନ୍ତି। ନୂତନ ବିଶ୍ୱବିଦ୍ୟାଳୟ ଗୁଡ଼ିକରେ ଲାଇବ୍ରେରିଆନ ପଦ ସୃଷ୍ଟି କରାଯାଉ ନାହିଁ। ବିଗତ ପାଞ୍ଚ ବର୍ଷ ହେଲା ସ୍କୁଲ ଓ ଗଣଶିକ୍ଷା ବିଭାଗ ପାଇଁ ୩୧୫ଟି ଲାଇବ୍ରେରିଆନ ପଦ ସୃଷ୍ଟି କରାଯାଇଛି; ଅଥଚ କେବଳ ଗୋଟିଏ ସ୍କୁଲ ପାଇଁ ଜଣେ ଲାଇବ୍ରେରିଆନଙ୍କୁ କଣ୍ଟ୍ରାକ୍‌ଚୁଆଲ୍ ଭିତ୍ତିରେ ନିଯୁକ୍ତି ଦିଆଯାଇଛି। ଏଥିରୁ ଅବହେଳାର ଚିତ୍ର ଜଳଜଳ। କଲେଜ ସ୍ତରରେ ବି ପାଠାଗାରଗୁଡ଼ିକ ଅବହେଳାର ଶିକାର। ସରକାରୀ କଲେଜଗୁଡ଼ିକରେ ପ୍ରାୟ ୮୫% ଲାଇବ୍ରେରିଆନ୍‌ ଅବସର ନେଇଥିବା ବେଳେ ଲାଇବ୍ରେରି ଆଟେଣ୍ଡାଣ୍ଟମାନଙ୍କ ଦ୍ୱାରା ପାଠାଗାର ପରିଚାଳିତ ହେଉଛି। ଯଦି ଶିକ୍ଷାନୁଷ୍ଠାନଗୁଡ଼ିକର ଅପରିହାର୍ଯ୍ୟ ଅଙ୍ଗ ହୋଇଥିବା ସତ୍ତ୍ବେ ପାଠାଗାରଗୁଡ଼ିକର ପରିସ୍ଥିତି ଏହିଭଳି, ତେବେ ‘ପବ୍ଲିକ୍‌ ଲାଇବ୍ରେରି’ ବିଷୟରେ ଅଧିକ ଆଶା କରିବା କାହିଁକି?

ଓଡ଼ିଶାରେ ତିନିଟି ପାଠାଗାର ସଂଘ ଅଛନ୍ତି। ଅଥଚ, କୌଣସି ସଂଘ ପାଠାଗାରର ଉନ୍ନତି ଏବଂ ଲାଇବ୍ରେରିଆନଙ୍କ ନିଯୁକ୍ତି ପାଇଁ ପ୍ରଚେଷ୍ଟା କରୁ ନାହାନ୍ତି। ତେଣୁ ଏ ସମଗ୍ର କ୍ଷେତ୍ରଟି ଏଭଳି ଏକ ଖଜୁରୀ ଗଛରେ ପରିଣତ ହୋଇଛି, ଯାହାର ଗୁଣ ବଖାଣ ଲାଗି କୌଣସି ଅବକାଶ ହିଁ ନାହିଁ, କାରଣ ତାହା ମୂଳରୁ ପାହାଚ ପାହାଚ ହୋଇ ରହିଛି।
ମୋ: ୭୦୦୮୪୦୩୭୧୮

ସମ୍ବନ୍ଧିତ ଖବର