ରାୟଗଡ଼ା : ପରକୀୟା ପ୍ରୀତି ସନ୍ଦେହରେ ପତ୍ନୀକୁ ହତ୍ୟା କଲା ସ୍ବାମୀ

ରାୟଗଡ଼ା,୨୫/୫(ଇମିସ): ପରକୀୟା ପ୍ରୀତି ସନ୍ଦେହରେ ନିଜ ସ୍ତ୍ରୀକୁ ହତ୍ୟା କରିଛି ସ୍ବାମୀ। ଏଭଳି ଅଭାବନୀୟ ଘଟଣା ଘଟିଛି କାଶୀପୁର ଥାନା କୁମ୍ବାଖାଲ ଗ୍ରାମରେ। ପୁଲିସ୍ ଅଭିଯୁକ୍ତ ସ୍ବାମୀ ଅନାସିଂ ମାଝିକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏଥି ସହିତ ହତ୍ୟାରେ ବ୍ୟବହୃତ ରଶି, କଡାକୁ ପୁଲିସ୍ ଜବତ କରିଛି। କାଶୀପୁର ଥାନା ଅଧିକାରୀ ଦୁର୍ଗା ମାଧବ ପ୍ରଧାନ ମାମଲାର ତଦନ୍ତ କରୁଛନ୍ତି।

ପୁଲିସ୍ ସୂଚନାନୁଯାୟୀ, କୁମ୍ବାଖାଲ ଗ୍ରାମର ଅନାସିଂ ମାଝିଗତ ୨୨ ତାରିଖ ସଂଧ୍ୟାରେ ନିଜ ସ୍ତ୍ରୀ ରୂପାଦେଇ ମାଝିକୁ ଆକ୍ରମଣ କରିବା ସହ ନାକ ଓ ବେକକୁ ଚିପି ହତ୍ୟା କରିଥିଲା। ପରକୀୟା ପ୍ରୀତିକୁ ନେଇ ଦୀର୍ଘ ଦିନ ଅନାସିଂ ଓ ରୂପାଦେଇଙ୍କ ମଧ୍ୟରେ କଳହ ଲାଗି ରହିଥିଲା। ଘଟଣା ଦିନ ସଂଧ୍ୟା ସାଢ଼େ ୬ଟାରେ ଅନାସିଂ ଘରକୁ ଫେରିବା ପରେ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ଅନାସିଂ ରୂପାଦେଇକୁ ନାକକୁ ପ୍ରଥମେ ଚିପି ଧରିଥିଲା। ଶ୍ବାସ ରୁଦ୍ଧ ହୋଇ ରୂପାଦେଇ ଛଟପଟ ହେଉଥିବା ବେଳେ ଅନାସିଂ ପୁଣି ବେକକୁ ଚିପି ଦେବା ଯୋଗୁ ଘଟଣାସ୍ଥଳରେ ହିଁ ରୂପାଦେଇଙ୍କ ମୃତ୍ୟୁ ହୋଇଥିଲା। ମୃତ୍ୟୁ ପରେ ରୂପାଦେଇ ନାକରେ ପିନ୍ଧିଥିବା ଅଳଙ୍କାରଙ୍କୁ ନେଇ ଅନାସିଂ ଫେରାର ହୋଇ ଯାଇଥିଲା। ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ଫେରାର ଥିବା ସ୍ବାମୀ ଅନାସିଂକୁ ଗିରଫ କରିଥିଲା। ପ୍ରାଥମିକ ତଦନ୍ତରୁ ହତ୍ୟାର କାରଣ ପଛରେ ପରକୀୟା ପ୍ରୀତି ଥିବା ପୁଲିସ୍ ସୂଚନା ଦେଇଛି।

ସମ୍ବନ୍ଧିତ ଖବର